ଶ୍ରୀଭଗବାନୁବାଚ
ମୟା ପ୍ରସନ୍ନେନ ତବାର୍ଜୁନେଦଂ
ରୂପଂ ପରଂ ଦର୍ଶିତମାତ୍ମଯୋଗାତ୍ ।
ତେଜୋମୟଂ ବିଶ୍ୱମନନ୍ତମାଦ୍ୟଂ
ଯନ୍ମେ ତ୍ୱଦନ୍ୟେନ ନ ଦୃଷ୍ଟପୂର୍ବମ୍ ।।୪୭।।
ଶ୍ରୀଭଗବାନ ଉବାଚ- ଶ୍ରୀ ଭଗବାନ କହିଲେ; ମୟା- ମୋର; ପ୍ରସନ୍ନେନ-ପ୍ରସନ୍ନତାରେ; ତବ-ତୁମକୁ; ଅର୍ଜୁନ-ହେ ଅର୍ଜୁନ; ଇଦଂ-ଏହି; ରୂପଂ-ରୂପ; ପରଂ-ପରମ (ଦିବ୍ୟ); ଦର୍ଶିତମ୍-ଦେଖାଇଲି; ଆତ୍ମ-ଯୋଗାତ୍-ମୋର ଯୋଗମାୟା ଶକ୍ତି ସାହାଯ୍ୟରେ; ତେଜୋମୟଂ-ଦୀପ୍ତି ବା ଜ୍ୟୋତିପୂର୍ଣ୍ଣ; ବିଶ୍ୱଂ -ସମଗ୍ର ବ୍ରହ୍ମାଣ୍ଡ; ଅନନ୍ତଂ-ଅନନ୍ତ; ଆଦ୍ୟଂ- ଆଦି; ଯତ୍ ମେ- ଯାହାକି ମୋର; ତ୍ୱତ୍-ଅନ୍ୟେନ-ତୁମ ଛଡ଼ା; ନ ଦୃଷ୍ଟ-ପୂର୍ବମ୍- କେହି ଆଗରୁ ଦେଖିନାହାନ୍ତି ।
BG 11.47: ଶ୍ରୀଭଗବାନ କହିଲେ: ତୁମ ପ୍ରତି ସନ୍ତୁଷ୍ଟ ହୋଇ, ମୋର ଯୋଗମାୟା ଶକ୍ତି ବଳରେ, ତୁମକୁ ମୋର ଅତ୍ୟୁଜ୍ଜଳ, ଅନନ୍ତ ଏବଂ ଅନାଦି ବିଶ୍ୱରୂପ ଦର୍ଶନ କରାଇଲି । ଏହି ରୂପକୁ ପୂର୍ବରୁ କେହି କେବେ ଦେଖିନାହାନ୍ତି ।
ଅର୍ଜୁନ ଯେହେତୁ ଭୟଭୀତ ହୋଇ ବିଶ୍ୱରୂପକୁ ଲୁକ୍କାୟିତ କରିବାକୁ ବିନତି କରୁଛନ୍ତି, ତାଙ୍କୁ ଆଶ୍ୱାସନା ଦେବାକୁ ଯାଇ ଶ୍ରୀକୃଷ୍ଣ କହୁଛନ୍ତି ଯେ ଭୟଭୀତ ହେବାର ଆବଶ୍ୟକତା ନାହିଁ । ସେ ଅର୍ଜୁନଙ୍କ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ, ସେଥିପାଇଁ ସେ କୃପା କରି ତାଙ୍କୁ ଏହି ବିଶ୍ୱରୂପର ଦର୍ଶନ କରାଇଲେ, ଏହା କୌଣସି ଶାସ୍ତି ବିଧାନ ନୁହେଁ । “ଅର୍ଜୁନ ବିଶ୍ୱରୂପ ଦର୍ଶନ କରିବାର ପ୍ରଥମ ବ୍ୟକ୍ତି ଅଟନ୍ତି”- ଏହି ଅତିଶୟୋକ୍ତି ବ୍ୟବହାର କରି ଶ୍ରୀକୃଷ୍ଣ ସ୍ପଷ୍ଟ କରି ଦେବାକୁ ଚାହୁଁଛନ୍ତି ଯେ ବିଶ୍ୱରୂପ ଦର୍ଶନ କରିବା ଅତ୍ୟନ୍ତ ଦୁର୍ଲଭ ଅଟେ । ଦୁର୍ଯ୍ୟୋଧନ ଏବଂ ଯଶୋଦାଙ୍କୁ ସେ ଏହି ବିଶ୍ୱରୂପର ଆଭାସ ଦେଇଥିଲେ ମଧ୍ୟ ତାହା ଏତେ ପ୍ରଗାଢ଼, ଗାମ୍ଭୀର୍ଯ୍ୟପୂର୍ଣ୍ଣ ଓ ବିସ୍ତୃତ ନ ଥିଲା ।
ଶ୍ରୀକୃଷ୍ଣ, ତାଙ୍କର ଯୋଗମାୟା ଶକ୍ତି ଦ୍ୱାରା, ଅର୍ଜୁନଙ୍କୁ ଏହି ଦିବ୍ୟ ଦୃଷ୍ଟି ପ୍ରଦାନ କରିଥିଲେ । ଏହା ତାଙ୍କର ସର୍ବଶ୍ରେଷ୍ଠ ଶକ୍ତି ଅଟେ । ସେ ଏହାକୁ ଅନେକ ସ୍ଥାନରେ ଉଦ୍ଧୃତ କରିଛନ୍ତି । ଯଥା ଶ୍ଳୋକ ୪.୫ ଏବଂ ୭.୨୫ । ଏହି ଯୋଗମାୟା ଶକ୍ତି ବଳରେ ଭଗବାନ କର୍ତ୍ତୃମକର୍ତ୍ତୃମ୍ ଅନ୍ୟଥା କର୍ତ୍ତୃମ୍ ସମର୍ଥଃ “ଏକ ସମୟରେ ସେ ସବୁକିଛି ସମ୍ଭବ କରିପାରନ୍ତି, ସବୁକୁ ଅସମ୍ଭବ କରିପାରନ୍ତି ଏବଂ ଓଲଟା ମଧ୍ୟ କରି ପାରନ୍ତି ।” ଭଗବାନଙ୍କର ଏହି ଦିବ୍ୟ ଶକ୍ତି, ସାକାର ରୂପରେ ମଧ୍ୟ ପ୍ରକଟିତ ହୋଇଥାଏ ଏବଂ ହିନ୍ଦୁ ପ୍ରଥା ଅନୁସାରେ, ସେ ବିଶ୍ୱଜନନୀ ଭାବରେ, ରାଧା, ଦୁର୍ଗା, ଲକ୍ଷ୍ମୀ, କାଳୀ, ସୀତା, ପାର୍ବତୀ ଇତ୍ୟାଦି ରୂପରେ ପୂଜା ପାଇଥାନ୍ତି ।
ଶ୍ରୀଭଗବାନୁବାଚ
ମୟା ପ୍ରସନ୍ନେନ ତବାର୍ଜୁନେଦଂ
ରୂପଂ ପରଂ ଦର୍ଶିତମାତ୍ମଯୋଗାତ୍ ।
ତେଜୋମୟଂ ବିଶ୍ୱମନନ୍ତମାଦ୍ୟଂ
ଯନ୍ମେ ତ୍ୱଦନ୍ୟେନ ନ ଦୃଷ୍ଟପୂର୍ବମ୍ ।।୪୭।।
ଶ୍ରୀଭଗବାନ କହିଲେ: ତୁମ ପ୍ରତି ସନ୍ତୁଷ୍ଟ ହୋଇ, ମୋର ଯୋଗମାୟା ଶକ୍ତି ବଳରେ, ତୁମକୁ ମୋର ଅତ୍ୟୁଜ୍ଜଳ, ଅନନ୍ତ ଏବଂ ଅନାଦି ବିଶ୍ୱରୂପ ଦର୍ଶନ କରାଇଲି । …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ