ଅହଂ ବୈଶ୍ୱାନରୋ ଭୂତ୍ୱା ପ୍ରାଣିନାଂ ଦେହମାଶ୍ରିତଃ ।
ପ୍ରାଣାପାନସମାଯୁକ୍ତଃ ପଚାମ୍ୟନ୍ନଂ ଚତୁର୍ବିଧମ୍ ।।୧୪।।
ଅହଂ-ମୁଁ; ବୈଶ୍ୱାନରଃ - ପାଚକ ଅଗ୍ନି; ଭୂତ୍ୱା -ହୋଇ; ପ୍ରାଣିନାଂ -ସମସ୍ତ ଜୀବଙ୍କର; ଦେହମ୍ -ଶରୀର; ଆଶ୍ରିତଃ - ଅବସ୍ଥିତ; ପ୍ରାଣ-ଅପାନ -ନିଃଶ୍ୱାସ ଓ ପ୍ରଶ୍ୱାସ; ସମାଯୁକ୍ତଃ -ସମତା ରକ୍ଷାକରେ; ପଚାମି -ଜୀର୍ଣ୍ଣ କରେ; ଅନ୍ନଂ - ଖାଦ୍ୟପଦାର୍ଥ; ଚତୁର୍ବିଧମ୍ -ଚାରିପ୍ରକାର ।
BG 15.14: ମୁଁ ସମସ୍ତ ପ୍ରାଣୀଙ୍କର ଉଦରରେ ଜଠରାଗ୍ନିର ରୂପ ଧାରଣ କରିଥାଏ ଏବଂ ନିଶ୍ୱାସ ଓ ପ୍ରଶ୍ୱାସ ଦ୍ୱାରା ମିଳିତ ହୋଇ, ଚାରି ପ୍ରକାରର ଖାଦ୍ୟକୁ ହଜମ କରିଥାଏ ଏବଂ ଆତ୍ମସାତ କରିଥାଏ ।
ବୈଜ୍ଞାନିକମାନେ ପିତ୍ତାଶୟ, ଅଗ୍ନ୍ୟାଶୟ ଏବଂ ଯକୃତରୁ କ୍ଷରିତ ହେଉଥିବା ଆମାଶୟ ରସକୁ ହଜମ ଶକ୍ତି ଭାବରେ ନାମିତ କରିଥାନ୍ତି । କିନ୍ତୁ ଏହି ଶ୍ଲୋକ ଅନୁସାରେ, ସବୁ ପାଚକ ରସ ପୃଷ୍ଠଦେଶରେ ଭଗବାନଙ୍କର ଶକ୍ତି ହିଁ କାର୍ଯ୍ୟ କରୁଛି ଏବଂ ପାଚନ ପ୍ରକ୍ରିୟାକୁ ସମ୍ଭବ କରୁଛି । ବୈଶ୍ୱାନର ଅର୍ଥାତ୍ “ପାଚକ ଅଗ୍ନି” ଭଗବାନଙ୍କ ଶକ୍ତି ଦ୍ୱାରା ପ୍ରଜ୍ଜ୍ୱଳିତ ହୁଏ । ବୃହଦାରଣ୍ୟକ ଉପନିଷଦ ମଧ୍ୟ ଉଲ୍ଲେଖ କରେ:
ଅୟଂ ଅଗ୍ନିର ବୈଶ୍ୱାନରୋ ୟୋଽୟମ୍ ଅନ୍ତଃ ପୁରୁଷେ
ଯେନେଦଂ ଅନ୍ନଂ ପଚ୍ୟତେ (୫.୯.୧)
“ଭଗବାନ ସେହି ଜଠରାଗ୍ନି ଅଟନ୍ତି, ଯାହା ଖାଦ୍ୟ ପାଚନ କରିବାରେ ପ୍ରାଣୀଙ୍କୁ ସକ୍ଷମ କରାଏ ।”
ଏହି ଶ୍ଲୋକରେ ଯେଉଁ ଚାରି ପ୍ରକାର ଖାଦ୍ୟର ସୂଚନା ଦିଆଯାଇଛି, ସେଗୁଡିକ ହେଉଛି: ୧ ଭୋଜ୍ୟଂ - ଦାନ୍ତରେ ଚର୍ବଣ କରାଯାଉଥିବା ଖାଦ୍ୟ, ଯଥା ଭାତ, ରୋଟି, ପାଉଁରୋଟି ଇତ୍ୟାଦି । ୨. ପେୟ - ପାନ କରାଯାଉଥିବା ଖାଦ୍ୟ, ଯଥା କ୍ଷୀର, ଫଳରସ ଇତ୍ୟାଦି । ୩. କୋଷ୍ୟ - ଶୋଷିକରି ଖାଉଥିବା ଖାଦ୍ୟ ଯଥା, ଆଖୁ । ୪. ଲେହ୍ୟ - ଚାଟିକରି ଖାଉଥିବା ଖାଦ୍ୟ ଯଥା, ମହୁ ।
ଶ୍ଲୋକ ୧୨ଠାରୁ ୧୪ ପର୍ଯ୍ୟନ୍ତ, ଶ୍ରୀକୃଷ୍ଣ ବର୍ଣ୍ଣନା କଲେ ଯେ ଜୀବନକୁ ସମସ୍ତ ଦିଗରୁ ଭଗବାନ ପୋଷଣ କରିଥାନ୍ତି । ପୃଥିବୀକୁ ବାସଯୋଗ୍ୟ କରିବା ପାଇଁ ସବୁ ପ୍ରକାରର ଆୟୋଜନ ସେ କରିଥାଆନ୍ତି । ବନସ୍ପତିର ପୋଷଣ ନିମନ୍ତେ ସେ ଚନ୍ଦ୍ରଙ୍କୁ ଶକ୍ତି ପ୍ରଦାନ କରନ୍ତି । ସେ ପାଚକ ରସ ହୋଇ ଆମ ଖାଦ୍ୟକୁ ହଜମ କରାନ୍ତି । ପରବର୍ତ୍ତୀ ଶ୍ଲୋକରେ ଏହି ବିଷୟର ସମାପନ କରିବାକୁ ଯାଇ, ଶ୍ରୀକୃଷ୍ଣ କହୁଛନ୍ତି ଯେ ସେ ହିଁ ସମସ୍ତ ଜ୍ଞାନର ଲକ୍ଷ୍ୟ ଅଟନ୍ତି ।
ଅହଂ ବୈଶ୍ୱାନରୋ ଭୂତ୍ୱା ପ୍ରାଣିନାଂ ଦେହମାଶ୍ରିତଃ ।
ପ୍ରାଣାପାନସମାଯୁକ୍ତଃ ପଚାମ୍ୟନ୍ନଂ ଚତୁର୍ବିଧମ୍ ।।୧୪।।
ମୁଁ ସମସ୍ତ ପ୍ରାଣୀଙ୍କର ଉଦରରେ ଜଠରାଗ୍ନିର ରୂପ ଧାରଣ କରିଥାଏ ଏବଂ ନିଶ୍ୱାସ ଓ ପ୍ରଶ୍ୱାସ ଦ୍ୱାରା ମିଳିତ ହୋଇ, ଚାରି ପ୍ରକାରର ଖାଦ୍ୟକୁ ହଜମ କରିଥାଏ …
Sign in to save your favorite verses.
Sign Inପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ