ଅଧ୍ୟାୟ 10: ବିଭୂତି ଯୋଗ

ବିଭୂତି ଯୋଗ

ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ଏହି ଅଧ୍ୟାୟର ବର୍ଣ୍ଣନା ଅର୍ଜୁନଙ୍କୁ ତାଙ୍କ ତେଜସ୍ୱୀ ଏବଂ ଦୀପ୍ତିମାନ ମହିମାର ଅବଲୋକନ କରାଇ, ଧ୍ୟାନ କରିବାରେ ତାଙ୍କର ସହାୟତା କରିବା ଉଦ୍ଦେଶ୍ୟରେ କରାଯାଇଛି । ନବମ ଅଧ୍ୟାୟରେ ଶ୍ରୀକୃଷ୍ଣ ଭକ୍ତିର ବିଜ୍ଞାନ ବା ପ୍ରେମମୟ ଭକ୍ତିକୁ ପ୍ରକାଶିତ କରିଛନ୍ତି ଏବଂ କିଛି ମାତ୍ରାରେ ନିଜ ଐଶ୍ୱର୍ଯ୍ୟର ବର୍ଣ୍ଣନା ମଧ୍ୟ କରିଛନ୍ତି । ଏଠାରେ ଅର୍ଜୁନଙ୍କର ଭକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ, ସେ ତାଙ୍କ ଅନନ୍ତ ଐଶ୍ୱର୍ଯ୍ୟର ବିସ୍ତୃତ ବର୍ଣ୍ଣନ କରିଛନ୍ତି । ଏହି ଶ୍ଲୋକ ଗୁଡ଼ିକ ପଢ଼ିବାକୁ ଆନନ୍ଦଦାୟକ ଏବଂ ଶୁଣିବାକୁ ମଧୁର ଅଟେ ।

ଶ୍ରୀକୃଷ୍ଣ ପ୍ରକାଶ କରୁଛନ୍ତି ଯେ ସୃଷ୍ଟିରେ ଯାହାକିଛି ରହିଛି, ସବୁର ଉତ୍ସ ସେ ଅଟନ୍ତି । ମନୁଷ୍ୟ ମାନଙ୍କର ବିଭିନ୍ନ ଗୁଣ ତାଙ୍କ ଠାରୁ ଉତ୍ପନ୍ନ ହୋଇଥାଏ । ସପ୍ତ ଋଷି, ଚାରିଜଣ ମହାନ୍ ସନ୍ଥ ଏବଂ ଚଉଦ ମନୁ ତାଙ୍କ ମାନସରୁ ଉତ୍ପନ୍ନ ହୋଇଛନ୍ତି ଏବଂ ତାଙ୍କଠାରୁ ପୃଥିବୀର ସମସ୍ତ ମନୁଷ୍ୟଙ୍କର ଅବତରଣ ହୋଇଛି । ସବୁକିଛି ତାଙ୍କଠାରୁ ଉତ୍ପନ୍ନ ହୋଇଛି, ଯେଉଁମାନେ ଏକଥା ଜାଣନ୍ତି, ସେମାନେ ଦୃଢ଼ ବିଶ୍ୱାସର ସହିତ ତାଙ୍କର ଭକ୍ତି କରନ୍ତି । ଏହିପରି ଭକ୍ତମାନେ ପରସ୍ପର ତାଙ୍କ ମହିମାର ଚର୍ଚ୍ଚା କରି ଅତ୍ୟନ୍ତ ବିଭୋର ହୁଅନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ସେଥିରେ ଅନୁପ୍ରାଣିତ କରନ୍ତି । ସେମାନଙ୍କର ମନ ଯେହେତୁ ଭଗବାନଙ୍କଠାରେ ସଂଲଗ୍ନ ରହିଥାଏ, ତାଙ୍କ ହୃଦୟରେ ନିବାସ କରୁଥିବା ପରମାତ୍ମା ତାଙ୍କୁ ଦିବ୍ୟଜ୍ଞାନ ପ୍ରଦାନ କରନ୍ତି, ଯଦ୍ୱାରା ସେମାନେ ସହଜରେ ଭଗବାନଙ୍କୁ ପ୍ରାପ୍ତ କରିପାରନ୍ତି ।

ତାଙ୍କଠାରୁ ଏସବୁ କଥା ଶୁଣିବା ପରେ, ଅର୍ଜୁନ ପ୍ରକାଶ କରୁଛନ୍ତି ଯେ ଶ୍ରୀକୃଷ୍ଣଙ୍କର ସର୍ବୋଚ୍ଚ ସ୍ଥିତି ବିଷୟରେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି ଏବଂ ସେ ଘୋଷଣା କରୁଛନ୍ତି ଯେ ଶ୍ରୀକୃଷ୍ଣ ହିଁ ପରାତ୍ପର ଦିବ୍ୟ ତତ୍ତ୍ୱ ଅଟନ୍ତି । ସେ ଭଗବାନଙ୍କୁ ଅନୁରୋଧ କରୁଛନ୍ତି ଯେ ତାଙ୍କ ଦିବ୍ୟ ମହିମାର ବର୍ଣ୍ଣନା ବିସ୍ତୃତ ଭାବରେ କରନ୍ତୁ, ଯାହା ଶୁଣିବାକୁ ଅମୃତ-ତୁଲ୍ୟ ଅଟେ । ଶ୍ରୀକୃଷ୍ଣ କହୁଛନ୍ତି, ଯେହେତୁ ସେ ସୃଷ୍ଟିର ଆଦ୍ୟ, ମଧ୍ୟ ଏବଂ ଅନ୍ତ ଅଟନ୍ତି, ସଂସାରର ସବୁକିଛି ତାଙ୍କ ଶକ୍ତିର ପରିପ୍ରକାଶ ଅଟେ । ସେ ସୌନ୍ଦର୍ଯ୍ୟ, ଗୁଣ, ଶକ୍ତି, ଜ୍ଞାନ ଏବଂ ଐଶ୍ୱର୍ଯ୍ୟର ଅନନ୍ତ ଭଣ୍ଡାର ଅଟନ୍ତି । ଯେଉଁଠାରେ ଆମେ କିଛି ଅସାଧାରଣ ଭବ୍ୟତା ଦେଖିଥାଏ, ଯାହାବି ଆମର କଳ୍ପନାକୁ ଆକର୍ଷିତ କରିଥାଏ, ଆମକୁ ପୁଲକିତ ଏବଂ ଆନନ୍ଦାଭିଭୂତ କରିଥାଏ, ଆମେ ଜାଣିବା ଉଚିତ ଯେ ସେସବୁ ଭଗବାନଙ୍କ ଐଶ୍ଚର୍ଯ୍ୟର ଦୀପ୍ତି ଅଟେ । ସେ ସମସ୍ତ ଶକ୍ତିର ଭଣ୍ଡାର ଅଟନ୍ତି, ଯେଉଁଠାରୁ ସମସ୍ତ ପ୍ରାଣୀ ଏବଂ ବସ୍ତୁ  ନିଜ ନିଜର ତେଜ ପ୍ରାପ୍ତ କରିଥାଆନ୍ତି । ଅଧ୍ୟାୟର ଅବଶିଷ୍ଟ ଅଂଶରେ, ସେ ତାଙ୍କ ଐଶ୍ୱର୍ଯ୍ୟକୁ ପ୍ରଦର୍ଶିତ କରୁଥିବା ବସ୍ତୁ, ବିଭୂତି ଏବଂ କ୍ରିୟାର ବର୍ଣ୍ଣନା କରିଛନ୍ତି । ସର୍ବଶେଷରେ, ସେ ଉପସଂହାର କରିବାକୁ ଯାଇ କହୁଛନ୍ତି ଯେ ତାଙ୍କର ମହିମା ସେ ବର୍ଣ୍ଣନା କରିଥିବା ଗୁଣମାନଙ୍କର ସମାହାର ମାତ୍ର ନୁହେଁ, କାରଣ ଅନନ୍ତ ବ୍ରହ୍ମାଣ୍ଡକୁ ସେ ତାଙ୍କର ଗୋଟିଏ ଅଂଶରେ ଧାରଣ କରିଥାଆନ୍ତି । ସୁତରାଂ, ସମସ୍ତ ଐଶ୍ୱର୍ଯ୍ୟର ଉତ୍ସ ଭଗବାନଙ୍କୁ ଆମେ ନିଜ ଉପାସନାର ଇଷ୍ଟ ରୂପେ ଗ୍ରହଣ କରିବା ଉଚିତ ।

ଭଗବଦ୍ ଗୀତା 10.1 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଭଗବାନ କହିଲେ: ହେ ବୀର! ମୋର ଦିବ୍ୟ ଉପଦେଶ ପୁନର୍ବାର ଶ୍ରବଣ କର । ତୁମେ ମୋର ପ୍ରିୟ ସଖା ଅଟ । ତେଣୁ ତୁମର ମଙ୍ଗଳ କାମନା କରି ମୁଁ ସେସବୁକୁ ତୁମ ନିକଟରେ ପ୍ରକାଶ କରୁଅଛି ।

ଭଗବଦ୍ ଗୀତା 10.2 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଦେବତାମାନେ କିମ୍ବା ବଡ ବଡ ମହର୍ଷିମାନେ, କେହି ମଧ୍ୟ ମୋର ଉଦ୍ଭବ ବିଷୟରେ କିଛି ଜାଣନ୍ତି ନାହିଁ । ମୁଁ ଉତ୍ସ ଅଟେ; ଦେବତା ଓ ମହର୍ଷିମାନେ ମୋ ଠାରୁ ଉତ୍ପନ୍ନ ହୋଇଥାଆନ୍ତି ।

ଭଗବଦ୍ ଗୀତା 10.3 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ମୋତେ ଅଜନ୍ମା, ଅନାଦି ଏବଂ ବିଶ୍ୱର ପରମ ପ୍ରଭୁ ରୂପରେ ଜାଣନ୍ତି, ମୃତ୍ୟୁଲୋକର ସେହି ବ୍ୟକ୍ତିମାନେ ମାୟାରେ ମୋହିତ ହୁଅନ୍ତି ନାହିଁ ଏବଂ ସମସ୍ତ ପାପରୁ ମୁକ୍ତ ହୋଇଯାଆନ୍ତି ।

ଭଗବଦ୍ ଗୀତା 10.4 - 10.5 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମନୁଷ୍ୟମାନଙ୍କର ଗୁଣରେ ବିବିଧତା କେବଳ ମୋଠାରୁ ହିଁ ଉତ୍ପନ୍ନ ହୋଇଥାଏ । ଯେପରି କି ବୁଦ୍ଧି, ଜ୍ଞାନ, ବିବେକ, କ୍ଷମାଶୀଳତା, ସତ୍ୟବାଦିତା, ଇନ୍ଦ୍ରିୟ ଏବଂ ମନ ଉପରେ ନିୟନ୍ତ୍ରଣ, ସୁଖ ଓ ଦୁଃଖ, ଜନ୍ମ ଓ ମୃତ୍ୟୁ, ଭୟ ଓ ସାହସ, ଅହିଂସା, ସମଦର୍ଶିତା, ସନ୍ତୋଷ, ସଂଯମ, ଦାନ, ଯଶ ଓ ଅପଯଶ ।

ଭଗବଦ୍ ଗୀତା 10.6 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସପ୍ତଋଷି, ତାଙ୍କ ପୂର୍ବରୁ ଚାରି ଯୋଗୀଶ୍ୱର ଏବଂ ଚଉଦ ମନୁ - ସମସ୍ତେ ମୋର ମାନସରୁ ଜାତ ଅଟନ୍ତି । ସେମାନଙ୍କ ଠାରୁ ସଂସାରର ସମସ୍ତ ମନୁଷ୍ୟ ଉତ୍ପତ୍ତି ଲାଭ କରିଛନ୍ତି ।

ଭଗବଦ୍ ଗୀତା 10.7 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ମୋର ବାସ୍ତବିକ ବିଭୂତି ଏବଂ ଦିବ୍ୟ ଶକ୍ତିକୁ ଜାଣନ୍ତି, ସେମାନେ ଅନନ୍ୟ ଭକ୍ତିଯୁକ୍ତ ହୋଇଥାନ୍ତି । ଏଥିରେ କିଛି ସନ୍ଦେହ ନଥାଏ ।

ଭଗବଦ୍ ଗୀତା 10.8 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୁଁ ସମଗ୍ର ସୃଷ୍ଟିର ଉଦ୍‌ଗମ ସ୍ଥଳ । ସବୁ କିଛି ମୋ ପରେ ଉତ୍ପନ୍ନ ହୁଅନ୍ତି । ଯେଉଁ ବିଜ୍ଞବ୍ୟକ୍ତି ଏହା ଜାଣନ୍ତି, ସେ ପୂର୍ଣ୍ଣ ବିଶ୍ୱାସ ଓ ଭକ୍ତିଯୁକ୍ତ ହୋଇ ମୋର ଉପାସନା କରନ୍ତି ।

ଭଗବଦ୍ ଗୀତା 10.9 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୋର ଭକ୍ତମାନେ ତାଙ୍କର ମନକୁ ମୋ ଠାରେ କେନ୍ଦ୍ରିତ କରି, ଜୀବନକୁ ମୋତେ ସମର୍ପିତ କରି, ସର୍ବଦା ତୃପ୍ତ ରହିଥାଆନ୍ତି । ସେମାନେ ପରସ୍ପର ମଧ୍ୟରେ ମୋର ଦିବ୍ୟଗୁଣ ବିଷୟରେ ଆଲୋଚନା କରି ଅତ୍ୟନ୍ତ ଆନନ୍ଦିତ ହୋଇଥାଆନ୍ତି ।

ଭଗବଦ୍ ଗୀତା 10.10 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନଙ୍କର ମନ ପ୍ରେମମୟ ଭକ୍ତିରେ ସର୍ବଦା ମୋଠାରେ ସଂଲଗ୍ନ ରହିଥାଏ, ମୁଁ ସେମାନଙ୍କୁ ଦିବ୍ୟ ଜ୍ଞାନ ପ୍ରଦାନ କରିଥାଏ, ଯଦ୍ୱାରା ସେମାନେ ମୋତେ ପ୍ରାପ୍ତ କରି ପାରନ୍ତି ।

ଭଗବଦ୍ ଗୀତା 10.11 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୁଁ, ଯିଏ କି ସେମାନଙ୍କ ହୃଦୟରେ ନିବାସ କରିଥାଏ, କୃପାପୂର୍ବକ ଉଜ୍ଜ୍ୱଳ ଜ୍ଞାନଦୀପ ଦ୍ୱାରା ସେମାନଙ୍କ ଅଜ୍ଞାନ ଅନ୍ଧକାରକୁ ନାଶ କରିଦିଏ ।

ଭଗବଦ୍ ଗୀତା 10.12 - 10.13 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅର୍ଜୁନ କହିଲେ: ଆପଣ ପରମ ଦିବ୍ୟ ପୁରୁଷ, ପରମଦିବ୍ୟ ଲୋକ, ପରମ ପାବକ, ଅନାଦି ଦେବ, ମୂଳ ତତ୍ତ୍ୱ, ଅଜନ୍ମା ଏବଂ ମହାନତମ ଅଟନ୍ତି । ନାରଦ, ଅସତ, ଦେବଳ ଏବଂ ବ୍ୟାସଙ୍କ ପରି ବିଖ୍ୟାତ ଋଷିଗଣ ଏହା ଘୋଷଣା କରିଛନ୍ତି ଏବଂ ବର୍ତ୍ତମାନ ଆପଣ ନିଜେ ସେହି କଥା ମୋ ସମ୍ମୁଖରେ ପ୍ରକାଶ କରୁଛନ୍ତି ।

ଭଗବଦ୍ ଗୀତା 10.14 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଶ୍ରୀକୃଷ୍ଣ! ଆପଣ ଯାହାସବୁ କହିଲେ, ମୁଁ ସେସବୁକୁ ସତ୍ୟ ଭାବରେ ଗ୍ରହଣ କରୁଛି । ହେ ପ୍ରଭୁ! ଦେବତା ବା ଦାନବ କେହି ମଧ୍ୟ ଆପଣଙ୍କର ବାସ୍ତବ ସ୍ୱରୂପକୁ ଜାଣନ୍ତି ନାହିଁ ।

ଭଗବଦ୍ ଗୀତା 10.15 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ପରମ ପୁରୁଷ! ହେ ସମସ୍ତ ପ୍ରାଣୀଙ୍କର ସ୍ରଷ୍ଟା ସର୍ବେଶ୍ୱର! ହେ ଦେବେଶ୍ୱର! ହେ ଜଗଦୀଶ୍ୱର! ଆପଣଙ୍କର ଅକଳନୀୟ ଶକ୍ତିଦ୍ୱାରା, ଆପଣ ହିଁ ପ୍ରକୃତରେ ଆପଣଙ୍କୁ ଜାଣନ୍ତି ।

ଭଗବଦ୍ ଗୀତା 10.16 - 10.17 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଦୟାକରି ଆପଣଙ୍କର ସେହି ଦିବ୍ୟ ଐଶ୍ୱର୍ଯ୍ୟ ବିଷୟରେ ବର୍ଣ୍ଣନା କରନ୍ତୁ, ଯାହାଦ୍ୱାରା ଆପଣ ସମ୍ପୂର୍ଣ୍ଣ ବିଶ୍ୱରେ ବ୍ୟାପ୍ତ ହୁଅନ୍ତି ଏବଂ ସେମାନଙ୍କଠାରେ ନିବାସ କରନ୍ତି । ହେ ପରମ ଯୋଗୀଶ୍ୱର! ମୁଁଁ ଆପଣଙ୍କୁ କିପରି ଜାଣିବି ଏବଂ କିପରି ଆପଣଙ୍କର ଧ୍ୟାନ କରିବି । ହେ ପରମ ଦିବ୍ୟ ପୁରୁଷ! ଧ୍ୟାନ କରିବା ସମୟରେ ମୁଁ ଆପଣଙ୍କ କେଉଁ ସ୍ୱରୂପର ଚିନ୍ତନ କରିବି?

ଭଗବଦ୍ ଗୀତା 10.18 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଜନାର୍ଦ୍ଦନ! ଦୟାକରି ବିସ୍ତାରପୂର୍ବକ ଆପଣଙ୍କର ଦିବ୍ୟ ଐଶ୍ୱର୍ଯ୍ୟ ଏବଂ ମହିମାର ବର୍ଣ୍ଣନା କରନ୍ତୁ । ଆପଣଙ୍କର ଅମୃତ ଯେତେ ଶୁଣିଲେ ବି ମୁଁ ତୃପ୍ତ ହେଉନାହିଁ ।

ଭଗବଦ୍ ଗୀତା 10.19 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ କୁରୁଶ୍ରେଷ୍ଠ! ବର୍ତ୍ତମାନ, ମୁଁ ତୁମ ସମ୍ମୁଖରେ ନିଜ ଦିବ୍ୟ ବିଭୂତିର ବର୍ଣ୍ଣନା ସଂକ୍ଷେପରେ କରିବି, କାରଣ ତାହାର ଅନ୍ତ ନାହିଁ ।

ଭଗବଦ୍ ଗୀତା 10.20 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅର୍ଜୁନ! ମୁଁ ସମସ୍ତ ପ୍ରାଣୀଙ୍କର ହୃଦୟରେ ନିବାସ କରେ । ମୁଁ ସମସ୍ତ ପ୍ରାଣୀଙ୍କର ଆଦି, ମଧ୍ୟ ଏବଂ ଅନ୍ତ ଅଟେ ।

ଭଗବଦ୍ ଗୀତା 10.21 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅଦିତିଙ୍କର ବାରଜଣ ପୁତ୍ରଙ୍କ ମଧ୍ୟରୁ ମୁଁ ବିଷ୍ଣୁ; ସମସ୍ତ ଜ୍ୟୋତିଷ୍କ ମାନଙ୍କ ମଧ୍ୟରୁ ମୁଁ ସୂର୍ଯ୍ୟ । ମରୁତମାନଙ୍କ ମଧ୍ୟରୁ ମୋତେ ମରୀଚି, ରାତ୍ରି ଆକାଶର ତାରକାମାନଙ୍କ ମଧ୍ୟରେ ମୋତେ ଚନ୍ଦ୍ର ଭାବରେ ଜାଣ ।

ଭଗବଦ୍ ଗୀତା 10.22 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ବେଦ ମାନଙ୍କ ମଧ୍ୟରେ ମୁଁ ସାମବେଦ, ସ୍ୱର୍ଗର ଦେବତା ମାନଙ୍କ ମଧ୍ୟରେ ମୁଁ ଇନ୍ଦ୍ର, ଇନ୍ଦ୍ରିୟ ମାନଙ୍କ ମଧ୍ୟରେ ମୁଁ ମନ, ଏବଂ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ମୁଁ ଚେତନା ଅଟେ ।

ଭଗବଦ୍ ଗୀତା 10.23 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ରୁଦ୍ରମାନଙ୍କ ମଧ୍ୟରେ ମୁଁଁ ଶିବ, ଯକ୍ଷମାନଙ୍କ ମଧ୍ୟରେ ମୁଁ କୁବେର, ବସୁମାନଙ୍କ ମଧ୍ୟରେ ମୁଁ ଅଗ୍ନି ଏବଂ ପର୍ବତମାନଙ୍କ ମଧ୍ୟରେ ମୋତେ ମେରୁ ପର୍ବତ ଭାବରେ ଜାଣ ।

ଭଗବଦ୍ ଗୀତା 10.24 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅର୍ଜୁନ, ପୁରୋହିତ ମାନଙ୍କ ମଧ୍ୟରେ ମୁଁ ବୃହସ୍ପତି, ଯୋଦ୍ଧାମାନଙ୍କ ମଧ୍ୟରେ ମୁଁ କାର୍ତ୍ତିକ; ଏବଂ ସରୋବର ମାନଙ୍କ ମଧ୍ୟରେ ମୁଁ ସମୁଦ୍ର ଅଟେ ।

ଭଗବଦ୍ ଗୀତା 10.25 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମହର୍ଷି ମାନଙ୍କ ମଧ୍ୟରେ ମୁଁ ଭୃଗୁ ଏବଂ ଧ୍ୱନି ମଧ୍ୟରେ ମୁଁ ଓଁକାର ଶବ୍ଦ ଅଟେ । ଯଜ୍ଞମାନଙ୍କ ମଧ୍ୟରେ ମୋତେ ପବିତ୍ର ନାମ ଜପ ଏବଂ ସ୍ଥାବର ବସ୍ତୁ ମାନଙ୍କ ମଧ୍ୟରେ ମୋତେ ହିମାଳୟ ଭାବରେ ଜାଣ ।

ଭଗବଦ୍ ଗୀତା 10.26 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସମସ୍ତ ବୃକ୍ଷମାନଙ୍କ ମଧ୍ୟରେ ମୁଁ ଅଶ୍ୱତ୍‌ଥ ବୃକ୍ଷ ଅଟେ । ସ୍ୱର୍ଗର ଋଷିମାନଙ୍କ ମଧ୍ୟରେ ମୁଁ ନାରଦ । ଗନ୍ଧର୍ବ ମାନଙ୍କ ମଧ୍ୟରେ ମୁଁ ଚିତ୍ରରଥ ଓ ସିଦ୍ଧ ମହାପୁରୁଷ ମାନଙ୍କ ମଧ୍ୟରେ ମୁଁ କପିଳ ମୁନି ଅଟେ ।

ଭଗବଦ୍ ଗୀତା 10.27 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସାଗର ମନ୍ଥନରୁ ଉଦ୍‌ଭବ ଉଚ୍ଚୈଶ୍ରବ ଅଶ୍ୱକୁ ସମସ୍ତ ଅଶ୍ୱଙ୍କ ମଧ୍ୟରେ ଏବଂ ଐରାବତ ହସ୍ତୀକୁ ସମସ୍ତ ହସ୍ତୀଙ୍କ ମଧ୍ୟରେ ମୁଁ ବୋଲି ଜାଣ । ମନୁଷ୍ୟ ମାନଙ୍କ ମଧ୍ୟରେ ମୋତେ ରାଜା ଭାବରେ ଜାଣ ।

ଭଗବଦ୍ ଗୀତା 10.28 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅସ୍ତ୍ର ମାନଙ୍କ ମଧ୍ୟରେ ମୁଁ ବଜ୍ର ଏବଂ ଗାଈ ମାନଙ୍କ ମଧ୍ୟରେ ମୁଁ କାମଧେନୁ ଅଟେ । ମୁଁ ବଂଶବୃଦ୍ଧିର କାରଣ ଓ ପ୍ରେମର ଦେବତା କାମଦେବ ଅଟେ । ସର୍ପମାନଙ୍କ ମଧ୍ୟରେ ମୁଁ ବାସୁକି ଅଟେ ।

ଭଗବଦ୍ ଗୀତା 10.29 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସର୍ପମାନଙ୍କ ମଧ୍ୟରେ ମୁଁ ଅନନ୍ତ, ଜଳଜୀବ ମାନଙ୍କ ମଧ୍ୟରେ ମୁଁ ବରୁଣ । ପରଲୋକ ଗତ ପୂର୍ବଜମାନଙ୍କ ମଧ୍ୟରେ ମୁଁ ଅର୍ଯମ; ନ୍ୟାୟାଧୀଶ ମାନଙ୍କ ମଧ୍ୟରେ ମୁଁ ମୃତ୍ୟୁର ଦେବତା ଯମ ଅଟେ ।

ଭଗବଦ୍ ଗୀତା 10.30 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଦୈତ୍ୟମାନଙ୍କ ମଧ୍ୟରେ ମୁଁ ପ୍ରହ୍ଲାଦ ଅଟେ; ନିୟନ୍ତ୍ରଣକାରୀ ମାନଙ୍କ ମଧ୍ୟରେ ମୁଁ କାଳ ଅଟେ । ପଶୁମାନଙ୍କ ମଧ୍ୟରେ ମୁଁ ସିଂହ ଏବଂ ପକ୍ଷୀମାନଙ୍କ ମଧ୍ୟରେ ମୁଁ ଗରୁଡ଼ ଅଟେ ।

ଭଗବଦ୍ ଗୀତା 10.31 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଶୁଦ୍ଧକାରୀଙ୍କ ମଧ୍ୟରେ ମୁଁ ବାୟୁ ଏବଂ ଶସ୍ତ୍ରଧାରୀଙ୍କ ମଧ୍ୟରେ ମୁଁ ପର୍ଶୁରାମ, ଜଳଜୀବ ମାନଙ୍କ ମଧ୍ୟରେ ମୁଁ କୁମ୍ଭୀର ଏବଂ ନଦୀ ମାନଙ୍କ ମଧ୍ୟରେ ମୁଁ ଗଙ୍ଗା ଅଟେ ।

ଭଗବଦ୍ ଗୀତା 10.32 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅର୍ଜୁନ! ମୋତେ ହିଁ ସମସ୍ତ ସୃଷ୍ଟିର ଆଦି, ମଧ୍ୟ ଓ ଅନ୍ତ ଭାବରେ ଜାଣ । ବିଜ୍ଞାନ ମଧ୍ୟରେ ମୁଁ ଅଧ୍ୟାତ୍ମ ବିଜ୍ଞାନ ଏବଂ ତର୍କ ମଧ୍ୟରେ ମୁଁ ସିଦ୍ଧାନ୍ତ ଅଟେ ।

ଭଗବଦ୍ ଗୀତା 10.33 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅକ୍ଷରମାନଙ୍କ ମଧ୍ୟରେ ମୁଁ ପ୍ରଥମ ଅକ୍ଷର ‘ଅ’ ଅଟେ । ବ୍ୟାକରଣର ସମାସମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସମାସ ଅଟେ । ମୁଁ ଅନନ୍ତ ସମୟ ଏବଂ ସ୍ରଷ୍ଟାମାନଙ୍କ ମଧ୍ୟରେ ମୁଁ ବ୍ରହ୍ମା ଅଟେ ।

ଭଗବଦ୍ ଗୀତା 10.34 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୁଁ ସର୍ବଗ୍ରାସୀ ମୃତ୍ୟୁ ଅଟେ, ମୁଁ ସୃଷ୍ଟି ହେବାକୁ ଥିବା ବସ୍ତୁମାନଙ୍କର ସୃଷ୍ଟିକର୍ତ୍ତା ଅଟେ । ନାରୀ ସୁଲଭ ଗୁଣ ମାନଙ୍କ ମଧ୍ୟରେ ମୁଁ ଯଶ, ବୈଭବ, ମୃଦୁ ବାକ୍ୟ, ସ୍ମରଣ ଶକ୍ତି, ବୁଦ୍ଧି, ସାହସ ଓ କ୍ଷମା ଅଟେ ।

ଭଗବଦ୍ ଗୀତା 10.35 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସାମବେଦର ସ୍ତୋତ୍ରମାନଙ୍କ ମଧ୍ୟରେ ମୋତେ ବୃହତ୍‌ସାମ ଭାବରେ ଜାଣ; କବିତାଛନ୍ଦ ମଧ୍ୟରେ ମୁଁ ଗାୟତ୍ରୀ ମନ୍ତ୍ର ଅଟେ । ହିନ୍ଦୁ ବର୍ଷର ବାର ମାସ ମଧ୍ୟରୁ ମୁଁ ମାର୍ଗଶୀର ଅଟେ ଏବଂ ଋତୁମାନଙ୍କ ମଧ୍ୟରେ, ଯେଉଁ ଋତୁରେ ପୁଷ୍ପ ପ୍ରସ୍ଫୁଟିତ ହୋଇଥାଏ, ମୁଁ ସେହି ବସନ୍ତ ଋତୁ ଅଟେ ।

ଭଗବଦ୍ ଗୀତା 10.36 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଛଳ ମଧ୍ୟରେ ମୁଁ ଜୁଆଖେଳ ଅଟେ । ତେଜସ୍ୱୀ ମାନଙ୍କର ମୁଁ ତେଜ ଅଟେ । ବିଜୟୀ ମାନଙ୍କର ମୁଁ ଦୃଢ଼ସଙ୍କଳ୍ପ ଅଟେ ଓ ପୁଣ୍ୟାତ୍ମାମାନଙ୍କର ମୁଁ ସଦ୍‌ଗୁଣ ଅଟେ ।

ଭଗବଦ୍ ଗୀତା 10.37 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ବୃଷ୍ଣୀବଂଶଜ ମାନଙ୍କ ମଧ୍ୟରେ ମୁଁ କୃଷ୍ଣ ଏବଂ ପାଣ୍ଡବମାନଙ୍କ ମଧ୍ୟରେ ମୁଁ ଅର୍ଜୁନ ଅଟେ । ମୁନିମାନଙ୍କ ମଧ୍ୟରେ ମୁଁ ବେଦବ୍ୟାସ ଏବଂ ବିଦ୍ୱାନମାନଙ୍କ ମଧ୍ୟରେ ମୁଁ ଶୁକ୍ରାଚାର୍ଯ୍ୟ ଅଟେ ।

ଭଗବଦ୍ ଗୀତା 10.38 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅରାଜକତା ଦୂର କରିବା ପାଇଁ ମୁଁ ଉଚିତ ଦଣ୍ଡ ଅଟେ । ବିଜୟାକାଂକ୍ଷୀମାନଙ୍କ ଠାରେ ମୁଁ ନୀତି ଅଟେ । ଗୁପ୍ତ ବିଷୟରେ ମୁଁ ମୌନ ଅଟେ ଏବଂ ଜ୍ଞାନୀମାନଙ୍କର ମୁଁ ଜ୍ଞାନ ଅଟେ ।

ଭଗବଦ୍ ଗୀତା 10.39 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅର୍ଜୁନ! ମୁଁ ସମସ୍ତ ପ୍ରାଣୀଙ୍କର ଉତ୍ପାଦକ ବୀଜ ଅଟେ । ଚର ବା ଅଚର କୌଣସି ଜୀବ ମୋ ବିନା ରହିପାରିବେ ନାହିଁ ।

ଭଗବଦ୍ ଗୀତା 10.40 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଶତ୍ରୁଜୟୀ! ମୋ ଦିବ୍ୟ ପ୍ରକାଶର ଅନ୍ତ ନାହିଁ । ଯାହା ମୁଁ ତୁମ ସମ୍ମୁଖରେ ଘୋଷଣା କଲି ତାହା କେବଳ ମୋର ଅନନ୍ତ ଐଶ୍ୱର୍ଯ୍ୟର ନମୁନା ଅଟେ ।

ଭଗବଦ୍ ଗୀତା 10.41 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ତୁମେ ଯେଉଁ ସବୁ ଐଶ୍ୱର୍ଯ୍ୟଯୁକ୍ତ, ସୁନ୍ଦର ଏବଂ ଗୌରବମୟ ବସ୍ତୁ ଦେଖୁଛ, ଜାଣିରଖ ଯେ ତାହା ମୋ ତେଜର ଅଂଶରୁ ଜାତ ଅଟେ ।

ଭଗବଦ୍ ଗୀତା 10.42 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅର୍ଜୁନ! ଏତେ ସବୁ ବିସ୍ତୃତ ଜ୍ଞାନର ଆବଶ୍ୟକତା କ’ଣ? କେବଳ ଏତିକି ଜାଣ ଯେ ମୋ ବ୍ୟକ୍ତିତ୍ୱର ଏକ ଅଂଶ ଦ୍ୱାରା, ମୁଁ ଏ ସମଗ୍ର ସୃଷ୍ଟିରେ ବ୍ୟାପ୍ତ ହୁଏ ଏବଂ ସୃଷ୍ଟିକୁ ଧାରଣ କରିଥାଏ ।
Swami Mukundananda
10. ବିଭୂତି ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency