କ୍ଳୈବ୍ୟଂ ମା ସ୍ମ ଗମଃ ପାର୍ଥ ନୈତତ୍ତ୍ୱଯ୍ୟୁପପଦ୍ୟତେ
କ୍ଷୁଦ୍ରଂ ହୃଦୟଦୌର୍ବଲ୍ୟଂ ତ୍ୟକ୍ତେ୍ୱାତ୍ତିଷ୍ଠ ପରନ୍ତପ ।।୩।।
କ୍ଳୈବ୍ୟଂ- କ୍ଳୀବତ୍ୱ; ମା ସ୍ମ- ନାହିଁ; ଗମଃ-ଯାଅ ; ପାର୍ଥ- ହେ ପୃଥା ପୁତ୍ର; ନ-ନୁହେଁ; ଏତତ୍-ଏପରି; ତ୍ୱୟି- ତୁମ୍ଭଠାରେ; ଉପପଦ୍ୟତେ- ଉପଯୁକ୍ତ; କ୍ଷୁଦ୍ରଂ -କ୍ଷୁଦ୍ର; ହୃଦୟ-ହୃଦୟ; ଦୌର୍ବଲ୍ୟଂ- ଦୁର୍ବଳତା; ତ୍ୟକ୍ତ୍ୱା-ତ୍ୟାଗକରି; ଉତ୍ତିଷ୍ଠ-ଉଠ; ପରନ୍ତପ-ହେ ପରନ୍ତପ (ହେ ଶତ୍ରୁଦମନକାରୀ) !
BG 2.3: ହେ ପାର୍ଥ! ଏପରି କାପୁରୁଷତା ତୁମ ପକ୍ଷରେ ଶୋଭନୀୟ ନୁହେଁ । ହେ ଶତ୍ରୁଦମନକାରୀ! ହୃଦୟର ଏହି ସଂକୀର୍ଣ୍ଣ ଦୁର୍ବଳତାକୁ ତ୍ୟାଗ କର ଏବଂ ଉଠ ।
ଜ୍ଞାନ ପ୍ରାପ୍ତିର ମାର୍ଗରେ ସଫଳତାପୂର୍ବକ ଅଗ୍ରସର ହେବା ପାଇଁ ଉଚ୍ଚ ଭାବନା ଏବଂ ଦୃଢ ମନୋବଳର ଆବଶ୍ୟକତା ରହିଥାଏ । ମାୟିକ ମନର ନକାରାତ୍ମକ ଗୁଣ ଯଥା ଆଳସ୍ୟ, ବଦଭ୍ୟାସ, ଅଜ୍ଞାନ ଓ ଆସକ୍ତିରୁ ମୁକ୍ତି ପାଇବା ପାଇଁ ବ୍ୟକ୍ତି ଆଶାବାଦୀ, ଉତ୍ସାହୀ ଏବଂ ଉଦ୍ୟମୀ ହେବା ଅତ୍ୟନ୍ତ ଆବଶ୍ୟକ । ଶ୍ରୀକୃଷ୍ଣ ଜଣେ ଦକ୍ଷ ଶିକ୍ଷକ ଅଟନ୍ତି, ତେଣୁ ଅର୍ଜୁନଙ୍କୁ ଭର୍ତ୍ସନା କରିବା ପରେ, ସେ ବର୍ତ୍ତମାନ ଅର୍ଜୁନଙ୍କ ଆନ୍ତରିକ ଶକ୍ତିର ବୃଦ୍ଧି କରାଇ ପରିସ୍ଥିତିର ମୁକାବିଲା କରିବାକୁ ତାଙ୍କୁ ଉତ୍ସାହିତ କରୁଛନ୍ତି ।
ଅର୍ଜୁନଙ୍କୁ ପୃଥା (କୁନ୍ତିଙ୍କର ଏକ ଅନ୍ୟ ନାମ) ପୁତ୍ର ଭାବେ ସମ୍ବୋଧନ କରି, ଶ୍ରୀକୃଷ୍ଣ ତାଙ୍କ ମା’ କୁନ୍ତିଙ୍କର ସ୍ମରଣ କରାଇ ଦେଉଛନ୍ତି । ସେ ଦେବରାଜ ଇନ୍ଦ୍ରଙ୍କୁ ପୂଜା କରିଥିଲେ ଏବଂ ତାଙ୍କ ଆଶୀର୍ବାଦରୁ ଅର୍ଜୁନଙ୍କର ଜନ୍ମ ହୋଇଥିଲା । ସେଥିପାଇଁ ଅର୍ଜୁନ ଇନ୍ଦ୍ରଙ୍କ ପରି ଅସାଧାରଣ ଶକ୍ତିସମ୍ପନ୍ନ ଓ ବୀର ଥିଲେ । ଶ୍ରୀକୃଷ୍ଣ ତାଙ୍କୁ ଏହି କଥା ସ୍ମରଣ କରାଇ ନପୁଂସକତା ତ୍ୟାଗ କରିବା ଦିଗରେ ଉତ୍ସାହିତ କରୁଛନ୍ତି, କାରଣ ତାହା ତାଙ୍କର ଯଶସ୍ୱୀ ବଂଶ ପାଇଁ ଉପଯୁକ୍ତ ନୁହେଁ । ପୁନଶ୍ଚ, ଅର୍ଜୁନଙ୍କୁ ପରନ୍ତପ ବା ଶତ୍ରୁଜୟକାରୀ ଭାବେ ସମ୍ବୋଧନ କରି, ସେ ଅର୍ଜୁନଙ୍କୁ କର୍ତ୍ତବ୍ୟ ତ୍ୟାଗର ଇଚ୍ଛାକୁ ଦମନ କରିବାକୁ କହୁଛନ୍ତି, ଯେଉଁ ଇଚ୍ଛା ଜଣେ କ୍ଷତ୍ରିୟ ରାଜପୁତ୍ର ଭାବରେ ତାଙ୍କର ଶତ୍ରୁ ଅଟେ ।
ଶ୍ରୀକୃଷ୍ଣ ଆହୁରି ମଧ୍ୟ ଅର୍ଜୁନଙ୍କୁ ବୁଝାଇ କହୁଛନ୍ତି ଯେ ସେ ଯାହା ଅନୁଭବ କରୁଛନ୍ତି, ତାହା ବାସ୍ତବରେ ନୈତିକତା ନୁହେଁ କି ପ୍ରକୃତ ସଂବେଦନା ନୁହେଁ; ତାହା କେବଳ ତାଙ୍କର ଶୋକ ଏବଂ ମୋହ ଅଟେ । ତାହା ତାଙ୍କ ମନର ଦୁର୍ବଳତାରୁ ଜାତ । ଯଦି ତାଙ୍କର ଆଚରଣ ବାସ୍ତବରେ ଜ୍ଞାନ ବା ଦୟା ଉପରେ ଆଧାରିତ ହୋଇଥାଆନ୍ତା, ତେବେ ସେ ଦ୍ୱନ୍ଦ୍ୱ ବା ଶୋକ ଅନୁଭବ କରନ୍ତେ ନାହିଁ ।
କ୍ଳୈବ୍ୟଂ ମା ସ୍ମ ଗମଃ ପାର୍ଥ ନୈତତ୍ତ୍ୱଯ୍ୟୁପପଦ୍ୟତେ
କ୍ଷୁଦ୍ରଂ ହୃଦୟଦୌର୍ବଲ୍ୟଂ ତ୍ୟକ୍ତେ୍ୱାତ୍ତିଷ୍ଠ ପରନ୍ତପ ।।୩।।
ହେ ପାର୍ଥ! ଏପରି କାପୁରୁଷତା ତୁମ ପକ୍ଷରେ ଶୋଭନୀୟ ନୁହେଁ । ହେ ଶତ୍ରୁଦମନକାରୀ! ହୃଦୟର ଏହି ସଂକୀର୍ଣ୍ଣ ଦୁର୍ବଳତାକୁ ତ୍ୟାଗ କର ଏବଂ ଉଠ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ