ଦ୍ରବ୍ୟଯଜ୍ଞାସ୍ତପୋଯଜ୍ଞା ଯୋଗଯଜ୍ଞାସ୍ତଥାପରେ ।
ସ୍ୱାଧ୍ୟାୟଜ୍ଞାନଯଜ୍ଞାଶ୍ଚ ଯତୟଃ ସଂଶିତବ୍ରତାଃ ।।୨୮।।
ଦ୍ରବ୍ୟଯଜ୍ଞାଃ- ନିଜର ଧନକୁ ଯଜ୍ଞରେ ଅର୍ପଣ କରିବା; ତପୋଯଜ୍ଞଃ - ତପସ୍ୟାରୂପକ ଯଜ୍ଞ; ଯୋଗ-ଯଜ୍ଞାଃ - ଅଷ୍ଟାଙ୍ଗ ଯୋଗ ସାଧନାରୂପକ ଯଜ୍ଞ; ତଥା -ସେହିପରି; ଅପରେ -ଅନ୍ୟମାନେ; ସ୍ୱାଧ୍ୟାୟ- ଶାସ୍ତ୍ର ଅଧ୍ୟୟନରୂପୀ ଯଜ୍ଞ; ଜ୍ଞାନଯଜ୍ଞାଃ - ଦିବ୍ୟ ଜ୍ଞାନ ଅର୍ଜନ ରୂପକ ଯଜ୍ଞ; ଚ- ମଧ୍ୟ; ଯତୟଃ -ଯତିମାନେ; ସଂଶିତ-ବ୍ରତାଃ - କଠିନ ବ୍ରତ ।
BG 4.28: କେହି କେହି ତାଙ୍କ ପାଖରେ ଥିବା ଧନରାଶିକୁ ଯଜ୍ଞ ରୂପରେ ପ୍ରଦାନ କରନ୍ତି, ଅନ୍ୟମାନେ ଯଜ୍ଞ ରୂପରେ କଠୋର ଆତ୍ମସଂଯମ ପାଳନ କରନ୍ତି । ଅନ୍ୟ କେହି କେହି ଅଷ୍ଟାଙ୍ଗ ଯୋଗକ୍ରିୟାର ସାଧନା କରିଥାନ୍ତି । ପୁଣି କେତେଜଣ କଠୋର ପ୍ରତିଜ୍ଞାବଦ୍ଧ ହୋଇ, ଶାସ୍ତ୍ର ଆଦି ପଠନ ଦ୍ୱାରା ଜ୍ଞାନ ଅର୍ଜନକୁ ଯଜ୍ଞ ରୂପେ କରିଥାନ୍ତି ।
ପ୍ରତ୍ୟେକ ମନୁଷ୍ୟ ତାଙ୍କର ସ୍ୱଭାବ, ଇଚ୍ଛା, କର୍ମ, ବୃତ୍ତି, ଲକ୍ଷ୍ୟ ଏବଂ ସଂସ୍କାର (ପୂର୍ବ ଜନ୍ମରୁ ଆସିଥିବା ସ୍ୱଭାବ) ଇତ୍ୟାଦିରେ ଜଣେ ଅନ୍ୟ ଜଣଙ୍କ ଠାରୁ ପୃଥକ ହୋଇଥାନ୍ତି । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇବା ପାଇଁ ଚାହୁଁଛନ୍ତି ଯେ, ଯଜ୍ଞ ଶତାଧିକ ପ୍ରକାରରେ କରାଯାଇପାରେ । କିନ୍ତୁ ଯେତେବେଳେ ସେସବୁ ଭଗବାନଙ୍କ ନିମିତ୍ତ ଉତ୍ସର୍ଗ କରାଯାଏ, ତାହା ଇନ୍ଦ୍ରିୟ ଓ ମନର ଶୁଦ୍ଧିକରଣର ମାଧ୍ୟମ ହୋଇଥାଏ ଏବଂ ଆତ୍ମାକୁ ଉଚ୍ଚସ୍ତରକୁ ନେଇଯାଇଥାଏ । ସେ ଏହି ଶ୍ଲୋକରେ ତିନିପ୍ରକାରର ଯଜ୍ଞ ବିଷୟରେ ଆଲୋଚନା କରିଛନ୍ତି ।
ଦ୍ରବ୍ୟ ଯଜ୍ଞ - ଏପରି କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ଭୌତିକ ସମ୍ପତ୍ତି ଧର୍ମ ଉଦ୍ଦେଶ୍ୟରେ ଦାନ କରିବାକୁ ଇଚ୍ଛା କରିଥାନ୍ତି, ଯଦିଓ ସେମାନେ ବୃହତ୍ ଓ କଷ୍ଟସାଧ୍ୟ ବ୍ୟବସାୟିକ କର୍ମରେ ନିମଗ୍ନ ରୁହନ୍ତି ତଥାପି ତାଙ୍କର ଅନ୍ତରରେ ଭଗବାନଙ୍କ ନିମିତ୍ତ ତାଙ୍କର ଉପାର୍ଜିତ ଅର୍ଥରେ ସେବା କରିବାର ଉଦ୍ଦେଶ୍ୟ ରହିଥାଏ । ଏହିପରି ଭାବରେ ସେମାନେ ଧନ ଉପାର୍ଜନର ସ୍ୱାଭାବିକ ପ୍ରବୃତ୍ତିକୁ ଭଗବାନଙ୍କୁ ଭକ୍ତି ରୂପରେ ଅର୍ପଣ କରିଥାନ୍ତି । ଜନ ୱସ୍ଲି, ବ୍ରିଟିଶ ପ୍ରଚାରକ ଓ ମେଥୋଡ଼ିଷ୍ଟ ଚର୍ଚ୍ଚ (ଗରଗ୍ଧଷକ୍ଟୟସଗ୍ଦଗ୍ଧ ଉଷଙ୍କକ୍ସମଷ) ର ପ୍ରତିଷ୍ଠାତା ତାଙ୍କର ଅନୁଯାୟୀ ମାନଙ୍କୁ ଉପଦେଶ ଦିଅନ୍ତି: “ଯେତିକି ପାରିବ ଉପାର୍ଜନ କର, ଯେତିକି ପାରିବ ସଞ୍ଚୟ କର, ଯେତିକି ପାରିବ ଦାନ କର ।”
ଯୋଗ ଯଜ୍ଞ - ଛଅଜଣ ବିଦ୍ୱାନ୍ ସନ୍ଥଙ୍କ ଦ୍ୱାରା ରଚିତ ଛଅଗୋଟି ଭାରତୀୟ ଦର୍ଶନ ଶାସ୍ତ୍ର ମଧ୍ୟରୁ ଯୋଗଦର୍ଶନ ଅନ୍ୟତମ ଅଟେ । ମହର୍ଷି ଜୈମିନି ‘ମୀମାଂସା ଦର୍ଶନ’, ବେଦବ୍ୟାସ ‘ବେଦାନ୍ତ ଦର୍ଶନ’, ଗୌତମ “ନ୍ୟାୟ ଦର୍ଶନ”, କଣାଦ୍ “ବୈଷୟିକ ଦର୍ଶନ” ରଚନା କରିଥିଲେ । କପିଳ “ସାଂଖ୍ୟ ଦର୍ଶନ” ଏବଂ ପତଞ୍ଜଳି “ଯୋଗ ଦର୍ଶନ” ରଚନା କରିଥିଲେ । ପତଞ୍ଜଳି ଯୋଗ ଦର୍ଶନରେ ଆଠ ସୋପାନଯୁକ୍ତ ଅଷ୍ଟାଙ୍ଗ ଯୋଗର ବର୍ଣ୍ଣନା କରାଯାଇଛି । ଏଥିରେ ଆଧ୍ୟାତ୍ମିକ ଉନ୍ନତି ପାଇଁ, ଶାରୀରିକ ପ୍ରକ୍ରିୟାଠାରୁ ଆରମ୍ଭ କରି ମନକୁ ପରାସ୍ତ କରିବା ପର୍ଯ୍ୟନ୍ତ ଆଠୋଟି ପ୍ରକ୍ରିୟା ବର୍ଣ୍ଣିତ ହୋଇଛି । କେତେକ ବ୍ୟକ୍ତି ଏହି ମାର୍ଗ ପ୍ରତି ଆକର୍ଷିତ ହୁଅନ୍ତି ଏବଂ ଏହାକୁ ଯଜ୍ଞ ରୂପରେ ଅଭ୍ୟାସ କରିଥାନ୍ତି । କିନ୍ତୁ ପତଞ୍ଜଳି ଯୋଗ ଦର୍ଶନ ସ୍ପଷ୍ଟ ଭାବେ ଉଲ୍ଲେଖ କରେ:
ସମାଧିସିଦ୍ଧିରୀଶ୍ୱର ପ୍ରଣିଧାନାତ୍ (୨.୪୫)
“ଯୋଗର ସିଦ୍ଧି ଲାଭ କରିବା ପାଇଁ ଭଗବାନଙ୍କର ଶରଣାଗତି କରିବାକୁ ହେବ ।” ଯେଉଁମାନେ ଅଷ୍ଟାଙ୍ଗ ଯୋଗ ପ୍ରତି ଆକୃଷ୍ଟ, ସେମାନେ ଭଗବାନଙ୍କ ପ୍ରତି ପ୍ରେମ ବୃଦ୍ଧି କରିବା ପାଇଁ ତାଙ୍କର ଯୋଗ ସାଧନାକୁ ଭକ୍ତିର ଅଗ୍ନିରେ, ଯଜ୍ଞ ରୂପରେ ଅର୍ପଣ କରନ୍ତି । “ଜଗଦ୍ଗୁରୁ କୃପାଳୁ ଯୋଗ”, ଏହି ଯୋଗ ପ୍ରଣାଳୀର ଏକ ଉଦାହରଣ ଅଟେ, ଯେଉଁଠାରେ ଅଷ୍ଟାଙ୍ଗ ଯୋଗ ଅନ୍ତର୍ଗତ ଶାରୀରିକ ଆସନ ଗୁଡ଼ିକର ଅଭ୍ୟାସ ଭଗବାନଙ୍କ ନାମ ଉଚ୍ଚାରଣ ସହିତ ଭଗବାନଙ୍କ ପ୍ରତି ଯଜ୍ଞ ଭାବରେ କରାଯାଏ । ଯୌଗିକ ଆସନ ଓ ଭକ୍ତିର ଏହି ସଂଯୋଗ ଦ୍ୱାରା ସାଧକର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଶୁଦ୍ଧି ହୋଇଥାଏ ।
ଜ୍ଞାନ ଯଜ୍ଞ - କେତେକ ବ୍ୟକ୍ତିଙ୍କର ଜ୍ଞାନ ଅର୍ଜନର ସ୍ପୃହା ରହିଥାଏ । ଏହି ସ୍ୱଭାବ ଯୋଗୁଁ ସେମାନେ ଭଗବାନଙ୍କର ଜ୍ଞାନ ଏବଂ ତାଙ୍କ ପ୍ରତି ପ୍ରେମ ବୃଦ୍ଧି କରିବା ପାଇଁ ଶାସ୍ତ୍ର ଅଧ୍ୟୟନରେ ଲିପ୍ତ ରହନ୍ତି । ସା ବିଦ୍ୟା ତନ୍ମତିର୍ଯୟା (ଭାଗବତମ୍ ୪.୨୯.୪୯) “ପ୍ରକୃତ ଜ୍ଞାନ ତାହା ଅଟେ ଯାହା ଭଗବାନଙ୍କ ପ୍ରତି ଭକ୍ତି ବଢ଼ାଏ” । ଏହିପରି ଅଧ୍ୟୟନ ପ୍ରତି ଆକର୍ଷିତ ସାଧକମାନେ ଜ୍ଞାନର ଯଜ୍ଞ କରିଥାନ୍ତି । ଏହା ଯେତେବେଳେ ଭକ୍ତି ସହିତ ମିଶ୍ରିତ ହୁଏ, ସେତେବେଳେ ଭଗବାନଙ୍କ ସହ ପ୍ରେମଯୁକ୍ତ ମିଳନ ହୋଇଥାଏ ।
ଦ୍ରବ୍ୟଯଜ୍ଞାସ୍ତପୋଯଜ୍ଞା ଯୋଗଯଜ୍ଞାସ୍ତଥାପରେ ।
ସ୍ୱାଧ୍ୟାୟଜ୍ଞାନଯଜ୍ଞାଶ୍ଚ ଯତୟଃ ସଂଶିତବ୍ରତାଃ ।।୨୮।।
କେହି କେହି ତାଙ୍କ ପାଖରେ ଥିବା ଧନରାଶିକୁ ଯଜ୍ଞ ରୂପରେ ପ୍ରଦାନ କରନ୍ତି, ଅନ୍ୟମାନେ ଯଜ୍ଞ ରୂପରେ କଠୋର ଆତ୍ମସଂଯମ ପାଳନ କରନ୍ତି । ଅନ୍ୟ କେହି …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ