ବୀତରାଗଭୟକ୍ରୋଧା ମନ୍ମୟା ମାମୁପାଶ୍ରିତାଃ ।
ବହବୋ ଜ୍ଞାନତପସା ପୂତା ମଦ୍ଭାବମାଗତାଃ ।।୧୦।।
ବୀତ-ମୁକ୍ତ; ରାଗ- ଅନୁରାଗ; ଭୟ-ଭୟ; କ୍ରୋଧ -କ୍ରୋଧ; ମତ୍ ମୟା- ସମ୍ପୂର୍ଣ୍ଣରୂପେ ମୋଠାରେ; ମାଂ - ମୋତେ; ଉପାଶ୍ରିତାଃ - ଆଶ୍ରୟ କରି; ବହବଃ - ଅନେକ; ଜ୍ଞାନ - ଜ୍ଞାନ; ତପସ୍ୟା-ତପସ୍ୟାଦ୍ୱାରା; ପୂତାଃ - ପବିତ୍ର ହୋଇ; ମତ ଭାବମ୍ - ମୋ ପ୍ରତି ଦିବ୍ୟ ପ୍ରେମ; ଆଗତାଃ - ପ୍ରାପ୍ତ ହୋଇଥିଲେ ।
BG 4.10: ଅତୀତରେ ଅନେକ ବ୍ୟକ୍ତି ଆସକ୍ତି, ଭୟ ଓ କ୍ରୋଧ ମୁକ୍ତ ହୋଇ ପୂର୍ଣ୍ଣତଃ ମୋ ପ୍ରତି ସମର୍ପିତ ହୋଇଛନ୍ତି ଏବଂ ଶରଣାଗତି ଦ୍ୱାରା ମୋର ଦିବ୍ୟ ଜ୍ଞାନ ପ୍ରାପ୍ତ କରି ଶୁଦ୍ଧ ହୋଇଛନ୍ତି ଏବଂ ସେମାନେ ମୋର ଦିବ୍ୟ ପ୍ରେମ ଲାଭ କରିଛନ୍ତି ।
ପୂର୍ବବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ କହିଲେ ଯେ, ଯେଉଁମାନେ ତାଙ୍କର ଜନ୍ମ ଓ ଲୀଳାର ଦିବ୍ୟତା ହୃଦୟଙ୍ଗମ କରନ୍ତି, ସେମାନେ ତାଙ୍କୁ ପ୍ରାପ୍ତ କରନ୍ତି । ସେ ବର୍ତ୍ତମାନ ଏହାର ଦୃଢ଼ୀକରଣ କରୁଛନ୍ତି ଯେ, ଏହି ଉପାୟରେ ଅସଂଖ୍ୟ ବ୍ୟକ୍ତି ଭଗବତ୍ ପ୍ରାପ୍ତି କରିଛନ୍ତି । ଭକ୍ତିଦ୍ୱାରା ତାଙ୍କର ଅନ୍ତଃକରଣ ଶୁଦ୍ଧ କରି ସେମାନେ ଏହି ଲକ୍ଷ୍ୟ ପ୍ରାପ୍ତ କରିଛନ୍ତି । ଶ୍ରୀ ଅରବିନ୍ଦ ଅତି ସୁନ୍ଦର ଭାବରେ ଏହାକୁ ବର୍ଣ୍ଣନା କରିଛନ୍ତି: “ତୁମେ ଯଦି ହୃଦୟରେ ଚୈତନ୍ୟର ଉପସ୍ଥିତି ସ୍ଥାପିତ କରିବାକୁ ଇଚ୍ଛା କରୁଥାଅ, ତାହେଲେ ତୁମ ହୃଦୟ ମନ୍ଦିରକୁ ନିର୍ମଳ ରଖିବାକୁ ପଡ଼ିବ । ବାଇବେଲ ଉଲ୍ଲେଖ କରେ: “ନିର୍ମଳ ହୃଦୟ ବ୍ୟକ୍ତିମାନେ ଧନ୍ୟ ଅଟନ୍ତି, କାରଣ ସେମାନେ ଭଗବାନଙ୍କର ଦର୍ଶନ ଲାଭ କରିବେ ।” (ମାଥ୍ୟୁସ୍ ୫.୮)
ତେବେ ହୃଦୟ ନିର୍ମଳ କିପରି ହୁଏ? ଆସକ୍ତି, କ୍ରୋଧ ଓ ଭୟ ତ୍ୟାଗ କରି ଭଗବାନଙ୍କଠାରେ ମନ ଲଗାଇବା ଦ୍ୱାରା ଏହା ସମ୍ଭବ ହୋଇଥାଏ । ପ୍ରକୃତରେ, କାମନା ହିଁ ଉଭୟ ଭୟ ଓ କ୍ରୋଧର କାରଣ ଅଟେ । ଇପ୍ସିତ ବସ୍ତୁ ଆମ ହାତରୁ ଚାଲିଯିବାର ଆଶଙ୍କା ଭୟ ଉତ୍ପନ୍ନ କରେ । କାମ୍ୟ ବସ୍ତୁ ପ୍ରାପ୍ତିରେ ବାଧା ଉତ୍ପନ୍ନ ହେଲେ କ୍ରୋଧ ଜାତ ହୁଏ । ତେଣୁ କାମନା ଆମ ମନକୁ ଅଶୁଦ୍ଧ କରିବାର ମୂଳ କାରଣ ଅଟେ ।
ମାୟାର ଏହି ସଂସାରରେ ତିିନି ପ୍ରକାର ମାୟିକ ଗୁଣ ରହିଛି - ସତ୍ତ୍ୱ, ରଜ, ତମ (ସଦ୍ଗୁଣ, ଅବେଗ ଏବଂ ଅଜ୍ଞାନତା) ସଂସାରର ସମସ୍ତ ବସ୍ତୁ ବା ବ୍ୟକ୍ତି ଏହି ତିନି ଗୁଣର ପରିଧିର ଅନ୍ତର୍ଭୁକ୍ତ । ଯେତେବେଳେ ଆମେ କୌଣସି ମାୟାଧୀନ ବ୍ୟକ୍ତି ବା ବସ୍ତୁରେ ମନ ଲଗାଇଥାଏ, ଏହି ତିନି ଗୁଣ ଦ୍ୱାରା ପ୍ରଭାବିତ ହୋଇଥାଏ । ତା ପରିବର୍ତ୍ତେ ଯେତେବେଳେ ଏହି ତିନିଗୁଣର ଊର୍ଦ୍ଧ୍ୱରେ ସ୍ଥିତ ଭଗବାନଙ୍କଠାରେ ଆମର ମନ ଲଗାଏ, ଏହା ମନକୁ ପବିତ୍ର କରିଥାଏ । ତେଣୁ ଆମ ମନକୁ କ୍ରୋଧ, ଲୋଭ, ଇର୍ଷା, ଭ୍ରମ ଆଦି ଦୋଷ ମୁକ୍ତ କରିବାର ସର୍ବଶ୍ରେଷ୍ଠ ଉପାୟ ହେଲା ତାକୁ ସଂସାରରୁ ହଟାଇ ଈଶ୍ୱରଙ୍କଠାରେ ଲଗାଇବା । ତେଣୁ ରାମାୟଣ କହେ:
ପ୍ରେମ ଭଗତି ଜଳ ବିନୁ ରଘୁରାଈ, ଅଭିଅନ୍ତର ମଳ କବହୁଁ ଯାଈ ।
“ଭଗବାନଙ୍କର ଭକ୍ତି ବିନା ମନର ମଇଳା ଧୋଇ ହେବ ନାହିଁ ।” ଏପରିକି ଜ୍ଞାନଯୋଗର ସର୍ବଶ୍ରେଷ୍ଠ ପ୍ରଚାରକ ଶଙ୍କରାଚାର୍ଯ୍ୟ ମଧ୍ୟ କହନ୍ତି:
ଶୁଦ୍ଧୟତି ହି ନାନ୍ତରାତ୍ମା କୃଷ୍ଣପଦାମ୍ଭୋଜ ଭକ୍ତିମୃତେ (ପ୍ରବୋଧ ସୁଧାକର)
“ଶ୍ରୀକୃଷ୍ଣଙ୍କ ପାଦପଦ୍ମର ଭକ୍ତି ନ କଲେ ମନ ଶୁଦ୍ଧ ହେବ ନାହିଁ ।”
ପୂର୍ବ ଶ୍ଲୋକଟି ପାଠ କରି ମନରେ ଏହି ପ୍ରଶ୍ନ ଉଠିପାରେ ଯେ ତାଙ୍କଠାରେ ମନୋନିବେଶ କରିଥିବା ଜୀବ ଏବଂ ସଂସାର-ଆସକ୍ତ ଜୀବମାନଙ୍କୁ କୃପା ପ୍ରଦାନ କରିବାରେ ଶ୍ରୀକୃଷ୍ଣ କୌଣସି ପକ୍ଷପାତ କରନ୍ତି କି? ଭଗବାନ ଏହାର ସମାଧାନ ପରବର୍ତ୍ତୀ ଶ୍ଲୋକରେ କରିଛନ୍ତି ।
ବୀତରାଗଭୟକ୍ରୋଧା ମନ୍ମୟା ମାମୁପାଶ୍ରିତାଃ ।
ବହବୋ ଜ୍ଞାନତପସା ପୂତା ମଦ୍ଭାବମାଗତାଃ ।।୧୦।।
ଅତୀତରେ ଅନେକ ବ୍ୟକ୍ତି ଆସକ୍ତି, ଭୟ ଓ କ୍ରୋଧ ମୁକ୍ତ ହୋଇ ପୂର୍ଣ୍ଣତଃ ମୋ ପ୍ରତି ସମର୍ପିତ ହୋଇଛନ୍ତି ଏବଂ ଶରଣାଗତି ଦ୍ୱାରା ମୋର ଦିବ୍ୟ ଜ୍ଞାନ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ