ଶ୍ରୀଭଗବାନୁବାଚ
ଅଭୟଂ ସତ୍ତ୍ୱସଂଶୁଦ୍ଧିର୍ଜ୍ଞାନଯୋଗବ୍ୟବସ୍ଥିତିଃ ।
ଦାନଂ ଦମଶ୍ଚ ଯଜ୍ଞଶ୍ଚ ସ୍ୱାଧ୍ୟାୟସ୍ତପ ଆର୍ଜବମ୍ ।।୧।।
ଅହିଂସା ସତ୍ୟମକ୍ରୋଧସ୍ତ୍ୟାଗଃ ଶାନ୍ତିରପୈଶୁନମ୍ ।
ଦୟା ଭୂତେଷ୍ୱଲୋଲୁପ୍‌ତ୍ୱଂ ମାର୍ଦବଂ ହ୍ରୀରଚାପଲମ୍ ।।୨।।
ତେଜଃ କ୍ଷମା ଧୃତିଃ ଶୌଚମଦ୍ରୋହୋନାତିମାନିତା ।
ଭବନ୍ତି ସମ୍ପଦଂ ଦୈବୀମଭିଜାତସ୍ୟ ଭାରତ ।।୩।।

ଶ୍ରୀ ଭଗବାନ ଉବାଚ - ଶ୍ରୀ ଭଗବାନ କହିଲେ; ଅଭୟଂ -ନିର୍ଭୀକତା; ସତ୍ତ୍ୱ-ସଂସିଦ୍ଧିଃ - ମନର ଶୁଦ୍ଧିକରଣ; ଜ୍ଞାନ-ଜ୍ଞାନ: ଯୋଗ-ଅଧ୍ୟାତ୍ମ; ବ୍ୟବସ୍ଥିତିଃ -ସ୍ଥିରତା; ଦାନଂ- ଦାନ; ଦମଃ -ଇନ୍ଦ୍ର୍ରିୟ ସଂଯମ;ଚ -ଏବଂ; ଯଜ୍ଞଃ - ଯଜ୍ଞାନୁଷ୍ଠାନ;ଚ -ଏବଂ; ସ୍ୱାଧ୍ୟାୟଃ - ପବିତ୍ର ଗ୍ରନ୍ଥର ଅଧ୍ୟୟନ; ତପଃ - ତପସ୍ୟା; ଆର୍ଜବମ୍ - ସରଳତା; ଅହିଂସା- ଅହିଂସା; ସତ୍ୟଂ -ସତ୍ୟ; ଅକ୍ରୋଧଃ - କ୍ରୋଧଶୂନ୍ୟତା; ତ୍ୟାଗଃ -ତ୍ୟାଗ; ଶାନ୍ତିଃ - ଶାନ୍ତି ଭାବ; ଅପୈଶୁନମ୍ - ଦୋଷଦର୍ଶନ ତ୍ୟାଗ; ଦୟା-ଦୟା; ଭୂତେଷୁ -ସମସ୍ତ ପ୍ରାଣୀଙ୍କଠାରେ; ଅଲୋଲୁପ୍ତ୍ୱଂ, -ଲୋଭଶୂନ୍ୟତା; ମାର୍ଦବଂ -ଭଦ୍ରାମି; ହ୍ର୍ରୀଃ - ବିନୟ; ଅଚାପଳମ୍ - ଦୃଢ଼ତା; ତେଜଃ - ତେଜ; କ୍ଷମା-କ୍ଷମା; ଧୃତିଃ - ଧୈର୍ଯ୍ୟ; ଶୌଚଂ- ପରିଷ୍କାର ପରିଚ୍ଛନ୍ନତା; ଅଦ୍ରୋହଃ - ଈର୍ଷାଶୂନ୍ୟ; ନ - ନାହିଁ; ଅତିମାନିତା -ମାନଶୂନ୍ୟତା; ଭବନ୍ତି - ହୁଅନ୍ତି; ସମ୍ପଦମ୍ - ଗୁଣ; ଦୈବୀଂ - ଦିବ୍ୟ; ଅଭିଜାତସ୍ୟ - ଅଧିକାରୀ; ଭାରତ - ହେ ଭରତ ବଂଶଜ ।

ଅନୁବାଦ

BG 16.1-3: ଶ୍ରୀ ଭଗବାନ କହିଲେ: ହେ ଭରତ ଶ୍ରେଷ୍ଠ! ଏହି ଗୁଡ଼ିକ ଦୈବୀଗୁଣର ଅଧିକାରୀ ବ୍ୟକ୍ତିଙ୍କର ସାଧୁ ସ୍ୱଭାବ ଅଟେ- ନିର୍ଭୀକତା, ମନର ପବିତ୍ରତା, ଆଧ୍ୟାତ୍ମିକ ଜ୍ଞାନରେ ସ୍ଥିରତା, ଦାନ, ଇନ୍ଦ୍ରିୟ ବଶୀକରଣ, ଯଜ୍ଞ ସମ୍ପାଦନ, ପବିତ୍ର ପୁସ୍ତକ ପଠନ, ସଂଯମ, ସ୍ପଷ୍ଟବାଦୀ, ଅହିଂସା, ସତ୍ୟବାଦୀ, କ୍ରୋଧରହିତ, ତ୍ୟାଗ, ଶାନ୍ତିପ୍ରିୟ, ପରଦୋଷ ଦର୍ଶନ ନ କରିବା, ସମସ୍ତ ପ୍ରାଣୀଙ୍କ ପ୍ରତି ଦୟା, ଲୋଭହୀନ, ଭଦ୍ର, ଶାଳୀନ, ସ୍ଥିର ମତି, ସାହସୀ, କ୍ଷମାଶୀଳ, ସହନଶୀଳ, ପରିଷ୍କାର ପରିଚ୍ଛନ୍ନ, କାହା ପ୍ରତି ଶତ୍ରୁତା ଆଚରଣ ନ କରିବା ଏବଂ ଅହଂକାର ରହିତ ହେବା ।

ଭାଷ୍ୟ

ଶ୍ରୀକୃଷ୍ଣ ଏଠାରେ ସାଧୁ ଚରିତ୍ରର ଛବିଶଗୋଟି ଗୁଣ ବର୍ଣ୍ଣନା କରିଛନ୍ତି । ଚରମ ଲକ୍ଷ୍ୟ ପ୍ରାପ୍ତି ଦିଗରେ ନିଜକୁ ଉଚ୍ଚତର ସୋପାନକୁ ଉନ୍ନୀତ କରିବା ପାଇଁ ଆମ ଆଧ୍ୟାତ୍ମିକ ସାଧନାର ଅଙ୍ଗ ଭାବରେ ଏହିସବୁ ଗୁଣକୁ ବିକଶିତ କରାଯିବା ଉଚିତ୍ ।

ନିର୍ଭୀକତା - ଏହା ବର୍ତ୍ତମାନ ଏବଂ ଭବିଷ୍ୟତର ଦୁଃଖ ପାଇଁ ଉଦ୍‌ବେଗ ମୁକ୍ତ ରହିବାର ଅବସ୍ଥା ଅଟେ । କୌଣସି ପ୍ରକାରର ଅତିଶୟ ଆସକ୍ତି ମନରେ ଭୟ ଉତ୍ପନ୍ନ କରେ । ଧନ ସମ୍ପତ୍ତି ପ୍ରତି ଆସକ୍ତି, ଦରିଦ୍ର ହୋଇଯିବାର ଭୟ ଉତ୍ପନ୍ନ କରେ; ଯଶ ପ୍ରତି ଆସକ୍ତି ଅପଯଶର ଭୟ ସୃଷ୍ଟି କରାଏ, ଧର୍ମ ପ୍ରତି ଆସକ୍ତି ପାପ ପରିଣାମ ପ୍ରତି ଉତ୍କଣ୍ଠା ଉତ୍ପନ୍ନ କରେ, ଶରୀର ପ୍ରତି ଆସକ୍ତି ରୋଗର ଭୟ ଉତ୍ପନ୍ନ କରେ, ଇତ୍ୟାଦି । ବୈରାଗ୍ୟ ଏବଂ ଭଗବତ୍ ଶରଣାଗତି ହୃଦୟରୁ ସମସ୍ତ ଭୟକୁ ସମାପ୍ତ କରିଦିଏ ।

ମନର ପବିତ୍ରତା - ଏହା ଅଭ୍ୟନ୍ତରର ପବିତ୍ରତା ଅଟେ । ମନ ବିଚାର, ଭାବନା, ଅନୁଭବ, ଆବେଗ ଇତ୍ୟାଦି ଉତ୍ପନ୍ନ କରେ । ଯେତେବେଳେ ସେଗୁଡ଼ିକ ନୈତିକ, ପ୍ରୀତିକର, ସକାରାତ୍ମକ ଏବଂ ଉତ୍ସାହଦାୟକ ହୋଇଥାଏ, ସେତେବେଳେ ମନ ପବିତ୍ର ଥିବା ଅନୁମାନ କରାଯାଏ । ଯେତେବେଳେ ସେଗୁଡ଼ିକ ଅନୈତିକ ଏବଂ ପତନ କାରକ ହୋଇଥାଏ, ସ୍ପଷ୍ଟ ଅନୁମେୟ ଯେ ମନ ଅପବିତ୍ର ରହିଛି । ରଜୋଗୁଣ ଏବଂ ତମୋଗୁଣ ପ୍ରତି ଆସକ୍ତି ମନକୁ ଦୂଷିତ କରିଦିଏ, କିନ୍ତୁ ଭଗବାନଙ୍କଠାରେ ଅନୁରାଗ ମନକୁ ପବିତ୍ର କରେ ।

ଆଧ୍ୟାତ୍ମିକ ଜ୍ଞାନରେ ସ୍ଥିର ରହିବା - ଏପରି କୁହାଯାଏ ଯେ: ତତ୍ତ୍ୱ ବିସ୍ମରଣାତ୍ ଭେକିବତ୍ । ମନୁଷ୍ୟ ଯେତେବେଳେ ଉଚିତ୍ କ’ଣ - ଅନୁଚିତ୍ କ’ଣ ତାହା ଭୁଲିଯାଏ, ସେ ପଶୁ ସଦୃଶ ହୋଇଯାଏ । ସେଥିପାଇଁ ଆଧ୍ୟାତ୍ମିକ ଜ୍ଞାନରେ ସ୍ଥିତ ରହିବା, ସଦ୍‌ଗୁଣର ମାର୍ଗକୁ ପ୍ରଶସ୍ତ କରିଥାଏ ।

ଦାନ - ଏହା ନିଜର ଧନକୁ କୌଣସି ମହତ୍ ଉଦ୍ଦେଶ୍ୟରେ କିମ୍ବା କୌଣସି ଅଭାବଗ୍ରସ୍ତ ବ୍ୟକ୍ତିଙ୍କୁ ପ୍ରଦାନ କରିବାକୁ ବୁଝାଏ । ବାସ୍ତବ ଦାନ ତାହାକୁ କୁହାଯାଏ, ଯେତେବେଳେ ତାହା କୌଣସି ଶ୍ରେଷ୍ଠତାର ଭାବନାରେ କରା ନ ଯାଇ, ଅନ୍ୟର ସାହାଯ୍ୟ କରିବାକୁ ଏକ ସୁଯୋଗ ପ୍ରଦାନ କରିଥିବାରୁ ଈଶ୍ୱରଙ୍କ ପ୍ରତି କୃତଜ୍ଞତା ଭାବନାରେ କରାଯାଇଥାଏ । ଶରୀରର ହିତ ଉଦ୍ଦେଶ୍ୟରେ ଯେଉଁ ଦାନ କରାଯାଇ ଥାଏ, ତାହାର ପ୍ରଭାବ କ୍ଷଣସ୍ଥାୟୀ ଅଟେ । ଆଧ୍ୟାତ୍ମିକ ଦାନ, ଯାହା ଆତ୍ମା ସ୍ତରରେ କରାଯାଇଥାଏ, ତାହା ଭଗବାନଙ୍କ ପ୍ରତି ବିମୁଖ ରହିଥିବା କାରଣରୁ ଜୀବ ଭୋଗ କରଥିବା ସମସ୍ତ ଦୁଃଖର କାରଣକୁ ଦୂର କରିଥାଏ । ପରିଣାମ ସ୍ୱରୂପ, ଏହା ଭୌତିକ ଦାନ ଅପେକ୍ଷା ଶ୍ରେଷ୍ଠ ପରିଗଣିତ ହୁଏ ।

ଇନ୍ଦ୍ରିୟ ସଂଯମ -  ମନକୁ ମାୟିକ ଭ୍ରମର ଅତଳ ଗହରକୁ ଟାଣି ନେବାର କ୍ଷମତା ଦୁଷ୍ଟ ଇନ୍ଦ୍ରିୟମାନଙ୍କର ରହିଛି । ସେମାନେ ଜୀବକୁ ତୁରନ୍ତ ସୁଖପ୍ରାପ୍ତି ପାଇଁ ପ୍ରଲୋଭିତ କରନ୍ତି । କିନ୍ତୁ, ଉଚ୍ଚତର ଲକ୍ଷ୍ୟ ପ୍ରାପ୍ତି ପାଇଁ ଧର୍ମ ପଥରେ ଯାତ୍ରା କରିବାକୁ ହେଲେ ନିକୃଷ୍ଟ ଇନ୍ଦ୍ରିୟ ସୁଖ ତ୍ୟାଗ କରିବା ଆବଶ୍ୟକ । ତେଣୁ ଇନ୍ଦ୍ରିୟମାନଙ୍କୁ ବଶ କରିବା, ଭଗବତ୍ ମାର୍ଗରେ ଅଗ୍ରସର ହେବା ପାଇଁ ଏକ ଆବଶ୍ୟକୀୟ ସଦ୍‌ଗୁଣ ଅଟେ ।

ଯଜ୍ଞାନୁଷ୍ଠାନ କରିବା - ଏହାର ଅର୍ଥ, ନିଜ ସୁଖ ପାଇଁ ହୋଇ ନ ଥିଲେ ମଧ୍ୟ, ବୈଦିକ ଧର୍ମ ତଥା ସାମାଜିକ କର୍ତ୍ତବ୍ୟର ପାଳନ କରିବା ।  ଭଗବାନଙ୍କ ସୁଖ ଉଦ୍ଦେଶ୍ୟରେ କରାଯାଉଥିବା ଯଜ୍ଞ, ଶ୍ରେଷ୍ଠ ଯଜ୍ଞ ଅଟେ ।

ପବିତ୍ର ଗ୍ରନ୍ଥ ପଠନ - ବୁଦ୍ଧିକୁ ପ୍ରେରଣାଦାୟକ ଶାସ୍ତ୍ର ଜ୍ଞାନରେ ଯୁକ୍ତ କରିବା, ଦିବ୍ୟଗୁଣ ବୃଦ୍ଧି କରିବାର ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଯେତେବେଳେ ବୁଦ୍ଧି ସଠିକ୍ ଜ୍ଞାନ ଦ୍ୱାରା ଉଦ୍‌ଭାସିତ ହୁଏ, ବ୍ୟକ୍ତିର କାର୍ଯ୍ୟ ସ୍ୱାଭାବିକ ଭାବରେ ଗରିମାମୟ ହୋଇଉଠେ ।

ତପସ୍ୟା - ଶରୀର-ମନ-ଇନ୍ଦ୍ରିୟସବୁ ଏପରି ଅଟନ୍ତି ଯେ ଯଦି ଆମେ ତାଙ୍କୁ ସନ୍ତୁଷ୍ଟ କରି ଚାଲିବା, ସେମାନେ ସୁଖ-କାମୀ ହୋଇଯିବେ । ଅନ୍ୟ ପକ୍ଷରେ, ଯଦି ସେଗୁଡ଼ିକୁ ନିୟନ୍ତ୍ରଣ କରାଯାଏ ତାହେଲେ ସେମାନେ ଶୃଙ୍ଖଳିତ ହୋଇଯାଆନ୍ତି । ତପସ୍ୟାର ଅର୍ଥ ସ୍ୱେଚ୍ଛାରେ କଷ୍ଟ ଭୋଗ ସ୍ୱୀକାର କରିବା, ଯାହା ଶରୀର, ମନ ଓ ବୁଦ୍ଧିକୁ ଶୁଦ୍ଧ କରିଥାଏ ।

ସରଳତା - କଥାବାର୍ତ୍ତା ଏବଂ ଆଚରଣରେ ସରଳତା ମନକୁ ବ୍ୟବସ୍ଥିତ କରେ ଏବଂ ମହତ୍ ବିଚାରର ଅଙ୍କୁର ଉତ୍ପନ୍ନ କରେ । ଇଂରାଜୀ ପ୍ରବାଦ “ସରଳ ଜୀବନ, ଉଚ୍ଚ ଚିନ୍ତନ”, ସ୍ପଷ୍ଟ ଭାବରେ ସରଳତା ଗୁଣର ଲାଭକୁ ବ୍ୟକ୍ତ କରିଥାଏ ।

ଅହିଂସା - ଏହାର ଅର୍ଥ, ବିଚାର, ବାକ୍ୟ ବା କ୍ରିୟା ମାଧ୍ୟମରେ ଅନ୍ୟ ଜୀବର ପ୍ରଗତିଶୀଳ ଜୀବନରେ ବାଧା ଉତ୍ପନ୍ନ ନ କରିବା ।

ସତ୍ୟବାଦିତା - ଏହାର ଅର୍ଥ, ନିଜର ଉଦ୍ଦେଶ୍ୟ ସାଧିତ କରିବା ପାଇଁ ତଥ୍ୟକୁ ବିକୃତ କରିବାରୁ କ୍ଷାନ୍ତ ରହିବା । ଭଗବାନ ପରମ ସତ୍ୟ ଅଟନ୍ତି ଏବଂ ସତ୍ୟବାଦିତାର ଅଭ୍ୟାସ ଆମକୁ ତାଙ୍କ ଦିଗକୁ ନେଇଯାଏ । ଅନ୍ୟପକ୍ଷରେ, ମିଥ୍ୟା ସହଜ ହେଲେ ମଧ୍ୟ ଆମକୁ ଭଗବାନଙ୍କଠାରୁ ଦୂରେଇ ନିଏ ।

କ୍ରୋଧ ଶୂନ୍ୟତା - କ୍ରୋଧ ପ୍ରକାଶ କରିବା ମାୟିକ ମନର ଏକ ବିକାର ଅଟେ । ଯେତେବେଳେ ସୁଖର କାମନା ବାଧାପ୍ରାପ୍ତ ହୁଏ ଏବଂ ନିଜ ପରିକଳ୍ପନା ଅନୁସାରେ କାର୍ଯ୍ୟ ଘଟି ନ ଥାଏ, ସେତେବେଳେ ଏହା ଜାତ ହୋଇଥାଏ । ବୈରାଗ୍ୟ ଧାରଣ କରି ଏବଂ ଭଗବାନଙ୍କ ଇଚ୍ଛା ପ୍ରତି ସମର୍ପିତ ହୋଇ ବ୍ୟକ୍ତି କ୍ରୋଧକୁ ଜୟ କରିଥାଏ ।

ତ୍ୟାଗ - ସମସ୍ତ ଭୌତିକ ଶକ୍ତି ଭଗବାନଙ୍କର ଶକ୍ତି ଅଟେ ଏବଂ ଏହା ତାଙ୍କର ସୁଖ ପାଇଁ ଉଦ୍ଦିଷ୍ଟ । ତେଣୁ ସଂସାରର ଐଶ୍ୱର୍ଯ୍ୟ ଆମର ଉପଭୋଗ ପାଇଁ ନୁହେଁ, ବରଂ ଭଗବାନଙ୍କ ସେବା ଉଦ୍ଦେଶ୍ୟରେ ଉପଯୋଗ କରାଯିବା ଉଚିତ । ଏହି ଜ୍ଞାନରେ ସ୍ଥିତ ହେବା ହିଁ ତ୍ୟାଗ ଅଟେ ।

ଶାନ୍ତି - ସଦ୍‌ଗୁଣର ବିକାଶ ନିମନ୍ତେ ମାନସିକ ଭାରସାମ୍ୟ ରକ୍ଷାକରିବା ଆବଶ୍ୟକ ଅଟେ । ବାହ୍ୟ ବିଶୃଙ୍ଖଳା ସତ୍ତ୍ୱେ ଅଭ୍ୟନ୍ତରର ସନ୍ତୁଳନ ରକ୍ଷା କରିବାକୁ ଶାନ୍ତି କୁହାଯାଏ ।

ପରଦୋଷ ଦର୍ଶନରୁ କ୍ଷାନ୍ତ ରହିବା - ସଂସାର ଏବଂ ସେଥିରେ ଥିବା ସମସ୍ତ ବସ୍ତୁ ଭଲ ଓ ମନ୍ଦ ଗୁଣର ସମ୍ମିଶ୍ରଣ ଅଟେ । ଅନ୍ୟର ଦୋଷ ଦର୍ଶନ ମନକୁ କଳୁଷିତ କରେ, ଅନ୍ୟପକ୍ଷରେ ତାଙ୍କର ସଦ୍‌ଗୁଣ ଦେଖିବା ଦ୍ୱାରା ମନ ଶୁଦ୍ଧ ହୁଏ । ସନ୍ଥ ମହାପୁରୁଷ ମାନଙ୍କର ବିଶେଷତ୍ୱ ଏହା  ଯେ ସେମାନେ ନିଜର ଦୋଷ ଦେଖିଥାନ୍ତି ଏବଂ ଅନ୍ୟର ଗୁଣ ଦେଖିଥାନ୍ତି ।

ସମସ୍ତ ପ୍ରାଣୀଙ୍କ ପ୍ରତି ଦୟା - ବ୍ୟକ୍ତି ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି କରିବା ସହିତ, ସ୍ୱାଭାବିକ ଭାବେ ଆତ୍ମ-କୈନ୍ଦ୍ରିକତାରୁ ଉଚ୍ଚ-ସ୍ତରକୁ ଯାଇଥାଏ ଏବଂ ସମସ୍ତ ପ୍ରାଣୀଙ୍କ ପ୍ରତି ସମବେଦନା ଅନୁଭବ କରିଥାଏ । ଅନ୍ୟର ଦୁଃଖକଷ୍ଟ ଦେଖି ହୃଦୟରେ ଗଭୀର ସହାନୁଭୂତି ଅନୁଭବ କରିବା, ଦୟା ଭାବ ଅଟେ ।

ଲୋଭ ରହିତ - ଶରୀର ପୋଷଣ ନିମନ୍ତେ ଯେତିକି ଆବଶ୍ୟକ, ତା’ଠାରୁ ଅଧିକ ସଂଗ୍ରହ କରିବାର କାମନାକୁ ଲୋଭ କୁହାଯାଏ । ଏହାର ପ୍ରଭାବରେ, ଲୋକେ ବହୁ ପରିମାଣର ଅର୍ଥ ଏବଂ ସମ୍ପତ୍ତି ଏକତ୍ରିତ କରିଥାନ୍ତି, ଯଦିଓ ସେମାନେ ଜାଣନ୍ତି ଯେ ମୃତ୍ୟୁ ସମୟରେ ସବୁକିଛି ତ୍ୟାଗ କରି ଖାଲି ହାତରେ ଯିବାକୁ ପଡ଼ିବ । ଲୋଭରୁ ମୁକ୍ତି ସନ୍ତୋଷ ଏବଂ ଆନ୍ତରିକ ଶାନ୍ତି ପ୍ରଦାନ କରିଥାଏ ।

ସୌଜନ୍ୟତା - ଯେଉଁମାନେ ଅନ୍ୟର ଭାବନା ପ୍ରତି ଅସମ୍ବେଦନଶୀଳ, ସେମାନଙ୍କର ସ୍ୱଭାବ ଏପରି ହୋଇଥାଏ ଯେ ସେମାନେ ଅନ୍ୟ ପ୍ରତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଥାଆନ୍ତି । କିନ୍ତୁ ଆଧ୍ୟାତ୍ମିକ ସ୍ତରରେ ବ୍ୟକ୍ତି ଯେତେ ଉପରକୁ ଉଠେ, ସ୍ୱାଭାବିକ ଭାବରେ ତା’ର ବ୍ୟବହାରରେ ରୁକ୍ଷତା ହ୍ରାସ ପାଏ । ସୌଜନ୍ୟତା ଆଧ୍ୟାତ୍ମିକ ଶୁଦ୍ଧିକରଣର ଏକ ଲକ୍ଷଣ ଅଟେ ।

ଶାଳୀନତା - ହ୍ରିଃ ଶବ୍ଦର ଅର୍ଥ “ଶାସ୍ତ୍ରୀୟ ଏବଂ ସାମାଜିକ ନିୟମ ବିପରୀତ କର୍ମ କରିବା ଦ୍ୱାରା ନିଜ ଭିତରେ ଦୋଷୀ ଅନୁଭବ କରିବା ।” ସନ୍ଥ ସ୍ୱଭାବ, ଏକ କଠୋର ଅଭ୍ୟନ୍ତରୀଣ ବିବେକ ଦ୍ୱାରା ଅନୁପ୍ରାଣୀତ ହୋଇଥାଏ, ଯାହା କୌଣସି ପାପଯୁକ୍ତ କର୍ମ କରିବା ସମୟରେ ‘ଦୋଷୀଭାବ’ ଉତ୍ପନ୍ନ କରିଥାଏ ।

ସ୍ଥିରତା - କୌଣସି କାର୍ଯ୍ୟ ଆମେ କିଛି ମହତ୍ ଉଦ୍ଦେଶ୍ୟ ନେଇ ଆରମ୍ଭ କରିପାରୁ । କିନ୍ତୁ ରାସ୍ତାରେ ଆମେ ଯଦି ପ୍ରଲୋଭନ ବା କଠିନତା ଦ୍ୱାରା ବିଚଳିତ ହୋଇଯାଉ, ତେବେ ଆମେ ଯାତ୍ରା ପୂର୍ଣ୍ଣ କରିପାରୁ ନାହିଁ । ସତ୍ ପଥରେ ସଫଳତା ସେତେବେଳେ ମିଳିଥାଏ, ଯେତେବେଳେ, ରାସ୍ତାରେ ଦିଗ୍‌ଭ୍ରଷ୍ଟ ହେବାର ଅନେକ କାରଣ ଥାଇ ମଧ୍ୟ, ଆମେ ଅବିଚଳିତ ଭାବରେ ଲକ୍ଷ୍ୟ ଅଭିମୁଖରେ ଅଗ୍ରସର ହୋଇଥାଉ ।

ତେଜ - ବ୍ୟକ୍ତିଠାରେ ନିଜ ମୂଲ୍ୟବୋଧ ଏବଂ ବିଶ୍ୱାସ ଅନୁସାରେ କର୍ମ କରିବାର ଆନ୍ତରିକ ସ୍ପୃହା, ଏକ ବିଶୁଦ୍ଧ ମନରୁ ଉତ୍ପନ୍ନ ହୋଇଥାଏ । ତେଣୁ, ସନ୍ଥ ମହାପୁରୁଷମାନେ ଯେଉଁ କାର୍ଯ୍ୟ କରନ୍ତି, ତାହାକୁ ସେମାନେ ଅତ୍ୟଧିକ ଶକ୍ତି ଏବଂ ଉତ୍ସାହର ସହିତ କରିଥାନ୍ତି ।

କ୍ଷମାଶୀଳତା ବା ସହିଷ୍ଣୁତା - ଏହା ପ୍ରତିଶୋଧ ନେବାର ଆବଶ୍ୟକତା ଅନୁଭବ ନ କରି, ଅନ୍ୟମାନଙ୍କର ଅପରାଧକୁ ସହ୍ୟ କରିବାର  କ୍ଷମତାକୁ ବୁଝାଇ ଥାଏ । କ୍ଷମା କରିବା ଦ୍ୱାରା, ବ୍ୟକ୍ତି ଭାବନାତ୍ମକ ସ୍ତରରେ ଅନ୍ୟମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କ୍ଷତର ଉପଶମ କରିଥାଏ, ଯାହା ହୁଏତ ତା’ର ମନକୁ ପୀଡିତ ଏବଂ ଅଶାନ୍ତ କରିଥାନ୍ତା ।

ସହନଶୀଳତା - ପ୍ରତିକୁଳ ପରିସ୍ଥିତି ଦ୍ୱାରା ମନ ଓ ଇନ୍ଦ୍ରିୟ ବିଭ୍ରାନ୍ତ ହେଲେ ମଧ୍ୟ, ଆନ୍ତରିକ ଶକ୍ତି ଏବଂ ନିଷ୍ଠାର ସହିତ ଲକ୍ଷ୍ୟର ଅନୁସରଣ କରିବା, ସହନଶୀଳତା ଅଟେ । ସଂସାରରେ ଅଧିକାଂଶ ମହତ୍ୱପୂର୍ଣ୍ଣ ଜିନିଷ ସେହି ମାନଙ୍କ ଦ୍ୱାରା ହାସଲ ହୋଇଥାଏ, ଯେଉଁମାନେ ଆଶାହୀନ ଅବସ୍ଥାରେ ମଧ୍ୟ ଚେଷ୍ଟାରତ ରହିଥାନ୍ତି । ଶ୍ରୀ ଅରବିନ୍ଦ ଏହାକୁ ଅତ୍ୟନ୍ତ ଭାବପୂର୍ଣ୍ଣ ଶୈଳୀରେ ପ୍ରକାଶ କରିଛନ୍ତି, “ତୁମେ କଠିନତା ଠାରୁ ଅଧିକ ଦୃଢ଼ ହେବା ଆବଶ୍ୟକ । ତା’ଛଡ଼ା ଅନ୍ୟ ଉପାୟ ନାହିଁ ।”

ପରିଷ୍କାର ପରିଚ୍ଛନ୍ନତା - ଏହା ଉଭୟ ବାହ୍ୟ ଏବଂ ଅଭ୍ୟନ୍ତର ଶୁଦ୍ଧିକୁ ବୁଝାଏ । ଧର୍ମାତ୍ମାମାନେ ବାହ୍ୟ ସ୍ୱଚ୍ଛତା ରକ୍ଷା କରିବାରେ ବିଶ୍ୱାସ କରନ୍ତି କାରଣ ତାହା ଆନ୍ତରିକ ଶୁଦ୍ଧତାର ଅନୁକୁଳ ହୋଇଥାଏ । ଜର୍ଜ ବର୍ଣ୍ଣଡ ଶ କହିଥିଲେ, “ନିଜକୁ ପରିଷ୍କାର ଏବଂ ଉଜ୍ଜ୍ୱଳ ରଖ; ତୁମେ ସେହି ଝରକା ଅଟ, ଯାହା ମାଧ୍ୟମରେ ତୁମେ ସଂସାରକୁ ଦେଖିବା ଉଚିତ ।”

କାହା ପ୍ରତି ଦ୍ୱେଷଭାବ ନ ରଖିବା - ଅନ୍ୟପ୍ରତି ଦ୍ୱେଷ ଭାବ ଆମ ନିଜ ମନକୁ ବିଷାକ୍ତ କରିଦିଏ ଏବଂ ଏହା ଆଧ୍ୟାତ୍ମିକ ପ୍ରଗତିରେ ପ୍ରତିବନ୍ଧକ ସାବ୍ୟସ୍ତ ହୁଏ । ଅନ୍ୟମାନେ ଆମ ପରି ଅଟନ୍ତି ଏବଂ ଭଗବାନ ତାଙ୍କ ହୃଦୟରେ ମଧ୍ୟ ନିବାସ କରୁଛନ୍ତି, ଏହା ହୃଦୟଙ୍ଗମ କରିବା ଦ୍ୱାରା, ଅନ୍ୟମାନଙ୍କ ପ୍ରତି ଦ୍ୱେଷ ସମାପ୍ତ ହୋଇଯାଏ ।

ମାନଶୂନ୍ୟତା - ଗର୍ବରୁ ଆତ୍ମ-ପ୍ରଶଂସା, ଆତ୍ମବଡ଼ିମା, ଆଡ଼ମ୍ବର ଇତ୍ୟାଦି ଜାତ ହୋଇଥାଏ । ସନ୍ଥ ମହାତ୍ମାମାନେ ନିଜ ଠାରେ ଅହଂକାର କରିବା ଯୋଗ୍ୟ କିଛି ଦେଖନ୍ତି ନାହିଁ । ତା ପରିବର୍ତ୍ତେ, ଯାହାକିଛି ସଦ୍‌ଗୁଣ ସେମାନଙ୍କଠାରେ ଥାଏ, ସେଥିପାଇଁ ସେମାନେ ଭଗବାନଙ୍କ ପ୍ରତି କୃତଜ୍ଞତା ଅନୁଭବ କରନ୍ତି । ଅତଏବ, ସେମାନେ ଆତ୍ମବଡ଼ିମାଠାରୁ ଦୂରରେ ରହନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
16. ଦୈବାସୁର ସମ୍ପଦ ବିଭାଗ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency