ଦଣ୍ଡୋ ଦମୟତାମସ୍ମି ନୀତିରସ୍ମି ଜିଗୀଷତାମ୍ ।
ମୌନଂ ଚୈବାସ୍ମି ଗୁହ୍ୟାନାଂ ଜ୍ଞାନଂ ଜ୍ଞାନବତାମହମ୍ ।।୩୮।।
ଦଣ୍ଡଃ - ଦଣ୍ଡ; ଦମୟତାଂ - ଦମନ କରିବାର ପ୍ରଣାଳୀ ଭାବରେ; ଅସ୍ମି - ଅଟେ; ନୀତିଃ- ନୀତି; ଅସ୍ମି - ଅଟେ; ଜିଗୀଷତାଂ - ବିଜୟାକାଂକ୍ଷୀଙ୍କ ମଧ୍ୟରେ; ମୌନଂ - ମୌନ; ଚ- ଏବଂ; ଏବ - ମଧ୍ୟ; ଅସ୍ମି -ଅଟେ; ଗୁହ୍ୟାନାଂ - ଗୁପ୍ତବିଷୟମାନଙ୍କ ମଧ୍ୟରେ; ଜ୍ଞାନଂ-ଜ୍ଞାନ; ଜ୍ଞାନବତାଂ - ଜ୍ଞାନୀମାନଙ୍କ ଠାରେ; ଅହମ୍-ମୁଁ ।
BG 10.38: ଅରାଜକତା ଦୂର କରିବା ପାଇଁ ମୁଁ ଉଚିତ ଦଣ୍ଡ ଅଟେ । ବିଜୟାକାଂକ୍ଷୀମାନଙ୍କ ଠାରେ ମୁଁ ନୀତି ଅଟେ । ଗୁପ୍ତ ବିଷୟରେ ମୁଁ ମୌନ ଅଟେ ଏବଂ ଜ୍ଞାନୀମାନଙ୍କର ମୁଁ ଜ୍ଞାନ ଅଟେ ।
ମନୁଷ୍ୟର ପ୍ରକୃତି ଏପରି ଯେ ସେମାନଙ୍କୁ ସତ୍କର୍ମରେ ପ୍ରବୃତ୍ତ କରିବା ପାଇଁ କେବଳ ସଦୁପଦେଶ ଯଥେଷ୍ଟ ନୁହେଁ । ସଠିକ୍ ସମୟରେ ଉଚିତ ଦଣ୍ଡ, ସେମାନଙ୍କର ପାପଯୁକ୍ତ କର୍ମକୁ ସୁଧାରିବା ଓ ସତ୍କର୍ମରେ ସେମାନଙ୍କୁ ପାଇଁ ପ୍ରବର୍ତ୍ତାଇବା ପାଇଁ ବହୁତ ଆବଶ୍ୟକ ଅଟେ । ଏହାର ଗୋଟିଏ ଉଦ୍ଦେଶ୍ୟ ହେଲା, ସମାଜରେ ଯେଉଁମାନେ ପାପ କର୍ମ କରିବାରେ ଅଭ୍ୟସ୍ତ, ସେମାନଙ୍କୁ ତହିଁରୁ ନିବୃତ୍ତ କରିବା । ଆଧୁନିକ ପ୍ରବନ୍ଧନ ସିଦ୍ଧାନ୍ତ ଅତି ସୁନ୍ଦର ଭାବରେ ଦର୍ଶାଇଥାଏ, କିପରି ଅନୁଚିତ ବ୍ୟବହାର ପାଇଁ ଏକ ମିନିଟ୍ ଉଚିତ ଦଣ୍ଡ ଓ ଉଚିତ ବ୍ୟବହାର ପାଇଁ ଏକ ମିନିଟ୍ ଉପଯୁକ୍ତ ପୁରସ୍କାର, ଲୋକଙ୍କର ବ୍ୟବହାରକୁ ସଂଶୋଧିତ କରିବାରେ ସହାୟକ ହୋଇଥାଏ ।
ବିଜୟ ଆକାଂକ୍ଷା ସାର୍ବଜନୀନ ଅଟେ । ଚରିତ୍ରବାନ୍ ବ୍ୟକ୍ତି ତାହାକୁ ହାସଲ କରିବା ପାଇଁ ନିଜର ନୈତିକତା ତ୍ୟାଗ କରି ନ ଥା’ନ୍ତି କି ସତ୍ପଥରୁ ବିଚ୍ୟୁତ ହୋଇ ନ ଥା’ନ୍ତି । ସତ୍୍ପଥରେ ଯାଇ ଯେଉଁ ସଫଳତା ମିଳିଥାଏ, ତାହା ଭଗବାନଙ୍କର ବିଭୂତି ଅଟେ ।
ଏକ ବିଶେଷ କାରଣରୁ ଯଦି କୌଣସି ତଥ୍ୟକୁ ଗୋପନୀୟ ରଖାଯାଏ, ତାହାକୁ ଗୁପ୍ତତଥ୍ୟ କୁହାଯାଏ । ଇଂରାଜୀରେ ଗୋଟିଏ ପ୍ରବାଦ ଅଛି, “ଯେଉଁ ଗୁପ୍ତତଥ୍ୟ କେବଳ ଜଣକ ପାଖରେ ଥାଏ, ତାହା ଗୁପ୍ତ ଅଟେ; ଦୁଇଜଣ ଜାଣିଥିବା ତଥ୍ୟକୁ ଗୁପ୍ତ କୁହାଯିବ ନାହିଁ; ତିନି ଜଣ ଜାଣିଥିବା ଗୁପ୍ତତଥ୍ୟ ଗୋଟିଏ ଖବର ଅଟେ ଯାହା ଦୁନିଆକୁ ଉଚ୍ଚ ଶବ୍ଦରେ ଜଣାଇ ଦିଆଯାଇଥାଏ” । ଅତଏବ, ଗୁପ୍ତତଥ୍ୟ ତାହାହିଁ ଅଟେ ଯାହା ମୌନତାର ସହିତ ଗୋପନୀୟ ରଖାଯାଏ ।
ବାସ୍ତବ ଜ୍ଞାନ ସେତେବେଳେ ଉଦୟ ହୋଇଥାଏ, ଯେତେବେଳେ ଆତ୍ମଜ୍ଞାନ ବା ବ୍ରହ୍ମଜ୍ଞାନ ଦ୍ୱାରା ବ୍ୟକ୍ତିର ଆଧ୍ୟାତ୍ମିକ ଜ୍ଞାନ ପରିପୁଷ୍ଟ ହୋଇଯାଏ । ଜ୍ଞାନସମ୍ପନ୍ନ ବ୍ୟକ୍ତିଠାରେ ଏପରି ଦୃଷ୍ଟିକୋଣ ବିକାଶ ଲାଭ କରିଥାଏ ଯଦ୍ୱାରା ସେ ସମସ୍ତ ଘଟଣା, ବ୍ୟକ୍ତି ବା ବସ୍ତୁକୁ ଭଗବାନଙ୍କ ସହିତ ସମ୍ବନ୍ଧିତ କରି ଦେଖିଥାଏ । ଏପରି ଜ୍ଞାନ ଜଣକୁ ଶୁଦ୍ଧ, ପୂର୍ଣ୍ଣ, ସନ୍ତୁଷ୍ଟ ଓ ଉନ୍ନତ କରିଥାଏ । ଏହା ଜୀବନକୁ ଲକ୍ଷ୍ୟ ପ୍ରଦାନ କରିଥାଏ, ବାଧାବିଘ୍ନର ସାମନା କରିବାକୁ ଶକ୍ତି ଦେଇଥାଏ ଏବଂ ଅନ୍ତିମ ଲକ୍ଷ୍ୟ ପ୍ରାପ୍ତି ପର୍ଯ୍ୟନ୍ତ ବ୍ୟକ୍ତିକୁ ସଙ୍କଳ୍ପ ବଦ୍ଧ କରାଇଥାଏ । ଜ୍ଞାନୀ ମାନଙ୍କ ଠାରେ ପରିଦୃଷ୍ଟ ଏହି ଜ୍ଞାନକୁ ଶ୍ରୀକୃଷ୍ଣ ନିଜର ଐଶ୍ୱର୍ଯ୍ୟ କହୁଛନ୍ତି ।
ଦଣ୍ଡୋ ଦମୟତାମସ୍ମି ନୀତିରସ୍ମି ଜିଗୀଷତାମ୍ ।
ମୌନଂ ଚୈବାସ୍ମି ଗୁହ୍ୟାନାଂ ଜ୍ଞାନଂ ଜ୍ଞାନବତାମହମ୍ ।।୩୮।।
ଅରାଜକତା ଦୂର କରିବା ପାଇଁ ମୁଁ ଉଚିତ ଦଣ୍ଡ ଅଟେ । ବିଜୟାକାଂକ୍ଷୀମାନଙ୍କ ଠାରେ ମୁଁ ନୀତି ଅଟେ । ଗୁପ୍ତ ବିଷୟରେ ମୁଁ ମୌନ ଅଟେ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ