ଅଧ୍ୟାୟ 5: କର୍ମସନ୍ନ୍ୟାସ ଯୋଗ

କର୍ମସନ୍ନ୍ୟାସ ଯୋଗ

ଏହି ଅଧ୍ୟାୟରେ କର୍ମସନ୍ନ୍ୟାସ ଏବଂ କର୍ମଯୋଗ ଏହି ଦୁଇ ମାର୍ଗର ତୁଳନା କରାଯାଇଅଛି । ଶ୍ରୀକୃଷ୍ଣ କହୁଛନ୍ତି ଯେ ଉଭୟ ମାର୍ଗ ସମାନ ଲକ୍ଷ୍ୟର ପ୍ରାପ୍ତି କରାଇ ଥାଆନ୍ତି ଏବଂ ଦୁଇଟି ମଧ୍ୟରୁ ଆମେ ଯେ କୌଣସି ଗୋଟିଏକୁ ବାଛି ପାରିବା । ତଥାପି, ଯେପର୍ଯ୍ୟନ୍ତ ମନ ବିଶେଷ ଭାବରେ ଶୁଦ୍ଧ ହୋଇନାହିଁ, କର୍ମର ପରିତ୍ୟାଗ ପୂର୍ଣ୍ଣ ରୂପରେ କରାଯାଇ ପାରିବ ନାହିଁ ଏବଂ ମନର ଶୁଦ୍ଧତା, ଭକ୍ତିଯୁକ୍ତ କର୍ମ (କର୍ମଯୋଗ) ଦ୍ୱାରା ହାସଲ ହୋଇଥାଏ । ସୁତରାଂ, ଅଧିକାଂଶ ମନୁଷ୍ୟଙ୍କ ପାଇଁ କର୍ମଯୋଗ ହିଁ ଉଚିତ ମାର୍ଗ ଅଟେ । କର୍ମଯୋଗୀ ତାଙ୍କର ସାଂସାରିକ କର୍ତ୍ତବ୍ୟ ଶୁଦ୍ଧ ମନରେ ପାଳନ କରନ୍ତି ଏବଂ କର୍ମଫଳ ପ୍ରତି ଆସକ୍ତି ତ୍ୟାଗ କରି ତାହା ଭଗବାନଙ୍କୁ ଅର୍ପଣ କରନ୍ତି । ସେଥିପାଇଁ ପଦ୍ମପତ୍ର ଜଳ ଉପରେ ଭାସି ଜଳ ଦ୍ୱାରା ଅସ୍ପୃଶ୍ୟ ରହିବା ପରି, ସେମାନେ ପାପ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ । ଜ୍ଞାନ ଦୃଷ୍ଟିରେ ସେମାନେ ଏହା ହୃଦୟଙ୍ଗମ କରିପାରନ୍ତି ଯେ ଶରୀର ଏକ ନବଦ୍ୱାର ବିଶିଷ୍ଟ ନଗର ଅଟେ, ଯେଉଁଠି ଆତ୍ମା ନିବାସ କରିଥାଏ । ତେଣୁ ସେମାନେ ନିଜକୁ କର୍ମର କର୍ତ୍ତର୍ା ଅଥବା ଭୋକ୍ତା ମନେକରନ୍ତି ନାହିଁ । ସମଦର୍ଶୀ ଭାବରେ ସେମାନେ ବ୍ରାହ୍ମଣ, ଗାଈ, ହାତୀ, କୁକୁର ଏବଂ କୁକୁର ଭକ୍ଷୀକୁ ସମାନ ଦୃଷ୍ଟିରେ ଦେଖନ୍ତି । ଏପରି ବାସ୍ତବ ଜ୍ଞାନୀମାନେ ନିଜ ବ୍ୟକ୍ତିତ୍ୱରେ ଈଶ୍ୱରୀୟ ଗୁଣର ବିକାଶ କରି ଅନ୍ତିମ ସତ୍ୟରେ ସ୍ଥିତ ରହନ୍ତି । ସାଂସାରିକ ବ୍ୟକ୍ତି ଇନ୍ଦ୍ରିୟ ସୁଖ ହିଁ ଦୁଃଖର ବାସ୍ତବ କାରଣ ନ ଜାଣି, ବିଷୟ ପ୍ରାପ୍ତି ନିମନ୍ତେ ଚେଷ୍ଟାରତ ରହିଥାଆନ୍ତି । କିନ୍ତୁ କର୍ମଯୋଗୀ ମାନେ ସେଥିରେ ଉତ୍‌ଫୁଲ୍ଲିତ ହେବା ପରିବର୍ତ୍ତେ ନିଜ ଭିତରେ ଭଗବଦାନନ୍ଦର ରସାସ୍ୱାଦନ କରିଥାଆନ୍ତି ।

ତାପରେ ଏହି ଅଧ୍ୟାୟରେ ସନ୍ୟାସ ମାର୍ଗର ବର୍ଣ୍ଣନା କରାଯାଇଛି । କର୍ମ ସନ୍ନ୍ୟାସୀମାନେ ତପସ୍ୟା ଦ୍ୱାରା ଇନ୍ଦ୍ରିୟ, ମନ ଏବଂ ବୁଦ୍ଧିକୁ ବଶ କରିଥାଆନ୍ତି । ସେମାନେ ବାହ୍ୟ ସୁଖର ଚିନ୍ତନ ପରିତ୍ୟାଗ କରି କାମନା, ଭୟ ଏବଂ କ୍ରୋଧରୁ ମୁକ୍ତ ହୋଇଯାଆନ୍ତି । ତାପରେ ତପସ୍ୟାକୁ ଭଗବାନଙ୍କର ଭକ୍ତିଯୁକ୍ତ କରି ସେମାନେ ଶାଶ୍ୱତ ଶାନ୍ତି ପ୍ରାପ୍ତ କରିଥାଆନ୍ତି ।

ଭଗବଦ୍ ଗୀତା 5.1 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅର୍ଜୁନ କହିଲେ: ହେ ଶ୍ରୀକୃଷ୍ଣ, ଆପଣ କର୍ମସନ୍ୟାସର (କର୍ମ ତ୍ୟାଗର ମାର୍ଗ) ପ୍ରଶଂସା କଲେ ଏବଂ ଆପଣ ମଧ୍ୟ କର୍ମଯୋଗର (କର୍ମ ସହିତ ଭକ୍ତି) ଉପଦେଶ ଦେଲେ । ଦୟା କରି ମୋତେ ସ୍ପଷ୍ଟ ଭାବରେ କୁହନ୍ତୁ ଏହି ଦୁଇଟି ମଧ୍ୟରୁ କେଉଁଟି ଅଧିକ ଉପାଦେୟ ।

ଭଗବଦ୍ ଗୀତା 5.2 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ପରମ ପୁରୁଷ ଭଗବାନ କହିଲେ: ଉଭୟ କର୍ମ ସନ୍ୟାସ (କର୍ମ ତ୍ୟାଗ) ଏବଂ କର୍ମଯୋଗ (ଭକ୍ତିଯୁକ୍ତ କର୍ମ) ଚରମ ଲକ୍ଷ୍ୟ ଦିଗକୁ ଅଗ୍ରସର କରାଏ, କିନ୍ତୁ କର୍ମଯୋଗ କର୍ମସନ୍ୟାସ ଅପେକ୍ଷା ଶ୍ରେଷ୍ଠତର ଅଟେ ।

ଭଗବଦ୍ ଗୀତା 5.3 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁ କର୍ମଯୋଗୀ କୌଣସି ବସ୍ତୁର କାମନା କରନ୍ତି ନାହିଁ ବା କାହାକୁ ଘୃଣା କରନ୍ତି ନାହିଁ, ବାସ୍ତବରେ ସେମାନେ ନିତ୍ୟ ତ୍ୟାଗୀ ଅଟନ୍ତି । ଦ୍ୱନ୍ଦ୍ୱ ମୁକ୍ତ ହୋଇ ସେମାନେ ସହଜରେ ମାୟିକ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି ।

ଭଗବଦ୍ ଗୀତା 5.4 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

କେବଳ ଅଜ୍ଞ ବ୍ୟକ୍ତିମାନେ ହିଁ ସାଂଖ୍ୟ (କର୍ମତ୍ୟାଗ ବା କର୍ମସନ୍ନ୍ୟାସ ) ଏବଂ କର୍ମଯୋଗ (କର୍ମ ସହିତ ଭକ୍ତି)କୁ ପୃଥକ କହିଥାଆନ୍ତି । ଯେଉଁମାନେ ପ୍ରକୃତ ଜ୍ଞାନୀ, ସେମାନେ କହନ୍ତି, ଦୁଇଟିରୁ ଯେ କୌଣସି ଗୋଟିଏ ମାର୍ଗ ଅନୁସରଣ କଲେ ମଧ୍ୟ ଆମେ ଉଭୟର ଫଳ ପ୍ରାପ୍ତ କରି ପାରିବା ।

ଭଗବଦ୍ ଗୀତା 5.5 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

କର୍ମ ସନ୍ନ୍ୟାସ ଦ୍ୱାରା ଯେଉଁ ଉଚ୍ଚ ସୋପାନ ପ୍ରାପ୍ତ ହୋଇଥାଏ, ଭକ୍ତିଯୁକ୍ତ କର୍ମ ଆଚରଣ ଦ୍ୱାରା ମଧ୍ୟ ତାହା ପ୍ରାପ୍ତ ହୋଇଥାଏ । ତେଣୁ ଯେଉଁ ବ୍ୟକ୍ତି କର୍ମ ସନ୍ୟାସ ଓ କର୍ମ ଯୋଗକୁ ସମାନ ରୂପରେ ଦେଖିଥାଏ, ସେ ତତ୍ତ୍ୱକୁ ତା’ର ବାସ୍ତବ ସ୍ୱରୂପରେ ଦେଖିଥାଏ ।

ଭଗବଦ୍ ଗୀତା 5.6 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଭକ୍ତିଯୁକ୍ତ କର୍ମ ନ କରି (କର୍ମଯୋଗ), ସମ୍ପୂର୍ଣ୍ଣ ତ୍ୟାଗ (କର୍ମ ସନ୍ୟାସ) ହାସଲ କରିବା କଷ୍ଟକର ଅଟେ; କିନ୍ତୁ ହେ ବୀର ଅର୍ଜୁନ! ଯେଉଁ ସନ୍ଥ କର୍ମଯୋଗରେ ପ୍ରବୀଣ, ସେ ଅତି ଶୀଘ୍ର ପରଂବ୍ରହ୍ମଙ୍କୁ ପ୍ରାପ୍ତ କରିଥାନ୍ତି ।

ଭଗବଦ୍ ଗୀତା 5.7 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁ କର୍ମଯୋଗୀମାନଙ୍କର ବୁଦ୍ଧି ବିଶୁଦ୍ଧ ଅଟେ ଏବଂ ଯିଏ ମନ ଓ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରିିଥାଆନ୍ତି, ସେମାନେ ସମସ୍ତ ପ୍ରାଣୀଙ୍କଠାରେ ଆତ୍ମାର ଆତ୍ମା ପରମାତ୍ମାଙ୍କୁ ଦେଖିଥାନ୍ତି । ସମସ୍ତ ପ୍ରକାର କର୍ମ କରୁଥିଲେ ମଧ୍ୟ ସେମାନେ ସେଥିରେ ଛନ୍ଦି ହୁଅନ୍ତି ନାହିଁ ।

ଭଗବଦ୍ ଗୀତା 5.8 - 5.9 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ କର୍ମ ଯୋଗରେ ସ୍ଥିତ ରହିଥାଆନ୍ତି, ସେମାନେ ଦେଖିବା, ଶୁଣିବା, ସ୍ପର୍ଶ କରିବା, ଶୁଙ୍ଘିବା, ଚାଲିବା, ଶୋଇବା, ଶ୍ୱାସପ୍ରଶ୍ୱାସ ନେବା, କଥା କହିବା, ମଳତ୍ୟାଗ କରିବା, ଧରିବା ପ୍ରଭୃତି କାର୍ଯ୍ୟ କରୁଥିଲେ ମଧ୍ୟ ସର୍ବଦା “ମୁଁ କର୍ତ୍ତା ନୁହେଁ” ଏପରି ମନେ କରିଥାନ୍ତି । ଦିବ୍ୟ ଜ୍ଞାନର ଆଲୋକରେ ସେମାନେ ଦେଖିପାରନ୍ତି ଯେ ଏହି ସବୁ କ୍ରିୟା କେବଳ ଭୌତିକ ଇନ୍ଦ୍ରିୟମାନଙ୍କର ଇନ୍ଦ୍ରିୟ ବିଷୟରେ ବିଚରଣ କରିବାର ପରିଣାମ ଅଟେ ।

ଭଗବଦ୍ ଗୀତା 5.10 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ଆସକ୍ତି ରହିତ ହୋଇ ନିଜର ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରିଥାଆନ୍ତି, ପଦ୍ମପତ୍ର ଜଳ ଦ୍ୱାରା ଅସ୍ପୃଶ୍ୟ ରହିବା ପରି, ପାପ ସେମାନଙ୍କୁ ସ୍ପର୍ଶ କରିପାରେ ନାହିଁ ।

ଭଗବଦ୍ ଗୀତା 5.11 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯୋଗୀମାନେ ଆସକ୍ତି ତ୍ୟାଗ ପୂର୍ବକ ନିଜର ଶରୀର, ଇନ୍ଦ୍ରିୟ, ମନ ଓ ବୁଦ୍ଧି ଦ୍ୱାରା କେବଳ ଆତ୍ମଶୁଦ୍ଧି ଉଦ୍ଦେଶ୍ୟରେ ସମସ୍ତ କର୍ମ କରିଥାଆନ୍ତି ।

ଭଗବଦ୍ ଗୀତା 5.12 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସମସ୍ତ କର୍ମକୁ ଭଗବାନଙ୍କୁ ଅର୍ପଣ କରି, କର୍ମଯୋଗୀମାନେ ଚିରନ୍ତନ ଶାନ୍ତି ପ୍ରାପ୍ତ କରିଥାନ୍ତି । ଅଥଚ ଯେଉଁମାନେ କାମନା ଦ୍ୱାରା ପ୍ରେରିତ ହୋଇ ନିଜ ସ୍ୱାର୍ଥ ପାଇଁ କର୍ମ କରନ୍ତି, ସେମାନେ କର୍ମଫଳରେ ଆସକ୍ତ ରହିଥିବା କାରଣରୁ ବନ୍ଧନକୁ ପ୍ରାପ୍ତ ହୋଇ ଥାଆନ୍ତି ।

ଭଗବଦ୍ ଗୀତା 5.13 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଶରୀରଧାରୀ ଜୀବ, ଯେଉଁମାନେ ଆତ୍ମସଂଯତ ଏବଂ ଆସକ୍ତି ରହିତ ଅଟନ୍ତି, ସେମାନେ ସେହି ନବଦ୍ୱାର ବିଶିଷ୍ଟ ନଗରରେ ଖୁସିରେ ବାସ କରନ୍ତି । ସେମାନେ ନିଜକୁ କର୍ତ୍ତା ଭାବେ କିମ୍ବା କାହାର କାରଣ ଭାବେ ଚିନ୍ତା କରନ୍ତି ନାହିଁ ।

ଭଗବଦ୍ ଗୀତା 5.14 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ବ୍ୟକ୍ତିର କତ୍ତୃତ୍ୱ ବା କର୍ମ ଭଗବାନଙ୍କଠାରୁ ଆସି ନ ଥାଏ; ସେ କର୍ମର ଫଳ ସହିତ ବ୍ୟକ୍ତିକୁ ସଂଯୁକ୍ତ କରନ୍ତି ନାହିଁ । ବ୍ୟକ୍ତିର ତ୍ରିଗୁଣାତ୍ମକ ସ୍ୱଭାବ ଏସବୁ କରିଥାଏ ।

ଭଗବଦ୍ ଗୀତା 5.15 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସର୍ବଶକ୍ତିମାନ ଭଗବାନ, କୌଣସି ବ୍ୟକ୍ତିର ପୁଣ୍ୟକର୍ମ ବ ପାପକର୍ମରେ ଅଂଶୀଦାର ହୁଅନ୍ତି ନାହିଁ । ଅଜ୍ଞାନରେ ଆବୃତ୍ତ ଜୀବର ଜ୍ଞାନ, ତାହା ବୁଝିପାରି ନ ଥାଏ ।

ଭଗବଦ୍ ଗୀତା 5.16 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

କିନ୍ତୁ ଯେଉଁମାନଙ୍କର ଆତ୍ମା ସମ୍ବନ୍ଧୀୟ ଅଜ୍ଞାନ ଦିବ୍ୟ ଜ୍ଞାନ ଦ୍ୱାରା ନଷ୍ଟ ହୋଇଥାଏ, ସେମାନଙ୍କଠାରେ ସେହି ଜ୍ଞାନ ପରତତ୍ତ୍ୱକୁ ପ୍ରକାଶିତ କରିଥାଏ, ଯେପରି ଦିବସରେ ସୂର୍ଯ୍ୟ ଦେବତା ସବୁକିଛିକୁ ଉଦ୍‌ଭାସିତ କରିଥାନ୍ତି ।

ଭଗବଦ୍ ଗୀତା 5.17 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ନିଜର ବୁଦ୍ଧିକୁ ଭଗବାନଙ୍କ ଠାରେ ସ୍ଥିର ରଖନ୍ତି ଏବଂ ତାଙ୍କୁ ନିଜର ଚରମ ଲକ୍ଷ୍ୟ ମନେକରି ଦୃଢ଼ ବିଶ୍ୱାସର ସହିତ ଭଗବାନଙ୍କ ଧ୍ୟାନରେ ନିମଗ୍ନ ରହନ୍ତି, ସେମାନେ ଅତିଶୀଘ୍ର ସେହି ଅବସ୍ଥାରେ ପହଞ୍ôଚଥାନ୍ତି, ଯେଉଁଠାରୁ ସେମାନେ ଆଉ ଫେରି ଆସନ୍ତି ନାହିଁ । ତାଙ୍କର ପାପସବୁ ଜ୍ଞାନର ଆଲୋକରେ ଧୋଇ ହୋଇଯାଏ ।

ଭଗବଦ୍ ଗୀତା 5.18 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଜଣେ ବାସ୍ତବିକ ଜ୍ଞାନୀ, ତାଙ୍କର ଦିବ୍ୟ ଜ୍ଞାନଯୁକ୍ତ ଚକ୍ଷୁରେ, ଜଣେ ବ୍ରାହ୍ମଣ, ଗାଈ, ହାତୀ, କୁକୁର ଏବଂ କୁକୁର ମାଂସାହାରୀଙ୍କୁ ସମାନ ଦୃଷ୍ଟିରେ ଦେଖିଥାଆନ୍ତି ।

ଭଗବଦ୍ ଗୀତା 5.19 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନଙ୍କର ମନ ସମଦର୍ଶିତାରେ ସ୍ଥିତ, ସେମାନେ ଜନ୍ମ ମୃତ୍ୟୁର ଚକ୍ରକୁ ଏହି ଜନ୍ମରେ ହିଁ ଜୟ କରିଥାନ୍ତି । ସେମାନେ ଭଗବାନମାନଙ୍କର ବିଶୁଦ୍ଧ ଗୁଣ ଯୁକ୍ତ ହୋଇ ପରମ ସତ୍ୟରେ ସ୍ଥିତ ରହନ୍ତି ।

ଭଗବଦ୍ ଗୀତା 5.20 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଭଗବାନଙ୍କ ଠାରେ ସ୍ଥିତ ରହି, ଯେଉଁମାନଙ୍କର ବୁଦ୍ଧି ସ୍ଥିର ଏବଂ ମୋହଶୂନ୍ୟ ହୋଇ ଯାଇଥାଏ, ସେମାନେ ସୁଖରେ ଉତ୍‌ଫୁଲ୍ଲିତ ହୁଅନ୍ତି ନାହିଁ କିମ୍ବା ଦୁଃଖରେ ଉଦ୍‌ବେଗଗ୍ରସ୍ତ ହୁଅନ୍ତି ନାହିଁ ।

ଭଗବଦ୍ ଗୀତା 5.21 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ବାହ୍ୟ ଇନ୍ଦ୍ରିୟ ସୁଖରେ ଆସକ୍ତ ହୁଅନ୍ତି ନାହିଁ, ସେମାନେ ନିଜ ମଧ୍ୟରେ ଦିବ୍ୟ ଆନନ୍ଦ ଅନୁଭବ କରନ୍ତି, ସେମାନେ ଯୋଗ ଦ୍ୱାରା ଭଗବାନଙ୍କ ସହିତ ମିଳିତ ହୋଇ, ଚିରନ୍ତନ ସୁଖ ଲାଭ କରନ୍ତି ।

ଭଗବଦ୍ ଗୀତା 5.22 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ସଂସ୍ପର୍ଶରେ ଉପୁଜୁଥିବା ସୁଖ, ଭୌତିକ ଚେତନାଯୁକ୍ତ ବ୍ୟକ୍ତିଙ୍କୁ ସୁଖଦାୟକ ମନେ ହେଉଥିଲେ ମଧ୍ୟ, ବାସ୍ତବରେ ସେ ସବୁ ଦୁଃଖର ଉତ୍ସ ଅଟନ୍ତି । ହେ କୁନ୍ତିପୁତ୍ର! ଏପରି ସୁଖର ଆରମ୍ଭ ଏବଂ ଅନ୍ତ ମଧ୍ୟ ରହିଛି । ତେଣୁ ଜ୍ଞାନୀମାନେ ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ ।

ଭଗବଦ୍ ଗୀତା 5.23 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ଶରୀର ତ୍ୟାଗ କରିବା ପୂର୍ବରୁ, କାମ-କ୍ରୋଧର ବେଗକୁ ସହ୍ୟ କରିବାରେ ସକ୍ଷମ ହୋଇଥାନ୍ତି, ସେମାନେ ବାସ୍ତବିକ ଯୋଗୀ ଅଟନ୍ତି ଏବଂ ସେମାନେ ହିଁ ସୁଖି ଅଟନ୍ତି ।

ଭଗବଦ୍ ଗୀତା 5.24 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ଅନ୍ତରରେ ଭଗବାନଙ୍କର ଆନନ୍ଦକୁ ଅନୁଭବ କରି ସୁଖୀ ରହନ୍ତି ଏବଂ ଯେଉଁମାନେ ନିଜ ଅନ୍ତରର ଜ୍ୟୋତିରେ ଉଦ୍‌ଭାସିତ, ସେହିପରି ଯୋଗୀମାନେ ଭଗବାନଙ୍କୁ ପ୍ରାପ୍ତ କରି ମାୟିକ ସଂସାରରୁ ମୁକ୍ତ ହୋଇଥାନ୍ତି ।

ଭଗବଦ୍ ଗୀତା 5.25 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁ ସାଧୁ ପୁରୁଷମାନଙ୍କର ପାପ କ୍ଷୟ ହୋଇଯାଇ ଥାଏ, ସଂଶୟ ଛିନ୍ନ ଏବଂ ମନ ଶୃଙ୍ଖଳିତ ହୋଇଯାଇ ଥାଏ ଏବଂ ଯେଉଁମାନେ ସମସ୍ତ ପ୍ରାଣୀଙ୍କର ମଙ୍ଗଳ ନିମନ୍ତେ ସମର୍ପିତ, ସେମାନେ ଭଗବାନଙ୍କୁ ପ୍ରାପ୍ତ କରି ମାୟିକ ସଂସାରରୁ ମୁକ୍ତ ହୋଇଯାଆନ୍ତି ।

ଭଗବଦ୍ ଗୀତା 5.26 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁ ସନ୍ନ୍ୟାସୀମାନେ, କ୍ରମାଗତ ଉଦ୍ୟମ ଦ୍ୱାରା, କାମନା ଓ କ୍ରୋଧରୁ ମୁକ୍ତ ହୋଇଯାଇ ଥାଆନ୍ତି, ଯେଉଁମାନେ ନିଜର ମନକୁ ସଂଯତ କରି ଆତ୍ମ ଅନୁଭୂତି ଲାଭ କରିଥାଆନ୍ତି, ସେମାନେ ସର୍ବତୋ ଭାବରେ ମାୟିକ ବନ୍ଧନରୁ ମୁକ୍ତ ରହନ୍ତି ।

ଭଗବଦ୍ ଗୀତା 5.27 - 5.28 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ବାହ୍ୟ ସୁଖ କଳ୍ପନାର ଦ୍ୱାର ବନ୍ଦ କରି, ଦୁଇ ଚକ୍ଷୁର ଭ୍ରୂଲତାର ମଧ୍ୟ ଭାଗରେ ଦୃଷ୍ଟି ନିବଦ୍ଧ କରି, ନାସିକା ରନ୍ଧ୍ରରେ ନିଶ୍ୱାସ ପ୍ରଶ୍ୱାସର ଗତି ସମାନ ରଖି ଯେଉଁ ଯୋଗୀ ଇନ୍ଦ୍ରିୟ-ମନ-ବୁଦ୍ଧିକୁ ବଶ କରିଥାଆନ୍ତି, ସେମାନେ କାମନା ଓ ଭୟରୁ ମୁକ୍ତ ହୋଇ ସର୍ବଦା ବିମୁକ୍ତ ଜୀବନଯାପନ କରିଥାନ୍ତି ।

ଭଗବଦ୍ ଗୀତା 5.29 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୋତେ ସମସ୍ତ ଯଜ୍ଞ ଓ ତପସ୍ୟାର ଉପଭୋକ୍ତା ତଥା ସମସ୍ତ ଲୋକର ପ୍ରଭୁ ଏବଂ ସମସ୍ତ ପ୍ରାଣୀଙ୍କର ନିଃସ୍ୱାର୍ଥପର ବନ୍ଧୁ ରୂପରେ ଜାଣି, ମୋର ଭକ୍ତଗଣ ଶାନ୍ତି ପ୍ରାପ୍ତ କରିଥାନ୍ତି ।
Swami Mukundananda
5. କର୍ମସନ୍ନ୍ୟାସ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency