ଉଦ୍ଧରେଦାତ୍ମନାତ୍ମାନଂ ନାତ୍ମାନମବସାଦୟେତ୍ ।
ଆତ୍ମେବ ହ୍ୟାତ୍ମନୋ ବନ୍ଧୁରାମୈôବ ରିପୁରାତ୍ମନଃ ।।୫।।
ଉଦ୍ଧରେତ୍ -ଉନ୍ନତ କରିବା; ଆତ୍ମନା - ମନ ସାହାଯ୍ୟରେ; ଆତ୍ମାନଂ- ଜୀବାତ୍ମାକୁ; ନ- ନୁହେଁ; ଆତ୍ମାନଂ -ଜୀବାତ୍ମା; ଅବସାଦୟେତ୍ - ଅଧୋଗତି କରାଇବା; ଆତ୍ମା-ମନ; ଏବ- ନିଶ୍ଚିତଭାବେ; ହି -ବାସ୍ତବରେ; ଆତ୍ମନଃ -ଜୀବାତ୍ମାର; ବନ୍ଧୁଃ -ବନ୍ଧୁ; ଆତ୍ମା -ମନ; ଏବ-ନିଶ୍ଚିତଭାବେ; ରିପୁଃ - ଶତ୍ରୁ; ଆତ୍ମନଃ -ଜୀବାତ୍ମାର ।
BG 6.5: ମନର ଶକ୍ତି ଦ୍ୱାରା ନିଜର ଉତ୍ଥାନ କର, ନିଜର ପତନ କରାଅ ନାହିଁ; କାରଣ ମନ ଆତ୍ମାର ବନ୍ଧୁ ହେଇପାରେ କିମ୍ବା ଶତ୍ରୁ ମଧ୍ୟ ହେଇପାରେ ।
ଆମର ଉତ୍ଥାନ କିମ୍ବା ପତନ ପାଇଁ ଆମେ ଦାୟୀ ଅଟେ । ଆମ ପାଇଁ ଅନ୍ୟ କେହି ଭଗବତ୍ ପ୍ରାପ୍ତିର ମାର୍ଗ ଅତିକ୍ରମ କରିବେ ନାହିଁ । ସନ୍ଥ ଏବଂ ଗୁରୁ ଆମକୁ ରାସ୍ତା ଦେଖାଇବେ, କିନ୍ତୁ ଏଥିରେ ଯାତ୍ରା ଆମକୁ ହିଁ କରିବାକୁ ପଡ଼ିବ । ହିନ୍ଦୀରେ ଗୋଟିଏ ଦୋହା ଅଛି; ଏକ୍ ପେଡ୍ ଦୋ ପକ୍ଷୀ ବୈଠେ, ଏକ ଗୁରୁ ଏକ ଚେଲା, ଅପନୀ କରନୀ ଗୁରୁ ଉତରେ, ଅପନୀ କରନୀ ଚେଲା, “ଗୋଟିଏ ବୃକ୍ଷରେ ଦୁଇଟି ପକ୍ଷୀ ବସିଛନ୍ତି - ଜଣେ ଗୁରୁ ଓ ଜଣେ ଶିଷ୍ୟ । ଗୁରୁ ନିଜ କର୍ମ ଦ୍ୱାରା ଓହ୍ଲାଇବେ ଏବଂ ଶିଷ୍ୟ ମଧ୍ୟ ନିଜ କର୍ମ ଦ୍ୱାରା ହିଁ ଓହ୍ଲାଇବାକୁ ସକ୍ଷମ ହେବ ।”
ଏହି ଜନ୍ମ ପୂର୍ବରୁ ଆମର ଅସଂଖ୍ୟ ଜନ୍ମ ରହିଛି ଏବଂ ସବୁ ସମୟରେ ଭଗବତ୍ ପ୍ରାପ୍ତ ମହାପୁରୁଷମାନେ ସଂସାରରେ ରହିଛନ୍ତି । କୌଣସି ଏକ ସମୟରେ ସଂସାରରେ ଯଦି କେହି ସନ୍ଥ ନ ଥାନ୍ତେ, ତେବେ ସେହି ସମୟରେ କୌଣସି ଜୀବ ଭଗବତ୍ପ୍ରାପ୍ତି କରିପାରନ୍ତେ ନାହିଁ । ତାହେଲେ ମନୁଷ୍ୟ ଜୀବନରେ ଜୀବ ନିଜର ଭଗବତ୍ ପ୍ରାପ୍ତିରୂପୀ ଲକ୍ଷ୍ୟ ହାସଲ କରିବ କିପରି? ସେଥିପାଇଁ ଭଗବାନ ଏହାର ବ୍ୟବସ୍ଥା କରିଥାଆନ୍ତି, ଯେପରି ସବୁ ଯୁଗରେ ମହାପୁରୁଷଗଣ ସଂସାରରେ ରହି, ସାଧକମାନଙ୍କର ପଥ ପ୍ରଦର୍ଶନ କରିବା ସହିତ ମାନବ ସମାଜକୁ ଉଦ୍ବୁଦ୍ଧ କରିପାରିବେ । ଆମର ଅନନ୍ତ ପୂର୍ବ ଜନ୍ମରେ ଆମେ ବହୁବାର ଭଗବତ୍ ପ୍ରାପ୍ତ ମହାପୁରୁଷ ମାନଙ୍କର ସଂସ୍ପର୍ଶରେ ଆସିଥିବା, ଅଥଚ ଏଯାବତ୍ ଆମର ଭଗବତ୍ ପ୍ରାପ୍ତି ହୋଇନାହିଁ । ତା’ର କାରଣ, ମାର୍ଗଦର୍ଶନର ଅଭାବ ନୁହେଁ, ବରଂ ମହାପୁରୁଷମାନଙ୍କର ଉପଦେଶ ଗ୍ରହଣ କରିବା ବା ତାହା ପାଳନ କରିବାରେ ଆମର କୁଣ୍ଠିତ ମନୋଭାବ ଅଟେ । ତେଣୁ ଆମର ବର୍ତ୍ତମାନର ଆଧ୍ୟାତ୍ମିକ ସ୍ଥିତି ପାଇଁ ସର୍ବପ୍ରଥମେ ଆମେ ନିଜକୁ ଦାୟୀ ମନେକରିବା ଉଚିତ । ଏହାଦ୍ୱାରା ଆମର ମନୋବଳ ଦୃଢ଼ ହେବ ଯେ ଯଦି ଆମେ ନିଜକୁ ଏହି ସ୍ଥିତିକୁ ଆଣିପାରିଛୁ ତେବେ ନିଜ ଉଦ୍ୟମରେ ଆମେ ଉଚ୍ଚସ୍ତରକୁ ମଧ୍ୟ ଯାଇପାରିବା ।
ଆଧ୍ୟାତ୍ମିକ ଉନ୍ନତି ପଥରେ ଆମେ ଯେତେବେଳେ କିଛି ବିପର୍ଯୟ ଦେଖିଥାଏ, ଆମେ ଅଭିଯୋଗ କରିଥାଏ ଯେ ଅନ୍ୟମାନେ ଆମ ରାସ୍ତାରେ ସମସ୍ୟା ଉତ୍ପନ୍ନ କରୁଛନ୍ତି ଏବଂ ସେମାନେ ଆମର ଶତ୍ରୁ ଅଟନ୍ତି । କିନ୍ତୁ ଆମର ବଡ଼ ଶତ୍ରୁ ଆମ ନିଜର ମନ ଅଟେ । ଏହା ବିଧ୍ୱଂସକ ରୂପେ ପୂର୍ଣ୍ଣତା ପ୍ରାପ୍ତିର ଆମର ସମସ୍ତ ଉଦ୍ୟମକୁ ବ୍ୟର୍ଥ କରିଦେଇଥାଏ । ଶ୍ରୀକୃଷ୍ଣ କହୁଛନ୍ତି ଯେ ଏକ ପକ୍ଷରେ, ଆତ୍ମାର ସର୍ବଶ୍ରେଷ୍ଠ ହିତାକାଂକ୍ଷୀ ଭାବରେ, ମନଠାରେ ଆମକୁ ସର୍ବାଧିକ ଲାଭାନ୍ୱିତ କରିବାର ଶକ୍ତି ରହିଛି । ଅନ୍ୟ ପକ୍ଷରେ, ଆମର ପରମ ଶତ୍ରୁ ଭାବରେ, ସର୍ବାଧିକ ହାନି କରିବାର କ୍ଷମତା ମଧ୍ୟ ଏହାର ରହିଛି । ଏକ ଶୃଙ୍ଖଳିତ ମନ ଅନେକ ଲାଭଦାୟକ ଉଦ୍ୟମକୁ ସଫଳ କରିପାରେ, ଯେତେବେଳେ କି ଏକ ବିଶୃଙ୍ଖଳ ମନ, ଚେତନାକୁ ନିକୃଷ୍ଟତମ ଚିନ୍ତନ ସ୍ତରକୁ ଖସାଇ ଦେଇପାରେ ।
ଏହାକୁ ଆମର ପରମ ମିତ୍ର କରିବା ପାଇଁ, ମନର ସ୍ୱଭାବକୁ ଜାଣିବା ଜରୁରୀ ଅଟେ । ଆମର ମନ ଚାରୋଟି ସ୍ତରରେ କାର୍ଯ୍ୟ କରିଥାଏ ।
୧. ମନ: ଯେତେବେଳେ ଏହା ବିଚାର ଉତ୍ପନ୍ନ କରେ, ଏହାକୁ ମନ କୁହାଯାଏ ।
୨. ବୁଦ୍ଧି: ଯେତେବେଳେ ଏହା ବିଚାରର ବିଶ୍ଲେଷଣ କରି ନିଷ୍ପତ୍ତି ନିଏ, ଏହାକୁ ବୁଦ୍ଧି କୁହାଯାଏ ।
୩. ଚିତ୍ତ: ଯେତେବେଳେ ଏହା ବ୍ୟକ୍ତି ବା ବସ୍ତୁଠାରେ ଆସକ୍ତ ହୋଇଯାଏ, ଏହାକୁ ଚିତ୍ତ କୁହାଯାଏ ।
୪. ଅହଂକାର: ଯେତେବେଳେ ଏହା ନିଜକୁ ଶରୀର ମନେକରି ମାୟିକ ଧନ, ପ୍ରତିପତ୍ତି, ସୌନ୍ଦର୍ଯ୍ୟ, ଓ ବିଦ୍ୟା ଇତ୍ୟାଦି ପାଇଁ ଗର୍ବିତ ହୁଏ, ଆମେ ଏହାକୁ ଅହଂକାର କହିଥାଏ ।
ଏହି ଚାରିଗୋଟି ଭିନ୍ନ ଭିନ୍ନ ତତ୍ତ୍ୱ ନୁହଁନ୍ତି । ଏମାନେ କେବଳ ମନର କାର୍ଯ୍ୟ କରିବାର ଚାରୋଟି ସ୍ତର ଅଟନ୍ତି । ତେଣୁ ଏମାନଙ୍କୁ ଆମେ କେବଳ ମନ, ବା ମନ-ବୁଦ୍ଧି, ବା ମନ-ବୁଦ୍ଧି-ଅହଂକାର, ବା ମନ-ବୁଦ୍ଧି-ଚିତ୍ତ-ଅହଂକାର କହିପାରିବା । ଏମାନେ ସମସ୍ତ ଗୋଟିଏ ହିଁ ତତ୍ତ୍ୱକୁ ବୁଝାଇଥାଆନ୍ତି ।
ଏଠାରେ ବ୍ୟବହାର କରାଯାଇଥିବା ଅହଂକାର ଶବ୍ଦର ଅର୍ଥ ଫ୍ରଏଡ଼ିଆନ ମନୋବିଜ୍ଞାନର ଶବ୍ଦାର୍ଥ ଠାରୁ ଭିନ୍ନ ଅଟେ । ସିଗ୍ମଣ୍ଡ ଫ୍ରଏଡ୍ (୧୮୫୬-୧୯୩୯), ଅଷ୍ଟ୍ରିୟାର ଜଣେ ସ୍ନାୟୁବିଶେଷଜ୍ଞ, ମନ କିପରି କାର୍ଯ୍ୟ କରେ, ସେ ସମ୍ପର୍କରେ ମନୋବିଜ୍ଞାନର ପ୍ରଥମ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ । ତାଙ୍କ ମତରେ, ଅହଂକାର ‘ବାସ୍ତବ ମୁଁ’ ଅଟେ, ଯାହା ଆମର ଅଦମ୍ୟ ଇଚ୍ଛା (ଇଡ୍) ଏବଂ ସାମାଜିକ-ନୈତିକ ମୂଲ୍ୟବୋଧ (ବିବେକ) ମଧ୍ୟରେ ଏକ ସେତୁ ରୂପେ କାର୍ଯ୍ୟ କରିଥାଏ ।
ଭିନ୍ନ ଭିନ୍ନ ଶାସ୍ତ୍ର, ସେଥିରେ ବର୍ଣ୍ଣିତ ତତ୍ତ୍ୱକୁ ସ୍ପଷ୍ଟ କରିବା ଉଦ୍ଦେଶ୍ୟରେ, ମନର ବ୍ୟବହାର ଉପରୋକ୍ତ ଚାରିପ୍ରକାର ମଧ୍ୟରୁ ଯେ କୌଣସି ଗୋଟିଏ ପ୍ରକାରରେ କରିଥାଆନ୍ତି । କିନ୍ତୁ ସମସ୍ତେ ସେହି ଗୋଟିଏ ଆଭ୍ୟନ୍ତରୀଣ ଉପକରଣକୁ ଇଶାରା କରିଥାଆନ୍ତି, ଯାହାକୁ ଗୋଟିଏ ଶବ୍ଦରେ ଅନ୍ତଃକରଣ, ବା ମନ କୁହାଯାଏ ।
ଉଦାହରଣ ସ୍ୱରୂପ:
- ପଞ୍ଚଦଶୀ ଏହି ଚାରୋଟି ସ୍ତରକୁ ଏକତ୍ର ‘ମନ’ କହିଥାଏ, ଏବଂ ତାହାକୁ ଭୌତିକ ବନ୍ଧନର କାରଣ ରୂପେ ଅଭିହିତ କରିଥାଏ ।
- ଭଗବଦ୍ ଗୀତାରେ, ଶ୍ରୀକୃଷ୍ଣ ମନ ଓ ବୁଦ୍ଧିକୁ ଦୁଇଟି ତତ୍ତ୍ୱ ରୂପେ ବିବେଚନା କରି, ସେମାନଙ୍କୁ ଭଗବାନଙ୍କର ଶରଣାଗତ କରିବାର ଆବଶ୍ୟକତା ଉପରେ ବାରମ୍ବାର ଗୁରୁତ୍ୱ ଦେଇଛନ୍ତି ।
- ଯୋଗଦର୍ଶନ, ପ୍ରକୃତିର ଭିନ୍ନ ଭିନ୍ନ ଉପାଦାନମାନର ବିଶ୍ଲେଷଣ କରିବାକୁ ଯାଇ, ତିନୋଟି ତତ୍ତ୍ୱର ଉଲ୍ଲେଖ କରିଥାଏ; ମନ, ବୁଦ୍ଧି ଓ ଅହଂକାର ।
- ଶଙ୍କରାଚାର୍ଯ୍ୟ, ଆତ୍ମା ନିମନ୍ତେ ଉପଲବ୍ଧ ଉପକରଣର ବ୍ୟାଖ୍ୟା କରିବାକୁ ଯାଇ, ମନକୁ ଚାରି ଶ୍ରେଣୀରେ ବିଭକ୍ତ କରିଛନ୍ତି- ମନ, ବୁଦ୍ଧି, ଚିତ୍ତ ଏବଂ ଅହଂକାର ।
ଅତଏବ, ଶ୍ରୀକୃଷ୍ଣ ଯେତେବେଳେ କହୁଛନ୍ତି ମନର ଉପଯୋଗ କରି ନିଜର ଉତ୍ଥାନ କର, ତାଙ୍କର ତାତ୍ପର୍ଯ୍ୟ, ଉଚ୍ଚତର ମନ ଦ୍ୱାରା ନିମ୍ନତର ମନର ଉତ୍ଥାନ କରିବା ଅଟେ । ଅନ୍ୟ ଶବ୍ଦରେ, ଆମେ ବୁଦ୍ଧିର ଉପଯୋଗ କରି ମନକୁ ନିୟନ୍ତ୍ରଣ କରିବା ଉଚିତ । ଏହା କିପରି କରାଯିବ, ତାହା ଶ୍ଲୋକ ୨.୪୧.ରୁ ୨.୪୪ ଏବଂ ଶ୍ଳୋକ ୩.୪୩ରେ ବର୍ଣ୍ଣନା କରାଯାଇଛି ।
ଉଦ୍ଧରେଦାତ୍ମନାତ୍ମାନଂ ନାତ୍ମାନମବସାଦୟେତ୍ ।
ଆତ୍ମେବ ହ୍ୟାତ୍ମନୋ ବନ୍ଧୁରାମୈôବ ରିପୁରାତ୍ମନଃ ।।୫।।
ମନର ଶକ୍ତି ଦ୍ୱାରା ନିଜର ଉତ୍ଥାନ କର, ନିଜର ପତନ କରାଅ ନାହିଁ; କାରଣ ମନ ଆତ୍ମାର ବନ୍ଧୁ ହେଇପାରେ କିମ୍ବା ଶତ୍ରୁ ମଧ୍ୟ ହେଇପାରେ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ