ଯସ୍ତୁ ଇନ୍ଦ୍ରିୟାଣି ମନସା ନିୟମ୍ୟାରଭତେଽର୍ଜୁନ ।
କର୍ମେନ୍ଦ୍ରିୟୈଃ କର୍ମଯୋଗମସକ୍ତଃ ସ ବିଶିଷ୍ୟତେ ।।୭।।
ଯଃ-ଯେ; ତୁ - କିନ୍ତୁ; ଇନ୍ଦ୍ରିୟାଣି- ଇନ୍ଦ୍ରିୟ- ସମୂହ; ମନସା- ମନରେ; ନିୟମ୍ୟ- ସଂଯତ କରି; ଆରଭତେ- ଆରମ୍ଭକରେ; ଅର୍ଜୁନ- ହେ ଅର୍ଜୁନ; କର୍ମେନ୍ଦ୍ରିୟୈଃ- କର୍ମେନ୍ଦ୍ରୟମାନଙ୍କ ସାହାଯ୍ୟରେ; କର୍ମଯୋଗମ୍- କର୍ମଯୋଗ; ଅସକ୍ତଃ-ଅନାସକ୍ତ ଭାବରେ; ସଃ- ସେ; ବିଶିଷ୍ୟତେ- ଉତ୍କୃଷ୍ଠତର ଅଟେ ।
BG 3.7: ହେ ଅର୍ଜୁନ! ଯେଉଁ କର୍ମଯୋଗୀଗଣ ମନ ଦ୍ୱାରା ନିଜର ଜ୍ଞାନେନ୍ଦ୍ରିୟମାନଙ୍କୁ ନିୟନ୍ତ୍ରିତ କରି, କର୍ମେନ୍ଦ୍ରିୟ ଦ୍ୱାରା ଆସକ୍ତି ରହିତ କର୍ମ କରନ୍ତି, ସେମାନେ ନିଶ୍ଚିିତ ରୂପେ ଉଚ୍ଚଶ୍ରେଣୀର ଅଟନ୍ତି ।
ଏହି ଶ୍ଲୋକରେ ବ୍ୟବହୃତ କର୍ମଯୋଗ ଶବ୍ଦରେ ମୁଖ୍ୟତଃ ଦୁଇଟି ଚିନ୍ତାଧାରା ସମାହିତ ହୋଇଛି - କର୍ମ (ବୃତ୍ତିଗତ କର୍ତ୍ତବ୍ୟ) ଓ ଯୋଗ (ଭଗବାନଙ୍କ ସହ ଯୋଗ) । ତେଣୁ ସେହି ବ୍ୟକ୍ତି କର୍ମଯୋଗୀ ଅଟନ୍ତି, ଯିଏ ସାଂସାରିକ କାର୍ଯ୍ୟ ସମ୍ପାଦନ କରିବା ସହିତ ମନରେ ଭଗବାନଙ୍କର ଧ୍ୟାନ କରିଥାଆନ୍ତି । ଏପରି କର୍ମଯୋଗୀ ସଂସାରର ସମସ୍ତ କାର୍ଯ୍ୟ ନିର୍ବାହ କରୁଥିଲେ ସୁଦ୍ଧା କର୍ମ ବନ୍ଧନରେ ବାନ୍ଧି ହୁଅନ୍ତି ନାହିଁ । ଏହାର କାରଣ, କର୍ମ ନୁହେଁ, କର୍ମଫଳ ପ୍ରତି ମନର ଆସକ୍ତି ହିଁ ବନ୍ଧନ କାରକ ଅଟେ ଏବଂ କର୍ମଯୋଗୀର କର୍ମଫଳ ପ୍ରତି ଆସକ୍ତି ନ ଥାଏ । ଅନ୍ୟ ପକ୍ଷରେ, ଯେଉଁମାନେ କର୍ମ ତ୍ୟାଗ କରି ଆସକ୍ତି ତ୍ୟାଗ କରି ନ ଥାଆନ୍ତି, ସେହି କପଟୀ ତ୍ୟାଗୀମାନେ କର୍ମ ନିୟମରେ ବାନ୍ଧି ହୋଇଯାଆନ୍ତି ।
ସେଥିପାଇଁ ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ, ଯେଉଁ ବ୍ୟକ୍ତି ପାରିବାରିକ ଜୀବନ ଯାପନ କରି କର୍ମଯୋଗ ପାଳନ କରନ୍ତି, ସେମାନେ ମନରେ ଇନ୍ଦ୍ରିୟ ଭୋଗ ପ୍ରତି ଲାଳାୟୀତ ଥିବା କପଟୀ ତ୍ୟାଗୀମାନଙ୍କ ଠାରୁ ଶ୍ରେଷ୍ଠ ଅଟନ୍ତି । ଜଗଦ୍ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜ ଏହି ଦୁଇଟି ସ୍ଥିତିର ପ୍ରଭେଦ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି:
ମନ ହରିମେଁ ତନ ଜଗତ ମେଁ, କର୍ମଯୋଗ ୟେହି ଜାନ ।
ତନ ହରି ମେଁ ମନ ଜଗତ ମେଁ, ୟହ ମହାନ ଅଜ୍ଞାନ ।ା (ଭକ୍ତି ଶତକ-ପଦ ୮୪)
“ଯେତେବେଳେ ଜଣେ ବ୍ୟକ୍ତି ଶରୀର ଦ୍ୱାରା ସଂସାରର ସବୁ କାର୍ଯ୍ୟ କରି ମନକୁ ଭଗବାନଙ୍କ ଠାରେ ନିମଗ୍ନ ରଖିଥାଆନ୍ତି, ତାହା କର୍ମଯୋଗ ଅଟେ । ଅନ୍ୟ ପକ୍ଷରେ, ଶରୀର ଦ୍ୱାରା ଧର୍ମର ଅନୁଷ୍ଠାନ କରି ଯଦି ଜଣେ ମନକୁ ସଂସାରରେ ଆସକ୍ତ ରଖିଥାଆନ୍ତି, ତେବେ ତାହା ପ୍ରବଞ୍ଚନା ଅଟେ । ”
ଯସ୍ତୁ ଇନ୍ଦ୍ରିୟାଣି ମନସା ନିୟମ୍ୟାରଭତେଽର୍ଜୁନ ।
କର୍ମେନ୍ଦ୍ରିୟୈଃ କର୍ମଯୋଗମସକ୍ତଃ ସ ବିଶିଷ୍ୟତେ ।।୭।।
ହେ ଅର୍ଜୁନ! ଯେଉଁ କର୍ମଯୋଗୀଗଣ ମନ ଦ୍ୱାରା ନିଜର ଜ୍ଞାନେନ୍ଦ୍ରିୟମାନଙ୍କୁ ନିୟନ୍ତ୍ରିତ କରି, କର୍ମେନ୍ଦ୍ରିୟ ଦ୍ୱାରା ଆସକ୍ତି ରହିତ କର୍ମ କରନ୍ତି, ସେମାନେ ନିଶ୍ଚିିତ ରୂପେ ଉଚ୍ଚଶ୍ରେଣୀର …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ