ଅଧ୍ୟାୟ 12: ଭକ୍ତି ଯୋଗ

ଭକ୍ତି ଯୋଗ

ଏହି ଛୋଟ ଅଧ୍ୟାୟଟି, ଅନ୍ୟ ସମସ୍ତ ପ୍ରକାରର ଆଧ୍ୟାତ୍ମିକ ସାଧନା ପଦ୍ଧତି ଅପେକ୍ଷା ପ୍ରେମ ରସ ଯୁକ୍ତ ଭକ୍ତିମାର୍ଗର ଉତ୍କୃଷ୍ଟତା ଉପରେ ଗୁରୁତ୍ୱାରୋପ କରିଛି । ଏହାର ପ୍ରାରମ୍ଭରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରୁଛନ୍ତି ଯେ ତାଙ୍କ ସାକାର ସ୍ୱରୂପର ଉପାସକ ଏବଂ ନିରାକାର ବ୍ରହ୍ମ ସ୍ୱରୂପର ଉପାସକମାନଙ୍କ ମଧ୍ୟରୁ କାହାକୁ ସେ ଉଚ୍ଚକୋଟୀର ମନେକରନ୍ତି । ଶ୍ରୀକୃଷ୍ଣ ଏହାର ଉତ୍ତର ଦେବାକୁ ଯାଇ ଘୋଷଣା କରୁଛନ୍ତି ଯେ ଉଭୟ ମାର୍ଗ ଭଗବତ୍ ପ୍ରାପ୍ତି କରାଇଥାଏ । ତଥାପି ସେ ତାଙ୍କ ସାକାର ସ୍ୱରୂପର ଭକ୍ତମାନଙ୍କୁ ସର୍ବଶ୍ରେଷ୍ଠ ଯୋଗୀ ମନେ କରନ୍ତି । ସେ କହୁଛନ୍ତି, ଭଗବାନଙ୍କ ଅବ୍ୟକ୍ତ ନିରାକାର ସ୍ୱରୂପର ଧ୍ୟାନ କରିବା କ୍ଳେଶପୂର୍ଣ୍ଣ ଏବଂ ଶରୀରଧାରୀ ଜୀବଙ୍କ ପାଇଁ ଏହା ଅତ୍ୟନ୍ତ କଷ୍ଟକର ଅଟେ । କିନ୍ତୁ ସାକାର ରୂପର ଭକ୍ତମାନେ, ତାଙ୍କର ମନ-ବୁଦ୍ଧି ଭଗବାନଙ୍କଠାରେ ନିମଗ୍ନ କରି ଏବଂ ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରି, ଜନ୍ମ ମୃତ୍ୟୁର ଚକ୍ରରୁ ଅଚିରେ ମୁକ୍ତ ହୋଇଯାଆନ୍ତି । ସୁତରାଂ, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜର ବୁଦ୍ଧିକୁ ତାଙ୍କଠାରେ ସମର୍ପଣ କରି, ମନକୁ ଶ୍ରଦ୍ଧାଯୁକ୍ତ ଭକ୍ତି ସହ କେବଳ ତାଙ୍କଠାରେ ଲଗାଇବାକୁ ନିର୍ଦ୍ଦେଶ ଦେଉଛନ୍ତି ।

କିନ୍ତୁ, ଏପରି ଶ୍ରଦ୍ଧା ସଂଘର୍ଷରତ ଜୀବଠାରେ ସହଜରେ ଉତ୍ପନ୍ନ ହୋଇ ନ ଥାଏ । ତେଣୁ ଶ୍ରୀକୃଷ୍ଣ ତାଙ୍କୁ ଅନ୍ୟ ଏକ ବିକଳ୍ପ ଦେଉଛନ୍ତି । ସେ କହୁଛନ୍ତି ଯେ ଯଦି ଅର୍ଜୁନ ତତ୍‌କ୍ଷଣାତ୍ ନିଜର ମନକୁ ଭଗବାନଙ୍କଠାରେ ସମ୍ପୂର୍ଣ୍ଣ ରୂପେ ସଂଲଗ୍ନ କରିପାରୁ ନାହାଁନ୍ତି, ତେବେ ସେହି ସ୍ଥିତିକୁ ହାସଲ କରିବା ପାଇଁ ସେ ନିରନ୍ତର ତାହାର ଅଭ୍ୟାସ କରିବା ଆବଶ୍ୟକ । ଭକ୍ତି କୌଣସି ଚମତ୍କାର ନୁହେଁ, ନିରନ୍ତର ଅଭ୍ୟାସ ଦ୍ୱାରା ଏହାକୁ ଉତ୍ପନ୍ନ କରାଯାଇପାରିବ । ସେତିକି ମଧ୍ୟ ଯଦି ଅର୍ଜୁନ କରି ନ ପାରୁଛନ୍ତି, ତେବେ ସେ ହାର ନ ମାନି ଶ୍ରୀକୃଷ୍ଣଙ୍କର ସୁଖ ଉଦ୍ଦେଶ୍ୟରେ ଭକ୍ତିଯୁକ୍ତ କର୍ମ କରିବା ଉଚିତ୍ । ଯଦି ତାହା ମଧ୍ୟ ସମ୍ଭବ ନୁହେଁ, ତେବେ ସେ କର୍ମଫଳ ତ୍ୟାଗ କରି କେବଳ ଆତ୍ମାରେ ସ୍ଥିତ ରହିବା ଉଚିତ । ତାପରେ ଶ୍ରୀକୃଷ୍ଣ କହୁଛନ୍ତି, କେବଳ ଶରୀର ଦ୍ୱାରା ଅଭ୍ୟାସ କରିବା ଅପେକ୍ଷା ଜ୍ଞାନ ଲାଭ କରିବା ଶ୍ରେଷ୍ଠ ଅଟେ; ଜ୍ଞାନ ଲାଭ କରିବା ଅପେକ୍ଷା ଧ୍ୟାନ ଶ୍ରେଷ୍ଠ ଅଟେ; ଧ୍ୟାନଠାରୁ କର୍ମଫଳ ତ୍ୟାଗ କରିବା ଶ୍ରେଷ୍ଠ ଅଟେ, ଯାହାକି ତତ୍‌କ୍ଷଣାତ୍ ଶାନ୍ତି ପ୍ରଦାନ କରିଥାଏ । ଏହି ଅଧ୍ୟାୟର ଅନ୍ୟ ଶ୍ଲୋକ ଗୁଡ଼ିକରେ ସେ ତାଙ୍କର ଯେଉଁମାନେ ଅତ୍ୟନ୍ତ ପ୍ରିୟ, ସେହି ଭକ୍ତମାନଙ୍କର ଅତି ଉତ୍କୃଷ୍ଟ ଗୁଣ ସବୁର ବର୍ଣ୍ଣନା କରିଛନ୍ତି ।

ଭଗବଦ୍ ଗୀତା 12.1 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅର୍ଜୁନ ପ୍ରଶ୍ନ କଲେ: ଯେଉଁମାନେ ଆପଣଙ୍କର ସାକାର ସ୍ୱରୂପର ନିରବଚ୍ଛିନ୍ନ ଭାବରେ ଭକ୍ତି କରନ୍ତି, ଏବଂ ଯେଉଁମାନେ ଆପଣଙ୍କର ନିରାକାର ବ୍ରହ୍ମସ୍ୱରପର ଆରାଧନା କରନ୍ତି, ସେମାନଙ୍କ ମଧ୍ୟରୁ ଉତ୍ତମ ଯୋଗୀ ଭାବରେ ଆପଣ କାହାକୁ ବିବେଚନା କରନ୍ତି?

ଭଗବଦ୍ ଗୀତା 12.2 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଶ୍ରୀ ଭଗବାନ କହିଲେ: ଯେଉଁମାନେ ନିଜର ମନକୁ ମୋଠାରେ କେନ୍ଦ୍ରିତ କରନ୍ତି, ଏବଂ ଦୃଢ ଶ୍ରଦ୍ଧାଯୁକ୍ତ ହୋଇ ସର୍ବଦା ମୋର ଭକ୍ତି କରନ୍ତି, ମୁଁ ସେମାନଙ୍କୁ ଶ୍ରେଷ୍ଠ ଯୋଗୀ ଭାବରେ ବିବେଚନା କରିଥାଏ ।

ଭଗବଦ୍ ଗୀତା 12.3 - 12.4 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ପରମ ସତ୍ୟର ନିରାକାର ସ୍ୱରୂପକୁ ଅବିନଶ୍ୱର, ଅନିର୍ବଚନୀୟ, ଅପ୍ରକାଶ୍ୟ, ସର୍ବବ୍ୟାପକ, ଅଚିନ୍ତ୍ୟ, ଅପରିବର୍ତ୍ତନଶୀଳ, ନିତ୍ୟ ଏବଂ ଅଚଳ ରୂପରେ, ମନ ଓ ବୁଦ୍ଧିକୁ ନିୟନ୍ତ୍ରିତ କରି, ସର୍ବତ୍ର ସମଭାବାପନ୍ନ ହୋଇ, ଉପାସନା କରନ୍ତି, ସେମାନେ ସମସ୍ତ ପ୍ରାଣୀଙ୍କର କଲ୍ୟାଣ ସାଧନ କରିବା ସହିତ ମୋତେ ପ୍ରାପ୍ତ କରନ୍ତି ।

ଭଗବଦ୍ ଗୀତା 12.5 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୋର ଅବ୍ୟକ୍ତ ସ୍ୱରୂପରେ ଯେଉଁମାନଙ୍କର ମନ ଆସକ୍ତ, ସେମାନଙ୍କ ପାଇଁ ଭଗବତ୍ ପ୍ରାପ୍ତିର ପଥ ଅତ୍ୟନ୍ତ କ୍ଳେଶପୂର୍ଣ୍ଣ ଅଟେ । ଅବ୍ୟକ୍ତ ବ୍ରହ୍ମଙ୍କର ଉପାସନା ଶରୀରଧାରୀ ଜୀବଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇଥାଏ ।

ଭଗବଦ୍ ଗୀତା 12.6 - 12.7 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁବ୍ୟକ୍ତି ମୋତେ ନିଜର ଚରମ ଲକ୍ଷ୍ୟ ମନେକରି, ତାଙ୍କର ସମସ୍ତ କର୍ମ ମୋଠାରେ ଅର୍ପଣ କରିବା ସହ ଅନନ୍ୟ ଭକ୍ତି ଦ୍ୱାରା ମୋର ପୂଜା ତଥା ଧ୍ୟାନ କରନ୍ତି, ହେ ପାର୍ଥ! ମୁଁ ସେମାନଙ୍କୁ ଅଚିରେ ଜନ୍ମମୃତ୍ୟୁର ସାଗରରୁ ଉଦ୍ଧାର କରିଥାଏ, କାରଣ ସେମାନଙ୍କର ଚେତନା ମୋ ସହିତ ଏକୀଭୂତ ହୋଇ ଯାଇଥାଏ ।

ଭଗବଦ୍ ଗୀତା 12.8 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ତୁମର ମନକୁ କେବଳ ମୋଠାରେ କେନ୍ଦ୍ରୀଭୂତ କର ଏବଂ ବୁଦ୍ଧି ମୋତେ ସମର୍ପଣ କର । ତଦ୍ୱାରା ତୁମେ ମୋ ସହିତ ସର୍ବଦା ବାସ କରିବ, ଏଥିରେ କୌଣସି ସନ୍ଦେହ ନାହିଁ ।

ଭଗବଦ୍ ଗୀତା 12.9 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅର୍ଜୁନ! ଯଦି ତୁମେ ସ୍ଥିର ଭାବରେ ମୋଠାରେ ମନ ଲଗାଇ ପାରୁନାହଁ, ତାହାହେଲେ ସାଂସାରିକ ଜଞ୍ଜାଳରୁ ମନକୁ ବାରମ୍ବାର ହଟାଇ, ଭକ୍ତିର ସହିତ ମୋର ସ୍ମରଣ କରିବାର ଅଭ୍ୟାସ କର ।

ଭଗବଦ୍ ଗୀତା 12.10 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ତୁମେ ଯଦି ଭକ୍ତି ସହକାରେ ମୋ ସ୍ମରଣର ଅଭ୍ୟାସ କରିପାରୁନାହଁ, ତାହେଲେ କେବଳ ମୋ ନିମିତ୍ତ କର୍ମ କରିବାକୁ ଚେଷ୍ଟା କର । ଏହିପରି ମୋର ଭକ୍ତିଯୁକ୍ତ ସେବା କରି, ତୁମେ ପରିପୂର୍ଣ୍ଣତାକୁ ପ୍ରାପ୍ତ କରିପାରିବ ।

ଭଗବଦ୍ ଗୀତା 12.11 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯଦି ତୁମେ ଭକ୍ତିର ସହିତ କର୍ମ କରିବାକୁ ମଧ୍ୟ ଅକ୍ଷମ, ତେବେ କର୍ମଫଳ ତ୍ୟାଗ କରିବାକୁ ଚେଷ୍ଟା କର ଏବଂ ଆତ୍ମାରେ ସ୍ଥିତ ହୁଅ ।

ଭଗବଦ୍ ଗୀତା 12.12 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯାନ୍ତ୍ରିକ ଅଭ୍ୟାସ ଅପେକ୍ଷା ଶ୍ରେଷ୍ଠ ଜ୍ଞାନ ଅଟେ; ଜ୍ଞାନ ଠାରୁ ଧ୍ୟାନ ଶ୍ରେଷ୍ଠ ଏବଂ ଧ୍ୟାନ ଠାରୁ ଶ୍ରେଷ୍ଠ କର୍ମଫଳ ତ୍ୟାଗ ଅଟେ, କାରଣ ତ୍ୟାଗ ଦ୍ୱାରା ଶାନ୍ତି ସ୍ୱତଃ ପ୍ରାପ୍ତ ହୁଏ ।

ଭଗବଦ୍ ଗୀତା 12.13 - 12.14 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ କୌଣସି ଜୀବଙ୍କ ପ୍ରତି ଦ୍ୱେଷ ଭାବ ରଖନ୍ତି ନାହିଁ, ଯେଉଁମାନେ ମିତ୍ରଭାବାପନ୍ନ ଏବଂ ଦୟାଳୁ ଅଟନ୍ତି, ସେହି ଭକ୍ତମାନେ ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି । ସେମାନେ ଆସକ୍ତିରହିତ ଓ ଅହଂକାରଶୂନ୍ୟ, ସୁଖ ଓ ଦୁଃଖରେ ସମଭାବାପନ୍ନ ଏବଂ ସର୍ବଦା କ୍ଷମାଶୀଳ ଅଟନ୍ତି । ସେମାନେ ସର୍ବଦା ସନ୍ତୁଷ୍ଟ, ଅବିଚଳ ଭକ୍ତିରେ ମୋ ସହିତ ଯୁକ୍ତ, ଆତ୍ମସଂଯମୀ, ଦୃଢ଼ମନା ଏବଂ ମନ-ବୁଦ୍ଧିରେ ମୋ ପ୍ରତି ସମର୍ପିତ ରହିଥାଆନ୍ତି ।

ଭଗବଦ୍ ଗୀତା 12.15 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ଅନ୍ୟମାନଙ୍କ ଅସନ୍ତୋଷର କାରଣ ନୁହଁନ୍ତି, ଯେଉଁମାନେ କାହା ଦ୍ୱାରା ଉତ୍ତେଜିତ ହୁଅନ୍ତି ନାହିଁ, ଯେଉଁମାନେ ହର୍ଷ-ବିଷାଦ ଏବଂ ଭୟ ଓ ଉତ୍କଣ୍ଠାରୁ ମୁକ୍ତ ରହନ୍ତି, ସେହିପରି ଭକ୍ତମାନେ ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି ।

ଭଗବଦ୍ ଗୀତା 12.16 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ସାଂସାରିକ ଲାଭ ପ୍ରତି ନିର୍ଲିପ୍ତ, ବାହ୍ୟ ଏବଂ ଅଭ୍ୟନ୍ତରରେ ପବିତ୍ର, ଦକ୍ଷ, ନିଶ୍ଚିନ୍ତ, ଅବିଚଳିତ ଏବଂ ସମସ୍ତ ପ୍ରଯତ୍ନରେ ସ୍ୱାର୍ଥରହିତ ଥାଆନ୍ତି, ସେହି ଭକ୍ତମାନେ ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି ।

ଭଗବଦ୍ ଗୀତା 12.17 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ଦୈନନ୍ଦିନ ଜୀବନରେ ଖୁସିରେ ଆତ୍ମହରା ହୁଅନ୍ତି ନାହିଁ, କିମ୍ବା ଦୁଃଖରେ ମର୍ମାହତ ହୁଅନ୍ତି ନାହିଁ; ଯେଉଁମାନେ କୌଣସି କ୍ଷତିରେ ପଶ୍ଚାତାପ କରନ୍ତି ନାହିଁ ବା କୌଣସି ଲାଭ ପାଇଁ ଲାଳାୟିତ ହୁଅନ୍ତି ନାହିଁ; ଯେଉଁମାନେ ଉଭୟ ଭଲ ଓ ମନ୍ଦ କର୍ମକୁ ତ୍ୟାଗ କରିଥାନ୍ତି, ଏବଂ ଯେଉଁମାନେ ପୂର୍ଣ୍ଣ ଭକ୍ତିଯୁକ୍ତ ରହନ୍ତି, ସେମାନେ ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି ।

ଭଗବଦ୍ ଗୀତା 12.18 - 12.19 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ମିତ୍ର ଏବଂ ଶତ୍ରୁଙ୍କ ପ୍ରତି ସମଭାବ ପ୍ରଦର୍ଶନ କରନ୍ତି; ଯେଉଁମାନେ ମାନ ଓ ଅପମାନ, ଶୀତ ଓ ଉଷ୍ଣ, ସୁଖ ଓ ଦୁଃଖରେ ସମଭାବାପନ୍ନ ରହନ୍ତି; କୁସଙ୍ଗରୁ ଦୂରରେ ରହନ୍ତି; ଯେଉଁମାନେ ନୀରବ ରହି ସାଧନାରତ ଥାଆନ୍ତି; ଯାହା କିଛି ତାଙ୍କୁ ଉପଲବ୍ଧ, ସେଥିରେ ସନ୍ତୁଷ୍ଟ ରହନ୍ତି; ବାସସ୍ଥାନ ପ୍ରତି ଆସକ୍ତ ହୁଅନ୍ତି ନାହିଁ; ଯାହାର ବୁଦ୍ଧି ଦୃଢ଼ ଭାବରେ ମୋଠାରେ ସ୍ଥିର ଥାଏ ଏବଂ ଯେଉଁମାନଙ୍କର ମୋ ପ୍ରତି ପ୍ରଗାଢ଼ ଭକ୍ତି ଥାଏ, ସେହିପରି ବ୍ୟକ୍ତିଗଣ ମୋର ଅତିପ୍ରିୟ ଅଟନ୍ତି ।

ଭଗବଦ୍ ଗୀତା 12.20 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଏଠାରେ ପ୍ରଦାନ କରାଯାଇଥିବା ଜ୍ଞାନାମୃତର ଯେଉଁମାନେ ଆଦର କରନ୍ତି; ମୋଠାରେ ପୂର୍ଣ୍ଣ ବିଶ୍ୱାସ ରଖି ଯେଉଁମାନେ ମୋର ଶରଣାଗତ ହୁଅନ୍ତି ଏବଂ ମୋତେ ତାଙ୍କର ଚରମ ଲକ୍ଷ୍ୟ ରୂପେ ବିଚାର କରନ୍ତି, ସେମାନେ ମୋର ସର୍ବାଧିକ ପ୍ରିୟ ଅଟନ୍ତି ।
Swami Mukundananda
12. ଭକ୍ତି ଯୋଗ
1 2 3 4 5 6 7 8 9 10 11 12 13 14 15 16 17 18 19 20

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency