ଅଧ୍ୟାୟ 4: ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ

ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ

ଚତୁର୍ଥ ଅଧ୍ୟାୟରେ ଶ୍ରୀକୃଷ୍ଣ ପ୍ରଦାନ କରୁଥିବା ଜ୍ଞାନର ମୌଳିକ ଉତ୍ପତ୍ତି ବିଷୟରେ ଆଲୋକପାତ କରି ସେହି ଜ୍ଞାନରେ ଅର୍ଜୁନଙ୍କର ଆସ୍ଥାକୁ ଦୃଢ଼ କରୁଛନ୍ତି । ସେ ବର୍ଣ୍ଣନା କରୁଛନ୍ତି କିପରି ସେ ଏହି ଚିରନ୍ତନ ଜ୍ଞାନକୁ ପ୍ରାରମ୍ଭରେ ସୂର୍ଯ୍ୟ ଦେବଙ୍କୁ ଶିକ୍ଷା ଦେଇଥିଲେ ଏବଂ ଏହା ଏକ ଧାରାବାହିକ ପ୍ରଥା ଭାବରେ କ୍ରମଶଃ ଧର୍ମପରାୟଣ ରାଜାମାନଙ୍କୁ ହସ୍ତାନ୍ତରିତ ହୋଇଥିଲା । ସେ ବର୍ତ୍ତମାନ ଯୋଗର ଏହି ସର୍ବୋଚ୍ଚ ବିଜ୍ଞାନ ଅର୍ଜୁନଙ୍କୁ ଦେଉଛନ୍ତି, ଯିଏ କି ତାଙ୍କର ପ୍ରିୟ ସଖା ଏବଂ ଭକ୍ତ ଅଟନ୍ତି । ଅର୍ଜୁନ ପଚାରୁଛନ୍ତି, ଶ୍ରୀକୃଷ୍ଣ ତ ବତ୍ତର୍ମାନ ଅଛନ୍ତି, ତେଣୁ ସେ କିପରି ବହୁ ଯୁଗ ପୂର୍ବେ ସୂର୍ଯ୍ୟ ଦେବତାଙ୍କୁ ଏହି ଜ୍ଞାନ ଦେଇପାରିଲେ? ତାର ପ୍ରତ୍ୟୁତ୍ତରରେ ଶ୍ରୀକୃଷ୍ଣ ତାଙ୍କର ଦିବ୍ୟ ଅବତାରର ରହସ୍ୟ ଉନ୍ମୋଚନ କରୁଛନ୍ତି । ସେ ସୂଚନା ଦେଉଛନ୍ତି ଯେ, ଯଦିଓ ସେ ଅଜନ୍ମା ଓ ଚିରନ୍ତନ ଅଟନ୍ତି, ତଥାପି ସେ ତାଙ୍କର ଯୋଗମାୟା ଶକ୍ତି ଦ୍ୱାରା, ଧର୍ମରକ୍ଷା ପାଇଁ ପୃଥିବୀରେ ଆବିର୍ଭାବ ହୁଅନ୍ତି । ତାଙ୍କର ଜନ୍ମ ଓ କର୍ମ ଉଭୟ ଦିବ୍ୟ, ଯାହା କଦାପି ସାଂସାରିକ ଅଶୁଦ୍ଧତାରେ ମଳୀନ ହୁଏ ନାହିଁ । ଯେଉଁ ବ୍ୟକ୍ତି ଏହି ଗୁପ୍ତ ରହସ୍ୟକୁ ଜାଣିନିଅନ୍ତି, ସେ ଦୃଢ଼ ବିଶ୍ୱାସର ସହିତ ଭକ୍ତିରେ ନିମଗ୍ନ ରହନ୍ତି ଏବଂ ଭଗବାନଙ୍କୁ ପ୍ରାପ୍ତ କରି ପୁନର୍ବାର ଏହି ପୃଥିବୀରେ ଜନ୍ମଗ୍ରହଣ କରନ୍ତି ନାହିଁ ।

ପୁନଶ୍ଚ, ଏହି ଅଧ୍ୟାୟରେ କର୍ମର ସ୍ୱଭାବ ଉପରେ ଆଲୋଚନା କରାଯାଇଅଛି ଏବଂ କର୍ମର ତିନୋଟି ସ୍ୱରୂପ-କର୍ମ, ଅକର୍ମ ଓ ବିକର୍ମ ଉପରେ ଆଲୋକପାତ କରାଯାଇଛି । କିପରି କର୍ମଯୋଗୀ ମାନେ କର୍ମରେ ଅତ୍ୟନ୍ତ ବ୍ୟସ୍ତ ରହି ଅକର୍ମରେ ସ୍ଥିତ ରହନ୍ତି ଏବଂ କର୍ମ ବନ୍ଧନରେ ଜଡ଼ିତ ହୁଅନ୍ତି ନାହିଁ, ତାହାର ବର୍ଣ୍ଣନା କରାଯାଇଛି । ଏହି ଜ୍ଞାନକୁ ପାଥେୟ କରି, ପୁରାତନ ମୁନି-ଋଷିମାନେ ସଫଳତା ଓ ବିଫଳତା, ସୁଖ ଓ ଦୁଃଖରେ ପ୍ରଭାବିତ ନ ହୋଇ, କର୍ମକୁ କେବଳ ଭଗବାନଙ୍କର ସୁଖ ଉଦ୍ଦେଶ୍ୟରେ ଅର୍ପଣ କରି ନିଜର କାର୍ଯ୍ୟ ସମ୍ପାଦନ କରନ୍ତି । ଯଜ୍ଞ ଅନେକ ପ୍ରକାରର ଅଟେ, ସେଥି ମଧ୍ୟରୁ କେତେକ ଏଠାରେ ଉଲ୍ଲେଖ କରାଯାଇଛି । ଯେତେବେଳେ ଯଜ୍ଞ ଉପଯୁକ୍ତ ଭାବରେ ସମର୍ପଣ କରାଯାଏ, ତାହାର ଅବଶିଷ୍ଟାଂଶ ଅମୃତରେ ପରିଣତ ହୁଏ । ଏହି ଅମୃତ ଗ୍ରହଣ କରି କର୍ତ୍ତାଙ୍କର ଅଶୁଦ୍ଧତା ଧୋଇ ହୋଇଯାଏ । ଅତଏବ, ଯଜ୍ଞ ସବୁବେଳେ ଉପଯୁକ୍ତ ମନୋଭାବ ସହିତ ଜ୍ଞାନଯୁକ୍ତ ହୋଇ ସମ୍ପନ୍ନ କରାଯିବା ଉଚିତ । ଜ୍ଞାନ ରୂପୀ ନୌକା ସାହାଯ୍ୟରେ ଅତ୍ୟନ୍ତ ପାପାତ୍ମା ମଧ୍ୟ ସାଂସାରିକ ଦୁଃଖର ସାଗରକୁ ପାର କରିପାରିବ । ଏହି ଜ୍ଞାନ ଜଣେ ବାସ୍ତବିକ ଆଧ୍ୟାତ୍ମିକ ଗୁରୁ, ଯିଏ ଭଗବତ୍ ପ୍ରାପ୍ତି କରିଥିବେ, ତାଙ୍କଠାରୁ ଗ୍ରହଣ କରିବା ଉଚିତ । ଅର୍ଜୁନଙ୍କର ଗୁରୁଭାବରେ ଶ୍ରୀକୃଷ୍ଣ ତାଙ୍କୁ ଆଦେଶ ଦେଉଛନ୍ତି ଯେ ଜ୍ଞାନରୂପକ ତରବାରୀ ଧାରଣ କରି, ତାଙ୍କ ମନରେ ଉତ୍ପନ୍ନ ହେଉଥିବା ସମସ୍ତ ସନ୍ଦେହକୁ ଛେଦନ କରନ୍ତୁ ଏବଂ ନିଜର କର୍ତ୍ତବ୍ୟ ପାଳନ କରିବାକୁ ପ୍ରସ୍ତୁତ ହୁଅନ୍ତୁ ।

ଭଗବଦ୍ ଗୀତା 4.1 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଭଗବାନ ଶ୍ରୀକୃଷ୍ଣ କହିଲେ: ମୁଁ ଏହି ଶାଶ୍ୱତ ଯୋଗର ବିଜ୍ଞାନ ସୂର୍ଯ୍ୟଦେବ ବିବସ୍ୱାନଙ୍କୁ ପ୍ରଦାନ କଲି, ସେ ଏହା ମନୁଙ୍କୁ ହସ୍ତାନ୍ତରିତ କଲେ ଼ଏବଂ ତାପରେ ମନୁ ଇକ୍ଷ୍ୱାକୁଙ୍କୁ ଶିକ୍ଷା ଦେଲେ ।

ଭଗବଦ୍ ଗୀତା 4.2 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଶତ୍ରୁଜିତ! ରାଜର୍ଷିମାନେ ଏକ ଧାରାବାହିକ ପରମ୍ପରା ଭାବରେ ଏହି ଯୋଗର ବିଜ୍ଞାନ ପାଇ ଆସୁଥିଲେ, କିନ୍ତୁ ସମୟକ୍ରମେ ତାହା ସଂସାରରୁ ଲୋପ ପାଇଯାଇଛି ।

ଭଗବଦ୍ ଗୀତା 4.3 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୁଁ ସେହି ପ୍ରାଚୀନ, ଅତ୍ୟନ୍ତ ଗୁପ୍ତ ଯୋଗର ବିଜ୍ଞାନ ଆଜି ତୁମ ସମ୍ମୁଖରେ ପ୍ରକାଶ କରୁଛି, କାରଣ ତୁମେ ମୋର ସଖା ତଥା ଭକ୍ତ ଅଟ ଏବଂ ତୁମେ ଏହି ଅଲୌକିକ ଜ୍ଞାନକୁ ବୁଝିପାରିବ ।

ଭଗବଦ୍ ଗୀତା 4.4 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅର୍ଜୁନ କହିଲେ; ଆପଣ ବିବସ୍ୱାନଙ୍କର ଜନ୍ମର ବହୁତ ପରେ ଜନ୍ମ ହୋଇଛନ୍ତି । ତେଣୁ ଆପଣ ପ୍ରାରମ୍ଭରେ ଏହି ବିଦ୍ୟା ତାଙ୍କୁ କିପରି ପ୍ରଦାନ କରିଥିଲେ, ତାହା ମୁଁ ବୁଝିପାରୁନାହିଁ ।

ଭଗବଦ୍ ଗୀତା 4.5 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଶ୍ରୀ ଭଗବାନ କହିଲେ, ହେ ପରନ୍ତପ ଅର୍ଜୁନ! ତୁମେ ଓ ମୁଁ ଉଭୟ ଅନେକ ଜନ୍ମ ଗ୍ରହଣ କରିଅଛେ । ତୁମେ ସେସବୁ ଭୁଲିଯାଇଛ, କିନ୍ତୁ ମୋର ସବୁ ମନେଅଛି ।

ଭଗବଦ୍ ଗୀତା 4.6 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯଦିଓ ମୁଁ ଅଜନ୍ମା, ସମସ୍ତ ପ୍ରାଣୀଙ୍କର ଅଧୀଶ୍ୱର ଏବଂ ଅବିନାଶୀ ଗୁଣ ସମ୍ପନ୍ନ ଅଟେ, ତଥାପି ମୁଁ ମୋର ଦିବ୍ୟ ଯୋଗମାୟା ଶକ୍ତି ଦ୍ୱାରା ସଂସାରରେ ଆବିର୍ଭାବ ହୋଇଥାଏ ।

ଭଗବଦ୍ ଗୀତା 4.7 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅର୍ଜୁନ! ଯେତେବେଳେ ବି ଧର୍ମର ଅବକ୍ଷୟ ହୁଏ ଏବଂ ଅଧର୍ମର ବୃଦ୍ଧି ଘଟେ, ସେତେବେଳେ ମୁଁ ସଂସାରରେ ଅବତରିତ ହୁଏ ।

ଭଗବଦ୍ ଗୀତା 4.8 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସନ୍ଥମାନଙ୍କର ରକ୍ଷା କରିବା ପାଇଁ, ଦୁଷ୍ଟମାନଙ୍କର ବିନାଶ କରିବା ପାଇଁ ଏବଂ ଧର୍ମର ମାର୍ଗର ପୁନଃ ପ୍ରତିଷ୍ଠା ପାଇଁ, ମୁଁ ଯୁଗେ ଯୁଗେ ଧରାପୃଷ୍ଠରେ ଅବତରିତ ହୋଇଥାଏ ।

ଭଗବଦ୍ ଗୀତା 4.9 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ମୋର ଜନ୍ମ ଓ କର୍ମର ଦିବ୍ୟତାକୁ ବୁଝିପାରନ୍ତି, ହେ ଅର୍ଜୁନ! ସେମାନେ ଶରୀର ତ୍ୟାଗ ପରେ, ପୁନର୍ବାର ଜନ୍ମ ଗ୍ରହଣ ନକରି, ମୋର ଦିବ୍ୟଧାମକୁ ଆସିଥାନ୍ତି ।

ଭଗବଦ୍ ଗୀତା 4.10 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅତୀତରେ ଅନେକ ବ୍ୟକ୍ତି ଆସକ୍ତି, ଭୟ ଓ କ୍ରୋଧ ମୁକ୍ତ ହୋଇ ପୂର୍ଣ୍ଣତଃ ମୋ ପ୍ରତି ସମର୍ପିତ ହୋଇଛନ୍ତି ଏବଂ ଶରଣାଗତି ଦ୍ୱାରା ମୋର ଦିବ୍ୟ ଜ୍ଞାନ ପ୍ରାପ୍ତ କରି ଶୁଦ୍ଧ ହୋଇଛନ୍ତି ଏବଂ ସେମାନେ ମୋର ଦିବ୍ୟ ପ୍ରେମ ଲାଭ କରିଛନ୍ତି ।

ଭଗବଦ୍ ଗୀତା 4.11 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମନୁଷ୍ୟମାନେ ଯେପରି ଭାବରେ ମୋର ଶରଣାଗତ ହୁଅନ୍ତି, ମୁଁ ସେମାନଙ୍କୁ ସେହି ଅନୁସାରେ ତାର ପ୍ରତିଦାନ ଦେଇଥାଏ । ହେ ପାର୍ଥ! ଜ୍ଞାତରେ ହେଉ କି ଅଜ୍ଞାତ ସାରରେ ହେଉ ସମସ୍ତେ ମୋର ମାର୍ଗ ଅନୁସରଣ କରନ୍ତି ।

ଭଗବଦ୍ ଗୀତା 4.12 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଏହି ପୃଥିବୀରେ ଯେଉଁମାନେ ସାଂସାରିକ କାର୍ଯ୍ୟରେ ସଫଳ ହେବାକୁ ଚାହାଁନ୍ତି, ସେମାନେ ସ୍ୱର୍ଗର ଦେବତା ମାନଙ୍କୁ ପୂଜା କରିଥାନ୍ତି, କାରଣ ତଦ୍ୱାରା ସାଂସାରିକ ଫଳ ଅତି ଶୀଘ୍ର ପ୍ରାପ୍ତ ହୋଇଥାଏ ।

ଭଗବଦ୍ ଗୀତା 4.13 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମନୁଷ୍ୟମାନଙ୍କର ଗୁଣ ଓ କର୍ମ ଅନୁସାରେ, ମୁଁ ଚାରି ପ୍ରକାର ବର୍ଣ୍ଣ ବା ବୃତ୍ତି ସୃଷ୍ଟି କରିଥିଲି । ଯଦିଓ ମୁଁ ଏହି ଶ୍ରେଣୀ ବିଭାଗର ସ୍ରଷ୍ଟା ଅଟେ, ମୋତେ ଅକର୍ତ୍ତା ତଥା ଚିରନ୍ତନ ବିବେଚନା କର ।

ଭଗବଦ୍ ଗୀତା 4.14 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

କୌଣସି କର୍ମ ମୋତେ ପ୍ରଭାବିତ କରେ ନାହିଁ, କୌଣସି କର୍ମଫଳ ପ୍ରତି ମୋର ସ୍ପୃହା ନାହିଁ । ଯେଉଁମାନେ ମୋତେ ଏହି ରୂପରେ ଜାଣନ୍ତି, ସେମାନେ କର୍ମଫଳର ବନ୍ଧନରେ ବାନ୍ଧି ହୁଅନ୍ତି ନାହିଁ ।

ଭଗବଦ୍ ଗୀତା 4.15 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ପ୍ରାଚୀନ କାଳରେ ମୁକ୍ତିକାମୀ ମହାପୁରୁଷମାନେ ଏହି ସତ୍ୟକୁ ଜାଣି ତଦନୁସାରେ କର୍ମ କରୁଥିଲେ । ଅତଏବ ସେହି ପ୍ରାଚୀନ ସନ୍ଥମାନଙ୍କର ପଦାଙ୍କ ଅନୁସରଣ କରି ତୁମେ ମଧ୍ୟ ତୁମର କର୍ତ୍ତବ୍ୟ କରିବା ଉଚିତ ।

ଭଗବଦ୍ ଗୀତା 4.16 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

କର୍ମ କ’ଣ ଓ ଅକର୍ମ କ’ଣ? ବିଜ୍ଞ ବ୍ୟକ୍ତିମାନେ ମଧ୍ୟ ଏହାର ପ୍ରତିପାଦନ କରିବାକ୍‌ୁ ଯାଇ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି । ମୁଁ ବର୍ତ୍ତମାନ କର୍ମର ରହସ୍ୟ ବର୍ଣ୍ଣନା କରିବି, ଯାହାକୁ ଜାଣି ତୁମେ ନିଜକୁ ଭୌତିକ ବନ୍ଧନରୁ ମୁକ୍ତ କରିପାରିବ ।

ଭଗବଦ୍ ଗୀତା 4.17 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ତୁମେ ଏହି ତିନୋଟିର ସ୍ୱରୂପ ବୁଝିବା ନିତାନ୍ତ ଆବଶ୍ୟକ - କର୍ମ, ବିକର୍ମ ଓ ଅକର୍ମ । ଏହାର ସଠିକ୍ ନିରୂପଣ ଅତ୍ୟନ୍ତ ଗହନ ଏବଂ ଏହାକୁ ବୁଝିବା କଷ୍ଟକର ।

ଭଗବଦ୍ ଗୀତା 4.18 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ କର୍ମ ମଧ୍ୟରେ ଅକର୍ମ ଏବଂ ଅକର୍ମ ମଧ୍ୟରେ କର୍ମ ଦେଖି ପାରନ୍ତି, ସେମାନେ ମନୁଷ୍ୟମାନଙ୍କ ମଧ୍ୟରେ ବିଜ୍ଞ ଅଟନ୍ତି । ସମସ୍ତ ପ୍ରକାର କାର୍ଯ୍ୟ କରୁଥିଲେ ମଧ୍ୟ, ସେମାନେ ଯୋଗୀ ତଥା ତାଙ୍କ କର୍ମର ନିୟନ୍ତ୍ରକ ଅଟନ୍ତି ।

ଭଗବଦ୍ ଗୀତା 4.19 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯାହାର ପ୍ରତ୍ୟେକ କର୍ମ ଭୌତିକ କାମନା ରହିତ ହୋଇଥାଏ ଏବଂ ଯେଉଁମାନେ ତାଙ୍କର କର୍ମର ପ୍ରତିକ୍ରିୟାକୁ ଦିବ୍ୟ ଜ୍ଞାନ ରୂପକ ଅଗ୍ନିରେ ଦଗ୍‌ଧ କରି ଦେଇଥାନ୍ତି, ସେମାନଙ୍କୁ ବିଜ୍ଞ ମହାତ୍ମାମାନେ ଜ୍ଞାନୀ କହିଥାନ୍ତି ।

ଭଗବଦ୍ ଗୀତା 4.20 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଏହିପରି ବ୍ୟକ୍ତିମାନେ, ଫଳାସକ୍ତି ତ୍ୟାଗ କରିଥିବା ଯୋଗୁଁ, ବାହ୍ୟ ବସ୍ତୁ ଉପରେ ନିର୍ଭର ନ କରି ସର୍ବଦା ତୃପ୍ତ ରୁହନ୍ତି । ସମସ୍ତ କର୍ମ କରୁଥିବା ସତ୍ତ୍ୱେ ସେମାନେ କିଛି କରୁ ନ ଥାନ୍ତି ।

ଭଗବଦ୍ ଗୀତା 4.21 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଆଶା ଓ ଅଧିକାରୀଭାବରୁ ମୁକ୍ତ ହୋଇ, ମନ ଓ ବୁଦ୍ଧିକୁ ପୂର୍ଣ୍ଣତଃ ବଶକରି, ଜଣେ ବ୍ୟକ୍ତି ଶରୀର ଦ୍ୱାରା କର୍ମ କରୁଥିଲେ ମଧ୍ୟ ପାପ ଯୁକ୍ତ ହୁଅନ୍ତି ନାହିଁ ।

ଭଗବଦ୍ ଗୀତା 4.22 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସ୍ୱତଃ ମିଳୁଥିବା ଲାଭରେ ସନ୍ତୁଷ୍ଟ ଏବଂ ଈର୍ଷାଶୂନ୍ୟ ହୋଇଥିବା ବ୍ୟକ୍ତିମାନେ ଜୀବନର ଦ୍ୱନ୍ଦ୍ୱରୁ ଊର୍ଦ୍ଧ୍ୱରେ ରହନ୍ତି । ସଫଳତା ଓ ଅସଫଳତାରେ ସମଭାବାପନ୍ନ ରହୁଥିବାରୁ ସେମାନେ ସମସ୍ତ ପ୍ରକାରର କାର୍ଯ୍ୟ କରୁଥିଲେ ମଧ୍ୟ କର୍ମ ବନ୍ଧନରେ ଆବଦ୍ଧ ହୁଅନ୍ତି ନାହିଁ ।

ଭଗବଦ୍ ଗୀତା 4.23 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସେମାନେ ଭୌତିକ ଆସକ୍ତି ରୂପକ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି ଏବଂ ସେମାନଙ୍କର ଚେତନା ଦିବ୍ୟଜ୍ଞାନ ସ୍ତରରେ ସ୍ଥିତ ହୁଏ । ଯେହେତୁ ସେମାନେ ସମସ୍ତ କର୍ମ ଯଜ୍ଞ (ଭଗବାନଙ୍କ ଉଦ୍ଦେଶ୍ୟରେ) ରୂପରେ କରିଥାଆନ୍ତି, ସେମାନେ କର୍ମ ବନ୍ଧନରୁ ମୁକ୍ତ ହୋଇଯା’ନ୍ତି ।

ଭଗବଦ୍ ଗୀତା 4.24 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ସମ୍ପୂର୍ଣ୍ଣ ରୂପେ ବ୍ରହ୍ମଚେତନାରେ ଲୀନ ରହନ୍ତି, ତାଙ୍କ ପାଇଁ ନୈବେଦ୍ୟ ବ୍ରହ୍ମ ଅଟନ୍ତି, ନୈବେଦ୍ୟ ଦିଆଯାଉଥିବା ଅଣକ ବ୍ରହ୍ମ ଅଟନ୍ତି, ଅର୍ପଣ କରୁଥିବା କ୍ରିୟା ବ୍ରହ୍ମ ଅଟନ୍ତି, ଯଜ୍ଞ ଅଗ୍ନି ମଧ୍ୟ ବ୍ରହ୍ମ ଅଟନ୍ତି । ଯେଉଁମାନେ ପ୍ରତ୍ୟେକ ବସ୍ତୁକୁ ବ୍ରହ୍ମରୂପରେ ଦେଖନ୍ତି, ସେମାନେ ସହଜରେ ତାଙ୍କୁ ପ୍ରାପ୍ତ କରିଥା’ନ୍ତି ।

ଭଗବଦ୍ ଗୀତା 4.25 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

କେତେକ ଯୋଗୀ ସ୍ୱର୍ଗର ଦେବତାମାନଙ୍କୁ ଭୌତିକ ଦ୍ରବ୍ୟମାନ ଅର୍ପଣ କରି ପୂଜା କରନ୍ତି । ଅନ୍ୟମାନେ ପରମ ସତ୍ୟର ଅଗ୍ନିରେ ସଂପୂର୍ଣ୍ଣ ରୂପେ ନିଜକୁ ଅର୍ପଣ କରି ଉପାସନା କରନ୍ତି ।

ଭଗବଦ୍ ଗୀତା 4.26 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

କେହି କେହି ଶ୍ରବଣ ତଥା ଅନ୍ୟ ଇନ୍ଦ୍ରିୟମାନଙ୍କୁ ସଂଯମ ରୂପୀ ଯଜ୍ଞାଗ୍ନିରେ ଆହୁତି ଦିଅନ୍ତି । ଅନ୍ୟମାନେ ଶବ୍ଦାଦି ଇନ୍ଦ୍ରିୟ ଭୋଗ୍ୟ ବିଷୟ ସବୁକୁ ଇନ୍ଦ୍ରିୟର ଅଗ୍ନିରେ ଅର୍ପଣ କରନ୍ତି ।

ଭଗବଦ୍ ଗୀତା 4.27 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

କେତେକ ବ୍ୟକ୍ତି ଜ୍ଞାନଯୁକ୍ତ ହୋଇ, ତାଙ୍କର ଇନ୍ଦ୍ରିୟମାନଙ୍କର କର୍ମ ଏବଂ ପ୍ରାଣଶକ୍ତିକୁ ଆତ୍ମସଂଯମିତ ମନର ଅଗ୍ନିରେ ଅର୍ପଣ କରିଦିଅନ୍ତି ।

ଭଗବଦ୍ ଗୀତା 4.28 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

କେହି କେହି ତାଙ୍କ ପାଖରେ ଥିବା ଧନରାଶିକୁ ଯଜ୍ଞ ରୂପରେ ପ୍ରଦାନ କରନ୍ତି, ଅନ୍ୟମାନେ ଯଜ୍ଞ ରୂପରେ କଠୋର ଆତ୍ମସଂଯମ ପାଳନ କରନ୍ତି । ଅନ୍ୟ କେହି କେହି ଅଷ୍ଟାଙ୍ଗ ଯୋଗକ୍ରିୟାର ସାଧନା କରିଥାନ୍ତି । ପୁଣି କେତେଜଣ କଠୋର ପ୍ରତିଜ୍ଞାବଦ୍ଧ ହୋଇ, ଶାସ୍ତ୍ର ଆଦି ପଠନ ଦ୍ୱାରା ଜ୍ଞାନ ଅର୍ଜନକୁ ଯଜ୍ଞ ରୂପେ କରିଥାନ୍ତି ।

ଭଗବଦ୍ ଗୀତା 4.29 - 4.30 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅନ୍ୟ କେତେଜଣ ଅଛନ୍ତି ଯେଉଁମାନେ ନିଶ୍ୱାସକୁ ପ୍ରଶ୍ୱାସରେ ଅର୍ପଣ କରନ୍ତି ଏବଂ ଅନ୍ୟ କେତେକ ପ୍ରଶ୍ୱାସକୁ ନିଶ୍ୱାସରେ ଅର୍ପଣ କରନ୍ତି । କେତେକ ଅତି କଠୋର ଭାବେ ପ୍ରାଣାୟାମ କରିଥାନ୍ତି ଏବଂ ନିଶ୍ୱାସ ଓ ପ୍ରଶ୍ୱାସକୁ ରୁଦ୍ଧ କରି, ପ୍ରାଣଶକ୍ତିକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣଭାବେ ତତ୍ପର ରହନ୍ତି । ଆଉ କେତେଜଣ ଅଛନ୍ତି ଯେଉଁମାନେ ତାଙ୍କର ଆହାରକୁ ହ୍ରାସ କରି ଶ୍ୱାସରୁ ପ୍ରାଣଶକ୍ତିକୁ ଯଜ୍ଞରୂପରେ ଅର୍ପଣ କରନ୍ତି । ଯଜ୍ଞ ସମ୍ବନ୍ଧରେ ଜାଣିଥିବା ବ୍ୟକ୍ତି ମାନେ ଏହିପରି କରିବା ଦ୍ୱାରା ତାଙ୍କର କଳୁଷିତ ଅନ୍ତଃକରଣକୁ ଶୁଦ୍ଧ କରିଥାନ୍ତି ।

ଭଗବଦ୍ ଗୀତା 4.31 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ଯଜ୍ଞର ରହସ୍ୟ ଜାଣନ୍ତି ଏବଂ ତାକୁ ପାଳନ କରି ତାର ଅବଶିଷ୍ଟାଂଶକୁ ଅମୃତପରି ଗ୍ରହଣ କରନ୍ତି, ସେମାନେ ପରମ ସତ୍ୟ ଦିଗରେ ଅଗ୍ରସର ହୁଅନ୍ତି । ହେ କୁରୁଶ୍ରେଷ୍ଠ! ଯେଉଁମାନେ କୌଣସି ଯଜ୍ଞ କରନ୍ତି ନାହିଁ, ସେମାନେ ଇହଲୋକ ବା ପରଲୋକରେ କୌଣସି ସୁଖ ଲାଭ କରନ୍ତି ନାହିଁ ।

ଭଗବଦ୍ ଗୀତା 4.32 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଏହିପରି ବିଭିନ୍ନ ପ୍ରକାରର ଯଜ୍ଞ ବେଦରେ ବର୍ଣ୍ଣିତ ହୋଇଛି । ତାହା ଭିନ୍ନ ଭିନ୍ନ ପ୍ରକାରର କର୍ମରୁ ଉତ୍ପନ୍ନ ହେଉଥିବା ବିଷୟରେ ଜାଣ; ଏହି ଜ୍ଞାନ ମାୟିକ ବନ୍ଧନର ଗ୍ରନ୍ଥିକୁ ଛିନ୍ନ କରିଦିଏ ।

ଭଗବଦ୍ ଗୀତା 4.33 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ପରନ୍ତପ! ଜ୍ଞାନଯଜ୍ଞ, ଯନ୍ତ୍ରବତ୍ ଦ୍ରବ୍ୟଯଜ୍ଞଠାରୁ ଶ୍ରେଷ୍ଠ ଅଟେ । ହେ ପାର୍ଥ! ସର୍ବଶେଷରେ କର୍ମର ସମସ୍ତ ଯଜ୍ଞ ଜ୍ଞାନରେ ସ୍ଥିତ ହୋଇଥାଏ ।

ଭଗବଦ୍ ଗୀତା 4.34 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ପାଖକୁ ଯାଇ ସତ୍ୟକୁ ଜାଣ । ବିନମ୍ରତା ସହ ତାଙ୍କୁ ପ୍ରଶ୍ନ କର ଏବଂ ତାଙ୍କର ସେବା କର । ଏହିପରି ଜଣେ ଶାସ୍ତ୍ରଜ୍ଞ ମହାପୁରୁଷ ତୁମକୁ ଜ୍ଞାନ ପ୍ରଦାନ କରିପାରିବେ, କାରଣ ସେ ସତ୍ୟର ଦର୍ଶନ କରିଛନ୍ତି ।

ଭଗବଦ୍ ଗୀତା 4.35 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅର୍ଜୁନ! ଏହି ପଥ ଅନୁସରଣ କରି ତଥା ଗୁରୁଙ୍କ ଦ୍ୱାରା ଜ୍ଞାନୋଦ୍ଦୀପ୍ତ ହୋଇ, ତୁମେ ଆଉ ଭ୍ରମିତ ହେବ ନାହିଁ । ସେହି ଜ୍ଞାନର ଆଲୋକରେ, ତୁମେ ସମସ୍ତ ପ୍ରାଣୀଙ୍କୁ ପରମାତ୍ମାଙ୍କର ଅଂଶ ଭାବରେ ଏବଂ ମୋ ମଧ୍ୟରେ ଦେଖିବ ।

ଭଗବଦ୍ ଗୀତା 4.36 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ପାପୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ପାପାତ୍ମା ରୂପେ ପରିଗଣିତ ହୁଅନ୍ତି, ସେମାନେ ମଧ୍ୟ ଦିବ୍ୟଜ୍ଞାନର ନୈକାରେ ଆରୋହଣ କରି ଭବସାଗର ପାର କରିବାକୁ ସକ୍ଷମ ହୋଇପାରିବେ ।

ଭଗବଦ୍ ଗୀତା 4.37 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅର୍ଜୁନ! ଅଗ୍ନିଶିଖା ଯେପରି ଇନ୍ଧନକୁ ପାଉଁଶରେ ପରିଣତ କରିଦିଏ, ସେହିପରି ଜ୍ଞାନର ଅଗ୍ନି ସାଂସାରିକ କର୍ମର ଫଳକୁ ଜଳାଇ ଭସ୍ମ କରିଦିଏ ।

ଭଗବଦ୍ ଗୀତା 4.38 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଏହି ସଂସାରରେ, ଦିବ୍ୟଜ୍ଞାନ ପରି ପବିତ୍ର ଅନ୍ୟ କିିଛି ନାହିଁ । ଯିଏ ସୁଦୀର୍ଘ ଯୋଗ ସାଧନା ଦ୍ୱାରା ମନକୁ ଶୁଦ୍ଧ କରିଥାଏ, ସମୟାନୁକ୍ରମେ ସେହି ଜ୍ଞାନକୁ ସେ ଅନ୍ତଃକରଣରେ ପ୍ରାପ୍ତ କରେ ।

ଭଗବଦ୍ ଗୀତା 4.39 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁ ବ୍ୟକ୍ତି ଗଭୀର ଶ୍ରଦ୍ଧାବାନ ଅଟନ୍ତି ଏବଂ ମନ ଓ ଇନ୍ଦ୍ରିୟକୁ ଦମନ କରିବାର ଅଭ୍ୟାସ କରିଥାଆନ୍ତି, ସେ ଦିବ୍ୟଜ୍ଞାନ ପ୍ରାପ୍ତ କରନ୍ତି । ଏହିପରି ପରମାର୍ଥିକ ଜ୍ଞାନ ଦ୍ୱାରା, ସେମାନେ ଅଚିରେ ଚିରନ୍ତନ ଶାନ୍ତି ଲାଭ କରନ୍ତି ।

ଭଗବଦ୍ ଗୀତା 4.40 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

କିନ୍ତୁ ଯେଉଁ ବ୍ୟକ୍ତିର ବିଶ୍ୱାସ ବା ଜ୍ଞାନ ନାହିଁ ଏବଂ ସ୍ୱଭାବତଃ ଯେଉଁମାନେ ସନ୍ଦେହୀ ହୋଇଥାନ୍ତି, ତାଙ୍କର ଅଧୋଗତି ହୋଇଥାଏ । ଏପରି ଏକ ସଂଶୟଯୁକ୍ତ ଆତ୍ମା, ଇହଲୋକରେ ବା ପରଲୋକରେ ସୁଖ ପାଇ ନ ଥାଏ ।

ଭଗବଦ୍ ଗୀତା 4.41 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅର୍ଜୁନ! ଯେଉଁମାନେ ଯୋଗର ଅଗ୍ନିରେ କର୍ମକୁ ତ୍ୟାଗ କରିଛନ୍ତି, ଯାହାର ଶଙ୍କା ଜ୍ଞାନ ଦ୍ୱାରା ଦୂରୀଭୂତ ହୋଇଛି ଏବଂ ଯେଉଁମାନେ ଆତ୍ମଜ୍ଞାନରେ ସ୍ଥିତ, କର୍ମ ସେମାନଙ୍କୁ ବନ୍ଧନରେ ପକାଏ ନାହିଁ ।

ଭଗବଦ୍ ଗୀତା 4.42 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ତେଣୁ, ତୁମ ହୃଦୟରେ ଉପୁଜିଥିବା ଅବିଶ୍ୱାସକୁ ଜ୍ଞାନର ତରବାରୀରେ ଛିନ୍ନ କର । ହେ ଭାରତ ଶ୍ରେଷ୍ଠ! ନିଜକୁ କର୍ମ ଯୋଗରେ ସ୍ଥିତ କର । ଉଠ, ଠିଆ ହୁଅ ଏବଂ କର୍ମ କର ।
Swami Mukundananda
4. ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency