କାର୍ପଣ୍ୟଦୋଷୋପହତସ୍ୱଭାବଃ
ପୃଚ୍ଛାମି ତ୍ୱାଂ ଧର୍ମସଂମୂଢ଼ଚେତାଃ ।
ଯଚ୍ଛ୍ରେୟଃ ସ୍ୟାନ୍ନିିଶ୍ଚିତଂ ବ୍ରୂହି ତନ୍ମେ,
ଶିଷ୍ୟସ୍ତେଽହଂ ଶାଧି ମାଂ ତ୍ୱାଂ ପ୍ରପନ୍ନମ୍ ।।୭।।
କାର୍ପଣ୍ୟ ଦୋଷ- କାପୁରୁଷତା ଦୋଷରୁ; ଉପହତ- ଗ୍ରସ୍ତ; ସ୍ୱଭାବଃ-ସ୍ୱଭାବ; ପୃଚ୍ଛାମି-ମୁଁ ପଚାରୁଛି; ତ୍ୱାଂ-ଆପଣଙ୍କୁ; ଧର୍ମ-ଧର୍ମ; ସଂମୂଢ- ବିବ୍ରତ; ଚେତାଃ-ହୃଦୟରେ; ଯତ୍-କ’ଣ; ଶ୍ରେୟଃ-ଶ୍ରେୟ (ମୋ ପକ୍ଷରେ ଉପଯୁକ୍ତ); ସ୍ୟାତ୍-ହୋଇପାରେ; ନିଶ୍ଚିତଂ- ନିଶ୍ଚିତ ରୂପେ; ବ୍ରୂହି- କୁହନ୍ତୁ; ତତ୍-ତାହା; ମେ-ମୋତେ; ଶିଷ୍ୟଃ- ଶିଷ୍ୟ; ତେ-ଆପଣଙ୍କର; ଅହଂ-ମୁଁ; ଶାଧି-ଉପଦେଶ ଦିଅନ୍ତୁ; ମାଂ-ମୋତେ; ତ୍ୱାଂ-ଆପଣଙ୍କଠାରେ; ପ୍ରପନ୍ନମ୍- ଶରଣାଗତ ।
BG 2.7: ମୁଁ ମୋର କର୍ତ୍ତବ୍ୟ ବିଷୟରେ ସନ୍ଦିହାନ ହୋଇପଡ଼ୁଛି ଏବଂ ଉଦ୍ବେଗ ଓ ଦୁର୍ବଳତାରେ ଗ୍ରସ୍ତ ହୋଇ ଯାଇଛି । ମୁଁ ଆପଣଙ୍କର ଶିଷ୍ୟ ଏବଂ ଆପଣଙ୍କର ଶରଣାଗତ ଅଟେ । ଦୟାକରି ମୋ ପାଇଁ ଯାହା ଉପଯୁକ୍ତ, ତା’ର ଦିଗ୍ଦର୍ଶନ କରନ୍ତୁ ।
ଭଗବଦ୍ ଗୀତାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ, ଯେତେବେଳେ ଅର୍ଜୁନ, ଯିଏ କି ଶ୍ରୀକୃଷ୍ଣଙ୍କର ସମ୍ପର୍କୀୟ ଭାଇ ଓ ସଖା ଅଟନ୍ତି, ପ୍ରଥମ ଥର ପାଇଁ ତାଙ୍କୁ ନିଜର ଗୁରୁ ହେବାପାଇଁ ଅନୁରୋଧ କରୁଛନ୍ତି । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ଅନୁନୟ କରି କହୁଛନ୍ତି ଯେ ତାଙ୍କର ସ୍ୱଭାବ କାର୍ପଣ୍ୟ ଦୋଷ ବା କାପୁରୁଷତା ଦୋଷରେ ଗ୍ରସ୍ତ ହୋଇଯାଇଛି, ତେଣୁ ଗୁରୁ ରୂପରେ ଭଗବାନ ତାଙ୍କୁ ଧର୍ମର ମାର୍ଗଦର୍ଶନ କରାନ୍ତୁ ।
ସମସ୍ତ ବୈଦିକ ଗ୍ରନ୍ଥ ଏକ ସ୍ୱରରେ ଘୋଷଣା କରନ୍ତି ଯେ ଜଣେ ସଦ୍ଗୁରୁଙ୍କ ମାଧ୍ୟମରେ ଆମେ ନିଜର ଚିରନ୍ତନ କଲ୍ୟାଣ ପାଇଁ ଦିବ୍ୟ ଜ୍ଞାନ ପ୍ରାପ୍ତ କରିଥାଏ:
ତଦ୍ବିଜ୍ଞାନାର୍ଥଂ ସଗୁରୁମେଭାଭିଗଚ୍ଛେତ୍ ସମିତ୍ପାଣିଃ ଶ୍ରୋତିୟଂ ବ୍ରହ୍ମନିଷ୍ଠମ୍ ।
(ମୁଣ୍ଡକୋପନିଷଦ ୧.୨.୧୨)
“ଅନ୍ତିମ ସତ୍ୟକୁ ଜାଣିବା ପାଇଁ ଜଣେ ଗୁରୁଙ୍କର ସମୀପସ୍ଥ ହୁଅ, ଯିଏ କି ଉଭୟ ବେଦଶାସ୍ତ୍ରର ଜ୍ଞାତା ହୋଇଥିବେ ଏବଂ ବାସ୍ତବରେ ଭଗବତ୍ ପ୍ରାପ୍ତି ସ୍ତରରେ ସ୍ଥିତ ହୋଇଥିବେ ।”
ତସ୍ମାଦ୍ ଗୁରୁଂ ପ୍ରପଦ୍ୟେତ ଜିଜ୍ଞାସୁଃ ଶ୍ରେୟ ଉତ୍ତମମ୍
ଶାଦ୍ଦେ ପରେ ଚ ନିଷ୍ଣାତଂ ବ୍ରହ୍ମଣ୍ୟୁପଶମାଶ୍ରୟମ୍ । (ଭାଗବତମ୍: ୧୧.୩.୨୧)
“ସତ୍ୟ ଅନ୍ୱେଷଣକାରୀ ନିଜକୁ ଜଣେ ଆଧ୍ୟାତ୍ମିକ ଗୁରୁଙ୍କର ଶରଣାଗତ କରିବା ଆବଶ୍ୟକ, ଯିଏ ସମସ୍ତ ବେଦଶାସ୍ତ୍ରର ସାରମର୍ମକୁ ଜାଣିଥିବେ ଏବଂ ମାୟିକ ବିଷୟକୁ ତ୍ୟାଗ କରି ଭଗବାନଙ୍କର ପୂର୍ଣ୍ଣ ଶରଣାଗତ ହୋଇଥିବେ ।”
ରାମାୟଣ କହେ:
ଗୁରୁ ବିନୁ ଭବ ନିଧି ତରଇ ନ କୋଈ, ଜ୍ୟୋଁ ବିରଞ୍ôଚ ଶଙ୍କର ସମ ହୋଈ ।
“ସର୍ବୋଚ୍ଚ ସ୍ତରରେ ସ୍ଥିତ ସାଧକମାନେ ମଧ୍ୟ ଗୁରୁ କୃପା ବିନା ଭବ ସିନ୍ଧୁ ପାର କରିପାରନ୍ତି ନାହିଁ ।” ଭଗବଦ୍ ଗୀତାର ଶ୍ଲୋକ ସଂଖ୍ୟା ୪.୩୪ରେ ସ୍ୱୟଂ ଶ୍ରୀକୃଷ୍ଣ ଏହା କହିଛନ୍ତି: “ସତ୍ୟକୁ ଜାଣିବା ପାଇଁ ଜଣେ ଆଧ୍ୟାତ୍ମିକ ଗୁରୁଙ୍କର ସମୀପସ୍ଥ ହୁଅ । ଶ୍ରଦ୍ଧା ସହିତ ତାଙ୍କୁ ପ୍ରଶ୍ନ ପଚାର ଏବଂ ତାଙ୍କର ସେବା କର । ସେପରି ଜଣେ ତତ୍ତ୍ୱଦର୍ଶୀ ସନ୍ଥ ତୁମକୁ ଜ୍ଞାନ ପ୍ରଦାନ କରିପାରିବେ କାରଣ ସେ ନିଜେ ସତ୍ୟର ଦର୍ଶନ କରିଛନ୍ତି ।”
ଜ୍ଞାନ ପ୍ରାପ୍ତ କରିବା ପାଇଁ ଜଣେ ଗୁରୁଙ୍କର ଆବଶ୍ୟକତା ଦର୍ଶାଇବାକୁ ଯାଇ ଶ୍ରୀକୃଷ୍ଣ ନିଜ ଜୀବନରେ ସେ ଦିଗରେ ପଦକ୍ଷେପ ନେଇଛନ୍ତି । ଯୁବାବସ୍ଥାରେ, ଚଉଷଠି ପ୍ରକାରର ବିଜ୍ଞାନ ଶିକ୍ଷା କରିବା ପାଇଁ, ସେ ସନ୍ଦୀପନି ମୁନିଙ୍କର ଆଶ୍ରମକୁ ଯାଇଥିଲେ । ତାଙ୍କର ସହପାଠୀ ସୁଦାମା ସେ ବିଷୟରେ କହନ୍ତି :
ଯସ୍ୟ ଚ୍ଛନ୍ଦୋ ମୟଂ ବ୍ରହ୍ମ ଦେହ ଆବପନଂ ବିଭୋ
ଶ୍ରେୟସାଂ ତସ୍ୟ ଗୁରୁଷୁ ବାସୋଽତ୍ୟନ୍ତ ବିଡ଼ମ୍ବନମ୍ । (ଭାଗବତମ୍ ୧୦.୮୦.୪୫)
“ହେ କୃଷ୍ଣ! ବେଦସବୁ ଆପଣଙ୍କର ଶରୀର ସଦୃଶ ଅଟନ୍ତି, ଯାହା ଆପଣଙ୍କ ନିକଟରେ ଥିବା ଜ୍ଞାନରୁ ପ୍ରକଟିତ ହୋଇଛନ୍ତି । (ତେଣୁ ଆପଣଙ୍କ ପାଇଁ ଗୁରୁ ଗ୍ରହଣ କରିବାର ଆବଶ୍ୟକତା କ’ଣ) । ତଥାପି, ଆପଣ ଜଣେ ଗୁରୁଙ୍କ ଠାରୁ ଶିକ୍ଷା ଲାଭ କରିବାର ବାହାନା କରୁଛନ୍ତି । ଏହା କେବଳ ଆପଣଙ୍କର ଦିବ୍ୟ ଲୀଳା ହିଁ ଅଟେ ।” ବାସ୍ତବରେ, ଶ୍ରୀକୃଷ୍ଣ ବିଶ୍ୱର ପ୍ରଥମ ଗୁରୁ ଅଟନ୍ତି କାରଣ ବିଶ୍ୱର ପ୍ରଥମ ସନ୍ତାନ ବ୍ରହ୍ମାଙ୍କର ସେ ଗୁରୁ ଅଟନ୍ତି । ଏହି ଲୀଳା ସେ ଆମ୍ଭମାନଙ୍କର କଲ୍ୟାଣ ନିମନ୍ତେ କରନ୍ତି, ଆମ୍ଭମାନଙ୍କୁ ଏହି ଶିକ୍ଷା ଦେବା ପାଇଁ ଯେ ମାୟାବଦ୍ଧ ଜୀବର ଅଜ୍ଞାନ ଦୂର କରିବା ପାଇଁ ଜଣେ ଗୁରୁଙ୍କର ଆବଶ୍ୟକତା ରହିଛି । ଏହି ଶ୍ଳୋକରେ ଅର୍ଜୁନ ନିଜକୁ ଶ୍ରୀକୃଷ୍ଣଙ୍କର ଶିଷ୍ୟ ମନେ କରି ତାଙ୍କର ଶରଣାଗତି କରୁଛନ୍ତି ଏବଂ ଉପଯୁକ୍ତ କର୍ତ୍ତବ୍ୟ ବିଷୟରେ ଜ୍ଞାନ ଦେବାପାଇଁ ତାଙ୍କୁ ଅନୁରୋଧ କରିଛନ୍ତି ।
କାର୍ପଣ୍ୟଦୋଷୋପହତସ୍ୱଭାବଃ
ପୃଚ୍ଛାମି ତ୍ୱାଂ ଧର୍ମସଂମୂଢ଼ଚେତାଃ ।
ଯଚ୍ଛ୍ରେୟଃ ସ୍ୟାନ୍ନିିଶ୍ଚିତଂ ବ୍ରୂହି ତନ୍ମେ,
ଶିଷ୍ୟସ୍ତେଽହଂ ଶାଧି ମାଂ ତ୍ୱାଂ ପ୍ରପନ୍ନମ୍ ।।୭।।
ମୁଁ ମୋର କର୍ତ୍ତବ୍ୟ ବିଷୟରେ ସନ୍ଦିହାନ ହୋଇପଡ଼ୁଛି ଏବଂ ଉଦ୍ବେଗ ଓ ଦୁର୍ବଳତାରେ ଗ୍ରସ୍ତ ହୋଇ ଯାଇଛି । ମୁଁ ଆପଣଙ୍କର ଶିଷ୍ୟ ଏବଂ ଆପଣଙ୍କର ଶରଣାଗତ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ