ବ୍ରହ୍ମଭୂତଃ ପ୍ରସନ୍ନାତ୍ମା ନ ଶୋଚତି ନ କାଂକ୍ଷତି ।
ସମଃ ସର୍ବେଷୁ ଭୂତେଷୁ ମଦ୍‌ଭକ୍ତିଂ ଲଭତେ ପରାମ୍ ।।୫୪।।

ବ୍ରହ୍ମଭୂତଃ- ବ୍ରହ୍ମଙ୍କ ଠାରେ ସ୍ଥିତ; ପ୍ରସନ୍ନ-ଆତ୍ମା- ପ୍ରଶାନ୍ତମନା; ନ ଶୋଚତି- କେବେ ଦୁଃଖ କରେନାହିଁ; ନ କାଙ୍‌କ୍ଷତି- କିଛି ଆଶା କରେନାହିଁ; ସମଃ-ସମଭାବାପନ୍ନ; ସର୍ବେଷୁ-ସମସ୍ତ; ଭୂତେଷୁ-ଜୀବଗଣଙ୍କ ଠାରେ; ମତ୍‌-ଭକ୍ତିଂ-ମୋର ଭକ୍ତି; ଲଭତେ-ଲାଭକରେ; ପରାମ୍‌-ପରମ ବା ଦିବ୍ୟ ।

ଅନୁବାଦ

BG 18.54: ଦିବ୍ୟ ବ୍ରହ୍ମାନୁଭୂତିରେ ସ୍ଥିତ ପ୍ରଶାନ୍ତମନା ସେହି ବ୍ୟକ୍ତି ଶୋକ କରନ୍ତି ନାହିଁ ବା କାମନାଯୁକ୍ତ ହୁଅନ୍ତି ନାହିଁ । ସମସ୍ତ ପ୍ରାଣୀଙ୍କ ପ୍ରତି ସମଭାବାପନ୍ନ ସେହି ଯୋଗୀ ମୋର ସର୍ବୋଚ୍ଚ ଭକ୍ତି ପ୍ରାପ୍ତ କରନ୍ତି ।

ଭାଷ୍ୟ

ଶ୍ରୀକୃଷ୍ଣ ପରିପୂର୍ଣ୍ଣତାର ସ୍ଥିତି ସଂପର୍କରେ ତାଙ୍କର ବର୍ଣ୍ଣନା ସମାପ୍ତ କରିବାକୁ ଯାଉଛନ୍ତି । ବ୍ରହ୍ମଭୂତଃ ଶବ୍ଦର ଅର୍ଥ ବ୍ରହ୍ମାନୁଭୂତି ର ଅବସ୍ଥା । ଏହି ସୋପାନରେ ସ୍ଥିତ ବ୍ୟକ୍ତି ପ୍ରସନ୍ନାତ୍ମା ହୋଇଥାଆନ୍ତି, ଅର୍ଥାତ୍ ଅପ୍ରିୟ ଏବଂ କଷ୍ଟଦାୟକ ଅନୁଭୂତି ଦ୍ୱାରା ପ୍ରଭାବିତ ନ ହୋଇ ପ୍ରଶାନ୍ତ ଚିତ୍ତ ହୋଇଥାନ୍ତି ।  ନ ଶୋଚତି ଅର୍ଥାତ୍ ଶୋକାଭିଭୂତ ହ୍ରୁଅନ୍ତି ନାହିଁ କିମ୍ବା ଅସମ୍ପୂର୍ଣ୍ଣତା ବୋଧ କରନ୍ତି ନାହିଁ । ନ କାଂକ୍ଷତି ଅର୍ଥାତ୍ ନିଜର ସୁଖ ବା ପୂର୍ଣ୍ଣତା ପାଇଁ କୌଣସି ବସ୍ତୁ ପ୍ରତି ଆଗ୍ରହୀ ହୁଅନ୍ତି ନାହିଁ । ଏହିପରି ଜଣେ ଯୋଗୀ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ବ୍ରହ୍ମଙ୍କର ଉପସ୍ଥିତି ହୃଦୟଙ୍ଗମ କରି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି । ଏପରି ଅବସ୍ଥାରେ ସେ ଜ୍ଞାନର ଅନୁଭବାତ୍ମକ ସୋପାନରେ ସ୍ଥିତ ହୋଇଥାନ୍ତି । କିନ୍ତୁ ଶ୍ରୀକୃଷ୍ଣ ଏକ ବକ୍ରୋକ୍ତିରେ ଏହି ଶ୍ଳୋକଟିର ସମାପ୍ତି କରିଛନ୍ତି । ସେ କହୁଛନ୍ତି ଯେ ଏହିପରି ଅନୁଭବାତ୍ମକ ଜ୍ଞାନର ସ୍ଥିତିରେ, ଜଣେ ଭଗବାନଙ୍କର ପରାଭକ୍ତି (ଦିବ୍ୟ ପ୍ରେମ) ପ୍ରାପ୍ତ କରିଥାଆନ୍ତି ।

ଜ୍ଞାନୀମାନେ ଏପରି କହନ୍ତି ଯେ ବ୍ରହ୍ମାନୁଭୂତି ଦିଗରେ ଭକ୍ତି ଏକ ମଧ୍ୟବର୍ତ୍ତୀ ସୋପାନ ଅଟେ । ସେମାନେ ଦାବି କରନ୍ତି ଯେ ଭକ୍ତି କେବଳ ଅନ୍ତଃକରଣ ଶୁଦ୍ଧି ପ୍ରତି ଉଦ୍ଦିଷ୍ଟ, ଯାତ୍ରା ଶେଷରେ କେବଳ ଜ୍ଞାନ ରହିଯାଏ । ତେଣୁ ସେମାନେ ଅନୁମୋଦନ କରନ୍ତି ଯେ ଯେଉଁମାନଙ୍କର ବୁଦ୍ଧି ପ୍ରଖର ସେମାନେ ଭକ୍ତିକୁ ଛାଡ଼ି କେବଳ ଜ୍ଞାନର ସାଧନା କରିପାରିବେ । କିନ୍ତୁ ଉପରୋକ୍ତ ଶ୍ଳୋକଟି ଏହି ମତକୁ ଖଣ୍ଡନ କରୁଛି । ଶ୍ରୀକୃଷ୍ଣ କହୁଛନ୍ତି ଯେ ଜ୍ଞାନର ସର୍ବୋଚ୍ଚ ଅନୁଭୂତି ପ୍ରାପ୍ତ କରି ବ୍ୟକ୍ତିଠାରେ ପରାଭକ୍ତି ଜାତ ହୁଏ । ବେଦବ୍ୟାସ ଏହା ଶ୍ରୀମଦ୍ ଭାଗବତମ୍‌ରେ ଘୋଷଣା କରିଛନ୍ତି:

ଆତ୍ମାରାମାଶ୍ଚ ମୁନୟୋ ନର୍ଗ୍ରନ୍ଥା ଅପ୍ୟୁରୁକ୍ରମେ
କୁର୍ବନ୍ତି ଅହୈତୁକୀଂ ଭକ୍ତିମ୍ ଇତ୍‌ଥମ୍‌-ଭୂତ-ଗୁଣୋ ହରିଃ (୧.୭.୧୦)

“ଏପରିକି ଯେଉଁମାନେ ଆତ୍ମାରାମ (ଆତ୍ମାରେ ରମଣ କରନ୍ତି), ଆତ୍ମଜ୍ଞାନରେ ସ୍ଥିତ ଏବଂ ମାୟିକ ବନ୍ଧନରୁ ମୁକ୍ତ, ସେହି ସିଦ୍ଧ ଆତ୍ମାମାନେ ମଧ୍ୟ ଭଗବାନଙ୍କର ଭକ୍ତି ପ୍ରାପ୍ତ କରିବାକୁ ଇଚ୍ଛା କରନ୍ତି । ଭଗବାନଙ୍କର ଅନୁପମ ଗୁଣାବଳୀ ବିମୁକ୍ତ ଆତ୍ମାମାନଙ୍କୁ ମଧ୍ୟ ଆକର୍ଷିତ କରିଥାଏ ।” ଏପରି ବହୁ ବିଖ୍ୟାତ ଜ୍ଞାନୀମାନଙ୍କର ଉଦାହରଣ ରହିଛି ଯେଉଁମାନେ ଆତ୍ମଜ୍ଞାନ ପ୍ରାପ୍ତ କରି ନିରାକାର ବ୍ରହ୍ମାନୁଭୂତିରେ ସ୍ଥିତ ରହିଥାଆନ୍ତି,  କିନ୍ତୁ ଭଗବାନଙ୍କର ଗୁଣାତୀତ ଦିବ୍ୟ ଗୁଣାବଳୀର ଝଲକ ମାତ୍ର ଦେଖି ସ୍ୱାଭାବିକ ଭାବରେ ଭକ୍ତି ପ୍ରତି ଆକର୍ଷିତ ହୋଇଥାନ୍ତି । ଚାରିଯୁଗର ଏହିପରି ଜ୍ଞାନୀମାନଙ୍କର ଉଦାହରଣ ଏଠାରେ ପ୍ରଦାନ କରାଯାଉଛି ।

ସତ୍ୟଯୁଗର ପ୍ରଖ୍ୟାତ ଜ୍ଞାନୀ ବ୍ରହ୍ମାଙ୍କର ଚାରିପୁତ୍ର - ସନତ କୁମାର, ସନାତନ କୁମାର, ସନକ କୁମାର ଏବଂ ସନନ୍ଦନ କୁମାର ଥିଲେ । ସେମାନେ ଆଜନ୍ମ ଆତ୍ମଜ୍ଞାନୀ ଥିଲେ ଏବଂ ସେମାନଙ୍କର ମନ ସର୍ବଦା ନିରାକାର ବ୍ରହ୍ମରେ ଲୀନ ରହୁଥିଲା । ଏହି ଚାରି ଭ୍ରାତା ଏକଦା ଭଗବାନ ବିଷ୍ଣୁଙ୍କର ବୈକୁଣ୍ଠ ଲୋକକୁ ପରିଭ୍ରମଣରେ ଗଲେ । ସେଠାରେ ଭଗବାନଙ୍କ ପାଦପଦ୍ମର ତୁଳସୀର ସୁଗନ୍ଧ ତାଙ୍କ ନାସିକାରେ ପ୍ରବେଶ କରି ହୃଦୟରେ ଆନନ୍ଦ ଓ ରୋମାଞ୍ଚ ଭରିଦେଲା । ସଂଗେ ସଂଗେ ତାଙ୍କର ନିରାକାର ବ୍ରହ୍ମଙ୍କର ଧ୍ୟାନ ସମାପ୍ତ ହୋଇଗଲା ଏବଂ ସେମାନେ ଭଗବାନ ବିଷ୍ଣୁଙ୍କର ଦିବ୍ୟାନନ୍ଦରେ ବୁଡ଼ିଗଲେ । ସେମାନେ ଭଗବାନଙ୍କୁ ଏକ ବର ଯାଚନା କଲେ:

କାମଂ ଭବଃ ସ୍ୱ-ବୃଜିନୈର୍ ନିରୟେଷୁ ନଃ ସ୍ତାଚ୍‌
ଚେତୋଽଲିବଦ୍ ଯଦି ନୁ ତେ ପଦୟୋ ରମେତ  (ଭାଗବତମ୍ ୩.୧୫.୪୯)

“ହେ ପ୍ରଭୁ ! ଆମର ମନକୁ ଆପଣଙ୍କ ପାଦପଦ୍ମରୁ ନିସୃତ ଦିବ୍ୟ ପ୍ରେମାନନ୍ଦ ପାନ କରିବାର ସୁଯୋଗ ମିଳୁଥିବା ଯାଏଁ, ଆପଣ ଆମକୁ ନର୍କକୁ ପ୍ରେରଣ କଲେ ମଧ୍ୟ ଆମର ଆପତ୍ତି ନାହିଁ ।” କଳ୍ପନା କରନ୍ତୁ, ନିରାକାର ବ୍ରହ୍ମାନନ୍ଦ ପାଇବା ପରେ ମଧ୍ୟ ଏହି ବିଶିଷ୍ଟ ଜ୍ଞାନୀମାନେ ଭଗବାନଙ୍କ ସାକାର ସ୍ୱରୂପର ଆନନ୍ଦ ଉପଭୋଗ କରିବାକୁ ନର୍କବାସ ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି । 

ଏବେ ଚାଲନ୍ତୁ, ତ୍ରେତା ଯୁଗକୁ ଯିବା । ଏହି ଯୁଗର ସର୍ବଶ୍ରେଷ୍ଠ ଜ୍ଞାନୀ ଥିଲେ ରାଜା ଜନକ । ସେ ପ୍ରଭୁ ରାମଙ୍କର ଶାଶ୍ୱତ ସଙ୍ଗିନୀ, ସୀତାଙ୍କର ଜନକ ଥିଲେ । ସେ ବିଦେହ ନାମରେ ମଧ୍ୟ ଖ୍ୟାତ ଥିଲେ, ଅର୍ଥାତ୍ ସମସ୍ତ ଶାରୀରିକ ଚେତନାର ଊର୍ଦ୍ଧ୍ୱରେ, ତାଙ୍କର ମନ ସର୍ବଦା ନିରାକାର ବ୍ରହ୍ମଙ୍କ ଠାରେ ମଗ୍ନ ରହୁଥିଲା । ଦିନେ ଋଷି ବିଶ୍ୱାମିତ୍ର ପ୍ରଭୁ ରାମ ଏବଂ ଲକ୍ଷ୍ମଣଙ୍କ ସହ ତାଙ୍କୁ ସାକ୍ଷାତ କରିବାକୁ ଆସିଲେ । ତାପରେ କ’ଣ ଘଟିଥିଲା ରାମାୟଣରେ ବର୍ଣ୍ଣିତ ହୋଇଅଛି:

ଇହ୍ନହିଁ ବିଲୋକତ ଅତି ଅନୁରାଗା, ବରବସ ବ୍ରହ୍ମସୁଖହି ମନ ତ୍ୟାଗା

“ପ୍ରଭୁ ରାମଙ୍କର ଦର୍ଶନ କରି ରାଜା ଜନକଙ୍କର ମନ ନିରାକାର ବ୍ରହ୍ମଙ୍କର ଆନନ୍ଦରୁ ଚ୍ୟୁତ ପ୍ରଭୁ ରାମଙ୍କର ସାକାର ରୂପରେ ତନ୍ମୟ ହୋଇଗଲା ।” ଏହିପରି ଭାବରେ ତ୍ରେତା ଯୁଗର ଶ୍ରେଷ୍ଠ ଜ୍ଞାନୀ ଭକ୍ତି ମାର୍ଗକୁ ଆସିଗଲେ ।

ଦ୍ୱାପର ଯୁଗର ସର୍ବଶ୍ରେଷ୍ଠ ଜ୍ଞାନୀ ମହର୍ଷି ବ୍ୟାସଦେବଙ୍କର ପୁତ୍ର ଶୁକଦେବ ଥିଲେ । ପୁରାଣ ବର୍ଣ୍ଣନା ଅନୁଯାୟୀ, ତାଙ୍କର ସ୍ଥିତି ଏତେ ଉଚ୍ଚ କକ୍ଷର ଥିଲା ଯେ ବାହାରକୁ ଆସିଲେ ମାୟା ତାଙ୍କୁ ଗ୍ରାସ କରିବ ଭାବି ସେ ବାରବର୍ଷ ପର୍ଯ୍ୟନ୍ତ ନିଜକୁ ମାତୃଗର୍ଭରେ ଆବଦ୍ଧ ରଖିଥିଲେ ।  ଶେଷରେ ମହର୍ଷି ନାରଦ ଯେତେବେଳେ ତାଙ୍କ ମାତାଙ୍କ କର୍ଣ୍ଣରେ ତାଙ୍କୁ ଆଶ୍ୱାସନା ଦେଇ କହିଲେ ଯେ ସେପରି କିଛି କ୍ଷତି ହେବ ନାହିଁ, ସେ ଗର୍ଭରୁ ବାହାରକୁ ଆସିଲେ । ବାହାରକୁ ଆସି ସେ ଯୋଗଶକ୍ତି ବଳରେ ନିଜର ଶରୀରକୁ ଏକ ବାରବର୍ଷର ବାଳକ ରୂପରେ ପରିବର୍ଦ୍ଧିତ  କଲେ ଏବଂ ଗୃହତ୍ୟାଗ କରି ଜଙ୍ଗଲକୁ ଚାଲିଗଲେ । ସେଠାରେ ସେ ଅତିଶୀଘ୍ର ସମାଧିର ସର୍ବୋଚ୍ଚ କକ୍ଷରେ ଉପନୀତ ହେଲେ । ବହୁବର୍ଷ ବିତିଯିବା ପରେ, ବେଦବ୍ୟାସଙ୍କର ଶିଷ୍ୟମାନେ ଜଙ୍ଗଲରୁ କାଠ ସଂଗ୍ରହ କରିବାକୁ ଯାଇ ତାଙ୍କୁ ସମାଧିସ୍ଥ ଅବସ୍ଥାରେ ଦେଖିଲେ । ସେମାନେ ଫେରିଯାଇ ଋଷିଙ୍କୁ ଏ ବିଷୟରେ କହିଲେ । ସେ ଶୁକଦେବଙ୍କ କାନରେ, ଶ୍ରୀକୃଷ୍ଣଙ୍କର ସାକାର ରୂପର ସୌନ୍ଦର୍ଯ୍ୟ ବର୍ଣ୍ଣନା କରି, ଏକ ଶ୍ଳୋକ ଶୁଣାଇବାକୁ କହିଲେ:

ବର୍ହାପୀଡଂ ନଟ-ବର-ବପୁଃ କର୍ଣ୍ଣୟୋଃ କର୍ଣ୍ଣିକାରମ୍‌
ବିଭ୍ରଦ୍ ବାସଃ କନକ-କପିଶଂ ବୈଜୟନ୍ତୀଂ ଚ ମାଲାମ୍
ରନ୍ଧ୍ରାନ୍ ବେଣୋର୍ ଅଧର-ସୁଧୟାପୂରୟନ୍ ଗୋପ-ବୃନ୍ଦୈର୍‌
ବୃନ୍ଦାରଣ୍ୟଂ ସ୍ୱ-ପଦ-ରମଣଂ ପ୍ରାବିଶଦ୍ ଗୀତ-କୀର୍ତ୍ତିଃ (ଭାଗବତମ୍ ୧୦.୨୧.୫)

“ଶ୍ରୀକୃଷ୍ଣ ମସ୍ତକରେ ମୟୂର ଚୂଳର ମୁକୁଟ ଧାରଣ କରିଛନ୍ତି ଏବଂ ଏକ କୁଶଳୀ ନର୍ତ୍ତକ ଭାବରେ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରୁଛନ୍ତି । ତାଙ୍କର କର୍ଣ୍ଣ ନୀଳ କର୍ଣ୍ଣିକା ପୁଷ୍ପ ଦ୍ୱାରା ସଜ୍ଜିତ । ତାଙ୍କର ଉତ୍ତରୀୟ ଉଜ୍ଜଳ ପୀତ ରଙ୍ଗ ବିଶିଷ୍ଟ ଅଟେ । ସେ ବୈଜୟନ୍ତୀ ପୁଷ୍ପର ମାଳ ଧାରଣ କରିଛନ୍ତି । ସେ ତାଙ୍କ ଅଧରର ସୁଧାରେ ରସଯୁକ୍ତ ବଂଶୀବାଦନ କରୁଛନ୍ତି । ଗୋପାଳ ବାଳକମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ବୃନ୍ଦାବନକୁ ପ୍ରବେଶ କରୁଥିବା ସମୟରେ ତାଙ୍କର ଗୁଣଗାନ କରାଯାଉଛି ଏବଂ ଧରାପୃଷ୍ଠ ତାଙ୍କ ପଦଚିହ୍ନରେ ଶୋଭିତ ହେଉଛି ।” ଶୁକଦେବଙ୍କ ନିରାକାର ବ୍ରହ୍ମଙ୍କ ଧ୍ୟାନରେ ଲୀନ ଥିଲେ । ଏହି ଶ୍ଳୋକ ତାଙ୍କ କର୍ଣ୍ଣରନ୍ଧ୍ରରେ ପ୍ରବେଶ କରିବା ମାତ୍ରେ ହଠାତ୍ ତାଙ୍କର ଧ୍ୟାନ ସାକାର ଶ୍ରୀକୃଷ୍ଣଙ୍କ ମଧୁର ରୂପରେ ରୂପାନ୍ତରିତ ହୋଇଗଲା । ଭଗବାନଙ୍କ ସାକାର ରୂପର ଆନନ୍ଦ ପ୍ରତି ସେ ଏତେ ବେଶୀ ଆକର୍ଷିତ ହୋଇଗଲେ ଯେ ସେ ସମାଧି ପରିତ୍ୟାଗ କରି ତାଙ୍କ ପିତା ବେଦବ୍ୟାସଙ୍କ ପାଖକୁ ଫେରିଗଲେ । ତାଙ୍କଠାରୁ ସେ ଶ୍ରୀମଦ୍ ଭାଗବତମ୍ ଶୁଣିଲେ, ଯାହା ଭକ୍ତିରସରେ ପରିପୂର୍ଣ୍ଣ ଥିଲା । ପରବର୍ତ୍ତୀ ସମୟରେ ସେ ଏହାକୁ, ଅର୍ଜୁନଙ୍କ ପୌତ୍ର ପରୀକ୍ଷିତଙ୍କୁ ଶୁଣାଇଥିଲେ । ଅତଏବ, ଦ୍ୱାପର ଯୁଗର ସର୍ବଶ୍ରେଷ୍ଠ ଜ୍ଞାନୀ ମଧ୍ୟ ଭକ୍ତି ପ୍ରତି ଆକର୍ଷିତ ହୋଇଥିଲେ ।

ଶେଷରେ ଆମେ କଳିଯୁଗକୁ ଆସି ଯାଇଅଛେ । ଏ ଯୁଗର ସର୍ବଶ୍ରେଷ୍ଠ ଜ୍ଞାନୀ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ । ଅଦ୍ୱୈତବାଦର ସଂସ୍ଥାପକ ଭାବରେ ତାଙ୍କର ଖ୍ୟାତି ସୁଦୂର ପ୍ରସାରିତ । ତାଙ୍କର ସିଦ୍ଧାନ୍ତ ଅନୁଯାୟୀ, ସୃଷ୍ଟିରେ କେବଳ ଗୋଟିଏ ତତ୍ତ୍ୱ ଅଛି ଏବଂ ତାହା ନିର୍ଗୁଣ ନିର୍ବିଶେଷ ନିରାକାର ବ୍ରହ୍ମ ଅଟନ୍ତି । କିନ୍ତୁ ବହୁତ ଲୋକ ଜାଣନ୍ତି ନାହିଁ ଯେ କୋଡ଼ିଏ ବର୍ଷର ଆୟୁଠାରୁ ବତିଶି ବର୍ଷରେ ଦେହତ୍ୟାଗ କରିବା ପର୍ଯ୍ୟନ୍ତ, ସେ ଭଗବାନ ଶ୍ରୀକୃଷ୍ଣ, ଭଗବାନ ଶ୍ରୀରାମ, ଭଗବାନ ଶିବ, ମା’ଦୁର୍ଗା ଆଦିଙ୍କର ସ୍ତୁତି କରିବାକୁ ଯାଇ ଶହ ଶହ ଶ୍ଳୋକ ରଚନା କରିଛନ୍ତି । ସେ ଭାରତର ଚାରି ଧାମ ଭ୍ରମଣ କରି ପ୍ରତ୍ୟେକ ଜାଗାରେ ଭଗବାନଙ୍କର ସାକାର ରୂପର ମୂର୍ତ୍ତି ମାନଙ୍କର ପୂଜା-ଅର୍ଚ୍ଚନା କରିଥିଲେ । ପ୍ରବୋଧ ସୁଧାକରରେ ସେ ଲେଖିଛନ୍ତି:

କାମ୍ୟୋପାସନୟାର୍ଥୟନ୍ତ୍ୟନୁଦିନଂ କିଞ୍ôଚତ୍‌ଫଳଂ ସ୍ୱେପ୍ସିତମ୍‌
କେଚିତ୍ ସ୍ୱର୍ଗମଥାପବର୍ଗମପରେ ଯୋଗାଦିଯଜ୍ଞାଦିଭିଃ
ଅସ୍ମାକଂ ଯଦୁନନ୍ଦନାଙ୍ଘ୍ରିଯୁଗଳଧ୍ୟାନାବଧାନାର୍ଥିନାମ୍
କିଂ ଲୋକେନ ଦମେନ କିଂ ନୃପତିନା ସ୍ୱର୍ଗାପବର୍ଗୈଶ୍ଚ କିମ୍ (ପଦ ୨୫୦)

“ଯେଉଁମାନେ ଧର୍ମ କର୍ମ କରି ସ୍ୱର୍ଗଲୋକ ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ସେମାନେ ସେପରି କରିପାରନ୍ତି । ଯେଉଁମାନେ ଜ୍ଞାନ କିମ୍ବା ଅଷ୍ଟାଙ୍ଗ ଯୋଗ ଦ୍ୱାରା ମୋକ୍ଷ କାମନା କରୁଛନ୍ତି, ସେମାନେ ତାଙ୍କ ଲକ୍ଷ୍ୟପଥରେ ଯାଇପାରନ୍ତି । ମୁଁ ଏହି ଦୁଇଟି ମାର୍ଗ ମଧ୍ୟରୁ କୌଣସିଟି ବି ଚାହୁଁନାହିଁ । ମୁଁ ଶ୍ରୀକୃଷ୍ଣଙ୍କର ଚରଣାରବିନ୍ଦର ମକରନ୍ଦରେ ନିଜକୁ ବୁଡ଼ାଇ ରଖିବାକୁ ଇଚ୍ଛା କରୁଛି । ମୁଁ ସାଂସାରିକ କିମ୍ବା ସ୍ୱର୍ଗୀୟ ସୁଖ ଚାହୁଁନାହିଁ କିମ୍ବା ମୋକ୍ଷ କାମନା ମଧ୍ୟ କରୁନାହିଁ । ମୁଁ ଜଣେ ରସିକ ଯିଏ ଦିବ୍ୟ ପ୍ରେମର ରସ ଆସ୍ୱାଦନ କରିବାକୁ ଚାହୁଁଛି ।” ଏହା ସତ୍ୟ ଯେ, ଶଙ୍କରାଚାର୍ଯ୍ୟ ଶ୍ରକୃଷ୍ଣଙ୍କର ଜଣେ ବଡ଼ ଭକ୍ତ ଥିଲେ କିନ୍ତୁ ତାଙ୍କ ଭାଷ୍ୟରେ ସେ ଯାହା ଲେଖିଥିଲେ ତାହା ସେ ସମୟର ଆବଶ୍ୟକତା ଥିଲା । ସେ ଯେତେବେଳେ ଧରାପୃଷ୍ଠରେ ଅବତରିତ ହୋଇଥିଲେ, ସାରା ଭାରତରେ ବୌଦ୍ଧଧର୍ମର ପ୍ରାଧାନ୍ୟ ଥିଲା । ସେପରି ସ୍ଥିତିରେ ଲୋକମାନଙ୍କ ମନରେ ବେଦ ପ୍ରତି ଆସ୍ଥା ସ୍ଥାପନ କରିବା ପାଇଁ, ସେ ନିଜର ଲେଖନୀକୁ ଭକ୍ତିଠାରୁ ଦୂରେଇ ରଖିଥିଲେ । ପରେ ସେ ଭଗବାନଙ୍କର ସାକାର ରୂପର ଅନେକ ସ୍ତୁତି  ରଚନା କରିଥିଲେ, ଯାହା ତାଙ୍କ ଅନ୍ତରର ଭକ୍ତିକୁ ପ୍ରକାଶିତ କରୁଥିଲା । ତେଣୁ ଶଙ୍କରାଚାର୍ଯ୍ୟ କଳିଯୁଗର ଏକ ଉଦାହରଣ ଅଟନ୍ତି, ଯିଏ କି ଜ୍ଞାନର ଅନ୍ତିମ କକ୍ଷରେ ପହଞ୍ଚିବା ପରେ ଭକ୍ତି ସାଧନା କରିଥିଲେ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency