ଅଧ୍ୟାୟ 11: ବିଶ୍ୱରୂପ ଦର୍ଶନ ଯୋଗ

ବିଶ୍ୱରୂପ ଦର୍ଶନ ଯୋଗ

ପୂର୍ବବର୍ତ୍ତୀ ଅଧ୍ୟାୟରେ, ଅର୍ଜୁନଙ୍କର ଭକ୍ତି ଭାବ ବଢ଼ାଇବା ପାଇଁ ଶ୍ରୀକୃଷ୍ଣ ତାଙ୍କର ଅନେକ ଦିବ୍ୟଗୁଣ ବା ବିଭୂତି ବର୍ଣ୍ଣନା କଲେ । ଶେଷରେ ସେ ସମସ୍ତ ସୁନ୍ଦର, ବିଶେଷ ଗୁଣଯୁକ୍ତ ଓ ଶକ୍ତିଶାଳୀ ବସ୍ତୁ ତାଙ୍କ ଜ୍ୟୋତିର ଏକ ପ୍ରକାଶ ମାତ୍ର କହି ତାଙ୍କ ବିଶ୍ୱରୂପର ଆଭାସ ଦେଉଛନ୍ତି । ଅର୍ଜୁନ ଏହି ଅଧ୍ୟାୟରେ ଶ୍ରୀକୃଷ୍ଣଙ୍କର ବିଶ୍ୱରୂପ, ଯେଉଁ ରୂପରେ ସମଗ୍ର ବିଶ୍ୱ ସମାହିତ ହୋଇଛି, ତାହା ଦେଖିବାକୁ ଚାହୁଁଛନ୍ତି । ଶ୍ରୀକୃଷ୍ଣଙ୍କର ଦିବ୍ୟ ଦୃଷ୍ଟି ପ୍ରାପ୍ତ କରି ଅର୍ଜୁନ ସମଗ୍ର ସୃଷ୍ଟିକୁ ଭଗବାନଙ୍କ ଶରୀରରେ ସମାହିତ ହୋଇଥିବା ଦେଖୁଛନ୍ତି । ଭଗବାନଙ୍କର ଏହି ଅଦ୍ଭୁତ ଓ ଅସୀମିତ ସ୍ୱରୂପରେ ଅଗଣିତ ମୁଖ, ଚକ୍ଷୁ, ହସ୍ତ ଓ ଉଦର ସବୁ  ଅର୍ଜୁନଙ୍କର ଦୃଷ୍ଟିଗୋଚର ହେଉଛି । ସେ ରୂପର ଆରମ୍ଭ ବା ଶେଷ ନାହିଁ, ତାହା ସମସ୍ତ ଦିଗରେ ଅନନ୍ତ ଭାବେ ପ୍ରସାରିତ ହୋଇଅଛି । ସେ ରୂପର ତେଜ ଆକାଶର ଏକ ହଜାର ସୂର୍ଯ୍ୟଙ୍କର ତେଜ ଠାରୁ ଅଧିକ । ସେହି ଦୃଶ୍ୟର ଅବଲୋକନ କରି ଅର୍ଜୁନଙ୍କର ରୋମମୂଳ ଟାଙ୍କୁରିି ଉଠୁଛି । ସେ ଦେଖୁଛନ୍ତି, ତ୍ରିଭୁବନ ଭଗବାନଙ୍କ ନିୟମର ଭୟରେ କମ୍ପିତ ହେଉଛନ୍ତି । ସେ ଦେଖୁଛନ୍ତି, ସ୍ୱର୍ଗର ଦେବତା ଗଣ ତାଙ୍କଠାରେ ଆଶ୍ରୟ ନେଇଛନ୍ତି ଏବଂ ପ୍ରଖ୍ୟାତ ସନ୍ଥଗଣ ତାଙ୍କର ସ୍ତୁତିଗାନ କରୁଛନ୍ତି । ସେ ଲକ୍ଷ୍ୟ କରୁଛନ୍ତି, ଧୃତରାଷ୍ଟ୍ରଙ୍କର ସମସ୍ତ ପୁତ୍ର ଏବଂ ତାଙ୍କର ସହଯୋଗୀ ରାଜାଗଣ ଭଗବାନଙ୍କ ଭୟଙ୍କର ମୁଖ ଗହ୍ୱରରେ ଲୀନ ହେବାକୁ କ୍ଷୀପ୍ର ଗତିରେ ଆକର୍ଷିତ ହେଉଛନ୍ତି, ଯେମିତି ପତଙ୍ଗଟିଏ ଅଗ୍ନିରେ ଦଗ୍‌ଧ ହେବାକୁ ଧାଇଁଥାଏ । ସେହି ବିଶ୍ୱରୂପକୁ ଦେଖି ଅର୍ଜୁନ କହୁଛନ୍ତି ଯେ ତାଙ୍କର ହୃଦୟ କମ୍ପିତ ହେଉଛି ଓ ସେ ନିଜର ମାନସିକ ଭାରସାମ୍ୟ ହରାଇ ବସୁଛନ୍ତି । ଭୟଭୀତ ହୋଇ ସେ ପଚାରୁଛନ୍ତି, ଏହି ଭୟଙ୍କର ସ୍ୱରୂପ ବିଶିଷ୍ଟ ଭଗବାନ କିଏ, ଯାହାର କି ତାଙ୍କର ଗୁରୁ ଓ ସଖା ରୂପୀ ଶ୍ରୀକୃଷ୍ଣଙ୍କ ସହିତ କୌଣସି ସାଦୃଶ୍ୟ ନାହିଁ । ଉତ୍ତର ଦେବାକୁ ଯାଇ ଶ୍ରୀକୃଷ୍ଣ କହୁଛନ୍ତି ଯେ କାଳ ସ୍ୱରୂପରେ ସେ ତ୍ରିଲୋକର ବିନାଶକର୍ତ୍ତା ଅଟନ୍ତି । ସେ ଘୋଷଣା କରୁଛନ୍ତି ଯେ ସମସ୍ତ କୌରବ ଯୋଦ୍ଧାଗଣ ତାଙ୍କ ଦ୍ୱାରା ନିହତ ହୋଇ ସାରିଛନ୍ତି । ତେଣୁ ବିଜୟ ସୁନିଶ୍ଚିତ ଜାଣି, ଅର୍ଜୁନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେବା ଉଚିତ ।

ପ୍ରତ୍ୟୁତ୍ତରରେ ଅର୍ଜୁନ ଅନନ୍ତ ଐଶ୍ୱର୍ଯ୍ୟ ଏବଂ ଶକ୍ତିଯୁକ୍ତ ଭଗବାନଙ୍କର ପ୍ରଶଂସା କରିଛନ୍ତି ଏବଂ ବାରମ୍ବାର ତାଙ୍କର ସ୍ତୁତିଗାନ କରିଛନ୍ତି । ତାଙ୍କର ଦୀର୍ଘଦିନର ବନ୍ଧୁତ୍ୱରେ ସେ ଭଗବାନଙ୍କୁ ଜଣେ ସାଧାରଣ ମନୁଷ୍ୟ ଭାବି ଯଦି କେବେ ତାଙ୍କୁ ଅପମାନିତ କରିଥିବେ, ସେଥିପାଇଁ ସେ କ୍ଷମା ପ୍ରାର୍ଥନା କରୁଛନ୍ତି । ସେ ତାଙ୍କର କୃପାଭିକ୍ଷା କରି, ଭଗବାନଙ୍କର ମନମୋହନ ରୂପ ଦେଖିବାକୁ ଅନୁରୋଧ କରୁଛନ୍ତି ।

ଶ୍ରୀକୃଷ୍ଣ ତାଙ୍କର ଇଚ୍ଛା ପୂରଣ କରି ପ୍ରଥମେ ଚତୁର୍ଭୁଜ ରୂପ ଧାରଣ କରିଛନ୍ତି ଏବଂ ତା’ପରେ ନିଜର ସହଜ ପ୍ରେମମୟ ଦ୍ୱିଭୁଜ ରୂପରେ ପ୍ରକଟିତ ହେଉଛନ୍ତି । ସେ ଅର୍ଜୁନଙ୍କୁ ଜଣାଇ ଦେଉଛନ୍ତି ଯେ ଯେଉଁ ରୂପର ସେ ଦର୍ଶନ କରୁଛନ୍ତି, ତାହା ଦେଖିବା କେତେ କଠିନ ଅଟେ । ତାଙ୍କ ସ୍ୱରୂପର ଦର୍ଶନ, ବେଦ ଅଧ୍ୟୟନ, ତପସ୍ୟା, ଦାନ ବା ଯଜ୍ଞ ଇତ୍ୟାଦି କରିବା ଦ୍ୱାରା କରାଯାଇପାରିବ ନାହିଁ । କେବଳ ବିଶୁଦ୍ଧ ଭକ୍ତି ଦ୍ୱାରା ସେ ଅର୍ଜୁନଙ୍କ ସମ୍ମୁଖରେ ଯେପରି ଦଣ୍ଡାୟମାନ, ସେହି ସ୍ୱରୂପରେ ତାଙ୍କୁ ଜାଣିହେବ ଏବଂ ତାଙ୍କ ସହିତ ଏକତ୍ୱ ପ୍ରାପ୍ତ ହୋଇପାରିବ ।

ଭଗବଦ୍ ଗୀତା 11.1 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅର୍ଜୁନ କହିଲେ: ଆପଣ କୃପା ବଶତଃ ଯେଉଁ ଅତ୍ୟନ୍ତ ଗୁପ୍ତ ଆଧ୍ୟାତ୍ମିକ ଜ୍ଞାନ ମୋତେ ପ୍ରଦାନ କଲେ, ତାହା ଶୁଣି ମୋର ମୋହ ଦୂର ହୋଇଗଲା ।

ଭଗବଦ୍ ଗୀତା 11.2 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ କମଳ ଲୋଚନ! ମୁଁ ଆପଣଙ୍କଠାରୁ ବିସ୍ତୃତ ଭାବେ ସମସ୍ତ ଜୀବଙ୍କର ଆବିର୍ଭାବ ଏବଂ ତିରୋଭାବ ବିଷୟରେ ଏବଂ ତା ସହିତ ଆପଣଙ୍କର ଚିରନ୍ତନ ଐଶ୍ୱର୍ଯ୍ୟ ବିଷୟରେ ଶ୍ରବଣ କଲି ।

ଭଗବଦ୍ ଗୀତା 11.3 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ପରମେଶ୍ୱର, ଆପଣ ନିଜର ବର୍ଣ୍ଣନା ଯେପରି କଲେ, ଆପଣ ସେହିପରି ହିଁ ଅଟନ୍ତି । ହେ ପୁରୁଷ ଶ୍ରେଷ୍ଠ, ମୁଁ ଆପଣଙ୍କର ସେହି ଦିବ୍ୟ ବିଶ୍ୱରୂପ ଦର୍ଶନ କରିବାକୁ ଚାହୁଁଛି ।

ଭଗବଦ୍ ଗୀତା 11.4 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଯୋଗେଶ୍ୱର! ଆପଣ ଯଦି ମୋତେ ଆପଣଙ୍କର ବିଶ୍ୱରୂପ ଦର୍ଶନ କରିବା ପାଇଁ ଯୋଗ୍ୟ ମନେ କରୁଛନ୍ତି, ତାହେଲେ ଦୟାକରି ମୋ ସମ୍ମୁଖରେ ଆପଣଙ୍କର ସେହି ଅବିନଶ୍ୱର ବିଶ୍ୱରୂପ ପ୍ରକଟ କରନ୍ତୁ ।

ଭଗବଦ୍ ଗୀତା 11.5 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଭଗବାନ କହିଲେ, ହେ ପାର୍ଥ! ମୋର ଶତ ସହସ୍ର ପ୍ରକାରର ଭିନ୍ନ ଭିନ୍ନ ରୂପ, ଆକୃତି ଓ ରଙ୍ଗ ବିଶିଷ୍ଟ ସ୍ୱରୂପକୁ ଦେଖ ।

ଭଗବଦ୍ ଗୀତା 11.6 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଭରତ ଶ୍ରେଷ୍ଠ! ଅଦିତିଙ୍କର (ବାର) ପୁତ୍ର, (ଅଷ୍ଟ) ବସୁଗଣ, (ଏଗାର) ରୁଦ୍ରଗଣ, (ଯମଜ) ଅଶ୍ୱିନି କୁମାର, (ଅଣଚାଶ) ମରୁତଗଣ ଏବଂ ଅନ୍ୟ ଅନେକ ବିସ୍ମୟ, ଯାହା ପୂର୍ବରୁ କେବେବି ପ୍ରକଟ ହୋଇ ନ ଥିଲା, ସେ ସବୁକୁ ମୋ ଭିତରେ ଦେଖ ।

ଭଗବଦ୍ ଗୀତା 11.7 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅର୍ଜୁନ! ଏବେ ଦେଖ, ସମସ୍ତ ଚର ଓ ଅଚର ଯୁକ୍ତ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ମୋର ବିଶ୍ୱ ସ୍ୱରୂପରେ ଅବସ୍ଥିତ ରହିଛି । ଅନ୍ୟ ଯାହା କିଛି ବି ତୁମେ ଦେଖିବାକୁ ଚାହୁଁଛ, ଏହି ବିଶ୍ୱରୂପ ମଧ୍ୟରେ ତାହା ଦେଖିପାରିବ ।

ଭଗବଦ୍ ଗୀତା 11.8 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

କିନ୍ତୁ ମୋର ଏହି ବିଶ୍ୱରୂପର ଦର୍ଶନ ତୁମେ ନିଜ ମାୟିକ ଚକ୍ଷୁରେ କରିପାରିବ ନାହିଁ । ତେଣୁ ମୁଁ ତୁମକୁ ଦିବ୍ୟଦୃଷ୍ଟି ପ୍ରଦାନ କରୁଛି, ମୋ ବିଶାଳ ଐଶ୍ୱର୍ଯ୍ୟର ଅବଲୋକନ କର ।

ଭଗବଦ୍ ଗୀତା 11.9 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସଞ୍ଜୟ କହିଲେ, ହେ ରାଜନ୍‌! ଏପରି କହି ମହାଯୋଗୀଶ୍ୱର ଶ୍ରୀକୃଷ୍ଣ ତାଙ୍କର ଦିବ୍ୟ ଐଶ୍ୱର୍ଯ୍ୟମୟ ସ୍ୱରୂପ ଅର୍ଜୁନଙ୍କୁ ଦେଖାଇଲେ ।

ଭଗବଦ୍ ଗୀତା 11.10 - 11.11 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅର୍ଜୁନ ସେହି ବିଶ୍ୱରୂପରେ, ଅସଂଖ୍ୟ ମୁଖ ଓ ଚକ୍ଷୁ ଦେଖିବାକୁ ପାଇଲେ । ସେମାନେ ଦିବ୍ୟ ଆଭୂଷଣରେ ସୁସଜ୍ଜିତ ଥିଲେ ତଥା ଅନେକ ପ୍ରକାର ଦିବ୍ୟ ଅସ୍ତ୍ର ଧାରଣ କରିଥିଲେ । ତାଙ୍କ ବକ୍ଷରେ ଅନେକ ପ୍ରକାରର ମାଳ ଶୋଭା ପାଉଥିଲା ଏବଂ ଶରୀର ଅନେକ ପ୍ରକାର ସୁବାସିତ ଦିବ୍ୟ ସୁଗନ୍ଧରେ ଲେପିତ ହୋଇଥିଲା । ନିଜକୁ ସେ ଅଦ୍ଭୁତ, ଅନନ୍ତ ପରମେଶ୍ୱର ରୂପରେ ପ୍ରକଟ କରିଥିଲେ, ଯାହାର ମୁଖ ସବୁ ଦିଗରେ ଥିଲା ।

ଭଗବଦ୍ ଗୀତା 11.12 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଆକାଶରେ ଏକ ହଜାର ସୂର୍ଯ୍ୟ ଏକତ୍ର ପ୍ରଜ୍ୱଳିତ ହେଲେ ମଧ୍ୟ ସେମାନେ ସେହି ବିରାଟ ସ୍ୱରୂପର ଦୀପ୍ତି ସହିତ ତୁଳନୀୟ ହୋଇପାରିବେ ନାହିଁ ।

ଭଗବଦ୍ ଗୀତା 11.13 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସେଠାରେ ଅର୍ଜୁନ ଦେଖିପାରିଲେ ଯେ ପରମେଶ୍ୱରଙ୍କ ଶରୀରରେ ସମଗ୍ର ବ୍ରହ୍ମାଣ୍ଡ ପୂର୍ଣ୍ଣତଃ ଗୋଟିଏ ସ୍ଥାନରେ ରହିଛି ।

ଭଗବଦ୍ ଗୀତା 11.14 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅର୍ଜୁନ ଅତ୍ୟନ୍ତ ବିସ୍ମୟାଭୂତ ହୋଇ ଉଠିଲେ ଏବଂ ତାଙ୍କର ରୋମାଞ୍ଚ ଜାତ ହୋଇଗଲା । ସେ ଭଗବାନଙ୍କ ସମ୍ମୁଖରେ ନତମସ୍ତକ ହୋଇ କୃତାଞ୍ଜଳି ପୁଟରେ ତାଙ୍କର ସ୍ତୁତି କରିବାରେ ଲାଗିଲେ ।

ଭଗବଦ୍ ଗୀତା 11.15 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅର୍ଜୁନ କହିଲେ, ହେ ଶ୍ରୀକୃଷ୍ଣ! ମୁଁ ଆପଣଙ୍କ ଶରୀର ମଧ୍ୟରେ ସମସ୍ତ ଦେବତା ତଥା ଅସଂଖ୍ୟ ପ୍ରକାରର ପ୍ରାଣୀଙ୍କୁ ଦେଖିପାରୁଛି । ମୁଁ ପଦ୍ମଫୁଲ ଉପରେ ବସିଥିବା ବ୍ରହ୍ମାଙ୍କୁ, ଶିବଙ୍କୁ, ସମସ୍ତ ମୁନିଋଷି ତଥା ସ୍ୱର୍ଗୀୟ ସର୍ପମାନଙ୍କୁ ମଧ୍ୟ ଦେଖିପାରୁଛି ।

ଭଗବଦ୍ ଗୀତା 11.16 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୁଁ ଆପଣଙ୍କର, ଅଗଣିତ ହସ୍ତ, ଉଦର, ମୁଖ ଏବଂ ଚକ୍ଷୁ ଯୁକ୍ତ ଅସୀମ ରୂପ ଚତୁର୍ଦ୍ଦିଗରେ ଦେଖୁଛି । ହେ ବିଶ୍ୱନିୟନ୍ତା, ବ୍ରହ୍ମାଣ୍ଡ ହିଁ ଆପଣଙ୍କର ସ୍ୱରୂପ ଅଟେ । ମୁଁ ଏହାର ଆଦ୍ୟ, ମଧ୍ୟ ଓ ଅନ୍ତ ଦେଖିପାରୁନାହିଁ ।

ଭଗବଦ୍ ଗୀତା 11.17 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଆପଣଙ୍କର ମସ୍ତକରେ ମୁକୁଟ ସୁସଜ୍ଜିତ, ହସ୍ତରେ ଗଦା ଓ ଚକ୍ର ଧାରଣ କରିଥିବା ଏବଂ ଦୀପ୍ତିର ସ୍ରୋତ ଭାବରେ ସର୍ବଦିଗରେ ଉଦ୍ଭାସିତ ହେଉଥିବା ରୂପକୁ ମୁଁ ଦେଖୁଛି । ଆପଣଙ୍କ ଦୀପ୍ତିର ପ୍ରଜ୍ଜ୍ୱଳିତ ଶିଖା, ଯାହା ସୂର୍ଯ୍ୟଙ୍କ ପରି ସମସ୍ତ ଦିଗରେ ବିକିରଣ ହେଉଛି, ତାହାକୁ ଦେଖିବା ଅତ୍ୟନ୍ତ କଷ୍ଟକର ଅଟେ ।

ଭଗବଦ୍ ଗୀତା 11.18 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୁଁ ଆପଣଙ୍କୁ, ଶାସ୍ତ୍ର ଦ୍ୱାରା ଜ୍ଞାତବ୍ୟ ଅନ୍ତିମ ସତ୍ୟ, ପରମ ଅବିନଶ୍ୱର ତତ୍ତ୍ୱ ରୂପରେ ଜାଣି ପାରୁଛି । ଆପଣ ସମଗ୍ର ସୃଷ୍ଟିର ପାଳନ କର୍ତ୍ତା; ଆପଣ ସନାତନ ଧର୍ମର (ଚିରନ୍ତନ ଧର୍ମ) ସର୍ବକାଳୀନ ରକ୍ଷକ; ଏବଂ ଶାଶ୍ୱତ ପରମ ଦିବ୍ୟ ପୁରୁଷ ଅଟନ୍ତି ।

ଭଗବଦ୍ ଗୀତା 11.19 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଆପଣଙ୍କର ଆରମ୍ଭ, ମଧ୍ୟ ବା ଶେଷ ନାହିଁ; ଆପଣଙ୍କ ଶକ୍ତିର ସୀମା ନାହିଁ । ଆପଣଙ୍କର ବାହୁ ଅନ୍ତହୀନ, ସୂର୍ଯ୍ୟ ଓ ଚନ୍ଦ୍ର ଆପଣଙ୍କ ଚକ୍ଷୁ ସଦୃଶ, ଅଗ୍ନି ଆପଣଙ୍କ ମୁହଁ ପରି । ଆପଣଙ୍କ ତେଜରେ ଆପଣ ସମଗ୍ର ସୃଷ୍ଟିକୁ ତପ୍ତ କରୁଥିବା ମୁଁ ଦେଖିପାରୁଛି ।

ଭଗବଦ୍ ଗୀତା 11.20 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସ୍ୱର୍ଗ ଏବଂ ପୃଥିବୀ ମଧ୍ୟରେ ଥିବା ଆକାଶ ତଥା ସମସ୍ତ ଦିଗରେ ଏକମାତ୍ର ଆପଣ ବ୍ୟାପ୍ତ ରହିଛନ୍ତି । ହେ ପରମ ପୁରୁଷ! ଆପଣଙ୍କର ଅଦ୍ଭୁତ ଓ ଭୟଙ୍କର ରୂପ ଦେଖି, ତିନିଲୋକ ଭୟରେ କମ୍ପିତ ହେଉଥିବା ମୁଁ ଦେଖିପାରୁଛି ।

ଭଗବଦ୍ ଗୀତା 11.21 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସ୍ୱର୍ଗର ସମସ୍ତ ଦେବତାଗଣ ଆପଣଙ୍କର ଆଶ୍ରୟ ଗ୍ରହଣ କରିବା ପାଇଁ ଆପଣଙ୍କ ମଧ୍ୟରେ ପ୍ରବେଶ କରୁଛନ୍ତି । ବିସ୍ମୟାଭିଭୂତ ହୋଇ, ସେମାନଙ୍କ ମଧ୍ୟରୁ କେତେଜଣ କରଯୋଡ଼ି ଆପଣଙ୍କର ସ୍ତୁତିଗାନ କରୁଛନ୍ତି । ମହାନ ମୁନିଋଷିଗଣ ଏବଂ ସିଦ୍ଧ ମହାପୁରୁଷଗଣ ପବିତ୍ର ମନ୍ତ୍ର ଏବଂ ପ୍ରାର୍ଥନା ଦ୍ୱାରା ଆପଣଙ୍କର ଯଶଗାନ କରୁଛନ୍ତି ।

ଭଗବଦ୍ ଗୀତା 11.22 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ରୁଦ୍ରଗଣ, ଆଦିତ୍ୟଗଣ, ବସୁଗଣ, ସଧ୍ୟାଗଣ, ବିଶ୍ୱଦେବଗଣ, ଅଶ୍ୱିନି କୁମାର ଦ୍ୱୟ, ମରୁତଗଣ, ପୂର୍ବଜଗଣ, ଗର୍ଦ୍ଧବଗଣ, ଯକ୍ଷଗଣ, ଅସୁରଗଣ ଏବଂ ସିଦ୍ଧଗଣ ସମସ୍ତେ ବିସ୍ମିତ ହୋଇ ଆପଣଙ୍କର ଅବଲୋକନ କରୁଛନ୍ତି ।

ଭଗବଦ୍ ଗୀତା 11.23 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ସର୍ବଶକ୍ତିମାନ ପ୍ରଭୁ! ଆପଣଙ୍କର ଅନେକ ମୁଖମଣ୍ଡଳ, ଚକ୍ଷୁ, ହସ୍ତ, ଜଙ୍ଘ, ପାଦ, ଉଦର ଏବଂ ଭୟଙ୍କର ଦନ୍ତପଂକ୍ତି ଯୁକ୍ତ ଅଦ୍ଭୁତ ରୂପର ସମ୍ମାନରେ ସମସ୍ତ ଲୋକ ଭୟଭୀତ ଅଟନ୍ତି, ଏପରିକି ମୁଁ ମଧ୍ୟ ।

ଭଗବଦ୍ ଗୀତା 11.24 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ପ୍ରଭୁ ବିଷ୍ଣୁ! ଆପଣଙ୍କର ସ୍ୱରୂପ ଗଗନକୁ ସ୍ପର୍ଶ କରୁଛି । ଅନେକ ରଙ୍ଗରେ ପ୍ରଦୀପ୍ତ, ଉନ୍ମୁକ୍ତ ମୁଖ ଓ ବିଶାଳ ଜାଜ୍ଜ୍ୱଲ୍ୟମାନ ଚକ୍ଷୁ ସବୁକୁ ଦର୍ଶନ କରି ଭୟରେ ମୋ ହୃଦୟ କମ୍ପିତ ହେଉଛି । ମୁଁ ସମସ୍ତ ସାହସ ଏବଂ ମନର ଭାରସାମ୍ୟ ହରାଇ ବସୁଛି ।

ଭଗବଦ୍ ଗୀତା 11.25 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ପ୍ରଳୟ କାଳର ଦାବାନଳ ସଦୃଶ, ଆପଣଙ୍କର ଭୟଙ୍କର ଦନ୍ତପଂକ୍ତିଯୁକ୍ତ ମୁହଁକୁ ଦେଖି, ମୁଁ କେଉଁଠି ଅଛି ତାହା ଭୁଲିଯାଉଛି ଏବଂ କେଉଁଠିକି ଯିବି ତାହା ବି ଜାଣିପାରୁନି । ହେ ଈଶ୍ୱରଙ୍କ ଈଶ୍ୱର, ଆପଣ ବିଶ୍ୱର ଆଶ୍ରୟ ଅଟନ୍ତି; ଦୟାକରି ମୋତେ କୃପା କରନ୍ତୁ ।

ଭଗବଦ୍ ଗୀତା 11.26 - 11.27 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୁଁ ଦେଖିପାରୁଛି ଯେ ଧୃତରାଷ୍ଟ୍ରଙ୍କର ସମସ୍ତ ପୁତ୍ର, ତାଙ୍କର ସହବଦ୍ଧ ସମସ୍ତ ରାଜାଗଣ, ତଥା ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କର୍ଣ୍ଣ ଏବଂ ଆମ ପକ୍ଷର ଯୋଦ୍ଧାମାନେ ସିଧାସଳଖ ଆପଣଙ୍କ ଭୟଙ୍କର ମୁଖଗହ୍ୱରକୁ ପ୍ରବେଶ କରୁଛନ୍ତି । ମୁଁ ଏହା ମଧ୍ୟ ଦେଖୁଛି ଯେ ସେମାନଙ୍କ ମଧ୍ୟରୁ କେତେଜଣଙ୍କର ମସ୍ତକ ଆପଣଙ୍କର ଭୟଙ୍କର ଦନ୍ତଦ୍ୱାରା ଚୂର୍ଣ୍ଣୀଭୂତ ହୋଇଯାଉଛି ।

ଭଗବଦ୍ ଗୀତା 11.28 - 11.29 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ନଦୀର ତରଙ୍ଗମାନେ କ୍ଷୀପ୍ର ଗତିରେ ସାଗର ଅଭିମୁଖେ ପ୍ରବାହିତ ହେଲା ପରି, ଏହି ସମସ୍ତ ବିଖ୍ୟାତ ଯୋଦ୍ଧାଗଣ ଆପଣଙ୍କ ଜ୍ୱଳନ୍ତ ମୁଖ ମଧ୍ୟକୁ ପ୍ରବେଶ କରୁଛନ୍ତି । ଯେପରି ପତଙ୍ଗମାନେ ତୀବ୍ରଗତିରେ ଅଗ୍ନି ମଧ୍ୟକୁ ଝାସ ଦେଇ ମୃତ୍ୟୁବରଣ କରନ୍ତି, ସେହିପରି ଏହି ସୈନ୍ୟବାହିନୀ ଆପଣଙ୍କ ମୁଖ ମଧ୍ୟକୁ ତୀବ୍ର ଗତିରେ ପ୍ରବେଶ କରୁଛନ୍ତି ।

ଭଗବଦ୍ ଗୀତା 11.30 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଆପଣଙ୍କର ଶାଣିତ ଜିହ୍ୱାଦ୍ୱାରା, ଆପଣ ଅଗଣିତ ପ୍ରାଣୀଙ୍କୁ ଚତୁର୍ଦ୍ଦିଗରୁ ଲେହନ କରୁଛନ୍ତି ଏବଂ ଆପଣଙ୍କର ଜ୍ୱଳନ୍ତ ମୁଖରେ ସେମାନଙ୍କୁ ଗ୍ରାସ କରୁଛନ୍ତି । ହେ ବିଷ୍ଣୁ! ଆପଣଙ୍କର ଦୀପ୍ତିର ତୀକ୍ଷ୍‌ଣ ଏବଂ ସର୍ବବ୍ୟାପୀ ରଶ୍ମୀରେ ଆପଣ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଉଦ୍‌ଭାସିତ କରୁଛନ୍ତି ।

ଭଗବଦ୍ ଗୀତା 11.31 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଭୟଙ୍କର ରୂପଧାରୀ! ଆପଣ କିଏ ମୋତେ କୁହନ୍ତୁ । ହେ ଦେବଦେବ! ମୁଁ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେଉଛି, ଦୟାକରି ମୋତେ ଆପଣଙ୍କର କୃପା ପ୍ରଦାନ କରନ୍ତୁ । ଆପଣ, ଯିଏ ସମସ୍ତ ସୃଷ୍ଟିର ପୂର୍ବରୁ ବିଦ୍ୟମାନ ଥିଲେ, ମୁଁ ଜାଣିବାକୁ ଚାହୁଁଛି ଆପଣ କିଏ, କାରଣ ଆପଣଙ୍କର ସ୍ୱଭାବ ଏବଂ କାର୍ଯ୍ୟକଳାପକୁ ମୁଁ ଆକଳନ କରି ପାରୁନାହିଁ ।

ଭଗବଦ୍ ଗୀତା 11.32 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଶ୍ରୀଭଗବାନ କହିଲେ, ମୁଁ ସର୍ବଶକ୍ତିମାନ କାଳ ଅଟେ । ସଂସାରର ବିଲୟ କରିବା ହେତୁ ବିନାଶକାରୀ ଶକ୍ତିର ଉତ୍ସ ଅଟେ । ତୁମେ ଯୁଦ୍ଧରେ ଅଂଶଗ୍ରହଣ ନ କଲେ ସୁଦ୍ଧା, ବିରୋଧୀ ସେନାର ଯୋଦ୍ଧାମାନେ ଜୀବିତ ରହିବେ ନାହିଁ ।

ଭଗବଦ୍ ଗୀତା 11.33 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ତେଣୁ ହେ ଧନୁର୍ଦ୍ଧର! ଉଠ, ଯଶ ଲାଭ କର! ଶତ୍ରୁଙ୍କୁ ଜୟ କରି ସମୃଦ୍ଧଶାଳୀ ରାଜ୍ୟଶାସନ ଉପଭୋଗ କର । ଉପସ୍ଥିତ ସମସ୍ତ ଯୋଦ୍ଧା ମୋ ଦ୍ୱାରା ନିହତ ହୋଇସାରିଛନ୍ତି, ତୁମେ ମୋ କର୍ମର କେବଳ ଏକ ମାଧ୍ୟମ ହୁଅ ।

ଭଗବଦ୍ ଗୀତା 11.34 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଦ୍ରୋଣାଚାର୍ଯ୍ୟ, ଭୀଷ୍ମ, ଜୟଦ୍ରଥ, କର୍ଣ୍ଣ ଏବଂ ଅନ୍ୟ ବୀର ଯୋଦ୍ଧାଗଣ ମୋ ଦ୍ୱାରା ନିହତ ହୋଇସାରିଛନ୍ତି । ତେଣୁ କିଛି ଅନୁଶୋଚନା ନ କରି ତାଙ୍କୁ ବଧ କର । କେବଳ ଯୁଦ୍ଧ କର ଏବଂ ଯୁଦ୍ଧରେ ତୁମେ ଶତ୍ରୁ ଉପରେ ବିଜୟ ଲାଭ କରିବ ।

ଭଗବଦ୍ ଗୀତା 11.35 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସଞ୍ଜୟ କହିଲେ: କେଶବଙ୍କର ଏହି ସବୁ ବାକ୍ୟ ଶୁଣି, ଅର୍ଜୁନ ଭୟଭୀତ ହୋଇ କମ୍ପିବାକୁ ଲାଗିଲେ । ଶ୍ରୀକୃଷ୍ଣଙ୍କ ସମ୍ମୁଖରେ କରଯୋଡ଼ି ନତମସ୍ତକ ହେଲେ ଏବଂ ଅତ୍ୟନ୍ତ ଭୟାତୁର ହୋଇ ଅସ୍ପଷ୍ଟ ଶବ୍ଦରେ କହିଲେ ।

ଭଗବଦ୍ ଗୀତା 11.36 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅର୍ଜୁନ କହିଲେ: ହେ ହୃଷିକେଶ! ଜଗତ ଆପଣଙ୍କର ଯଶଗାନ କରି ଆନନ୍ଦିତ ହେବା ସମୁଚିତ ଅଟେ । ଦାନବଗଣ ଆପଣଙ୍କ ଭୟରେ ଚତୁର୍ଦ୍ଦିଗରେ ପଳାୟନ କରନ୍ତି ଏବଂ ମହାପୁରୁଷମାନେ ଆପଣଙ୍କୁ ପ୍ରଣତି ଜଣାନ୍ତି ।

ଭଗବଦ୍ ଗୀତା 11.37 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ପରମପୁରୁଷ! ଆପଣ ଯଦି ବ୍ରହ୍ମାଙ୍କଠାରୁ ମଧ୍ୟ ଶ୍ରେଷ୍ଠ ଅଟନ୍ତି, ସେମାନେ ଆପଣଙ୍କୁ ପ୍ରଣାମ କରିବେ ନାହିଁ କାହିଁକି? ହେ ଅନନ୍ତ! ସମସ୍ତ ଦେବତାମାନଙ୍କର ପ୍ରଭୁ! ହେ ସଂସାରର ଆଶ୍ରୟ! ଆପଣ ବ୍ୟକ୍ତ ଓ ଅବ୍ୟକ୍ତର ଊର୍ଦ୍ଧ୍ୱରେ ସ୍ଥିତ ଅବିନଶ୍ୱର ସତ୍ୟ ଅଟନ୍ତି ।

ଭଗବଦ୍ ଗୀତା 11.38 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଆପଣ ଆଦି ଦେବ ଅଟନ୍ତି, ଆପଣ ମୂଳ ଦିବ୍ୟ ପୁରୁଷ ଅଟନ୍ତି, ଆପଣ ସଂସାରର ଏକ ମାତ୍ର ଆଶ୍ରୟ ସ୍ଥଳ ଅଟନ୍ତି । ଆପଣ ଜ୍ଞାତା ଏବଂ ଜ୍ଞାନର ବିଷୟ ଅଟନ୍ତି । ଆପଣ ହିଁ ପରମ ଧାମ ଅଟନ୍ତି । ହେ ଅନନ୍ତ ରୂପଧାରୀ! ଆପଣ ଜଣେ ହିଁ ଏ ସମଗ୍ର ବିଶ୍ୱରେ ବ୍ୟାପ୍ତ ରହିଛନ୍ତି ।

ଭଗବଦ୍ ଗୀତା 11.39 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଆପଣ ବାୟୁ, ଯମରାଜ, ଅଗ୍ନି, ବରୁଣ ଏବଂ ଚନ୍ଦ୍ର ଅଟନ୍ତି । ଆପଣ ସୃଷ୍ଟିକର୍ତ୍ତା ବ୍ରହ୍ମା ଏବଂ ସମସ୍ତ ପ୍ରାଣୀଙ୍କ ପ୍ରପିତାମହ ଅଟନ୍ତି । ମୁଁ ଆପଣଙ୍କୁ ସହସ୍ରବାର ପ୍ରଣାମ ଜଣାଉଛି ଏବଂ ଅନେକ ଥର ପୁଣି ପ୍ରଣାମ କରୁଛି ।

ଭଗବଦ୍ ଗୀତା 11.40 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅନନ୍ତ ଶକ୍ତିଯୁକ୍ତ ଭଗବାନ ! ଆପଣଙ୍କୁ ସମ୍ମୁଖରୁ ,ପଶ୍ଚାତ୍ ଦେଶରୁ ଓ ସମସ୍ତ ଦିଗରୁ ମୋର ପ୍ରଣାମ । ଆପଣ ଅଫୁରନ୍ତ ଶୌର୍ଯ୍ୟବାନ ଏବଂ ମହା ପରାକ୍ରମୀ ଅଟନ୍ତି ଏବଂ ଆପଣ ସମସ୍ତ ସଂସାରରେ ବ୍ୟାପ୍ତ ଅଟନ୍ତି, ତେଣୁ ଆପଣ ହିଁ ସର୍ବରୂପ ଅଟନ୍ତି ।

ଭଗବଦ୍ ଗୀତା 11.41 - 11.42 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୋର ସଖା ମନେକରି, ଆପଣଙ୍କୁ ହେ କୃଷ୍ଣ, ହେ ଯାଦବ ମୋର ପ୍ରିୟ ସଖା କହି ମୁଁ ଧୃଷ୍ଟତା ପୂର୍ବକ ସମ୍ବୋଧନ କରୁଥିଲି । ମୁଁ ଆପଣଙ୍କର ଐଶ୍ୱର୍ଯ୍ୟ ବିଷୟରେ ନ ଜାଣି ଆପଣଙ୍କୁ ଅବଜ୍ଞା ପ୍ରଦର୍ଶନ ତଥା ଅଯାଚିତ ସ୍ନେହ କରୁଥିଲି । ପରିହାସ ଛଳରେ, ଖେଳିବା, ବିଶ୍ରାମ କରିବା, ବସିବା, ଖାଇବା ଏକାନ୍ତରେ ବା ଅନ୍ୟମାନଙ୍କ ସମ୍ମୁଖରେ ମୁଁ ଆପଣଙ୍କର ଯେଉଁ ଅସମ୍ମାନ କରିଛି- ସେ ସବୁ ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ।

ଭଗବଦ୍ ଗୀତା 11.43 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଆପଣ ସମ୍ପୂର୍ଣ୍ଣ ବିଶ୍ୱର ସମସ୍ତ ଚରାଚର ପ୍ରାଣୀଙ୍କର ପିତା ଅଟନ୍ତି । ଆପଣ ପରମ ପୂଜନୀୟ ଏବଂ ଶ୍ରେଷ୍ଠ ଆଧ୍ୟାତ୍ମିକ ଗୁରୁ ଅଟନ୍ତି । ହେ ଅତୁଳନୀୟ ଶକ୍ତିର ଅଧିକାରୀ! କେହି ଆପଣଙ୍କର ସମକକ୍ଷ ନ ଥିବା ବେଳେ, ଆପଣଙ୍କଠାରୁ ବଡ଼ କିଏ ଅବା ହୋଇପାରିବ ?

ଭଗବଦ୍ ଗୀତା 11.44 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଏଣୁ ହେ ଆଦରଣୀୟ ପ୍ରଭୁ ! ଆପଣଙ୍କ ସମ୍ମୁଖରେ ନତମସ୍ତକ ହୋଇ ଏବଂ ଦଣ୍ଡବତ ପ୍ରଣାମ ଜଣାଇ, ମୁଁ କ୍ଷମା ପ୍ରାର୍ଥନା କରୁଅଛି । ପିତା ପୁତ୍ରକୁ ସହ୍ୟ କରିବା ପରି, ବନ୍ଧୁ ବନ୍ଧୁକୁ କ୍ଷମା କରିବା ପରି ଓ ପ୍ରେମୀ ପ୍ରେମାସ୍ପଦର ସବୁ ଦୋଷ ଭୁଲିଯିବା ପରି, ଆପଣ ମୋର ସମସ୍ତ ଦୋଷ କ୍ଷମା କରନ୍ତୁ ।

ଭଗବଦ୍ ଗୀତା 11.45 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୁଁ ପୂର୍ବରୁ କେବେବି ଦେଖି ନ ଥିବା ଆପଣଙ୍କର ଏହି ବିଶ୍ୱରୂପକୁ ଦର୍ଶନ କରି ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି । ତଥାପି ମନ ଭୟରେ କମ୍ପିତ ହୋଇଉଠୁଛି । ହେ ଦେବତାଙ୍କର ଈଶ୍ୱର ! ହେ ସଂସାରର ଆଶ୍ରୟ! ମୋ ପ୍ରତି କୃପା କରନ୍ତୁ ଏବଂ ମୋତେ ଆପଣଙ୍କ ସରସ ରୂପର ଦର୍ଶନ କରାନ୍ତୁ ।

ଭଗବଦ୍ ଗୀତା 11.46 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ସହସ୍ର ବାହୁ ! ଯଦିଓ ଆପଣ ସମଗ୍ର ସୃଷ୍ଟିର ମୂର୍ତ୍ତିମାନ ସ୍ୱରୂପ ଅଟନ୍ତି, ମୁଁ ଆପଣଙ୍କୁ ହସ୍ତରେ ଗଦା, ଚକ୍ର ସହ ମସ୍ତକରେ ମୁକୁଟ ଧାରଣ କରି ଚତୁର୍ଭୁଜ ରୂପରେ ଦର୍ଶନ କରିବାକୁ ଇଚ୍ଛା କରୁଛି ।

ଭଗବଦ୍ ଗୀତା 11.47 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଶ୍ରୀଭଗବାନ କହିଲେ: ତୁମ ପ୍ରତି ସନ୍ତୁଷ୍ଟ ହୋଇ, ମୋର ଯୋଗମାୟା ଶକ୍ତି ବଳରେ, ତୁମକୁ ମୋର ଅତ୍ୟୁଜ୍ଜଳ, ଅନନ୍ତ ଏବଂ ଅନାଦି ବିଶ୍ୱରୂପ ଦର୍ଶନ କରାଇଲି । ଏହି ରୂପକୁ ପୂର୍ବରୁ କେହି କେବେ ଦେଖିନାହାନ୍ତି ।

ଭଗବଦ୍ ଗୀତା 11.48 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ କୁରୁ ପ୍ରବୀର! ତୁମେ ଯାହା ଦର୍ଶନ କଲ, ତାହା କୌଣସି ମର ଶରୀରଧାରୀ ବ୍ୟକ୍ତି, ବେଦ ଅଧ୍ୟୟନ ଦ୍ୱାରା, ଯଜ୍ଞ ଅନୁଷ୍ଠାନ ଦ୍ୱାରା, ଦାନ ଧର୍ମ ଦ୍ୱାରା କିମ୍ବା କଠୋର ସଂଯମ ଆଚରଣ ଦ୍ୱାରା, କେବେହେଲେ ଦର୍ଶନ କରିପାରି ନାହାଁନ୍ତି ।

ଭଗବଦ୍ ଗୀତା 11.49 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୋର ଏହି ଭୟଙ୍କର ରୂପ ଦେଖି ଭୟଭୀତ ହୁଅ ନାହିଁ କିମ୍ବା ବିଚଳିତ ହୁଅନାହିଁ । ନିର୍ଭୟ ହୋଇ ପ୍ରସନ୍ନ ଚିତ୍ତରେ, ପୁଣିଥରେ ମୋର ସାକାର ରୂପ ଦର୍ଶନ କର ।

ଭଗବଦ୍ ଗୀତା 11.50 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସଞ୍ଜୟ କହିଲେ: ଏହିପରି କହିବା ପରେ, କୃପାମୟ ବସୁଦେବ ପୁତ୍ର, ତାଙ୍କର ଚତୁର୍ଭୁଜ ମୂର୍ତ୍ତି ପ୍ରଦର୍ଶିତ କଲେ । ପୁନଶ୍ଚ, ସେ ସରସ ରୂପ (ଦୁଇଭୁଜ ବିଶିଷ୍ଟ) ଧାରଣ କରି, ଭୟାତୁର ଅର୍ଜୁନଙ୍କୁ ଆଶ୍ୱାସନା ଦେଲେ ।

ଭଗବଦ୍ ଗୀତା 11.51 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅର୍ଜୁନ କହିଲେ: ହେ ଶ୍ରୀକୃଷ୍ଣ ! ଆପଣଙ୍କର ମଧୁର ମନୁଷ୍ୟ ରୂପ (ଦୁଇ ହସ୍ତଯୁକ୍ତ) ଦେଖି, ମୁଁ ମୋର ମାନସିକ ଶାନ୍ତି ଫେରି ପାଇଛି ଏବଂ ମୋ ମନ ସାଧାରଣ ସ୍ଥିତିକୁ ଆସିଯାଇଛି ।

ଭଗବଦ୍ ଗୀତା 11.52 - 11.53 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଶ୍ରୀ ଭଗବାନ କହିଲେ: ତୁମେ ଦେଖୁଥିବା ମୋର ଏହି ରୂପକୁ ଦର୍ଶନ କରିବା ଅତ୍ୟନ୍ତ ଦୁର୍ଲଭ ଅଟେ । ସ୍ୱର୍ଗର ଦେବତାମାନେ ମଧ୍ୟ ଏହାକୁ ଦର୍ଶନ କରିବାକୁ ବ୍ୟାକୁଳ ଥାନ୍ତି । ବେଦ ଅଧ୍ୟୟନ ଦ୍ୱାରା ଅଥବା କଠୋର ସାଧନା ଦ୍ୱାରା ନୁହେଁ, ଦାନ କିମ୍ବା ଯଜ୍ଞ ଦ୍ୱାରା ମଧ୍ୟ ନୁହେଁ, ଏ ସବୁ ସାଧନ ଦ୍ୱାରା, ତୁମେ ଯେପରି ମୋତେ ଦେଖୁଛ, ସେପରି କେହି ମଧ୍ୟ ଦେଖିପାରିବେ ନାହିଁ ।

ଭଗବଦ୍ ଗୀତା 11.54 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅର୍ଜୁନ ! କେବଳ ବିଶୁଦ୍ଧ ଭକ୍ତି ଦ୍ୱାରା ହିଁ ମୁଁ ତୁମ ସମ୍ମୁଖରେ ଯେପରି ଠିଆ ହୋଇଛି, ସେପରି ଦୃଶ୍ୟ ହେବି । ହେ ଶତୃହନ୍ତା ! ମୋର ଦିବ୍ୟ ଦୃଷ୍ଟି ପ୍ରାପ୍ତ କରି, ଜଣେ ବାସ୍ତବରେ ମୋ ଭିତରେ ପ୍ରବେଶ କରିପାରିବ ।

ଭଗବଦ୍ ଗୀତା 11.55 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ତାଙ୍କର କର୍ମ କେବଳ ମୋ ନିମିତ୍ତ କରନ୍ତି, ଯେଉଁମାନେ ମୋ ଉପରେ ନିର୍ଭର କରନ୍ତି ଏବଂ ମୋର ଭକ୍ତି କରନ୍ତି, ଯେଉଁମାନେ ଆସକ୍ତିରୁ ମୁକ୍ତ ଥାଆନ୍ତି ଏବଂ କୌଣସି ଜୀବଙ୍କ ପ୍ରତି ଦ୍ୱେଷ କରନ୍ତି ନାହିଁ, ଏପରି ଭକ୍ତମାନେ ନିଶ୍ଚିତ ଭାବେ ମୋ ପାଖକୁ ଆସନ୍ତି ।
Swami Mukundananda
11. ବିଶ୍ୱରୂପ ଦର୍ଶନ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency