ନିର୍ମାନମୋହା ଜିତସଙ୍ଗଦୋଷା
ଅଧ୍ୟାତ୍ମନିତ୍ୟା ବିନିବୃତ୍ତକାମାଃ ।
ଦ୍ୱନ୍ଦେ୍ୱ÷ର୍ବିମୁକ୍ତାଃ ସୁଖଦୁଃଖସଂଜେ୍ଞୌ-
ର୍ଗଚ୍ଛନ୍ତ୍ୟମୂଢ଼ାଃ ପଦମବ୍ୟୟଂ ତତ୍ ।।୫।।
ନିଃ- ମୁକ୍ତ ହୋଇ; ମାନ-ମଦ; ମୋହାଃ-ମୋହ; ଜିତ-ଜୟକରି; ସଙ୍ଗ-ଆସକ୍ତି; ଦୋଷାଃ-ଦୋଷ; ଅଧ୍ୟାତ୍ମ-ନିତ୍ୟାଃ-ଆତ୍ମାରେ ବା ଭଗବାନଙ୍କ ଠାରେ ନିତ୍ୟଯୁକ୍ତ ରହି; ବିନିବୃତ୍ତ-ନିବୃତ୍ତ ହୋଇ; କାମାଃ-କାମନାର; ଦ୍ୱନ୍ଦେ୍ୱ÷ଃ- ଦ୍ୱନ୍ଦ୍ୱର; ବିମୁକ୍ତାଃ-ମୁକ୍ତ ହୋଇ; ସୁଖ ଦୁଃଖ- ସୁଖ ଏବଂ ଦୁଃଖ; ସଂଜେ୍ଞୌଃ- ନାମିତ; ଗଚ୍ଛନ୍ତି-ପ୍ରାପ୍ତ ହୁଏ; ଅମୂଢ଼ାଃ-ନିର୍ଭ୍ରାନ୍ତ; ପଦମ୍-ପଦ; ଅବ୍ୟୟଂ- ଶାଶ୍ୱତ; ତତ୍-ତାହା ।
BG 15.5: ଯେଉଁମାନେ ମଦ ଏବଂ ମୋହରୁ ମୁକ୍ତ, ଯିଏ ଆସକ୍ତିରୂପକ ଶତ୍ରୁକୁ ଜୟ କରିଛି, ଯିଏ ସର୍ବଦା ଆତ୍ମା ଏବଂ ଭଗବାନଙ୍କ ଠାରେ ସ୍ଥିତ ରହନ୍ତି, ଯେଉଁମାନେ ଇନ୍ଦ୍ରିୟ ଉପଭୋଗର କାମନା ଠାରୁ ମୁକ୍ତ ହୋଇଛନ୍ତି, ଯିଏ ସୁଖ ଓ ଦୁଃଖର ଦ୍ୱୈତରୁ ଊର୍ଦ୍ଧ୍ୱରେ, ସେହିପରି ମୁକ୍ତ ବ୍ୟକ୍ତିଗଣ ମୋର ଦିବ୍ୟ ଲୋକ ପ୍ରାପ୍ତ କରନ୍ତି ।
ଶ୍ରୀକୃଷ୍ଣ ବର୍ତ୍ତମାନ ସୂଚନା ଦେଉଛନ୍ତି, ପରମେଶ୍ୱର ରୂପୀ ବୃକ୍ଷର ଆଧାରର ଶରଣାଗତି ଆମେ କିପରି କରିବା । ସେ କହୁଛନ୍ତି, ପ୍ରଥମେ ବ୍ୟକ୍ତି ଅଜ୍ଞାନରୁ ଜାତ ଅହଂକାରକୁ ତ୍ୟାଗ କରିବା ଉଚିତ୍ । ଦେହଧାରୀ ଆତ୍ମା ଭ୍ରମ ବଶତଃ ଏପରି ଚିନ୍ତା କରେ, “ମୋ ପାଖରେ ଯାହା ଅଛି ମୁଁ ତା’ର ମାଲିକ ଅଟେ ଏବଂ ଭବିଷ୍ୟତରେ ମୁଁ ଆହୁରି ଅଧିକ ହାସଲ କରିବି । ଏହିସବୁ ମୋର ଉପଭୋଗ ଏବଂ ଆନନ୍ଦ ପାଇଁ ଉଦ୍ଦିଷ୍ଟ ।” ଯେ ପର୍ଯ୍ୟନ୍ତ ଆମେ ଅଜ୍ଞାନରୁ ଉତ୍ପନ୍ନ ମଦରେ ଉନ୍ମତ୍ତ ରହିଥିବା, ଆମେ ନିଜକୁ ଭୌତିକ ପ୍ରକୃତିର ଉପଭୋକ୍ତା ମନେକରିବା । ଏହିପରି ପରିସ୍ଥିତିରେ, ଆମେ ଭଗବାନଙ୍କୁ ହେୟଜ୍ଞାନ କରେ ଏବଂ ତାଙ୍କ ଇଚ୍ଛା ପ୍ରତି ଶରଣାଗତ ହେବାର ଆଗ୍ରହ ପ୍ରକାଶ କରେନାହିଁ ।
ଉପଭୋକ୍ତାର ଏହି ଭ୍ରାନ୍ତ ଧାରଣାକୁ, ଜ୍ଞାନର ସହାୟତାରେ ତ୍ୟାଗ କରିବାକୁ ପଡ଼ିବ । ଆମେ ଜାଣିବା ଉଚିତ ଯେ ମାୟିକ ଶକ୍ତି ଭଗବାନଙ୍କର ଅଟେ, ତେଣୁ ତାହା ତାଙ୍କ ସେବା ପାଇଁ ଉଦ୍ଦିଷ୍ଟ । ଆତ୍ମା ମଧ୍ୟ ଭଗବାନଙ୍କର ଏକ ସେବକ ଅଟେ, ଏଣୁ ବର୍ତ୍ତମାନର ଉପଭୋଗ ମନୋଭାବକୁ ସେବା ମନୋଭାବରେ ପରିବର୍ତ୍ତିତ କରିବାକୁ ପଡ଼ିବ । ସେଥିପାଇଁ ଆମେ ଭୌତିକ ବନ୍ଧନକୁ ତ୍ୟାଗ କରିବା ଆବଶ୍ୟକ, ଯାହା ଆମ ମନକୁ ସଂସାର ଦିଗକୁ ତଥା ଭଗବାନଙ୍କର ବିପରୀତ ଦିଗକୁ ଆକର୍ଷିତ କରେ । ତା’ ପରିବର୍ତ୍ତେ, ନିଷ୍କାମ ସେବା ଭାବନାରେ ଭଗବାନଙ୍କ ଠାରେ ମନକୁ ନିମଗ୍ନ କରିବା ଉଚିତ ଏବଂ ଭଗବାନଙ୍କ ସେବକ ରୂପରେ ନିଜର ପ୍ରକୃତ ସ୍ୱରୂପକୁ ଜାଣିବା ଉଚିତ । ପଦ୍ମପୁରାଣ କହେ:
ଦାସ ଭୂତମିଦମ୍ ତସ୍ୟ ଜଗତ୍ସ୍ଥାବର ଜଙ୍ଗମମ୍
ଶ୍ରୀମନ୍ନାରାୟଣ ସ୍ୱାମୀ ଜଗତାନ୍ପ୍ରଭୁରୀଶ୍ୱରଃ ।
“ପରମ ପୁରୁଷ ନାରାୟଣ ସଂସାରର ନିୟାମକ ଏବଂ ଈଶ୍ୱର ଅଟନ୍ତି । ତାଙ୍କ ସୃଷ୍ଟିର ସମସ୍ତ ଚର ଓ ଅଚର ପ୍ରାଣୀ ଏବଂ ବସ୍ତୁ ତାଙ୍କର ସେବକ ଅଟନ୍ତି ।” ଭଗବାନଙ୍କ ସେବା ପାଇଁ ଆମର ଇଚ୍ଛା ଯେତେ ବିକସିତ ହେବ, ପ୍ରକୃତିର ଉପଭୋକ୍ତା ଭାବରେରେ ଆମର ଭ୍ରମ ଅପସୃତ ହେବାରେ ଲାଗିବ ତଥା ଆମର ହୃଦୟ ଶୁଦ୍ଧ ହେବ । ଜଗଦ୍ଗୁରୁ ଶ୍ରୀ କୃପାଳୁଜୀ ମହାରାଜ ଏହାକୁ ସର୍ବାଧିକ ଗୁରୁତ୍ୱ ଦିଅନ୍ତି ଏବଂ ଅନ୍ତଃକରଣ ଶୁଦ୍ଧିର ଶ୍ରେଷ୍ଠତମ ଉପାୟ ଭାବରେ ଏହାର ଚିତ୍ରଣ କରନ୍ତି:
ସୌ ବତନ କୀ ବାତ ଇକ, ଧରୁ ମୁରଲୀଧର ଧ୍ୟାନ ।
ବଢ଼ବହୁ ସେବା-ବାସନା, ୟହ ସୌ ଜ୍ଞାନନ ଜ୍ଞାନ ।ା (ଭକ୍ତିଶତକ, ପଦ-୭୪)
“ଅନ୍ତଃକରଣ ଶୁଦ୍ଧି ସମ୍ବନ୍ଧୀୟ ଶହେଟି ଉପଦେଶ ମଧ୍ୟରୁ ଏହା ସବୁଠାରୁ ମହତ୍ୱପୂର୍ଣ୍ଣ ଏହା ଯେ ମନରେ ଦିବ୍ୟ ବଂଶୀଧାରୀ ଶ୍ରୀକୃଷ୍ଣଙ୍କର ଧ୍ୟାନ କର ଏବଂ ତାଙ୍କର ସେବା ବାସନାକୁ ବଢ଼ାଅ । ଏହି ଉପଦେଶଟି ଶତାଧିକ ଜ୍ଞାନରତ୍ନଠାରୁ ଅଧିକ ମୂଲ୍ୟବାନ ଅଟେ ।”
ଅନ୍ତଃକରଣକୁ ଶୁଦ୍ଧ କରି ଭଗବାନଙ୍କ ଭକ୍ତିମୟ ସେବାରେ ନିୟୋଜିତ କରିବା ପରେ, କ’ଣ ହୁଏ? ଶ୍ରୀକୃଷ୍ଣ ଉପରୋକ୍ତ ଶ୍ଲୋକରେ କହୁଛନ୍ତି ଯେ ଏହିପରି ଶୁଦ୍ଧ ଆତ୍ମା ଅନନ୍ତ କାଳ ପାଇଁ ଦିବ୍ୟ ଧାମକୁ ଗତିକରେ । ଜୀବ ଯେତେବେଳେ ଭଗବତ୍ ଚେତନାରେ ସ୍ଥିତ ହୋଇଯାଏ, ଭୌତିକ ସଂସାର ତା’ ପାଇଁ ଅର୍ଥହୀନ ହୋଇଯାଏ । ଅନ୍ୟ ଭଗବତ୍ପ୍ରାପ୍ତ ଜୀବାତ୍ମାମାନଙ୍କ ସହିତ ଭଗବାନଙ୍କର ଦିବ୍ୟ ଧାମରେ ବାସ କରିବାର ଯୋଗ୍ୟତା ସେ ହାସଲ କରିନିଏ । ଯେପରି ଏକ ବନ୍ଦୀଶାଳା ସହରର ଏକ ଛୋଟଅଂଶ ଅଧିକାର କରିଥାଏ, ମାୟିକ ଜଗତ ମଧ୍ୟ ସେହିପରି ଅଟେ । ଏହା ଭଗବାନଙ୍କ ସମ୍ପୂର୍ଣ୍ଣ ସୃଷ୍ଟିର ଏକ ଚତୁର୍ଥାଂଶ ଅଟେ । ବେଦ କହେ:
ପାଦୋଽସ୍ୟ ବିଶ୍ୱ ଭୂତାନି, ତ୍ରିପାଦସ୍ୟ ଅମୃତମ୍ ଦିବି (ପୁୁରୁଷ ସୁକ୍ତମ୍ ମନ୍ତ୍ର ୩)
“ମାୟାଶକ୍ତିରୁ ଉତ୍ପନ୍ନ ଅସ୍ଥାୟୀ ସଂସାର, ସୃଷ୍ଟିର ମାତ୍ର ଏକ ଭାଗ ଅଟେ । ଅନ୍ୟ ତିନି ଭାଗ ଭଗବାନଙ୍କର ନିତ୍ୟ ଲୋକ ଅଟେ, ଯାହାକି ଜନ୍ମ ଓ ମୃତ୍ୟୁ ପ୍ରକ୍ରିୟାର ବର୍ହିଭୂତ ଅଟେ ।” ଶ୍ରୀକୃଷ୍ଣ ତାଙ୍କ ଚିରନ୍ତନ ଲୋକ ବିଷୟରେ ପରବର୍ତ୍ତୀ ଶ୍ଲୋକରେ ସୂଚନା ଦେଉଛନ୍ତି ।
ନିର୍ମାନମୋହା ଜିତସଙ୍ଗଦୋଷା
ଅଧ୍ୟାତ୍ମନିତ୍ୟା ବିନିବୃତ୍ତକାମାଃ ।
ଦ୍ୱନ୍ଦେ୍ୱ÷ର୍ବିମୁକ୍ତାଃ ସୁଖଦୁଃଖସଂଜେ୍ଞୌ-
ର୍ଗଚ୍ଛନ୍ତ୍ୟମୂଢ଼ାଃ ପଦମବ୍ୟୟଂ ତତ୍ ।।୫।।
ଯେଉଁମାନେ ମଦ ଏବଂ ମୋହରୁ ମୁକ୍ତ, ଯିଏ ଆସକ୍ତିରୂପକ ଶତ୍ରୁକୁ ଜୟ କରିଛି, ଯିଏ ସର୍ବଦା ଆତ୍ମା ଏବଂ ଭଗବାନଙ୍କ ଠାରେ ସ୍ଥିତ ରହନ୍ତି, ଯେଉଁମାନେ ଇନ୍ଦ୍ରିୟ …
Sign in to save your favorite verses.
Sign Inପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ