ପ୍ରଶାନ୍ତାତ୍ମା ବିଗତଭୀର୍ବ୍ରହ୍ମଚାରିବ୍ରତେ ସ୍ଥିତଃ ।
ମନଃ ସଂଯମ୍ୟ ମଚ୍ଚିତ୍ତୋ ଯୁକ୍ତ ଆସୀତ ମତ୍ପରଃ ।।୧୪।।
ପ୍ରଶାନ୍ତ - ପୂର୍ଣ୍ଣ ଶାନ୍ତତ୍ତ; ଆତ୍ମା -ମନ; ବିଗତଭୀଃ - ଭୀତିଶୂନ୍ୟ; ବ୍ରହ୍ମଚାରି ବ୍ରତେ - ବ୍ରହ୍ମଚର୍ଯ୍ୟ ପାଳନରେ; ସ୍ଥିତଃ - ରହି; ମନଃ-ମନ; ସଂଯମ୍ୟ- ସମ୍ପୂର୍ଣ୍ଣରୂପେ ସଂଯମକରି; ମତ୍-ଚିତ୍ତଃ -ମୋର(ଶ୍ରୀକୃଷ୍ଣଙ୍କର) ଧ୍ୟାନ କରି; ଯୁକ୍ତଃ -ନିୟୋଜିତ; ଆସୀତ -ବସିବା ଉଚିତ୍ ; ମତ୍-ପରଃ - ମୋତେ ପରମ ଲକ୍ଷ୍ୟ ମନେକରି ।
BG 6.14: ଜଣେ ସଜାଗ ଯୋଗୀ, ଶାନ୍ତ, ନିର୍ଭୟ ଓ ଅବିଚଳିତ ମନରେ, ବ୍ରହ୍ମଚର୍ଯ୍ୟ ପାଳନରେ ନିଷ୍ଠାବାନ ରହି, ନିଜର ପରମ ଲକ୍ଷ୍ୟ ଭାବରେ ମୋର ହିଁ ଧ୍ୟାନ କରିବା ଉଚିତ ।
ଧ୍ୟାନରେ ସଫଳତା ହାସଲ କରିବା ପାଇଁ ଶ୍ରୀକୃଷ୍ଣ ବ୍ରହ୍ମଚର୍ଯ୍ୟ ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି । ପ୍ରାଣୀ ଜଗତରେ ଯୌନ କାମନା ପ୍ରଜନନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ଏବଂ ଇତର ପ୍ରାଣୀମାନେ କେବଳ ସେହି ଉଦ୍ଦେଶ୍ୟରେ ହିଁ ଏଥିରେ ଲିପ୍ତ ହୋଇଥାଆନ୍ତି । ଅଧିକାଂଶ ପ୍ରଜାତିରେ, ସମ୍ଭୋଗ ପାଇଁ ଏକ ନିର୍ଦ୍ଦିଷ୍ଟ ଋତୁ ଥାଏ; ସେମାନେ ଅସମୟରେ ଯୌନ କ୍ରିୟାରେ ଲିପ୍ତ ହୁଅନ୍ତି ନାହିଁ । ଯେହେତୁ ମନୁଷ୍ୟମାନେ ଅଧିକ ବୁଦ୍ଧିମାନ ଏବଂ ସ୍ୱେଚ୍ଛାରେ କୌଣସି କାର୍ଯ୍ୟରେ ଲିପ୍ତ ହେବାକୁ ସ୍ୱାଧୀନ ଅଟନ୍ତି, ପ୍ରଜନନ କ୍ରିୟା ସେମାନଙ୍କ କ୍ଷେତ୍ରରେ ଏକ ଅନୈତିକ ଉପଭୋଗର ରୂପ ନେଇଛି । କିନ୍ତୁ ବେଦ ଶାସ୍ତ୍ର ବ୍ରହ୍ମଚର୍ଯ୍ୟ ପାଳନ ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇଥାଆନ୍ତି । ମହର୍ଷି ପତଞ୍ଜଳି କହନ୍ତି: ବ୍ରହ୍ମଚର୍ଯ୍ୟପ୍ରତିଷ୍ଠାୟାଂ ବୀର୍ଯ୍ୟ ଲାଭଃ (ଯୋଗସୂତ୍ର ୨.୩୮) “ବ୍ରହ୍ମଚର୍ଯ୍ୟ ପାଳନ ଦ୍ୱାରା ଶକ୍ତିରେ ପ୍ରଚୁର ବୃଦ୍ଧି ଘଟିଥାଏ ।”
ଆୟୁର୍ବେଦ, ଭାରତୀୟ ଔଷଧ ବିଜ୍ଞାନ, ବ୍ରହ୍ମଚର୍ଯ୍ୟର ଅସାଧାରଣ ସ୍ୱାସ୍ଥ୍ୟଗତ ଉପକାରିତା ପାଇଁ ତାହାର ଉଚ୍ଚ ପ୍ରଶଂସା କରିଥାଏ । ଧନ୍ୱନ୍ତରିଙ୍କର ଜଣେ ଶିଷ୍ୟ, ତାଙ୍କର ଆୟୁର୍ବେଦ ପାଠ୍ୟକ୍ରମ ସମାପ୍ତ କରି, ଗୁରୁଙ୍କୁ ପ୍ରଶ୍ନ କଲେ: “ହେ ମୁନିବର! ଦୟାକରି ସ୍ୱାସ୍ଥ୍ୟର ରହସ୍ୟ କ’ଣ, ତାହା ମୋତେ କହନ୍ତୁ ।” ଧନ୍ୱନ୍ତରି ଉତ୍ତର ଦେଲେ: “ବୀର୍ଯ୍ୟ ଶକ୍ତି ବାସ୍ତବ ଆତ୍ମଶକ୍ତି ଅଟେ । ଉତ୍ତମ ସ୍ୱାସ୍ଥ୍ୟର ରହସ୍ୟ ଏହି ଆତ୍ମଶକ୍ତି ବା ଜୀବନୀଶକ୍ତିର ସଂରକ୍ଷଣ ଅଟେ । ଯିଏ ଏହି ଅତ୍ୟନ୍ତ ମୂଲ୍ୟବାନ ଶକ୍ତିର ବୃଥା ଅପବ୍ୟୟ କରନ୍ତି, ତାଙ୍କର ଶାରୀରିକ, ମାନସିକ, ନୈତିକ ଓ ଆଧ୍ୟାତ୍ମିକ ଉନ୍ନତି ହୋଇପାରେ ନାହିଁ ।” ଆୟୁର୍ବେଦ ଅନୁଯାୟୀ, ଚାଳିଶ ଟୋପା ରକ୍ତରେ ଗୋଟିଏ ଟୋପା ବୀର୍ଯ୍ୟ ତିଆରି ହୁଏ । ଯେଉଁମାନେ ନିଜ ବୀର୍ଯ୍ୟର ଅପବ୍ୟୟ କରନ୍ତି, ସେମାନଙ୍କର ପ୍ରାଣ ଅସ୍ଥିର ଓ ଅଶାନ୍ତ ହୋଇଯାଏ । ସେମାନେ ନିଜର ଦୈହିକ ଓ ମାନସିକ ଶକ୍ତି ହରାଇ ବସନ୍ତି ଏବଂ ସେମାନଙ୍କର ସ୍ମରଣ ଶକ୍ତି, ମନ ଓ ବୁଦ୍ଧି ଦୁର୍ବଳ ହୋଇଯାଏ । ବ୍ରହ୍ମଚର୍ଯ୍ୟ ପାଳନର ଫଳ ଶାରୀରିକ ଶକ୍ତି ବୃଦ୍ଧି, ବିଚାର ସ୍ପଷ୍ଟତା, ପ୍ରବଳ ଇଚ୍ଛାଶକ୍ତି, ତୀବ୍ର ସ୍ମରଣ ତଥା ତୀକ୍ଷ୍ଣ ଆଧ୍ୟାତ୍ମିକ ବୁଦ୍ଧି ଅଟେ ।
ବ୍ରହ୍ମଚର୍ଯ୍ୟର ପରିଭାଷା କେବଳ ଦୈହିକ ଉପଭୋଗରୁ କ୍ଷାନ୍ତ ହେବା ନୁହେଁ । ଅଗ୍ନିପୁରାଣ କହେ, ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ଯାଇ ଯୌନ ସମ୍ବନ୍ଧୀୟ ଆଠ ପ୍ରକାର କର୍ମକୁ ନିୟନ୍ତ୍ରଣ କରିବା ଆବଶ୍ୟକ: ୧. ତା’ର ଚିନ୍ତନ କରିବା, ୨. ସେ ବିଷୟରେ ଆଲୋଚନା କରିବା, ୩. ଥଟ୍ଟା ପରିହାସ କରିବା, ୪. ମନରେ ତା’ର କଳ୍ପନା କରିବା, ୫. ତାହା ପ୍ରତି ଇଚ୍ଛା ପୋଷଣ କରିବା, ୬. ତାହା ପ୍ରତି ଆଗ୍ରହୀ ବ୍ୟକ୍ତିଙ୍କୁ ପ୍ରଣୟ ନିବେଦନ କରିବା, ୭. ଆଗ୍ରହୀ ବ୍ୟକ୍ତିକୁ ପ୍ରଲୋଭିତ କରିବା, ୮. ସେଥିରେ ଲିପ୍ତ ହେବା । ବ୍ରହ୍ମଚାରୀ ବୋଲାଇବା ପାଇଁ ଜଣେ ବ୍ୟକ୍ତି ଏହିସବୁ କର୍ମରୁ କ୍ଷାନ୍ତ ରହିବା ଆବଶ୍ୟକ । ଅତଏବ, ବ୍ରହ୍ମଚର୍ଯ୍ୟର ତାତ୍ପର୍ଯ୍ୟ କେବଳ ସମ୍ଭୋଗରୁ କ୍ଷାନ୍ତ ହେବା ନୁହେଁ, ବରଂ ହସ୍ତ ମୈଥୁନ, ସମଲିଙ୍ଗି କାର୍ଯ୍ୟ ଏବଂ ଅନ୍ୟ ସମସ୍ତ ଯୌନ ସମ୍ବନ୍ଧୀୟ କାର୍ଯ୍ୟଠାରୁ ଦୂରେଇ ରହିବା ଅଟେ ।
ପୁନର୍ବାର ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ ଧ୍ୟାନର ବସ୍ତୁ କେବଳ ଭଗବାନ ହେବା ଉଚିତ୍ । ଏହାର ପୁନରାବୃତ୍ତି ପରବର୍ତ୍ତୀ ଶ୍ଲୋକରେ କରାଯାଇଛି ।
ପ୍ରଶାନ୍ତାତ୍ମା ବିଗତଭୀର୍ବ୍ରହ୍ମଚାରିବ୍ରତେ ସ୍ଥିତଃ ।
ମନଃ ସଂଯମ୍ୟ ମଚ୍ଚିତ୍ତୋ ଯୁକ୍ତ ଆସୀତ ମତ୍ପରଃ ।।୧୪।।
ଜଣେ ସଜାଗ ଯୋଗୀ, ଶାନ୍ତ, ନିର୍ଭୟ ଓ ଅବିଚଳିତ ମନରେ, ବ୍ରହ୍ମଚର୍ଯ୍ୟ ପାଳନରେ ନିଷ୍ଠାବାନ ରହି, ନିଜର ପରମ ଲକ୍ଷ୍ୟ ଭାବରେ ମୋର ହିଁ ଧ୍ୟାନ କରିବା …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ