ଇଦମଦ୍ୟ ମୟା ଲବ୍‌ଧମିମଂ ପ୍ରାପ୍‌ସ୍ୟେ ମନୋରଥମ୍ ।
ଇଦମସ୍ତୀଦମପି ମେ ଭବିଷ୍ୟତି ପୁନର୍ଧନମ୍ ।।୧୩।।
ଅସୌ ମୟା ହତଃ ଶତ୍ରୁର୍ହନିଷ୍ୟେ ଚାପରାନପି ।
ଈଶ୍ୱରୋଽହମହଂ ଭୋଗୀ ସିଦ୍ଧୋଽହଂ ବଳବାନ୍‌ସୁଖୀ ।।୧୪।।
ଆଢ଼୍ୟୋଽଭିଜନବାନସ୍ମି କୋଽନ୍ୟୋଽସ୍ତି ସଦୃଶୋ ମୟା ।
ଯକ୍ଷ୍ୟେ ଦାସ୍ୟାମି ମୋଦିଷ୍ୟ ଇତ୍ୟଜ୍ଞାନବିମୋହିତାଃ ।।୧୫।।

ଇଦଂ- ଏହା; ଅଦ୍ୟ - ଆଜି; ମୟା- ମୋ’ଦ୍ୱାରା; ଲବ୍ଧମ୍ - ଲବ୍ଧ ହୋଇଛି; ଇମଂ -ଏହାକୁ; ପ୍ରାପ୍‌ସ୍ୟେ - ମୁଁ ପାଇବି; ମନୋରଥମ୍ - ମୋର ଇଚ୍ଛା ଅନୁଯାୟୀ; ଇଦଂ -ଏହା; ଅସ୍ତି - ଅଛି; ଇଦଂ- ଏହା; ଅପି -ମଧ୍ୟ; ମେ-ମୋର; ଭବିଷ୍ୟତି - ଭବିଷ୍ୟତରେ; ପୁନଃ-ପୁନର୍ବାର; ଧନମ୍ -ଧନ; ଅସୌ -ତାହା; ମୟା-ମୋ’ଦ୍ୱାରା; ହତଃ- ବିନାଶ ହୋଇଛି; ଶତ୍ରୁଃ - ଶତ୍ରୁ; ହନିଷ୍ୟେ- ମୁଁ ବଧ କରିବି; ଚ-ଏବଂ; ଅପରାନ୍ - ଅନ୍ୟମାନଙ୍କୁ; ଅପି -ମଧ୍ୟ; ଈଶ୍ୱରଃ -ଈଶ୍ୱର; ଅହଂ -ମୁଁ; ଅହଂ-ମୁଁ; ଭୋଗୀ- ଭୋଗୀ; ସିଦ୍ଧଃ- ସିଦ୍ଧ; ଅହଂ-ମୁଁ; ବଳବାନ୍‌- ବଳବାନ୍‌; ସୁଖୀ -ସୁଖୀ; ଆଢ଼୍ୟଃ -ଧନୀ; ଅଭିଜନବାନ୍ - ସମ୍ଭ୍ରାନ୍ତବଂଶୀୟ ଭାଇ ବନ୍ଧୁମାନଙ୍କ ଦ୍ୱାରା ପରିବେଷ୍ଟିତ; ଅସ୍ମି- ଅଟେ; କଃ - ଆଉ କିଏ; ଅନ୍ୟ - ଅନ୍ୟ; ଅସ୍ତି-ଅଛି; ସଦୃଶଃ -ପରି; ମୟା-ମୋ (ପରି); ଯକ୍ଷ୍ୟେ- ମୁଁ ଯଜ୍ଞାନୁଷ୍ଠାନ କରିବି; ଦାସ୍ୟାମି -ଦାନ କରିବି; ମୋଦିଷ୍ୟେ -ଆନନ୍ଦ ଉପଭୋଗ କରିବି; ଇତି -ଏହିପରି; ଅଜ୍ଞାନ -ଅଜ୍ଞାନ; ବିମୋହିତଃ - ବିମୋହିତ ।

ଅନୁବାଦ

BG 16.13-15: ଆସୁରିକ ପ୍ରବୃତ୍ତିର ବ୍ୟକ୍ତିମାନେ ଚିନ୍ତା କରନ୍ତି, “ମୁଁ ଆଜି ଯଥେଷ୍ଟ ଧନ ଅର୍ଜନ କରିଛି ଏବଂ ମୁଁ ଏବେ ମୋର କାମନା ପୂର୍ଣ୍ଣ କରିବି । ଏହା ମୋର ଅଟେ ଏବଂ ଆସନ୍ତାକାଲି ମୋର ଆହୁରି ଅଧିକ ହେବ । ସେ ଶତ୍ରୁକୁ ମୁଁ ପରାହତ କରିଛି, ଅନ୍ୟମାନଙ୍କୁ ମଧ୍ୟ ମୁଁ ନିଃଶେଷ କରିଦେବି! ମୁଁ ସ୍ୱୟଂ ଭଗବାନଙ୍କ ସଦୃଶ ଅଟେ, ମୁଁ ଭୋକ୍ତା ଅଟେ, ମୁଁ ଶକ୍ତିଶାଳୀ ଏବଂ ମୁଁ ସୁଖୀ ଅଟେ । ମୁଁ ଧନବାନ ଏବଂ ମୋର ଜ୍ଞାତି କୁଟୁମ୍ବମାନେ ମଧ୍ୟ ସମ୍ଭ୍ରାନ୍ତ ଅଟନ୍ତି । ମୋ ସହିତ କିଏ ସମାନ ହେବ? ମୁଁ ଯଜ୍ଞ କରିବି (ସ୍ୱର୍ଗର ଦେବତାମାନଙ୍କ ଉଦ୍ଦେଶ୍ୟରେ); ମୁଁ ଭିକ୍ଷା ଦେବି; ମୁଁ ଉପଭୋଗ କରିବି ।”- ଏତାଦୃଶ ଅଜ୍ଞାନଦ୍ୱାରା ସେମାନେ ଭ୍ରମିତ ହୋଇଥାନ୍ତି ।

ଭାଷ୍ୟ

ସମସ୍ତ ନୈତିକତାକୁ ଜଳାଞ୍ଜଳି ଦେଇ, ଦାନବ ସ୍ୱଭାବର ବ୍ୟକ୍ତିମାନେ ଭାବନ୍ତି, ସଂସାରର ସବୁ ଆନନ୍ଦକୁ ଉପଭୋଗ କରିବାର ଅଧିକାର ସେମାନଙ୍କର ଅଛି । ନିଜର ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ସେମାନେ ବିଭିନ୍ନ ଘଟଣାକୁ ବ୍ୟବସ୍ଥିତ କରିବା ପାଇଁ ଏକୀକୃତ ଉଦ୍ୟମ କରିଥାନ୍ତି । ବୈଦିକ କର୍ମକାଣ୍ଡ ଦ୍ୱାରା ଭୌତିକ ସମୃଦ୍ଧି ପ୍ରାପ୍ତ ହୁଏ ଜାଣି, ସେମାନେ ପ୍ରଚୁର ମାତ୍ରାର ଧନ ଏବଂ ଯଶ ଲାଭ ପାଇଁ, ସେମାନେ ବିଧିବିଧାନଯୁକ୍ତ କର୍ମକାଣ୍ଡର ଅନୁଷ୍ଠାନ ମଧ୍ୟ କରିଥାନ୍ତି । କିନ୍ତୁ ଯେପରି ଶାଗୁଣା ଉଚ୍ଚରେ ଉଡୁଥିଲେ ମଧ୍ୟ ତାର ଦୃଷ୍ଟି ତଳକୁ ଥାଏ, ସେହିପରି ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ସାମାଜିକ ସ୍ତରରେ ଉପରକୁ ଯାଇଥିଲେ ମଧ୍ୟ ସେମାନଙ୍କର କାର୍ଯ୍ୟଗୁଡ଼ିକ ହୀନ ଏବଂ ନୀଚ ହୋଇଥାଏ । ସେମାନେ କ୍ଷମତାକୁ ସମ୍ମାନ ଦିଅନ୍ତି ଏବଂ “ଜୋର୍ ଯାହାର ମୁଲକ ତାହାର” ଏହି ନୀତିରେ ବିଶ୍ୱାସ କରନ୍ତିି । ତେଣୁ ସେମାନେ ତାଙ୍କ ରାସ୍ତାର ପ୍ରତିବନ୍ଧକ ହଟାଇବା ପାଇଁ ଅନ୍ୟମାନଙ୍କର କ୍ଷତି କରିବା କିମ୍ବା ଅନ୍ୟମାନଙ୍କୁ ଆଘାତ ଦେବା ପାଇଁ କୁଣ୍ଠାବୋଧ କରନ୍ତି ନାହିଁ । ସୁକ୍ତି ସୁଧାକର କହେ, ଚାରି ପ୍ରକାରର ମନୁଷ୍ୟ ଅଛନ୍ତି;

ଏକେ ସତ୍‌ପୁରୁଷାଃ ପରାର୍ଥଘାତକାଃ ସ୍ୱାର୍ଥାନ୍ ପରିତ୍ୟଜ୍ୟ ଯେ,
ସାମାନ୍ୟାସ୍ତୁ ପରାର୍ଥମୁଦ୍ୟମଭୃତଃ ସ୍ୱାର୍ଥା ବିରୋଧେନ ଯେ
ତେଽମୀ ମାନବ ରାକ୍ଷସାଃ ପରହିତଂ ସ୍ୱାର୍ଥାୟ ନିଘ୍ନନ୍ତି ଯେ
ଯେ ତୁଘ୍ନନ୍ତି ନିରର୍ଥକଂ ପରହିତଂ ତେ କେ ନ ଜାନୀମହେ ।

“ପ୍ରଥମ ଶ୍ରେଣୀର ବ୍ୟକ୍ତି ସାଧୁ ପୁରୁଷ ଅଟନ୍ତି ଯିଏ ନିଜ ସ୍ୱାର୍ଥ ତ୍ୟାଗ କରି ଅନ୍ୟର କଲ୍ୟାଣ କରିଥାନ୍ତି । ଦ୍ୱିତୀୟ ଶ୍ରେଣୀର ବ୍ୟକ୍ତି ସାଧାରଣ ମନୁଷ୍ୟ ଅଟନ୍ତି ଯିଏ ନିଜର କ୍ଷତି ନକରି ଅନ୍ୟର କଲ୍ୟାଣ ସାଧନ କରନ୍ତି । ତୃତୀୟ ଶ୍ରେଣୀର ବ୍ୟକ୍ତି ଆସୁରିକ ସ୍ୱଭାବର ଅଟନ୍ତି ଯିଏ ନିଜ ସ୍ୱାର୍ଥ ପାଇଁ ଅନ୍ୟର କ୍ଷତି କରିବାକୁ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ । ତାଛଡା ଚତୁର୍ଥ ଶ୍ରେଣୀର ବ୍ୟକ୍ତି ମଧ୍ୟ ଅଛନ୍ତି, ଯେଉଁମାନେ ବିନା କାରଣରେ ଅନ୍ୟର କ୍ଷତି କରିଥା’ନ୍ତି (ପର ପୀଡନ ସୁଖ) । ସେମାନଙ୍କ ପାଇଁ କୌଣସି ଉପଯୁକ୍ତ ନାମ ନାହିଁ ।” ଶ୍ରୀକୃଷ୍ଣ ଆସୁରିକ ସ୍ୱଭାବର ଏହି ସବୁ ବିକୃତିର ବିସ୍ତୃତ ବର୍ଣ୍ଣନ କରିଛନ୍ତି । ଗର୍ବରେ ଅନ୍ଧହୋଇ ସେମାନେ ଏହିପରି ଚିନ୍ତା କରିଥାନ୍ତି, “ମୁଁ ଏକ ଧନଶାଳୀ ଏବଂ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ହୋଇଛି । ମୁଁ ଧନୀ ଏବଂ ଶକ୍ତିଶାଳୀ ଅଟେ ଏବଂ ମୋର ଯାହା ଇଚ୍ଛା ମୁଁ ତାହା କରେ । ମୋର ଭଗବାନଙ୍କ ସମ୍ମୁଖରେ ନତମସ୍ତକ ହେବାର ଆବଶ୍ୟକତା ନାହିଁ କାରଣ ମୁଁ ନିଜେ ହିଁ ଭଗବାନଙ୍କ ସଦୃଶ ଅଟେ ।”

ଅଧିକାଂଶ କ୍ଷେତ୍ରରେ, ଜଣେ ଯେତେବେଳେ ‘ମୁଁ’ କହେ, ତାହା ସେ ନିଜେ ନୁହେଁ ତାଙ୍କର ଅହଂକାର କହିଥାଏ । ବ୍ୟକ୍ତିର ନିଜସ୍ୱ ମତ, ବାହ୍ୟ ରୂପ, ଦ୍ୱେଷଭାବ ଇତ୍ୟାଦିକୁ ନେଇ ଅହଂକାର ଏକ ବ୍ୟକ୍ତିଗତ ପରିଚୟ ସୃଷ୍ଟି କରିଥାଏ । ଅହଂକାର ନିଜର ଏକ ବ୍ୟକ୍ତିତ୍ୱ ଗଢ଼ିଥାଏ, ଯାହାର ପ୍ରଭାବରେ ବ୍ୟକ୍ତି ନିଜର ବିଚାର, ଆବେଗ ଏବଂ ସ୍ମୃତିଗୁଚ୍ଛ ସହିତ ତାଦାତ୍ମ୍ୟ କରି ତାହାକୁ ନିଜର ଅବିଚ୍ଛିନ୍ନ ଅଂଶ ଭାବରେ ଗ୍ରହଣ କରେ । ଅହଂକାର ନିଜକୁ ମାଲିକ ମନେ କରିଥାଏ, କିନ୍ତୁ ମାଲିକାନାର ତା’ର ସେହି ସନ୍ତୋଷ ସାଧାରଣତଃ କ୍ଷଣସ୍ଥାୟୀ ଅଟେ । “ଏତିକି ଯଥେଷ୍ଟ ନୁହେଁ” ର ବଦ୍ଧମୂଳ ଅସନ୍ତୋଷ ସେଥିରେ ଲୁଚି ରହିଥାଏ । ସେହି ଅପୂର୍ଣ୍ଣ ଇଚ୍ଛା ବ୍ୟକ୍ତିର ମନରେ ଅସ୍ଥିରତା, ଅଶାନ୍ତି, ବିରକ୍ତି, ଉଦ୍‌ବେଗ ଏବଂ ଅସନ୍ତୋଷ ସୃଷ୍ଟି କରିଥାଏ । ପରିଣାମତଃ, ବାସ୍ତବିକତାର ଏକ ବିକୃତ ଉପଲବ୍‌ଧି ହୋଇଥାଏ, ଯାହା ‘ମୁଁ’ତ୍ୱର ଅନୁଭୂତିକୁ ବାସ୍ତବ ‘ମୁଁ’ ଠାରୁ ଆହୁରି ପୃଥକ୍ କରି ଦେଇଥାଏ ।

ଅହଂକାର ଆମ ଜୀବନରେ ସବୁଠାରୁ ବଡ଼ ଅସତ୍ୟ ସୃଷ୍ଟି କରେ ଏବଂ ଆମ୍ଭେମାନେ ବାସ୍ତବରେ ଯାହା ନୁହେଁ, ସେହି ବିଶ୍ୱାସ ସେ ଆମକୁ ଦେଇଥାଏ । ତେଣୁ ଧର୍ମ ପଥରେ ଅଗ୍ରଗତି ପାଇଁ, ସମସ୍ତ ଧାର୍ମିକ ପରମ୍ପରା ଏବଂ ସନ୍ଥମାନେ, ଅହଂକାରୀ ବିଚାରଧାରା ତ୍ୟାଗ କରିବାକୁ ଉପଦେଶ ଦେଇଛନ୍ତି । ତାଓ ତେ ଚିଙ୍ଗ୍ ଶିକ୍ଷାଦିଏ; “ଏକ ପାହାଡ଼ ହେବାର ଚେଷ୍ଟା ନ କରି, ବିଶ୍ୱର ଏକ ଉପତ୍ୟକା ହୁଅ ।” ନଜରେଥର ଯୀଶୁ ମଧ୍ୟ ଉଲ୍ଲେଖ କରିଛନ୍ତି: “କୌଣସି ସ୍ଥାନକୁ ତୁମକୁ ଯେତେବେଳେ ଆମନ୍ତ୍ରିତ କରାଯାଇ ଥାଏ, ସେଠାକୁ ଯାଇ ନିମ୍ନତମ ସ୍ଥାନରେ ବସ, କାରଣ ଯେତେବେଳେ ଆୟୋଜକ ଆସିବେ, ସେ ହୁଏତ ତୁମକୁ କହିପାରନ୍ତି, ବନ୍ଧୁ, ଉପରକୁ ଯାଅ । କାରଣ ଯେଉଁମାନେ ଉପରକୁ ଉଠିଛନ୍ତି, ସେମାନେ ନିଶ୍ଚିତ ଭାବରେ ତଳକୁ ଆସିବେ ଏବଂ ଯେଉଁମାନେ ତଳେ ଅଛନ୍ତି ସେମାନେ ଉପରକୁ ଯିବେ ।” (ଲ୍ୟୁକ୍ ୧୪:୧୦-୧୧) ସନ୍ଥ କବୀର ଏହାକୁ ଅତି ସୁନ୍ଦର ଭାବରେ ଲେଖିଛନ୍ତି:

ଉଁଚେ ପାନୀ ନ ଟିକେ ନୀଚେ ହୀ ଠହରାୟେ
ନୀଚା ହୋୟ ସୋ ଭରି ପୀ, ଉଁଚା ପ୍ୟାସା ଜାୟ

“ପାଣି, ଉପରେ ରହିପାରେନି; ଏହା ଆପେ ଆପେ ତଳକୁ ବୋହି ଆସେ । ଯେଉଁମାନେ ନିମ୍ନରେ ଅଛନ୍ତି ଏବଂ ନମ୍ର; ହୃଦୟଭରି ପାନ କରନ୍ତି (ଭଗବତ୍ କୃପା), କିନ୍ତୁ ଯେଉଁମାନେ ବଡ଼ିମାଯୁକ୍ତ ହୋଇ ଉଚ୍ଚରେ ରହିଛନ୍ତି, ସେମାନେ ତୃଷାର୍ତ୍ତ ରହିଥାନ୍ତି ।”

Bookmark this Verse

Sign in to save your favorite verses.

Add a Note
Swami Mukundananda
16. ଦୈବାସୁର ସମ୍ପଦ ବିଭାଗ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency