ଶ୍ରୀ ଭଗବାନୁବାଚ
ବହୂନି ମେ ବ୍ୟତୀତାନି ଜନ୍ମାନି ତବ ଚାର୍ଜୁନ ।
ତାନ୍ୟହଂ ବେଦ ସର୍ବାଣି ନ ତ୍ୱଂ ବେତ୍ଥ ପରନ୍ତପ ।।୫।।
ଶ୍ରୀଭଗବାନ ଉବାଚ - ଶ୍ରୀଭଗବାନ କହିଲେ; ବହୂନି - ଅନେକ; ମେ- ମୋର; ବ୍ୟତୀତାନି - ଚାଲିଯାଇଛି; ଜନ୍ମାନି - ଜନ୍ମ; ତବ- ତୁମର; ଚ-ଏବଂ; ଅର୍ଜୁନ - ହେ ଅର୍ଜୁନ; ତାନି -ସେସବୁ; ଅହଂ-ମୁଁ; ବେଦ -ଜାଣେ; ସର୍ବାଣି -ସମସ୍ତ; ନ -ନାହିଁ; ତ୍ୱଂ -ତୁମେ; ବେତ୍ଥ- ଜାଣ; ପରନ୍ତପ - ହେ ଶତ୍ରୁ ଦମନକାରୀ ।
BG 4.5: ଶ୍ରୀ ଭଗବାନ କହିଲେ, ହେ ପରନ୍ତପ ଅର୍ଜୁନ! ତୁମେ ଓ ମୁଁ ଉଭୟ ଅନେକ ଜନ୍ମ ଗ୍ରହଣ କରିଅଛେ । ତୁମେ ସେସବୁ ଭୁଲିଯାଇଛ, କିନ୍ତୁ ମୋର ସବୁ ମନେଅଛି ।
ଶ୍ରୀକୃଷ୍ଣ କହୁଛନ୍ତି ଯେ ଅର୍ଜୁନଙ୍କ ସମ୍ମୁଖରେ ସେ ମନୁଷ୍ୟ ରୂପରେ ଛିଡ଼ା ହୋଇଛନ୍ତି, ସେଥିପାଇଁ ତାଙ୍କୁ ମନୁଷ୍ୟମାନଙ୍କ ସହିତ ସମାନ ମନେ କରିବା ଉଚିତ ନୁହେଁ । ଦେଶର ରାଷ୍ଟ୍ରପତି ବେଳେବେଳେ ଜେଲ ପରିଦର୍ଶନରେ ଯାଇଥାନ୍ତି, କିନ୍ତୁ ତାଙ୍କୁ ଜେଲ ମଧ୍ୟରେ ଛିଡ଼ା ହୋଇଥିବାର ଦେଖି ଆମେ ତାଙ୍କୁ ଜଣେ ବନ୍ଦୀ ବୋଲି ଭାବି ନ ଥାଏ, ଆମେ ଜାଣେ ଯେ ସେ ଜେଲକୁ କେବଳ ପରିଦର୍ଶନରେ ଆସିଛନ୍ତି । ସେହିପରି ଭଗବାନ ବେଳେ ବେଳେ ଧରାପୃଷ୍ଠରେ ଅବତରଣ କରିଥାନ୍ତି ସତ, କିନ୍ତୁ ସେ କେବେ ବି ନିଜର ଦିବ୍ୟଗୁଣ ଓ ଦିବ୍ୟଶକ୍ତି ରହିତ ହୋଇ ନ ଥାନ୍ତି ।
ଶଙ୍କରାଚାର୍ଯ୍ୟ ଏହି ଶ୍ଲୋକର ଭାଷ୍ୟରେ ଉଲ୍ଲେଖ କରିଛନ୍ତି: ଯା ବାସୁଦେବେ ଅନୀଶ୍ୱରାସର୍ବଜ୍ଞାଶଙ୍କା ମୂର୍ଖାଣାମ୍ ତାଂ ପରିହରନ୍ ଶ୍ରୀ ଭଗବାନ୍ ଉବାଚ (ଶାରୀରିକ ଭାଷ୍ୟ ଶ୍ଲୋକ ୪.୫) । “ଯେଉଁ ମୁର୍ଖବ୍ୟକ୍ତିମାନେ ଶଙ୍କା ପ୍ରକାଶ କରନ୍ତି ଯେ ସେ ଭଗବାନ ନୁହଁନ୍ତି, ତାଙ୍କୁ ଅସତ୍ୟ ସିଦ୍ଧ କରିବା ପାଇଁ ଶ୍ରୀକୃଷ୍ଣ ଏହି ଶ୍ଳୋକଟି କହିଛନ୍ତି ।” ନାସ୍ତିକମାନେ ଯୁକ୍ତି କରନ୍ତି ଯେ, ଶ୍ରୀକୃଷ୍ଣ ଆମ ସମସ୍ତଙ୍କ ପରି ଜନ୍ମ ହୋଇଥିଲେ ଏବଂ ସେ ଆମପରି ଖାଉଥିଲେ, ପିଉଥିଲେ, ଶୋଉଥିଲେ, ତେଣୁ ସେ ଭଗବାନ ହୋଇ ନ ପାରନ୍ତି । ଶ୍ରୀକୃଷ୍ଣ ଏଠାରେ ଜୀବ ଏବଂ ଭଗବାନଙ୍କ ମଧ୍ୟରେ ପ୍ରଭେଦ ଦର୍ଶାଇଛନ୍ତି । ସେ କହୁଛନ୍ତି ଯେ, ଯଦିଓ ସେ ଅସଂଖ୍ୟ ବାର ସଂସାରରେ ଅବତରିତ ହୋଇଛନ୍ତି, ତଥାପି ସେ ସର୍ବଜ୍ଞ ଅଟନ୍ତି, କିନ୍ତୁ ଜୀବର ଜ୍ଞାନ ସୀମିତ ଅଟେ ।
ଜୀବାତ୍ମା ଏବଂ ପରମାତ୍ମାଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି - ଉଭୟ ସତ୍-ଚିତ୍-ଆନନ୍ଦ (ନିତ୍ୟ, ଚୈତନ୍ୟ ଏବଂ ଆନନ୍ଦ) ଅଟନ୍ତି । ତଥାପି ସେମାନଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ମଧ୍ୟ ଅଛି - ଭଗବାନ ସର୍ବବ୍ୟାପକ ଅଟନ୍ତି, କିନ୍ତୁ ଜୀବ କେବଳ ଶରୀରରେ ବ୍ୟାପ୍ତ ଅଟେ; ଭଗବାନ ସର୍ବଶକ୍ତିମାନ, କିନ୍ତୁ ଭଗବାନଙ୍କର କୃପା ବିନା ଜୀବର ମାୟା କବଳରୁ ମୁକ୍ତି ହେବାର ଶକ୍ତି ମଧ୍ୟ ନାହିଁ; ଭଗବାନ ସୃଷ୍ଟିର ନିୟାମକ ଅଟନ୍ତି, କିନ୍ତୁ ଜୀବ ନିୟମାଧୀନ ଅଟେ; ଭଗବାନ ସୃଷ୍ଟିର ରକ୍ଷକ ଅଟନ୍ତି, ଜୀବ ତାଙ୍କ ଦ୍ୱାରା ରକ୍ଷିତ ହୋଇଥାଏ; ଭଗବାନ ସର୍ବଜ୍ଞ ଅଟନ୍ତି, କିନ୍ତୁ ଆତ୍ମାର କୌଣସି ଗୋଟିଏ ବିଷୟରେ ମଧ୍ୟ ପୂର୍ଣ୍ଣଜ୍ଞାନ ନ ଥାଏ ।
ଶ୍ରୀକୃଷ୍ଣ ଏହି ଶ୍ଲୋକରେ ଅର୍ଜୁନଙ୍କୁ ‘ପରନ୍ତପ’ କହିଛନ୍ତି ଅର୍ଥାତ୍ “ଶତ୍ରୁମାନଙ୍କର ବିନାଶକାରୀ” । ତଦ୍ୱାରା ସେ କହିବାକୁ ଚାହୁଁଛନ୍ତି, “ଅର୍ଜୁନ, ତୁମେ ବହୁତ ପରାକ୍ରମୀ ଶତ୍ରୁମାନଙ୍କୁ ବଧ କରିଥିବା ଜଣେ ବୀର ଯୋଦ୍ଧା ଅଟ । ବର୍ତ୍ତମାନ ତୁମେ ତୁମ ମନରେ ଉଠୁଥିବା ଶଙ୍କା ଆଗରେ ପରାସ୍ତ ହୁଅ ନାହିଁ । ମୁଁ ତୁମକୁ ଦେଉଥିବା ଜ୍ଞାନର ଖଡ଼୍ଗରେ ତାକୁ ବଧ କର ଏବଂ ଜ୍ଞାନରେ ସ୍ଥିତ ହୁଅ ।”
ଶ୍ରୀ ଭଗବାନୁବାଚ
ବହୂନି ମେ ବ୍ୟତୀତାନି ଜନ୍ମାନି ତବ ଚାର୍ଜୁନ ।
ତାନ୍ୟହଂ ବେଦ ସର୍ବାଣି ନ ତ୍ୱଂ ବେତ୍ଥ ପରନ୍ତପ ।।୫।।
ଶ୍ରୀ ଭଗବାନ କହିଲେ, ହେ ପରନ୍ତପ ଅର୍ଜୁନ! ତୁମେ ଓ ମୁଁ ଉଭୟ ଅନେକ ଜନ୍ମ ଗ୍ରହଣ କରିଅଛେ । ତୁମେ ସେସବୁ ଭୁଲିଯାଇଛ, କିନ୍ତୁ ମୋର …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ