ଅଧ୍ୟାୟ 2: ସାଂଖ୍ୟ ଯୋଗ

ସାଂଖ୍ୟ ଯୋଗ

ଏହି ଅଧ୍ୟାୟରେ ଅର୍ଜୁନ ଯେଉଁ ପରିସ୍ଥିତି ମଧ୍ୟରେ ଅଛନ୍ତି, ତା’ ସହିତ ଉପଯୋଜନ କରିବାରେ ନିଜର ଚରମ ଅକ୍ଷମତା ବିଷୟ ପୁନରାବୃତ୍ତି କରିଛନ୍ତି ଏବଂ ଆସନ୍ନ ଯୁଦ୍ଧରେ ତାଙ୍କ କର୍ତ୍ତବ୍ୟ ପାଳନ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ତା’ପରେ ସେ ଶ୍ରୀକୃଷ୍ଣଙ୍କୁ ତାଙ୍କର ଆଧ୍ୟାତ୍ମିକ ଗୁରୁ ହେବାକୁ ଅନୁରୋଧ କରିଛନ୍ତି ଏବଂ ସେ ଯେଉଁ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି, ସେଥିରେ ତାଙ୍କର ଉଚିତ କର୍ତ୍ତବ୍ୟ ପ୍ରତି ମାର୍ଗ ଦର୍ଶନ କରିବାକୁ ବିନତି କରିଛନ୍ତି । ଭଗବାନ ଶ୍ରୀକୃଷ୍ଣ ଆତ୍ମାର ଅମରତ୍ୱ, ଯାହା ଶରୀର ନଷ୍ଟ ହେବା ସହିତ ନଷ୍ଟ ହୁଏ ନାହିଁ, ବିଷୟରେ ବର୍ଣ୍ଣନା କରି ଅର୍ଜୁନଙ୍କୁ ଦିବ୍ୟ ଜ୍ଞାନ ପ୍ରଦାନ କରିବା ଆରମ୍ଭ କରିଛନ୍ତି । ଗୋଟିଏ ଜନ୍ମରୁ ଆଉ ଗୋଟିଏ ଜନ୍ମକୁ ଯିବା ସମୟରେ, ଏହା କେବଳ ଶରୀର ପରିବର୍ତ୍ତନ କରିଥାଏ, ଠିକ୍ ଯେମିତି ଜଣେ ବ୍ୟକ୍ତି ପୁରୁଣା ବସ୍ତ୍ର ତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରିଥାଆନ୍ତି । ତା’ପରେ ଶ୍ରୀକୃଷ୍ଣ ସାଂସାରିକ କର୍ତ୍ତବ୍ୟ ବିଷୟରେ ଅର୍ଜୁନଙ୍କର ମାର୍ଗ ଦର୍ଶନ କରୁଛନ୍ତି । ସେ ଅର୍ଜୁନଙ୍କୁ ସ୍ମରଣ କରାଇ ଦେଉଛନ୍ତି ଯେ ଜଣେ ଯୋଦ୍ଧା ଭାବରେ ତାଙ୍କର କର୍ତ୍ତବ୍ୟ ହେଉଛି ଧର୍ମରକ୍ଷା ପାଇଁ ଯୁଦ୍ଧ କରିବା । ସେ କହୁଛନ୍ତି ଯେ ସାମାଜିକ କର୍ତ୍ତବ୍ୟ ପାଳନ ଏକ ଧାର୍ମିକ କାର୍ଯ୍ୟ ଅଟେ, ଯାହା ତାଙ୍କ ପାଇଁ ସ୍ୱର୍ଗ ଲୋକର ଦ୍ୱାର ଉନ୍ମୁକ୍ତ କରିବ; ଅଥଚ କର୍ତ୍ତବ୍ୟର ଉପେକ୍ଷା ତାଙ୍କୁ କେବଳ ଅପମାନ ଓ ଅପଯଶ ହିଁ ପ୍ରଦାନ କରିବ ।

ପାର୍ଥିବ ସ୍ତରରେ ଅର୍ଜୁନଙ୍କୁ କର୍ମ ପ୍ରତି ଉନ୍ମୁଖ କରି, ଶ୍ରୀକୃଷ୍ଣ କର୍ମ ବିଜ୍ଞାନର ରହସ୍ୟ ମଧ୍ୟରେ ପ୍ରବେଶ କରୁଛନ୍ତି । ସେ ଅର୍ଜୁନଙ୍କୁ କର୍ମଫଳ ପ୍ରତି ଆସକ୍ତି ନ ରଖି କର୍ମ କରିବାକୁ କହୁଛନ୍ତି । ଫଳ ଆଶା ନ ରଖି କର୍ମ କରିବାର ବିଜ୍ଞାନକୁ ସେ ବୁଦ୍ଧିଯୋଗ ଭାବରେ ବର୍ଣ୍ଣନା କରିଛନ୍ତି । ମନର କର୍ମଫଳ ପ୍ରତି ଲାଳସାକୁ ପ୍ରତିରୋଧ କରିବା ପାଇଁ ବୁଦ୍ଧିର ଉପଯୋଗ କରାଯିବା ଆବଶ୍ୟକ । ଏପରି ଚେତନାରେ କର୍ମ କରିବା ଦ୍ୱାରା, ବନ୍ଧନକାରକ କର୍ମ ବନ୍ଧନମୁକ୍ତ କର୍ମରେ ରୂପାନ୍ତରିତ ହେବ ଏବଂ ଅର୍ଜୁନ ଦୁଃଖାତୀତ ସ୍ଥିତିକୁ ପ୍ରାପ୍ତ କରିବେ ।

ଅର୍ଜୁନ ଦିବ୍ୟ ଚେତନାରେ ସ୍ଥିତ ବ୍ୟକ୍ତିମାନଙ୍କର ସ୍ୱଭାବ ସମ୍ପର୍କରେ ପଚାରୁଛନ୍ତି । ପ୍ରତ୍ୟୁତ୍ତରରେ ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି, କିପରି ଭାବରେ ଅନୁଭବାତୀତ ସ୍ତରରେ ସ୍ଥିତ ବ୍ୟକ୍ତି ଆସକ୍ତି, ଭୟ ଏବଂ କ୍ରୋଧରୁ ମୁକ୍ତ ହୋଇ ସମସ୍ତ ପରିସ୍ଥିତିରେ ସମଭାବପନ୍ନ ଓ ଅବିଚଳିତ ରହିଥାଆନ୍ତି । ସେମାନଙ୍କର ଇନ୍ଦ୍ରିୟମାନେ ସଂଯତ ଏବଂ ମନ ସର୍ବଦା ଈଶ୍ୱରଙ୍କ ଠାରେ ନିମଗ୍ନ ରହିଥାଏ । ତାପରେ ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି କାମ, କ୍ରୋଧ, ଲୋଭ ଆଦି ମାନସିକ ସନ୍ତାପ କିପରି ଭାବରେ ପର୍ଯ୍ୟାୟ କ୍ରମେ ଉତ୍ପନ୍ନ ହୋଇଥାଆନ୍ତି ଏବଂ ସେମାନଙ୍କର ମୂଳୋତ୍ପାଟନ କିପରି କରାଯାଇ ପାରିବ ।

ଭଗବଦ୍ ଗୀତା 2.1 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସଞ୍ଜୟ କହିଲେ, ଅର୍ଜୁନଙ୍କର ଏହିପରି ଦୟାରେ ଅଭିଭୂତ ବିଷାଦଗ୍ରସ୍ତ ମନ ଏବଂ ଲୋତକ ପୂର୍ଣ୍ଣ ଚକ୍ଷୁକୁ ଦେଖି ଶ୍ରୀକୃଷ୍ଣ ଏହି ସବୁ କଥା କହିଲେ ।

ଭଗବଦ୍ ଗୀତା 2.2 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଭଗବାନ କହିଲେ, ପ୍ରିୟ ଅର୍ଜୁନ! ଏହି ବିପଦପୂର୍ଣ୍ଣ ସମୟରେ ଏପରି ଦ୍ୱନ୍ଦ୍ୱ ତୁମଠାରେ ଉତ୍ପନ୍ନ ହେଲା କିପରି? ଏହା ଏକ ଯଶସ୍ୱୀ ପୁରୁଷକୁ ଶୋଭା ଦିଏନାହିଁ । ଏହା ଉଚ୍ଚଲୋକକୁ ନ ନେଇ ଅପଯଶ ପ୍ରଦାନ କରିଥାଏ ।

ଭଗବଦ୍ ଗୀତା 2.3 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ପାର୍ଥ! ଏପରି କାପୁରୁଷତା ତୁମ ପକ୍ଷରେ ଶୋଭନୀୟ ନୁହେଁ । ହେ ଶତ୍ରୁଦମନକାରୀ! ହୃଦୟର ଏହି ସଂକୀର୍ଣ୍ଣ ଦୁର୍ବଳତାକୁ ତ୍ୟାଗ କର ଏବଂ ଉଠ ।

ଭଗବଦ୍ ଗୀତା 2.4 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅର୍ଜୁନ କହିଲେ, ହେ ମଧୁସୂଦନ, ହେ ଶତ୍ରୁ ବିନାଶକାରୀ! ଭୀଷ୍ମ ଏବଂ ଦ୍ରୋଣ ଯେଉଁମାନେ କି ମୋର ନମସ୍ୟ ଅଟନ୍ତି, ଯୁଦ୍ଧରେ ମୁଁ ସେମାନଙ୍କ ପ୍ରତି ତୀର ନିକ୍ଷେପ କିପରି କରିବି?

ଭଗବଦ୍ ଗୀତା 2.5 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଏହି ମହାନ୍ ବୟୋବୃଦ୍ଧ, ଯେଉଁମାନେ ମୋର ଗୁରୁ ଅଟନ୍ତି, ସେମାନଙ୍କୁ ହତ୍ୟାକରି ଜୀବନ ଉପଭୋଗ କରିବା ଅପେକ୍ଷା ସଂସାରରେ ଭିକ୍ଷା ମାଗି ଜୀବନ ନିର୍ବାହ କରିବା ଶ୍ରେୟସ୍କର ଅଟେ । ସେମାନଙ୍କୁ ହତ୍ୟା କରି ଯେଉଁ ସମ୍ପଦ ଓ ସୁଖ ଆମେ ଉପଭୋଗ କରିବୁ, ତାହା ରକ୍ତ ରଞ୍ଜିତ ହୋଇଥିବ ।

ଭଗବଦ୍ ଗୀତା 2.6 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଆମ୍ଭେମାନେ ଏହା ମଧ୍ୟ ଜାଣିପାରୁନାହୁଁ ଯେ ଯୁଦ୍ଧର କେଉଁ ପରିଣତି ଆମ ପାଇଁ ଭଲ- ସେମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବା ବା ସେମାନଙ୍କଠାରୁ ପରାସ୍ତ ହେବା । ସେମାନଙ୍କୁ ହତ୍ୟା କଲା ପରେ ମଧ୍ୟ ଆମେ ବଞ୍ôଚବାକୁ ଇଚ୍ଛା କରିବୁ ନାହିଁ । ତଥାପି ସେମାନେ ଧୃତରାଷ୍ଟ୍ରଙ୍କ ପକ୍ଷରେ ଅଛନ୍ତି ଏବଂ ଯୁଦ୍ଧ କ୍ଷେତ୍ରରେ ଆମମାନଙ୍କ ବିରୁଦ୍ଧରେ ଦଣ୍ଡାୟମାନ ହୋଇଛନ୍ତି ।

ଭଗବଦ୍ ଗୀତା 2.7 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୁଁ ମୋର କର୍ତ୍ତବ୍ୟ ବିଷୟରେ ସନ୍ଦିହାନ ହୋଇପଡ଼ୁଛି ଏବଂ ଉଦ୍‌ବେଗ ଓ ଦୁର୍ବଳତାରେ ଗ୍ରସ୍ତ ହୋଇ ଯାଇଛି । ମୁଁ ଆପଣଙ୍କର ଶିଷ୍ୟ ଏବଂ ଆପଣଙ୍କର ଶରଣାଗତ ଅଟେ । ଦୟାକରି ମୋ ପାଇଁ ଯାହା ଉପଯୁକ୍ତ, ତା’ର ଦିଗ୍‌ଦର୍ଶନ କରନ୍ତୁ ।

ଭଗବଦ୍ ଗୀତା 2.8 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୋର ଇନ୍ଦ୍ରିୟମାନଙ୍କୁ ଶୁଷ୍କ କରିଦେଉଥିବା ଏହି ଶୋକକୁ ଦୂର କରିବାର କୌଣସି ଉପାୟ ମୁଁ ଖୋଜିପାଉ ନାହିଁ । ପୃଥିବୀର ଏକ ସମୃଦ୍ଧିଶାଳୀ ଓ ଶତ୍ରୁହୀନ ରାଜ୍ୟ ଜୟ କରି ଅଥବା ସ୍ୱର୍ଗର ଦେବତାମାନଙ୍କ ପରି ପୂର୍ଣ୍ଣ ଆଧିପତ୍ୟ ପ୍ରାପ୍ତ କରି ମଧ୍ୟ ମୁଁ ଏହି ଦୁଃଖକୁ ଦୂର କରିପାରିବି ନାହିଁ ।

ଭଗବଦ୍ ଗୀତା 2.9 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସଞ୍ଜୟ କହିଲେ : ଶତ୍ରୁଦମନକାରୀ ଏବଂ ନିଦ୍ରାଜୟୀ ଅର୍ଜୁନ, ହୃଷୀକେଶ ଶ୍ରୀକୃଷ୍ଣଙ୍କୁ କହିଲେ, “ହେ ଗୋବିନ୍ଦ! ମୁଁ ଯୁଦ୍ଧ କରିବି ନାହିଁ ଏବଂ ତା’ପରେ ସେ ନୀରବ ହୋଇଗଲେ ।”

ଭଗବଦ୍ ଗୀତା 2.10 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ତତ୍‌ପଶ୍ଚାତ୍‌, ହେ ଧୃତରାଷ୍ଟ୍ର! ଦୁଇ ସୈନ୍ୟ ବାହିନୀଙ୍କ ମଧ୍ୟରେ ରହି, ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ସ୍ମିତହାସ୍ୟଯୁକ୍ତ ହୋଇ ଏହିପରି କହିଲେ ।

ଭଗବଦ୍ ଗୀତା 2.11 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଭଗବାନ କହିଲେ, ଯଦିଓ ତୁମେ ବିଜ୍ଞତା ପୂର୍ଣ୍ଣ କଥା କହୁଛ, ତଥାପି ତୁମେ ସେମାନଙ୍କ ପ୍ରତି ଶୋକ ପ୍ରକାଶ କରୁଛ ଯେଉଁମାନେ ଶୋକର ଯୋଗ୍ୟ ନୁହନ୍ତି । ବିଜ୍ଞ ବ୍ୟକ୍ତିମାନେ ଜୀବିତ ବା ମୃତ କାହା ପ୍ରତି ବି ଶୋକ କରନ୍ତି ନାହିଁ ।

ଭଗବଦ୍ ଗୀତା 2.12 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଏମିତି କୌଣସି ସମୟ ନ ଥିଲା ଯେତେବେଳେ ମୁଁ ନ ଥିଲି, ତୁମେ ନ ଥିଲ, ବା ଏହି ରାଜାମାନେ ନ ଥିଲେ; ଭବିଷ୍ୟତରେ ମଧ୍ୟ ଏପରି ସମୟ କେବେ ବି ଆସିବ ନାହିଁ ଯେତେବେଳେ ଆମେ କେହି ନ ଥିବା ।

ଭଗବଦ୍ ଗୀତା 2.13 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେପରି ଜୀବାତ୍ମା ଏହି ଶରୀରରେ ଶୈଶବ, ଯୌବନ ଓ ବୃଦ୍ଧାବସ୍ଥା ଦେଇ ଗତି କରେ, ସେହିପରି ମୃତ୍ୟୁ ପରେ ଜୀବାତ୍ମା ଅନ୍ୟ ଏକ ଶରୀରକୁ ଚାଲିଯାଇଥାଏ । ବିଜ୍ଞ ବ୍ୟକ୍ତିମାନେ ଏଥିରେ ମୁହ୍ୟମାନ ହୁଅନ୍ତି ନାହିଁ ।

ଭଗବଦ୍ ଗୀତା 2.14 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ କୁନ୍ତିପୁତ୍ର! ଇନ୍ଦ୍ରିୟମାନେ ଇନ୍ଦ୍ରିୟବିଷୟ ସଂସ୍ପର୍ଶରେ ଆସି ସାମୟିକ ଭାବରେ ସୁଖ ଓ ଦୁଃଖର ଅନୁଭୂତି ସୃଷ୍ଟି କରିଥାଆନ୍ତି । ଏହିସବୁ ଅନୁଭୂତି ଅସ୍ଥାୟୀ ଅଟେ ଏବଂ ତାହା ଶୀତ ଓ ଗ୍ରୀଷ୍ମ ଋତୁ ପରି ଆସିଥାଏ ଓ ଯାଇଥାଏ । ହେ ଭରତ ବଂଶଜ! ସେଥିରେ ବିଚଳିତ ନ ହୋଇ ସେମାନଙ୍କୁ ସହ୍ୟ କରିବାକୁ ଅଭ୍ୟାସ କରିବା ଉଚିତ୍ ।

ଭଗବଦ୍ ଗୀତା 2.15 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ପୁରୁଷ ଶ୍ରେଷ୍ଠ ଅର୍ଜୁନ! ଯେଉଁ ବ୍ୟକ୍ତି ସୁଖ ଓ ଦୁଃଖ ଦ୍ୱାରା ପ୍ରଭାବିତ ହୁଏ ନାହିଁ ଏବଂ ଉଭୟ ସ୍ଥିତିରେ ଅବିଚଳିତ ରହେ, ସେ ମୁକ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାଏ ।

ଭଗବଦ୍ ଗୀତା 2.16 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅସତ୍‌ର ସ୍ଥାୟୀତ୍ୱ ନାହିଁ ଏବଂ ସତ୍‌ର ଅନ୍ତ ନାହିଁ । ଉଭୟର ସ୍ୱରୂପ ଅଧ୍ୟୟନ କରି ତତ୍ତ୍ୱଦର୍ଶୀମାନେ ଏହା ନିର୍ଣ୍ଣୟ କରିଥାଆନ୍ତି ।

ଭଗବଦ୍ ଗୀତା 2.17 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଏକଥା ଜାଣ ଯେ ଯାହା ସମଗ୍ର ଶରୀରରେ ବ୍ୟାପ୍ତ ଅଟେ, ତାହା ଅବିନାଶୀ ଅଟେ । ସେହି ଅକ୍ଷୟ ଆତ୍ମାକୁ କେହି ନଷ୍ଟ କରିପାରିବେ ନାହିଁ ।

ଭଗବଦ୍ ଗୀତା 2.18 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

କେବଳ ଭୌତିକ ଶରୀର ବିନାଶଶୀଳ ଅଟେ; ଏହା ମଧ୍ୟରେ ସ୍ଥିତ ଆତ୍ମା ଅବିନାଶୀ, ଅମାପ ଏବଂ ସନାତନ ଅଟେ । ତେଣୁ ହେ ଭରତ ବଂଶଜ ଯୁଦ୍ଧକର ।

ଭଗବଦ୍ ଗୀତା 2.19 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁ ବ୍ୟକ୍ତି ଏପରି ଭାବନ୍ତି ଯେ ଆତ୍ମା କାହାର ହତ୍ୟା କରିପାରେ ଏବଂ ଯିଏ ଏପରି ଭାବନ୍ତି ଆତ୍ମାକୁ ହତ୍ୟା କରାଯାଇ ପାରେ, ଉଭୟ ବ୍ୟକ୍ତି ଅଜ୍ଞାନୀ ଅଟନ୍ତି ।

ଭଗବଦ୍ ଗୀତା 2.20 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଆତ୍ମାର ଜନ୍ମ ନାହିଁ ବା ତା’ର ମୃତ୍ୟୁ ନାହିଁ । ଏମିତି ସମୟ ନଥିଲା ଯେତେବେଳେ ଏହାର ଅସ୍ତିତ୍ୱ ନଥିଲା ବା ଏମିତି ସମୟ ନାହିଁ ଯେତେବେଳେ ଏହାର ଅସ୍ତିତ୍ୱ ରହିବ ନାହିଁ । ଆତ୍ମାର ଜନ୍ମ ନାହିଁ; ଏହା ଚିରନ୍ତନ, ଅମର ଏବଂ ଶାଶ୍ୱତ ଅଟେ । ଶରୀର ନଷ୍ଟ ହେବା ସହିତ ଏହା ନଷ୍ଟ ହୁଏ ନାହିଁ ।

ଭଗବଦ୍ ଗୀତା 2.21 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ପାର୍ଥ! ଆତ୍ମା ଅକ୍ଷୟ, ନିତ୍ୟ, ଅଜନ୍ମା ଏବଂ ଅପରିବର୍ତ୍ତନଶୀଳ ଅଟେ, ଯିଏ ଏହା ଜାଣନ୍ତି, ସେ କିପରି ଅନ୍ୟ କାହାକୁ ହତ୍ୟା କରିବେ ବା ଅନ୍ୟ ଦ୍ୱାରା ଆହତ ହେବେ?

ଭଗବଦ୍ ଗୀତା 2.22 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେପରି ଜଣେ ବ୍ୟକ୍ତି ପୁରାତନ ବସ୍ତ୍ର ତ୍ୟାଗ କରି ନୂତନ ବସ୍ତ୍ର ଧାରଣ କରିଥାଆନ୍ତି, ସେହିପରି ମୃତ୍ୟୁ ସମୟରେ ଆତ୍ମା ଜରାଜୀର୍ଣ୍ଣ ଶରୀର ତ୍ୟାଗ କରି ଏକ ନୂତନ ଶରୀର ଧାରଣ କରେ ।

ଭଗବଦ୍ ଗୀତା 2.23 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଆତ୍ମାକୁ ଅସ୍ତ୍ର ଖଣ୍ଡ ବିଖଣ୍ଡିତ କରି ପାରିବ ନାହିଁ, ଅଗ୍ନି ଜଳାଇ ପାରିବ ନାହିଁ । ଜଳ ଏହାକୁ ଓଦା କରି ପାରିବ ନାହିଁ ବା ବାୟୁ ଏହାକୁ ଶୁଖାଇ ପାରିବ ନାହିଁ ।

ଭଗବଦ୍ ଗୀତା 2.24 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଆତ୍ମାକୁ ଖଣ୍ଡିତ କରିହୁଏ ନାହିଁ ବା ଜାଳିହୁଏ ନାହିଁ । ଏହାକୁ ଆର୍ଦ୍ର କରିହେବ ନାହିଁ କିମ୍ବା ଶୁଷ୍କ କରିହେବ ନାହିଁ । ଏହା ସନାତନ, ସର୍ବବ୍ୟାପକ, ଅପରିବର୍ତ୍ତନୀୟ, ଅଚଳ ଏବଂ ନିତ୍ୟ ଅଟେ ।

ଭଗବଦ୍ ଗୀତା 2.25 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଆତ୍ମାକୁ ଅବ୍ୟକ୍ତ, ଅଚିନ୍ତ୍ୟ ଏବଂ ଅପରିବର୍ତ୍ତନଶୀଳ କୁହାଯାଏ । ଏହା ଜାଣିବା ପରେ, ତୁମେ ଶରୀର ପାଇଁ ଶୋକ କରିବା ଉଚିତ ନୁହେଁ ।

ଭଗବଦ୍ ଗୀତା 2.26 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ପରାକ୍ରମୀ ଅର୍ଜୁନ! ଯଦି ତୁମେ ଏପରି ଭାବୁଥାଅ ଯେ ଆତ୍ମାର ସର୍ବଦା ଜନ୍ମ ଏବଂ ମୃତ୍ୟୁ ହୋଇଥାଏ, ତଥାପି ତୁମେ ଏପରି ଶୋକ କରିବା ଉଚିତ୍ ନୁହେଁ ।

ଭଗବଦ୍ ଗୀତା 2.27 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯିଏ ଜନ୍ମ ହୋଇଛି ତାର ମୃତ୍ୟୁ ନିଶ୍ଚିତ । ଯାହାର ମୃତ୍ୟୁ ହୋଇଛି ତାର ପୁର୍ନଜନ୍ମ ନିଶ୍ଚିତ । ତେଣୁ ତୁମେ ଏହି ଅନିବାର୍ଯ୍ୟ ଘଟଣା ପାଇଁ ଶୋକ କରିବା ଉଚିତ ନୁହେଁ ।

ଭଗବଦ୍ ଗୀତା 2.28 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଭାରତ ଶ୍ରେଷ୍ଠ! ଜନ୍ମ ପୂର୍ବରୁ ସମସ୍ତ ପ୍ରାଣୀ ଅପ୍ରକଟିତ ଥା’ନ୍ତି, ଜୀବନ କାଳରେ ପ୍ରକଟିତ ହୁଅନ୍ତି ଏବଂ ପୁନର୍ବାର ମୃତ୍ୟୁରେ ଅପ୍ରକଟ ହୋଇଯାନ୍ତି । ତେଣୁ ଶୋକ କାହଁକି କରୁଛ?

ଭଗବଦ୍ ଗୀତା 2.29 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

କେହି କେହି ଆତ୍ମାକୁ ଏକ ଆଶ୍ଚର୍ଯ୍ୟ ରୂପରେ ଦେଖନ୍ତି, କେହି କେହି ଏହାକୁ ଏକ ଆଶ୍ଚର୍ଯ୍ୟ ଭାବେ ବର୍ଣ୍ଣନା କରିଥାଆନ୍ତି । ପୁଣି କେହି କେହି ଏହାକୁ ଏକ ଆଶ୍ଚର୍ଯ୍ୟ ଭାବରେ ଶୁଣନ୍ତି, ଏବଂ ଆଉ କେତେକ ଏହାକୁ ଶୁଣିଲେ ମଧ୍ୟ ବୁଝିପାରନ୍ତି ନାହିଁ ।

ଭଗବଦ୍ ଗୀତା 2.30 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅର୍ଜୁନ! ଶରୀର ମଧ୍ୟରେ ବାସ କରୁଥିବା ଆତ୍ମା ଅମର ଅଟେ । ତେଣୁ ତୁମ କାହାପାଇଁ ଶୋକ ପ୍ରକାଶ କରିବା ଅନୁଚିତ ।

ଭଗବଦ୍ ଗୀତା 2.31 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଜଣେ ଯୋଦ୍ଧା ଭାବରେ ତୁମେ ନିଜର କର୍ତ୍ତବ୍ୟ ବିଷୟରେ ଚିନ୍ତା ନ କରି ଇତସ୍ତତଃ ହେବା ଉଚିତ୍ ନୁହେଁ । ବାସ୍ତବରେ, ଜଣେ ଯୋଦ୍ଧା ପାଇଁ ଧର୍ମ ରକ୍ଷା ନିମନ୍ତେ ଯୁଦ୍ଧ କରିବାଠାରୁ ବଳି ମହତ୍ କାର୍ଯ୍ୟ ଆଉ କିଛି ନାହିଁ ।

ଭଗବଦ୍ ଗୀତା 2.32 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ପାର୍ଥ! ଧର୍ମ ରକ୍ଷା କରିବାର ଏପରି ସୁଯୋଗ ଯେଉଁ କ୍ଷତ୍ରିୟମାନଙ୍କ ପାଇଁ ଆପେ ଆପେ ଆସିଥାଏ, ସେମାନେ ସୁଖି ଅଟନ୍ତି, ଯାହା ତାଙ୍କ ପାଇଁ ସ୍ୱର୍ଗର ଦ୍ୱାର ଉନ୍ମୁକ୍ତ କରିଦିଏ ।

ଭଗବଦ୍ ଗୀତା 2.33 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯଦି ତୁମେ ଏହି ଧର୍ମ ଯୁଦ୍ଧ କରିବାକୁ ଇଚ୍ଛା ନ କର, ତେବେ ତୁମେ ନିଜର ସାମାଜିକ କର୍ତ୍ତବ୍ୟ ତ୍ୟାଗ କରି ସୁନାମ ହରାଇବ ଏବଂ ଫଳସ୍ୱରୂପ ପାପ ହିଁ ଅର୍ଜନ କରିବ ।

ଭଗବଦ୍ ଗୀତା 2.34 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଲୋକମାନେ ତୁମକୁ ଜଣେ ଭୀରୁ ଓ ପଳାୟନପନ୍ଥୀ କହିବେ । ଜଣେ ସମ୍ମାନୀୟ ବ୍ୟକ୍ତି ପକ୍ଷରେ ଅପଯଶ ମୃତ୍ୟୁ ଠାରୁ ମଧ୍ୟ ଅଧିକ କଷ୍ଟଦାୟକ ଅଟେ ।

ଭଗବଦ୍ ଗୀତା 2.35 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁ ମହାରଥୀ ମାନେ ତୁମର ସମ୍ମାନ କରୁଥିଲେ, ସେମାନେ ଏପରି ମନେକରିବେ ଯେ ଭୟରେ ତୁମେ ଯୁଦ୍ଧକ୍ଷେତ୍ରରୁ ପଳାୟନ କରିଛ ଏବଂ ତଦ୍ୱାରା ତୁମେ ନିଜର ସମ୍ମାନ ହରାଇବ ।

ଭଗବଦ୍ ଗୀତା 2.36 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ତୁମର ଶ୍ରତୁମାନେ ତୁମର ନିନ୍ଦା କରିବେ ଏବଂ କଠୋର ଶବ୍ଦରେ ଅପମାନିତ କରି ତୁମର ବୀରତ୍ୱକୁ ତାତ୍ସଲ୍ୟ କରିବେ । ଏହାଠାରୁ ଅଧିକ ଯନ୍ତ୍ରଣା ଦାୟକ କ’ଣ ହୋଇପାରେ?

ଭଗବଦ୍ ଗୀତା 2.37 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ତୁମେ ଯଦି ଯୁଦ୍ଧ କର, ଯୁଦ୍ଧରେ ନିହତ ହୋଇ ତୁମେ ସ୍ୱର୍ଗଲୋକ ପ୍ରାପ୍ତ କରିବ କିମ୍ବା ଯୁଦ୍ଧରେ ବିଜୟୀ ହୋଇ ତୁମେ ଭୂଲୋକରେ ରାଜ୍ୟଭୋଗ କରିବ । ତେଣୁ ହେ କୁନ୍ତି ପୁତ୍ର! ଦୃଢ଼ ନିଶ୍ଚୟ ହୋଇ ଜାଗ୍ରତ ହୁଅ ଓ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ ।

ଭଗବଦ୍ ଗୀତା 2.38 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସୁଖ ଓ ଦୁଃଖ, ଲାଭ ଓ କ୍ଷତି, ଜୟ ଓ ପରାଜୟକୁ ସମାନ ରୂପେ ବିଚାର କରି କର୍ତ୍ତବ୍ୟ ଦୃଷ୍ଟିରୁ ଯୁଦ୍ଧ କର । ଏହିପରି କର୍ତ୍ତବ୍ୟ ପାଳନ କରି ତୁମେ କେବେ ବି ପାପ ଅର୍ଜନ କରିବ ନାହିଁ ।

ଭଗବଦ୍ ଗୀତା 2.39 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୁଁ ଏ ପର୍ଯ୍ୟନ୍ତ ତୁମକୁ ସାଂଖ୍ୟ ଯୋଗ ବା ଆତ୍ମା ବିଷୟରେ ବିଶ୍ଳେଷଣାତ୍ମକ ଜ୍ଞାନ ପ୍ରଦାନ କଲି । ହେ ପାର୍ଥ! ବର୍ତ୍ତମାନ ଶୁଣ, ମୁଁ ଏବେ ବୁଦ୍ଧି ଯୋଗ ବିଷୟରେ କହିବାକୁ ଯାଉଛି । ଏହିପରି ବିଚାର ଯୁକ୍ତ ହୋଇ କର୍ମ କରିବା ଦ୍ୱାରା ତୁମେ କର୍ମ ବନ୍ଧନରୁ ମୁକ୍ତ ହୋଇଯିବ ।

ଭଗବଦ୍ ଗୀତା 2.40 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଏହିପରି ଚେତନାରେ ସ୍ଥିତ ରହି କାର୍ଯ୍ୟ କଲେ, କୌଣସି କ୍ଷତି ବା ପ୍ରତିକୂଳ ଫଳ ମିଳି ନ ଥାଏ, ବରଂ ଏକ କ୍ଷୁଦ୍ର ପ୍ରୟାସ ମଧ୍ୟ ବଡ଼ ବିପତ୍ତିରୁ ରକ୍ଷା କରିଥାଏ ।

ଭଗବଦ୍ ଗୀତା 2.41 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ କୁରୁବଂଶଜ! ଯେଉଁମାନେ ଏହି ମାର୍ଗର ଅନୁସରଣ କରନ୍ତି, ସେମାନଙ୍କର ବୁଦ୍ଧି ଦୃଢ଼ ପ୍ରତିଜ୍ଞ ଏବଂ ଲକ୍ଷ୍ୟ ଏକ କେନ୍ଦ୍ରାଭିମୁଖି ଅଟେ । କିନ୍ତୁ ଯେଉଁମାନେ ଦୃଢ଼ ପ୍ରତିଜ୍ଞ ନୁହଁନ୍ତି, ସେମାନଙ୍କର ବୁଦ୍ଧି ଅନେକ ଶାଖାଯୁକ୍ତ ହୋଇଥାଏ ।

ଭଗବଦ୍ ଗୀତା 2.42 - 2.43 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅଳ୍ପଜ୍ଞ ବ୍ୟକ୍ତି ବେଦର ଆଳଙ୍କାରିକ ଶବ୍ଦଗୁଡ଼ିକରେ ଆକୃଷ୍ଟ ହୋଇଥାଆନ୍ତି, ଯାହା ସ୍ୱର୍ଗପ୍ରାପ୍ତି ପାଇଁ ଆଡ଼ମ୍ବର ପୂର୍ଣ୍ଣ କର୍ମ କର୍ମାଣି ବିଷୟରେ ଉପଦେଶ ଦେଇଥାଏ । ସେମାନେ ଧରିନିଅନ୍ତି ଯେ, ବେଦରେ ଏହାଠାରୁ ଉତ୍କୃଷ୍ଟ ବିଧିବିଧାନ ଉଲ୍ଲେଖ ହୋଇନାହିଁ । ସେମାନେ ବେଦର ସେହି ଅଂଶଗୁଡ଼ିକୁ ପ୍ରମୁଖତା ଦେଇଥାନ୍ତି ଯାହା ତାଙ୍କ ପ୍ରବୃତ୍ତିର ଅନୁକୂଳ ଥାଏ ଏବଂ ଉଚ୍ଚତର ଜନ୍ମ, ଐଶ୍ୱର୍ଯ୍ୟ, ଇନ୍ଦ୍ରିୟ ସୁଖ ଓ ସ୍ୱର୍ଗ ପ୍ରାପ୍ତି ପାଇଁ ସେମାନେ ଆଡମ୍ବରପୂର୍ଣ୍ଣ କର୍ମକାଣ୍ଡର ଅନୁଷ୍ଠାନ କରିଥାଆନ୍ତି ।

ଭଗବଦ୍ ଗୀତା 2.44 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯାହାର ମନ ସଂସାରିକ ସୁଖ ପ୍ରତି ଗଭୀର ଭାବରେ ଆସକ୍ତ ରହିଥାଏ ଏବଂ ବୁଦ୍ଧି ସେହି ସୁଖରେ ସମ୍ମୋହିତ ହୋଇଯାଇଥାଏ, ଭଗବତ୍ ପ୍ରାପ୍ତିର ମାର୍ଗରେ ସଫଳ ହେବା ପାଇଁ ସେମାନଙ୍କ ଠାରେ ଦୃଢ଼ ନିଷ୍ଠା ନ ଥାଏ ।

ଭଗବଦ୍ ଗୀତା 2.45 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅର୍ଜୁନ, ବେଦରେ ଭୌତିକ ସଂସାରର ତିନି ଗୁଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ଏହି ତିନି ଗୁଣରୁ ଉର୍ଦ୍ଧ୍ୱକୁ ଉଠି ବିଶୁଦ୍ଧ ଆଧ୍ୟାତ୍ମିକ ଚେତନାରେ ସ୍ଥିତ ହୁଅ । ଦ୍ୱୈତ ଭାବରୁ ନିଜକୁ ମୁକ୍ତ କରି, ଭୌତିକ ଲାଭ ଓ ସୁରକ୍ଷା ପ୍ରତି ଧ୍ୟାନ ନ ଦେଇ, ସତ୍ୟ ଉପରେ ସର୍ବଦା ଧ୍ୟାନ କେନ୍ଦ୍ରିତ କରି ଆତ୍ମାରେ ଅବସ୍ଥାନ କର ।

ଭଗବଦ୍ ଗୀତା 2.46 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଗୋଟିଏ ଛୋଟ କୂଅ ଯାହା ବି ଉଦ୍ଦେଶ୍ୟ ପୂରଣ କରେ, ଏକ ସମୁଦ୍ର ମଧ୍ୟ ସ୍ୱଭାବିକ ଭାବେ ସେହି ଉଦ୍ଦେଶ୍ୟ ପୂରଣ କରିଥାଏ । ସେହିପରି ଯେଉଁମାନଙ୍କର ଭଗବତ୍ ଉପଲବ୍‌ଧି ହୋଇଯାଏ, ସେମାନେ ବେଦର ସମସ୍ତ ମର୍ମ ବୁଝିପାରନ୍ତି ।

ଭଗବଦ୍ ଗୀତା 2.47 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ବେଦବିହିତ କର୍ମ କରିବାରେ ତୁମର ଅଧିକାର ଅଛି, କିନ୍ତୁ କର୍ମର ଫଳରେ ତୁମର ଅଧିକାର ନାହିଁ । ନିଜକୁ କେବେ ବି ତୁମର କର୍ମ ଫଳର କାରଣ ଭାବେ ବିବେଚନା କରନାହିଁ, ବା କର୍ତ୍ତବ୍ୟହୀନତା ପ୍ରତି ଆକୃଷ୍ଟ ହୁଅନାହିଁ ।

ଭଗବଦ୍ ଗୀତା 2.48 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅର୍ଜୁନ! ସଫଳତା ଓ ବିଫଳତା ପ୍ରତି ଆସକ୍ତିରହିତ ହୋଇ ତୁମେ ନିଜର କର୍ତ୍ତବ୍ୟ ପାଳନ କର । ଏହି ସମଭାବ ହିଁ ଯୋଗ ଅଟେ ।

ଭଗବଦ୍ ଗୀତା 2.49 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅର୍ଜୁନ! ଦିବ୍ୟ ଜ୍ଞାନ ଓ ଅନ୍ତର୍ଦୃଷ୍ଟିର ଆଶ୍ରୟ ଗ୍ରହଣ କର ଏବଂ ସକାମ କର୍ମର ତ୍ୟାଗ କର, ଯାହା ଦିବ୍ୟଜ୍ଞାନରେ ସ୍ଥିତ ବୁଦ୍ଧିର ଉପଯୋଗ କରି କରାଯାଉଥିବା କର୍ମ ଠାରୁ ନିଶ୍ଚିତ ଭାବରେ ନିକୃଷ୍ଟ ଅଟେ । ଯେଉଁମାନେ କର୍ମରେ ଫଳ ଭୋଗର ଆଶା କରନ୍ତି ସେମାନେ ଲୋଭୀ ଅଟନ୍ତି ।

ଭଗବଦ୍ ଗୀତା 2.50 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁ ବ୍ୟକ୍ତି ନିଷ୍ଠାପର ଭାବରେ ଆସକ୍ତି ରହିତ କର୍ମାଭ୍ୟାସ କରିଥାଏ, ସେ ଉଭୟ ଭଲ ମନ୍ଦ କର୍ମର ପ୍ରତିକ୍ରିୟା ଠାରୁ ଏହି ଜନ୍ମରେ ହିଁ ମୁକ୍ତ ହୋଇଯାଏ । ତେଣୁ ଯୋଗ ପାଇଁ ଚେଷ୍ଟିତ ହୁଅ, ଯାହାକି କୁଶଳତା ପୂର୍ବକ (ସଠିକ୍ ଚେତନା ଯୁକ୍ତ ହୋଇ) କର୍ମ କରିବାର କଳା ଅଟେ ।

ଭଗବଦ୍ ଗୀତା 2.51 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଜ୍ଞାନୀ ବ୍ୟକ୍ତିମାନେ ସମବୁଦ୍ଧି ଯୁକ୍ତ ହୋଇ, ଜନ୍ମ ମୃତ୍ୟୁର ଚକ୍ରର ବନ୍ଧନ କାରକ ଫଳ ପ୍ରତି ଆସକ୍ତିକୁ ତ୍ୟାଗ କରିଥାନ୍ତି । ଏହିପରି ଚେତନା ଯୁକ୍ତ ହୋଇ କର୍ମ କରିବା ଦ୍ୱାରା ସେମାନେ ସମସ୍ତ ଦୁଃଖର ଊର୍ଦ୍ଧ୍ୱ ସୋପାନକୁ ପ୍ରାପ୍ତ କରନ୍ତି ।

ଭଗବଦ୍ ଗୀତା 2.52 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେତେବେଳେ ତୁମର ବୁଦ୍ଧି ମୋହରୂପୀ କର୍ଦ୍ଦମକୁ ଅତିକ୍ରମ କରିଯିବ, ତୁମେ ଯାହା ସବୁ ଶୁଣିଛ ବା ଶୁଣିବାକୁ ଅଛି (ଇହଲୋକ ଓ ପରଲୋକର ସୁଖ ବିଷୟରେ) ସେ ସମସ୍ତ ପ୍ରତି ଉଦାସୀନ ହୋଇଯିବ ।

ଭଗବଦ୍ ଗୀତା 2.53 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେତେବେଳେ ତୁମର ବୁଦ୍ଧି ବେଦର ଫଳପ୍ରାପ୍ତି ସମ୍ବନ୍ଧୀୟ ବିଭାଗ ପ୍ରତି ଆକୃଷ୍ଟ ହେବନାହିଁ ଏବଂ ଦିବ୍ୟ ଚେତନାରେ ଅଟଳ ରହିବ, ତୁମେ ପରିପୂର୍ଣ୍ଣ ଯୋଗର ସ୍ଥିତି ପ୍ରାପ୍ତ କରିବ ।

ଭଗବଦ୍ ଗୀତା 2.54 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅର୍ଜୁନ କହିଲେ: ହେ କେଶବ, ଦିବ୍ୟ ଚେତନାଯୁକ୍ତ ବ୍ୟକ୍ତିର ସ୍ୱଭାବ କ’ଣ ? ଜଣେ ସୁଜ୍ଞାନୀ ବ୍ୟକ୍ତି କିପରି କଥାବାର୍ତ୍ତା କରେ ? କିପରି ବସେ ? କିପରି ଚାଲେ ?

ଭଗବଦ୍ ଗୀତା 2.55 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ପରମ ପୁରୁଷ ଶ୍ରୀ ଭଗବାନ କହିଲେ, ହେ ପାର୍ଥ! ଯେତେବେଳେ ବ୍ୟକ୍ତି ସମସ୍ତ ସ୍ୱାର୍ଥଯୁକ୍ତ କାମନା ଏବଂ ମନକୁ ଅଶାନ୍ତ କରୁôଥବା ଇନ୍ଦ୍ରିୟ ଲାଳସା ତ୍ୟାଗ କରି ଆତ୍ମାର ଅନୁଭୂତିରେ ସନ୍ତୁଷ୍ଟ ରହେ, ସେପରି ବ୍ୟକ୍ତିଙ୍କୁ ସ୍ଥିତପ୍ରଜ୍ଞ କୁହାଯାଏ ।

ଭଗବଦ୍ ଗୀତା 2.56 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯାହାର ମନ ଦୁଃଖରେ ବିଚଳିତ ହୁଏନାହିଁ, ସୁଖ ପ୍ରତି ଲାଳାୟିତ ହୁଏନାହିଁ, ଆସକ୍ତି, ଭୟ ଓ କ୍ରୋଧ ମୁକ୍ତ ରହେ, ତାଙ୍କୁ ସ୍ଥିତପ୍ରଜ୍ଞ ମୁନି କୁହାଯାଏ ।

ଭଗବଦ୍ ଗୀତା 2.57 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯିଏ ସମସ୍ତ ପରିସ୍ଥିତିରେ ଅନାସକ୍ତ ରହନ୍ତି ଏବଂ ସୌଭାଗ୍ୟ ପ୍ରାପ୍ତିରେ ଆନନ୍ଦିତ ହୁଅନ୍ତି ନାହିଁ କି ପ୍ରତିକୂଳ ପରିସ୍ଥିତିରେ ନିରାଶ ହୁଅନ୍ତି ନାହିଁ, ସେ ପୂର୍ଣ୍ଣ ଜ୍ଞାନ ଯୁକ୍ତ ଯୋଗୀ ଅଟନ୍ତି ।

ଭଗବଦ୍ ଗୀତା 2.58 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଏକ କଚ୍ଛପ ତା’ର ଅଙ୍ଗପ୍ରତ୍ୟଙ୍ଗକୁ ନିଜର ଶରୀର ମଧ୍ୟରେ ସଙ୍କୁଚିତ କଲା ପରି ଯେଉଁ ବ୍ୟକ୍ତି ଇନ୍ଦ୍ରିୟ ଭୋଗ୍ୟବସ୍ତୁମାନଙ୍କ ଠାରୁ ନିଜର ଇନ୍ଦ୍ରିୟମାନଙ୍କୁ ଦୂରେଇ ନିଏ, ସେ ଦିବ୍ୟ ଜ୍ଞାନରେ ସ୍ଥିତ ହୋଇଯାଏ ।

ଭଗବଦ୍ ଗୀତା 2.59 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସାଧକମାନେ ନିଜକୁ ଇନ୍ଦ୍ରିୟଭୋଗ୍ୟ ବସ୍ତୁଠାରୁ ଦୂରେଇ ରଖିପାରନ୍ତି, କିନ୍ତୁ ସେହି ଭୋଗ୍ୟ ବସ୍ତୁଗୁଡ଼ିକର ସ୍ୱାଦର ଚେତନା ଇନ୍ଦ୍ରିୟମାନଙ୍କ ଠାରେ ତଥାପି ରହିଯାଇଥାଏ । ପରତତ୍ତ୍ୱର ଉପଲବ୍‌ଧିରେ ସେହି ସ୍ୱାଦ ମଧ୍ୟ ସମାପ୍ତ ହୋଇଯାଏ ।

ଭଗବଦ୍ ଗୀତା 2.60 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ କୁନ୍ତି ପୁତ୍ର ! ଇନ୍ଦ୍ରିୟମାନେ ଏତେ ଶକ୍ତିଶାଳୀ ଏବଂ ବିକ୍ଷୁବ୍‌ଧ ଯେ ଜଣେ ବିଚାରଶକ୍ତି ଯୁକ୍ତ ଏବଂ ଆତ୍ମନିୟନ୍ତ୍ରଣ ସାଧନା କରୁଥିବା ବ୍ୟକ୍ତିର ମନକୁ ମଧ୍ୟ ସେମାନେ ବଳପୂର୍ବକ ହରଣ କରିନିଅନ୍ତି ।

ଭଗବଦ୍ ଗୀତା 2.61 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ନିଜ ଇନ୍ଦ୍ରିୟମାନଙ୍କୁ ବଶ କରନ୍ତି ଏବଂ ମନ ନିରନ୍ତର ମୋ ଠାରେ ନିମଗ୍ନ ରଖନ୍ତି, ସେମାନେ ପ୍ରକୃତ ଜ୍ଞାନରେ ସ୍ଥିତ ।

ଭଗବଦ୍ ଗୀତା 2.62 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଇନ୍ଦ୍ରିୟ ଭୋଗ୍ୟବସ୍ତୁର ବାରମ୍ବାର ଚିନ୍ତନ କରିବା ଫଳରେ ବ୍ୟକ୍ତିର ତା’ ପ୍ରତି ଆସକ୍ତି ଜାତ ହୁଏ । ଆସକ୍ତିରୁ କାମନା ଏବଂ କାମନାରୁ କ୍ରୋଧ ଜାତ ହୁଏ ।

ଭଗବଦ୍ ଗୀତା 2.63 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

କ୍ରୋଧ ବିଚାରଶକ୍ତିକୁ ସମ୍ମୋହିତ କରିଦିଏ, ଯଦ୍ୱାରା ସ୍ମୃତି ଶକ୍ତି ଭ୍ରମିତ ହୋଇଯାଏ । ସ୍ମୃତି ଭ୍ରମିତ ହେଲେ ବୁଦ୍ଧି ନଷ୍ଟ ହୁଏ ଏବଂ ଯେତେବେଳେ ବୁଦ୍ଧି ନଷ୍ଟ ହୁଏ ବ୍ୟକ୍ତିର ପତନ ହୋଇଥାଏ ।

ଭଗବଦ୍ ଗୀତା 2.64 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

କିନ୍ତୁ ଯେଉଁ ବ୍ୟକ୍ତି ନିଜର ମନକୁ ନିୟନ୍ତ୍ରିତ କରି ରାଗ ଏବଂ ଦ୍ୱେଷରୁ ମୁକ୍ତ ରହିଥାଏ, ସେ ଇନ୍ଦ୍ରିୟ ବିଷୟର ଉପଯୋଗ କରୁଥିଲେ ମଧ୍ୟ ଭଗବାନଙ୍କ କୃପା ପ୍ରାପ୍ତ କରେ ।

ଭଗବଦ୍ ଗୀତା 2.65 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଭଗବତ୍ କୃପାରୁ ଶାନ୍ତି ମିଳେ, ଯାହା ସମସ୍ତ ଦୁଃଖକୁ ନାଶ କରେ ଏବଂ ଏହିପରି ଶାନ୍ତ ଚିତ୍ତଯୁକ୍ତ ବ୍ୟକ୍ତିର ବୁଦ୍ଧି ଭଗବାନଙ୍କ ଠାରେ ଦୃଢ଼ତା ପୂର୍ବକ ସ୍ଥିର ହୁଏ ।

ଭଗବଦ୍ ଗୀତା 2.66 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

କିନ୍ତୁ ଜଣେ ବିଶୃଙ୍ଖଳିତ ବ୍ୟକ୍ତି, ଯିଏ ନିଜର ମନ ଓ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରି ନ ଥାଏ, ତା’ର ବୁଦ୍ଧି ଦୃଢ଼ ନିଶ୍ଚୟୀ ଏବଂ ଭଗବାନଙ୍କର ଚିନ୍ତନ ସ୍ଥିର ହୋଇ ନ ଥାଏ । ଯିଏ ମନକୁ ଭଗବାନଙ୍କ ଠାରେ ଅନୁରକ୍ତ କରେ ନାହିଁ, ତାକୁ ଶାନ୍ତି ମିଳେନାହିଁ; ଏବଂ ଯାହାଠାରେ ଶାନ୍ତିର ଅଭାବ ସେ ସୁଖି କେମିତି ହେବ?

ଭଗବଦ୍ ଗୀତା 2.67 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେମିତି ତେଜ ବାୟୁ ଗୋଟିଏ ନୌକାକୁ ତା’ର ଗନ୍ତବ୍ୟ ମାର୍ଗରୁ ବିଚ୍ୟୁତ କରାଏ, ସେହିପରି ଗୋଟିଏ ଇନ୍ଦ୍ରିୟ ପ୍ରତି ମନ କେନ୍ଦ୍ରିତ ହେଲେ ମଧ୍ୟ ତାହା ବୁଦ୍ଧିକୁ ମାର୍ଗଚ୍ୟୁତ କରାଇଥାଏ ।

ଭଗବଦ୍ ଗୀତା 2.68 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ତେଣୁ ହେ ଅର୍ଜୁନ! ଯେଉଁମାନେ ତାଙ୍କର ଇନ୍ଦ୍ରିୟମାନଙ୍କୁ ସେଗୁଡ଼ିକର ବିଷୟ ଠାରୁ ଦୂରେଇ ରଖିପାରନ୍ତି, ସେମାନେ ଦିବ୍ୟ ଜ୍ଞାନରେ ଦୃଢ଼ ଭାବରେ ସ୍ଥିତ ହୁଅନ୍ତି ।

ଭଗବଦ୍ ଗୀତା 2.69 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯାହାକୁ ସମସ୍ତ ପ୍ରାଣୀ ଦିନ ଭାବରେ ବିଚାର କରନ୍ତି, ତାହା ବିଜ୍ଞ ଲୋକର ଅଜ୍ଞାନର ରାତ୍ରି ଅଟେ ଏବଂ ଯାହାକୁ ସମସ୍ତ ପ୍ରାଣୀ ରାତ୍ରି ଭାବରେ ବିବେଚନା କରନ୍ତି, ତାହା ମନନଶୀଳ ମୁନିମାନଙ୍କ ପାଇଁ ଦିନ ଅଟେ ।

ଭଗବଦ୍ ଗୀତା 2.70 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସମୁଦ୍ରରେ ମିଶିବା ପାଇଁ ନଦୀଜଳର ଅବିଶ୍ରାନ୍ତ ପ୍ରବାହ ସତ୍ତ୍ୱେ ସମୁଦ୍ର ଅବିଚଳିତ ରହିବା ପରି, ବିଜ୍ଞ ବ୍ୟକ୍ତିମାନେ ନିଜ ଚର୍ତୁପାଶ୍ୱର୍ରେ ଥିବା ଭୌତିକ ବସ୍ତୁମାନଙ୍କର ଆକର୍ଷଣ ଦ୍ୱାରା ଅବିଚଳିତ ରହି ଶାନ୍ତି ପ୍ରାପ୍ତ କରନ୍ତି । କାମନା ପୂରଣ ପାଇଁ ଚେଷ୍ଟିତ ରହିଥିବା ବ୍ୟକ୍ତି ଶାନ୍ତି ପ୍ରାପ୍ତ କରିପାରେ ନାହିଁ ।

ଭଗବଦ୍ ଗୀତା 2.71 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁ ବ୍ୟକ୍ତି ସମସ୍ତ ସାଂସାରିକ କାମନା ତ୍ୟାଗ କରି ଲୋଭ, ମମତ୍ୱ ଏବଂ ଅହଂକାର ମୁକ୍ତ ରହେ, ସେ ପ୍ରକୃତ ସୁଖ ପ୍ରାପ୍ତ କରେ ।

ଭଗବଦ୍ ଗୀତା 2.72 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ପାର୍ଥ! ଜୀବ ଜ୍ଞାନଦୀପ୍ତ ଅବସ୍ଥାକୁ ପ୍ରାପ୍ତ କରି ପୁନର୍ବାର ମାୟାଗ୍ରସ୍ତ ହୁଏ ନାହିଁ । ମୃତ୍ୟୁ ସମୟରେ ଚେତନାର ଏହି ସ୍ତରରେ ସ୍ଥିତ ରହି ଜୀବ ଜନ୍ମମୃତ୍ୟୁର ଚକ୍ରରୁ ମୁକ୍ତ ହୋଇ ଭଗବାନଙ୍କର ଦିବ୍ୟ ଧାମ ପ୍ରାପ୍ତ କରିଥାଏ ।
Swami Mukundananda
2. ସାଂଖ୍ୟ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency