ନ ରୂପମସ୍ୟେହ ତଥୋପଲଭ୍ୟତେ
ନାନ୍ତୋ ନ ଚାଦିର୍ନ ଚ ସମ୍ପ୍ରତିଷ୍ଠା ।
ଅଶ୍ୱତ୍‌ଥମେନଂ ସୁବିରୂଢ଼ମୂଳ-
ମସଙ୍ଗଶସ୍ତ୍ରେଣ ଦୃଢ଼େନ ଛିତ୍ତ୍ୱା ।।୩।।
ତତଃ ପଦଂ ତତ୍ପରିମାର୍ଗିତବ୍ୟଂ
ଯସ୍ମିନ୍ ଗତା ନ ନିବର୍ତନ୍ତି ଭୂୟଃ ।
ତମେବ ଚାଦ୍ୟଂ ପୁରୁଷଂ ପ୍ରପଦ୍ୟେ
ଯତଃ ପ୍ରବୃତ୍ତିଃ ପ୍ରସୃତା ପୁରାଣୀ ।।୪।।

ନ- ନୁହେଁ; ରୂପମ୍‌-ରୂପ; ଅସ୍ୟ- ଏହାର; ଇହ- ଏହି ଲୋକରେ; ତଥା-ଏହିପରି; ଉପଲଭ୍ୟତେ-ଉପଲବ୍ଧି କରାଯାଇପାରେ; ନ-କଦାପି ନୁହେଁ; ଅନ୍ତଃ-ଶେଷ; ନ- କେବେନୁହେଁ; ଚ-ମଧ୍ୟ; ଆଦିଃ-ଆରମ୍ଭ (ମୂଳ); ନ-କେବେ ନୁହେଁ; ଚ-ମଧ୍ୟ; ସଂପ୍ରତିଷ୍ଠା-ଆଧାର; ଅଶ୍ୱତ୍‌ଥମ୍‌-ଅଶ୍ୱତ୍‌ଥ ବୃକ୍ଷ; ଏନମ୍‌- ଏହା; ସୁବିରୂଢ଼-ଦୃଢ଼ ଭାବରେ; ମୂଳମ୍‌-ପ୍ରତିଷ୍ଠିତ; ଅସଙ୍ଗ-ଶସ୍ତ୍ରେଣ-ଅନାସକ୍ତି ରୂପକ ଅସ୍ତ୍ରରେ; ଦୃଢ଼େନ-ଦୃଢ଼ ଭାବରେ; ଛିତ୍ତ୍ୱା-ଛିନ୍ନ କରି; ତତଃ-ତତ୍ପରେ; ପଦଂ-ସ୍ଥାନ; ତତ୍‌-ତାହା; ପରିମାର୍ଗିତବ୍ୟଂ-ଅନୁସନ୍ଧାନ କରିବାକୁ ହେବ; ଯସ୍ମିନ୍‌-ଯେଉଁଠାକୁ; ଗତାଃ-ଯାଇ; ନ -ନୁହେଁ; ନିବର୍ତନ୍ତି-ଫେରିଆସେ; ଭୂୟଃ-ପୁଣି; ତମ୍‌-ତା’ଙ୍କୁ; ଏବ-ନିଶ୍ଚିତଭାବେ; ଚ-ଏବଂ; ଆଦ୍ୟଂ-ଆଦି (ମୂଳ); ପୁରୁଷଂ-ପରମ ପୁରୁଷ; ପ୍ରପଦ୍ୟେ- ଶରଣ ନିଅନ୍ତି; ଯତଃ-ଯାହାଙ୍କ ଠାରୁ; ପ୍ରବୃତ୍ତିଃ-କର୍ମ; ପ୍ରସୃତା-ପ୍ରବାହିତ; ପୁରାଣୀ-ପ୍ରାଚୀନ ।

ଅନୁବାଦ

BG 15.3-4: ଏହି ବୃକ୍ଷର ବାସ୍ତବ ସ୍ୱରୂପ କିମ୍ବା ଏହାର ଆରମ୍ଭ ବା ଅନ୍ତ କିମ୍ବା ତାର ନିତ୍ୟ ଅସ୍ଥିତ୍ୱ ବିଷୟରେ ସଂସାରରେ କେହି ଜାଣନ୍ତି ନାହିଁ । କିନ୍ତୁ ଏହି ଗଭୀର ମୂଳଯୁକ୍ତ ଅଶ୍ୱତ୍‌ଥ ବୃକ୍ଷଟିକୁ, ବୈରାଗ୍ୟର ତୀକ୍ଷଣ୍ କୁରାଢ଼ୀ ଦ୍ୱାରା ଛେଦନ କରିବାକୁ ପଡ଼ିବ । ତାପରେ ବ୍ୟକ୍ତିକୁ ଏହାର ଉତ୍ପତ୍ତି ସ୍ଥଳକୁ ଖୋଜିବାକୁ ପଡ଼ିବ, ଯିଏକି ସ୍ୱୟଂ ଭଗବାନ ଅଟନ୍ତି, ଯାହାଙ୍କଠାରୁ ବ୍ରହ୍ମାଣ୍ଡର କର୍ମ ପ୍ରବାହ ଅନାଦି କାଳରୁ ହେବାରେ ଲାଗିଛି । ତାଙ୍କର ଶରଣାଗତ ହେଲେ, ବ୍ୟକ୍ତି ଏହି ସଂସାରକୁ ପୁନର୍ବାର ଫେରି ନ ଥାଏ ।

ଭାଷ୍ୟ

ସଂସାର ବା ଜନ୍ମ ଓ ମୃତ୍ୟୁର ଚକ୍ରରେ ବୁଡ଼ି ରହି, ଦେହଧାରୀ ଆତ୍ମା ଏହି ଅଶ୍ୱତ୍‌ଥ ବୃକ୍ଷର ସ୍ୱରୂପକୁ ବୁଝିପାରେ ନାହିଁ । ସେ ବୃକ୍ଷର କୋମଳ କଢ଼ି, ଅର୍ଥାତ୍ ଇନ୍ଦ୍ରିୟ ବିଷୟ ଦ୍ୱାରା ଆକର୍ଷିତ ହୋଇ, କାମନା ଉତ୍ପନ୍ନ କରେ । ଏହିସବୁ କାମନା ପୂର୍ଣ୍ଣ କରିବା ପାଇଁ, ସେ ଖୁବ୍ ବେଶୀ ପ୍ରଯତ୍ନ କରିଥାଏ, କିନ୍ତୁ ଏହା ହୃଦୟଙ୍ଗମ କରିପାରେ ନାହିଁ ଯେ ତାଙ୍କର ଏହି ପ୍ରଚେଷ୍ଟା ବୃକ୍ଷକୁ ଅଧିକ ବୃଦ୍ଧି କରିବ । ଯଦି କାମନା ପୂର୍ଣ୍ଣ ହୁଏ, ତାହା ପୁଣି ଦ୍ୱିଗୁଣିତ ବେଗରେ ଲୋଭ ରୂପରେ ପ୍ରତ୍ୟାବର୍ତ୍ତନ କରେ । ଯେତେବେଳେ  ସେଥିରେ ବାଧା ଉତ୍ପନ୍ନ ହୁଏ, ତାହା କ୍ରୋଧ ଉତ୍ପନ୍ନ କରେ, ଯାହା ବୁଦ୍ଧିକୁ ଭ୍ରମିତ କରେ ଏବଂ ଅଜ୍ଞାନତା ବୃଦ୍ଧି କରେ ।

ଶ୍ରୀକୃଷ୍ଣ ବୁଝାଇଛନ୍ତି ଯେ, ଅଶ୍ୱତ୍‌ଥ ବୃକ୍ଷର ଏହି ପ୍ରହେଳିକାକୁ ଅଳ୍ପ କେତେକ ବ୍ୟକ୍ତି ହିଁ ବୁଝିପାରିଥାନ୍ତି । ଆତ୍ମା ଏହା ହିଁ ବୁଝିଥାଏ, “ମୁଁ ରାମପ୍ରସାଦ, ହରିପ୍ରସାଦଙ୍କ ପୁତ୍ର ଅଟେ, ଇତ୍ୟାଦି । ମୁଁ ଏହି ଦେଶର ଏହି ସହରରେ ବାସ କରେ । ମୁଁ ମୋର ଆନନ୍ଦ ଅତ୍ୟଧିକ ଭାବେ ବୃଦ୍ଧି କରିବାକୁ ଚାହେଁ । ଏଣୁ ମୁଁ ମୋର ଶରୀରର ପରିଚୟ ନେଇ କର୍ମ କରେ କିନ୍ତୁ ଆନନ୍ଦ ମୋ ଠାରୁ ଦୂରେଇ ଯାଏ ଏବଂ ମୁଁ ବିଭ୍ରାନ୍ତ ହୋଇଯାଏ ।” ଏହି ବୃକ୍ଷର ଉତ୍ପତ୍ତି ଏବଂ ସ୍ୱଭାବକୁ କଳ୍ପନା କରି ନ ପାରି ଜୀବ ମୂଲ୍ୟହୀନ କର୍ମ ଓ ଉଦ୍ୟମରେ ଲିପ୍ତ ହୁଏ । ଭୌତିକ କାମନାକୁ ସନ୍ତୁଷ୍ଟ କରିବାକୁ ଯାଇ, ସେ ଅନେକ ସମୟରେ ପାପକର୍ମରେ ଲିପ୍ତ ହୁଏ ଏବଂ ନିମ୍ନଯୋନି ଓ ମାୟିକ ଜଗତର ନିମ୍ନଲୋକକୁ ପତିିତ ହୁଏ । ବେଳେବେଳେ ସାଂସାରିକ ଉପଭୋଗର ପ୍ରବଳ ଲାଳସା, ବ୍ୟକ୍ତିକୁ ବୃକ୍ଷର ପତ୍ର ପ୍ରତି ଆକର୍ଷିତ କରେ, ଯାହାକି ବେଦର  ବିଧିଯୁକ୍ତ କର୍ମ ଅଟେ । ଏହିସବୁ କର୍ମରେ ନିୟୋଜିତ ହୋଇ ବ୍ୟକ୍ତି ଊର୍ଦ୍ଧ୍ୱସ୍ଥ ସ୍ୱର୍ଗ ଲୋକକୁ ଗତି କରେ, କିନ୍ତୁୂ ତାର ପୁଣ୍ୟ ଶେଷ ହେଲେ ସେ ପୁଣି ଫେରି ଆସିଥାଏ । ଚୈତନ୍ୟ ମହାପ୍ରଭୁ କହନ୍ତି:

କୃଷ୍ଣ ଭୁଲି ସେଇ ଜୀବ ଅନାଦି -ବହିର୍ମୁଖ
ଅତଏବ ମାୟା ତାରେ ଦେୟ ସଂସାର-ଦୁଃଖ
କଭୁ ସ୍ୱର୍ଗେ ଉଠାୟ କଭୁ ନରକେ ଡୁବାୟ
ଦଣ୍ଡ୍ୟ-ଜନେ ରାଜା ଯେନ ନଦୀତେ ଚୁବାୟ ।
(ଚୈତନ୍ୟ ଚରିତାମୃତ, ମଧ୍ୟ ଲୀଳା,୨୦.୧୧୭-୧୧୮)

“ଯେହେତୁ ଆତ୍ମା ଅନାଦି କାଳରୁ ଭଗବାନଙ୍କୁ ଭୁଲିଯାଇଛି, ମାୟା ଶକ୍ତି ତାକୁ ସଂସାରିକ କଷ୍ଟ ପ୍ରଦାନ କରୁଛି । କେତେବେଳେ ଏହା ଜୀବକୁ ସ୍ୱର୍ଗଲୋକକୁ ଉତ୍‌ଥାନ କରୁଛି, ତ କେତେବେଳେ ତାର ନର୍କଲୋକରେ ପତନ କରାଉଛି । ଏହା ପ୍ରାଚୀନ କାଳର ରାଜା ମାନଙ୍କର ଦଣ୍ଡ ସଦୃଶ ଅଟେ ।” ଏକ ପ୍ରକାର ଦଣ୍ଡ ରୂପରେ ପୁରାତନ ରାଜାମାନେ ଜଣେ ବ୍ୟକ୍ତିର ମୁଣ୍ଡକୁ ପାଣିରେ ବୁଡ଼ାଇ ଦିଅନ୍ତି, ତାର ଶ୍ୱାସରୁଦ୍ଧ ଅବସ୍ଥା ହେଲେ, କିଛିକ୍ଷଣ ପାଇଁ ନିଶ୍ୱାସ ନେବାକୁ ଛାଡ଼ିଦିଅନ୍ତି ଏବଂ ପୁଣି ତାକୁ ପାଣିରେ ବୁଡ଼ାଇ ଦିଅନ୍ତି । ଜୀବର ସ୍ଥିତି ଏହିପରି ଅଟେ । ସେ ଅସ୍ଥାୟୀଭାବେ ସ୍ୱର୍ଗ ସୁଖ ପାଏ ଏବଂ ପୁଣି ସଂସାରକୁ ଫିଙ୍ଗି ଦିଆଯାଏ ।

ଏହିପରି ଭାବରେ ଅନନ୍ତ ଜନ୍ମ ବିତିଯାଇଛି । ଜୀବର ଭୌତିକ ସୁଖ ଉପଭୋଗ କରିବାର ସମସ୍ତ ଉଦ୍ୟମ, ଭୂମିକୁ ଅଧିକ ମୂଳ ନିକ୍ଷେପ କରି ବୃକ୍ଷର ଆକୃତି ବୃଦ୍ଧି କରିବାର ଫଳ ପ୍ରଦାନ କରୁଛି । କିନ୍ତୁ ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି, ଏହି ବୃକ୍ଷକୁ ଛେଦନ କରିବାର କୁରାଢ଼ି ବୈରାଗ୍ୟ ଅଟେ । ଅସଙ୍ଗ ଶବ୍ଦର ଅର୍ଥ ହେଉଛି ଅନାସକ୍ତି ଏବଂ ଏହା ହିଁ ଆତ୍ମାର ଅନନ୍ତ ଦୁଃଖର ନିରାକରଣ ଅଟେ । ଭୌତିକ ପ୍ରକୃତିର ତିନିଗୁଣକୁ ପ୍ରଜ୍ୱଳିତ କରୁଥିବା କାମନାଗୁଡ଼ିକୁ ବିରକ୍ତିର କୁରାଢ଼ି ଦ୍ୱାରା କାଟିବାକୁ ପଡ଼ିବ । କୁରାଢ଼ିଟି ଆତ୍ମଜ୍ଞାନ ଦ୍ୱାରା ନିର୍ମିତ ହେବା ଆବଶ୍ୟକ: “ମୁଁ ଏକ ନିତ୍ୟ ଦିବ୍ୟ ତତ୍ତ୍ୱ ଅଟେ, ମୁଁ ଏହି ମାୟିକ ଶରୀର ନୁହେଁ । ମୁଁ ଯେଉଁ ନିତ୍ୟ ଦିବ୍ୟ ଆନନ୍ଦର ସନ୍ଧାନ କରୁଛି, ତାହା ଭୌତିକ ବସ୍ତୁରୁ ପ୍ରାପ୍ତ ହେବନାହିଁ, ମୁଁ ନିଜକୁ ଶରୀର ମନେ କରି ଯେଉଁ ସାଂସାରିକ କାମନା କରୁଅଛି, ତାହା ଜନ୍ମ ଓ ମୃତ୍ୟୁର ଏହି ସଂସାରରେ ମୋର ଘୂର୍ଣ୍ଣନକୁ କେବଳ ସ୍ଥାୟୀ କରିବ । ଏହି ଦିଗରେ କୌଣସି ସନ୍ତୋଷ ବା ମୁକ୍ତି ନାହିଁ ।” ବ୍ୟକ୍ତିର ଯେତେବେଳେ ବୈରାଗ୍ୟ ଉତ୍ପନ୍ନ ହୁଏ, ବୃକ୍ଷର ବୃଦ୍ଧି ବନ୍ଦ ହୁଏ ଏବଂ ତାହା କ୍ଷୟ ହେବାରେ ଲାଗେ ।

ଅତଏବ, ଆମେ ବୃକ୍ଷର ଆଧାର ଖୋଜିବା ଆବଶ୍ୟକ, ଯାହା ମୂଳରେ ଅଛି ଏବଂ ସମସ୍ତ ବସ୍ତୁଠାରୁ ଊର୍ଦ୍ଧ୍ୱରେ ଅବସ୍ଥିତ । ସେହି ଉତ୍ସ ଭଗବାନ ଅଟନ୍ତି, ଶ୍ରୀକୃଷ୍ଣ ଯେପରି ପୂର୍ବରୁ କହିଥିଲେ: “ମୁଁ ସମସ୍ତ ମାୟିକ ଏବଂ ଦିବ୍ୟ ସୃଷ୍ଟିର ଉତ୍ସ ଅଟେ । ସବୁକିଛି ମୋ ଠାରୁ ଉତ୍ପନ୍ନ ହୁଏ । ଯେଉଁ ବିଜ୍ଞ ବ୍ୟକ୍ତି ଏହା ଜାଣେ, ସେ ପ୍ରଗାଢ଼ ବିଶ୍ୱାସ ଓ ଭକ୍ତି ସହ ମୋର ଉପାସନା କରେ ।” (ଶ୍ଳୋକ ୧୦.୮) ତେଣୁ ଏହି ବୃକ୍ଷର ପ୍ରକୃତ ମୂଳକୁ ଖୋଜି, ଆମେ ଏହି ଶ୍ଳୋକରେ ବର୍ଣ୍ଣନା ହୋଇଥିବା ଅନୁରୂପ ତାଙ୍କର ଶରଣାଗତ ହେବା: “ମୁଁ ତାଙ୍କର ଶରଣାଗତ ହେଉଛି, ଯାହାଙ୍କ ଠାରୁ ବହୁପୂର୍ବରୁ ଏହି ବିଶ୍ୱ ଉତ୍ପନ୍ନ ହୋଇଅଛି ।”

ଏହିପରି ଭାବରେ, ପୂର୍ବରୁ ଅମାପ ତଥା ଅବୋଧଗମ୍ୟ ଥିବା ଏହି ବୃକ୍ଷକୁ ଜୟ କରି ହେବ । ପୂର୍ବରୁ ଶ୍ରୀକୃଷ୍ଣ ଏହା ମଧ୍ୟ କହିଥିଲେ ଯେ: “ତିନିଗୁଣ ବିଶିଷ୍ଟ ମୋର ଦିବ୍ୟଶକ୍ତି ମାୟାକୁ ଜୟ କରିବା କଷ୍ଟକର ଅଟେ, କିନ୍ତୁ ଯିଏ ମୋର ଶରଣାଗତ ହୁଅନ୍ତି, ଏହାକୁ ସହଜରେ ପାର କରି ପାରନ୍ତି ।” (ଶ୍ଳୋକ-୭.୧୪) ତେଣୁ ଭଗବାନଙ୍କର ଆଶ୍ରିତ ହୋଇ, ଅଶ୍ୱତ୍‌ଥ ବୃକ୍ଷକୁ ଛେଦନ କରାଯାଇ ପାରିବ । ତାପରେ ଆମକୁ ଏହି ସଂସାରକୁ ଫେରିବାକୁ ପଡ଼ିବ ନାହିଁ ଏବଂ ମୃତ୍ୟୁ ପରେ ଆମେ ତାଙ୍କର ଦିବ୍ୟ ଲୋକକୁ ଗମନ କରିବା । ଶ୍ରୀକୃଷ୍ଣ ପରବର୍ତ୍ତୀ ଶ୍ଳୋକରେ ଶରଣାଗତି ପ୍ରକ୍ରିୟାର ଅଭିପ୍ରାୟ କ’ଣ, ତାହା ପ୍ରକାଶ କରିଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
15. ପୁରୁଷୋତ୍ତମ ଯୋଗ
1 2 3 4 5 6 7 8 9 10 11 12 13 14 15 16 17 18 19 20

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency