ଅଧ୍ୟାୟ 7: ଜ୍ଞାନ ବିଜ୍ଞାନ ଯୋଗ

ଜ୍ଞାନ ବିଜ୍ଞାନ ଯୋଗ

ଏହି ଅଧ୍ୟାୟରେ ଭଗବାନଙ୍କ ଶକ୍ତିର ଦୁଇଟି ଦିଗ, ଭୌତିକ ଏବଂ ଆଧ୍ୟାତ୍ମିକ, ସମ୍ପର୍କରେ ବର୍ଣ୍ଣନା କରାଯାଇଅଛି । ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ, ଏହି ସବୁ ଶକ୍ତି ତାଙ୍କଠାରୁ ଉତ୍ପନ୍ନ ଲାଭ କରିଛନ୍ତି ଏବଂ ସୁତାରେ ମାଳି ଗୁନ୍ଥା ହେବା ପରି ତାଙ୍କଠାରେ ସନ୍ନିବିଷ୍ଟ ରହିଛନ୍ତି । ସେ ସମସ୍ତ ଶକ୍ତିର ଉତ୍ସ ଅଟନ୍ତି ଏବଂ ପୁନର୍ବାର ସବୁ କିଛି ତାଙ୍କ ଠାରେ ହିଁ ଲୀନ ହୋଇଯାଆନ୍ତି । ତାଙ୍କର ମାୟା ଶକ୍ତିକୁ ଅତିକ୍ରମ କରିବା ଅତ୍ୟନ୍ତ କଷ୍ଟସାଧ୍ୟ, କିନ୍ତୁ ଯେଉଁବ୍ୟକ୍ତି ତାଙ୍କର ଶରଣାଗତ ହୁଏ, ସେ ତାଙ୍କର କୃପା ପ୍ରାପ୍ତ କରି ମାୟାକୁ ସହଜରେ ଜୟ କରି ପାରିଥାଏ । ଶ୍ରୀକୃଷ୍ଣ ଚାରି ପ୍ରକାରର ବ୍ୟକ୍ତି, ଯେଉଁମାନେ ତାଙ୍କର ଶରଣାଗତ ହୁଅନ୍ତି ନାହିଁ ଏବଂ ଚାରି ପ୍ରକାରର ବ୍ୟକ୍ତି, ଯେଉଁମାନେ ତାଙ୍କର ଭକ୍ତିରେ ନିୟୋଜିତ  ରହନ୍ତି, ସେମାନଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି । ତାଙ୍କର ଭକ୍ତମାନଙ୍କ ମଧ୍ୟରୁ ଯିଏ ଜ୍ଞାନଯୁକ୍ତ ହୋଇ ମନ ବୁଦ୍ଧି ସମର୍ପଣ ପୂର୍ବକ ତାଙ୍କର ଭକ୍ତି କରନ୍ତି, ତାଙ୍କୁ ସେ ନିଜର ଅତ୍ୟନ୍ତ ପ୍ରିୟ ମନେ କରନ୍ତି । କେତେକ ବ୍ୟକ୍ତିଙ୍କର ବୁଦ୍ଧିକୁ ସାଂସାରିକ କାମନା ପ୍ରଭାବିତ କରେ, ସେମାନେ ସ୍ୱର୍ଗର ଦେବତାମାନଙ୍କର ଶରଣାଗତ ହୁଅନ୍ତି । କିନ୍ତୁ ସ୍ୱର୍ଗର ଦେବତାମାନେ ନଶ୍ୱର ସାଂସାରିକ ଫଳ ପ୍ରଦାନ କରିଥାଆନ୍ତି, ତାହା ମଧ୍ୟ ସେମାନେ ଭଗବାନଙ୍କଠାରୁ ପାଇଥିବା ଶକ୍ତି ଦ୍ୱାରା ହିଁ କରିଥାଆନ୍ତି । ସୁତରାଂ, ଭକ୍ତିର ସର୍ବଶ୍ରେଷ୍ଠ ବିଷୟ ସ୍ୱୟଂ ଭଗବାନ ହିଁ ଅଟନ୍ତି । ଶ୍ରୀକୃଷ୍ଣ, ଏହାର ପୁଷ୍ଟି କରିବାକୁ ଯାଇ କହୁଛନ୍ତି ଯେ ସର୍ବଜ୍ଞତା, ସର୍ବବିଦ୍ୟମାନତା, ସର୍ବଶକ୍ତିସମ୍ପନ୍ନ ଆଦି ଅନନ୍ତ ଶାଶ୍ୱତ ଦିବ୍ୟ ଗୁଣର ଅଧିକାରୀ ସେ ହିଁ ସର୍ବୋଚ୍ଚ ତତ୍ତ୍ୱ ଏବଂ ଅନ୍ତିମ ଲକ୍ଷ୍ୟ ଅଟନ୍ତି । କିନ୍ତୁ ତାଙ୍କର ବ୍ୟକ୍ତିତ୍ୱ ତାଙ୍କ ଦୈବୀ ଯୋଗମାୟା ଶକ୍ତିର ପରଦାରେ ଆଚ୍ଛାଦିତ ହୋଇ ଲୁକ୍‌କାୟିତ ରହିଥାଏ । ସେଥିପାଇଁ ତାଙ୍କ ଦିବ୍ୟ ସ୍ୱରୂପର ଅବିନଶ୍ୱର ଗୁଣକୁ ସମସ୍ତେ ଜାଣନ୍ତି ନାହିଁ । ଆମେ ଯଦି ତାଙ୍କର ଆଶ୍ରିତ ହୋଇଯିବା, ତେବେ ତାଙ୍କୁ ଜାଣିବା ପାଇଁ ସେ ଆମକୁ ଦିବ୍ୟଜ୍ଞାନ ପ୍ରଦାନ କରିବେ ଏବଂ ତାଙ୍କୁ ଜାଣି ଆମେ ମଧ୍ୟ ଆତ୍ମାର ଜ୍ଞାନ ଏବଂ କ୍ଷେତ୍ର ସମ୍ବନ୍ଧରେ ଜ୍ଞାନ ମଧ୍ୟ ପ୍ରାପ୍ତ କରିପାରିବା ।

ଭଗବଦ୍ ଗୀତା 7.1 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଭଗବାନ କହିଲେ, ହେ ଅର୍ଜୁନ! ବର୍ତ୍ତମାନ ଶୁଣ, କେବଳ ମୋଠାରେ ହିଁ ମନକୁ କେନ୍ଦ୍ରିତ କରି, ଭକ୍ତି ଯୋଗର ସାଧନା ଦ୍ୱାରା ମୋର ଶରଣାଗତ ହେଲେ, ଏହା ନିଃସନ୍ଦେହ ଯେ ତୁମେ ମୋତେ ସମ୍ପୂର୍ଣ୍ଣ ଭାବେ ଜାଣିପାରିବ ।

ଭଗବଦ୍ ଗୀତା 7.2 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ବର୍ତ୍ତମାନ ମୁଁ ତୁମ ସମ୍ମୁଖରେ ଏହି ଜ୍ଞାନ ଓ ବିଜ୍ଞାନର ସମ୍ପୂର୍ଣ୍ଣ ରହସ୍ୟ ଉନ୍ମୋଚନ କରିବାକୁ ଯାଉଛି, ଯାହା ଜାଣିବା ପରେ ଏହି ସଂସାରରେ ଆଉ କିଛି ଜାଣିବା ପାଇଁ ବାକି ରହିବ ନାହିଁ ।

ଭଗବଦ୍ ଗୀତା 7.3 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହଜାର ହଜାର ବ୍ୟକ୍ତିଙ୍କ ମଧ୍ୟରୁ କେହି କେହି ସିଦ୍ଧି ପ୍ରାପ୍ତ କରିବା ଦିଗରେ ପ୍ରୟାସ କରନ୍ତି; ଏବଂ ଯେଉଁମାନେ ସିଦ୍ଧି ଲାଭ କରନ୍ତି, ସେମାନଙ୍କ ମଧ୍ୟରୁ କେହି କେହି ଯଥାର୍ଥରେ ମୋର ବାସ୍ତବ ସ୍ୱରୂପକୁ ଜାଣନ୍ତି ।

ଭଗବଦ୍ ଗୀତା 7.4 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ପୃଥିବୀ, ଜଳ, ତେଜ, ବାୟୁ, ଆକାଶ, ମନ, ବୁଦ୍ଧି ଏବଂ ଅହଂକାର - ଏସବୁ ମୋ ମାୟା ଶକ୍ତିର ଆଠଟି ଉପାଦାନ ଅଟନ୍ତି ।

ଭଗବଦ୍ ଗୀତା 7.5 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ବୀର ଅର୍ଜୁନ! ମୋର ଏହି ନିକୃଷ୍ଟ ଶକ୍ତିର ଊର୍ଦ୍ଧ୍ୱରେ ଏକ ଉତ୍କୃଷ୍ଟ ଶକ୍ତି ରହିଛି । ଏହା ହେଉଛି ଜୀବଶକ୍ତି (ଚୈତନ୍ୟ ଶକ୍ତି), ଯାହାର ପରିପ୍ରକାଶ ସଂସାରରେ ଜୀବନର ଆଧାର ଶରୀରଧାରୀ ଜୀବସମୁଦାୟ ଅଟନ୍ତି ।

ଭଗବଦ୍ ଗୀତା 7.6 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସମସ୍ତ ପ୍ରାଣୀ ମୋର ଏହି ଦୁଇ ଶକ୍ତି ଦ୍ୱାରା ପ୍ରକଟିତ ହୋଇଛନ୍ତି । ମୁଁ ସମଗ୍ର ସୃଷ୍ଟିର ଉତ୍ସ ଏବଂ ମୋଠାରେ ଏହାର ପୁନର୍ବାର ବିଲୟ ହୋଇଯିବ ।

ଭଗବଦ୍ ଗୀତା 7.7 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅର୍ଜୁନ, ମୋଠାରୁ ଶ୍ରେଷ୍ଠତର କେହି ନୁହଁନ୍ତି । ସୂତାରେ ମଣି ଗୁନ୍ଥା ହେଲା ପରି, ସବୁକିଛି ମୋ ଠାରେ ସ୍ଥିତ ଅଟନ୍ତି ।

ଭଗବଦ୍ ଗୀତା 7.8 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ କୁନ୍ତି ପୁତ୍ର! ମୁଁ ଜଳର ସ୍ୱାଦ ଅଟେ; ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କର ପ୍ରକାଶ ଅଟେ । ମୁଁ ବେଦ ମନ୍ତ୍ରର ପବିତ୍ର ଅକ୍ଷର ଓଁ ଅଟେ; ମୁଁ ବ୍ରହ୍ମାଣ୍ଡୀୟ ନାଦ ଏବଂ ମନୁଷ୍ୟଙ୍କର ସାମର୍ଥ୍ୟ ଅଟେ ।

ଭଗବଦ୍ ଗୀତା 7.9 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୁଁ ପୃଥିବୀର ବିଶୁଦ୍ଧ ସୁଗନ୍ଧ ଏବଂ ଅଗ୍ନିର ଉଜ୍ଜ୍ୱଳତା ଅଟେ । ମୁଁ ସମସ୍ତ ପ୍ରାଣୀଙ୍କର ଜୀବନ ଶକ୍ତି ଏବଂ ତପସ୍ୱୀଙ୍କର ସାଧନା ଅଟେ ।

ଭଗବଦ୍ ଗୀତା 7.10 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅର୍ଜୁନ! ମୋତେ ସମସ୍ତ ପ୍ରାଣୀଙ୍କର ଅନାଦି ବୀଜ ରୂପରେ ଜାଣ । ମୁଁ ବୁଦ୍ଧିମାନ ବ୍ୟକ୍ତିଙ୍କର ବୁଦ୍ଧି ଅଟେ, ଏବଂ ଗୌରବଶାଳୀ ବ୍ୟକ୍ତିଙ୍କର ଗରିମା ଅଟେ ।

ଭଗବଦ୍ ଗୀତା 7.11 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଭାରତଶ୍ରେଷ୍ଠ! ବଳବାନ ବ୍ୟକ୍ତିଙ୍କର ମୁଁ କାମନା ଓ ଆସକ୍ତି ରହିତ ବଳ ଅଟେ । ମୁଁ ଧର୍ମ କିମ୍ବା ଶାସ୍ତ୍ର ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରୁ ନ ଥିବା ଯୌନ କ୍ରିୟା ଅଟେ ।

ଭଗବଦ୍ ଗୀତା 7.12 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସଂସାରରେ ଥିବା ତିନିଗୋଟି ଗୁଣ- ସତ୍ତ୍ୱ, ରଜ ଓ ତମ - ମୋ ଶକ୍ତିର ପ୍ରାକଟ୍ୟ ଅଟନ୍ତି । ସେମାନେ ମୋ ଭିତରେ ଅଛନ୍ତି, କିନ୍ତୁ ମୁଁ ତାଙ୍କଠାରୁ ଊର୍ଦ୍ଧ୍ୱରେ ରହିଥାଏ ।

ଭଗବଦ୍ ଗୀତା 7.13 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମାୟାର ତିନିଗୁଣ ଦ୍ୱାରା ଭ୍ରମିତ ହୋଇ, ସଂସାରର ମନୁଷ୍ୟମାନେ, ଚିରନ୍ତନ ଓ ଅବିନଶ୍ୱର ତତ୍ତ୍ୱ ଭାବେ ମୋତେ ଜାଣିପାରନ୍ତି ନାହିଁ ।

ଭଗବଦ୍ ଗୀତା 7.14 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ପ୍ରକୃତିର ତ୍ରିଗୁଣାତ୍ମିକା ମୋର ଦିବ୍ୟଶକ୍ତି ମାୟାକୁ ଜୟ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଅଟେ । ଯେଉଁମାନେ ମୋର ଶରଣାଗତ ହୁଅନ୍ତି, ସେମାନେ ସହଜରେ ଏହାକୁ ଅତିକ୍ରମ କରି ନିଅନ୍ତି ।

ଭଗବଦ୍ ଗୀତା 7.15 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଚାରି ଶ୍ରେଣୀର ଲୋକ ମୋର ଶରଣାଗତ ହୁଅନ୍ତି ନାହିଁ - ଯେଉଁମାନେ ଅଜ୍ଞାନୀ, ଯେଉଁମାନେ ମୋତେ ଜାଣିବାର ସାମର୍ଥ୍ୟ ଥାଇ ସୁଦ୍ଧା ଆଳସ୍ୟ ପରାୟଣ ହୋଇ ନିଜର ନିମ୍ନ ପ୍ରକୃତି ଅନୁସାରେ ଆଚରଣ କରନ୍ତି, ଯାହାଙ୍କର ବୁଦ୍ଧି ଭ୍ରମିତ ହୋଇଥାଏ ଏବଂ ଯେଉଁମାନେ ଦାନବ ସ୍ୱଭାବର ହୋଇଥାନ୍ତି ।

ଭଗବଦ୍ ଗୀତା 7.16 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଭାରତ ଶ୍ରେଷ୍ଠ! ଚାରି ପ୍ରକାରର ଧର୍ମପରାୟଣ ବ୍ୟକ୍ତି ମୋର ଭକ୍ତି କରନ୍ତି - ଦୁଃଖୀ ବ୍ୟକ୍ତି, ଜ୍ଞାନ ପିପାସୁ, ଭୌତିକ ଲାଭର ଅଭିଳାଷୀ ଏବଂ ଜ୍ଞାନୀ ।

ଭଗବଦ୍ ଗୀତା 7.17 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଏମାନଙ୍କ ମଧ୍ୟରୁ ଯେଉଁ ବ୍ୟକ୍ତି ଜ୍ଞାନଯୁକ୍ତ ହୋଇ, ନିରନ୍ତର ଓ ଅନନ୍ୟ ଭାବରେ ମୋର ଭକ୍ତି କରନ୍ତି, ମୁଁ ତାଙ୍କୁ ସର୍ବଶ୍ରେଷ୍ଠ ବିଚାର କରିଥାଏ । ମୁଁ ତାଙ୍କର ଅତିପ୍ରିୟ ଏବଂ ସେମାନେ ମଧ୍ୟ ମୋର ଅତିପ୍ରିୟ ଅଟନ୍ତି ।

ଭଗବଦ୍ ଗୀତା 7.18 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ବାସ୍ତବରେ ମୋର ଭକ୍ତି କରୁଥିବା ସମସ୍ତ ବ୍ୟକ୍ତି ମହାନ୍ ଅଟନ୍ତି । କିନ୍ତୁ, ଯେଉଁମାନେ ଜ୍ଞାନରେ ସ୍ଥିତ, ଏକାଗ୍ର ଚିତ୍ତ, ଯାହାର ବୁଦ୍ଧି ମୋ ପ୍ରତି ସମର୍ପିତ ଏବଂ ଯେଉଁମାନେ ମୋତେ ହିଁ ନିଜର ଚରମ ଲକ୍ଷ୍ୟ ଭାବେ ଗ୍ରହଣ କରିଥାଆନ୍ତି, ମୁଁ ସେମାନଙ୍କୁ ନିଜ ସଦୃଶ ମନେ କରେ ।

ଭଗବଦ୍ ଗୀତା 7.19 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ବହୁଜନ୍ମ ଧରି ଆଧ୍ୟାତ୍ମିକ ସାଧନା କରିବା ପରେ ବ୍ୟକ୍ତି ଜ୍ଞାନ ପ୍ରାପ୍ତ କରି, ମୁଁ(ଶ୍ରୀକୃଷ୍ଣ) ହିଁ ସବୁକିଛି ଜାଣି, ମୋର ଶରଣାଗତ ହୋଇଥାଏ । ଏପରି ମହାନ ଆତ୍ମା ଅତ୍ୟନ୍ତ ବିରଳ ଅଟନ୍ତି ।

ଭଗବଦ୍ ଗୀତା 7.20 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁ ବ୍ୟକ୍ତିମାନଙ୍କର ଜ୍ଞାନ ଭୌତିକ କାମନାରେ ଗ୍ରସ୍ତ ହୋଇଥାଏ, ସେମାନେ ସ୍ୱର୍ଗର ଦେବତା ମାନଙ୍କର ଶରଣାଗତି କରିଥାନ୍ତି । ନିଜର ସ୍ୱଭାବ ଅନୁଯାୟୀ, ସେମାନେ ଉପଯୁକ୍ତ ବିଧିବିଧାନ ପାଳନ ପୂର୍ବକ ସ୍ୱର୍ଗର ଦେବୀ ଦେବତା ମାନଙ୍କର ଉପାସନା କରିଥାନ୍ତି ।

ଭଗବଦ୍ ଗୀତା 7.21 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଜଣେ ଭକ୍ତ, ବିଶ୍ୱାସର ସହିତ ଯେଉଁ ଦେବତାଙ୍କର ଭକ୍ତି କରିବାକୁ ଇଚ୍ଛା କରିଥାଆନ୍ତି, ମୁଁ ସେହି ଭକ୍ତଙ୍କର ବିଶ୍ୱାସ ସେହି ଦେବତାଙ୍କଠାରେ ସୁଦୃଢ଼ କରିଥାଏ ।

ଭଗବଦ୍ ଗୀତା 7.22 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଭକ୍ତ ବିଶ୍ୱାସ ଯୁକ୍ତ ହୋଇ ଜଣେ ଦେବତାଙ୍କର ପୂଜା କରେ ଏବଂ ତା’ର କାମ୍ୟ ବସ୍ତୁ ପ୍ରାପ୍ତ କରେ । କିନ୍ତୁ ବାସ୍ତବରେ ସେହି ଫଳାଫଳର ବ୍ୟବସ୍ଥା ମୁଁ ହିଁ କରିଥାଏ ।

ଭଗବଦ୍ ଗୀତା 7.23 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

କିନ୍ତୁ ଏହି ଅଳ୍ପଜ୍ଞ ମାନେ ଯେଉଁ ଫଳ ପ୍ରାପ୍ତ କରିଥାଆନ୍ତି, ତାହା ନଶ୍ୱର ଅଟେ । ସ୍ୱର୍ଗର ଦେବତାମାନଙ୍କୁ ପୂଜା କରୁଥିବା ବ୍ୟକ୍ତି, ସ୍ୱର୍ଗପ୍ରାପ୍ତି କରନ୍ତି, ଏବଂ ମୋର ଭକ୍ତମାନେ ମୋ ପାଖକୁ ଆସନ୍ତି ।

ଭଗବଦ୍ ଗୀତା 7.24 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସ୍ୱଳ୍ପବୁଦ୍ଧି ସମ୍ପନ୍ନ ବ୍ୟକ୍ତିମାନେ ଏପରି ଭାବିଥାନ୍ତି ଯେ ମୁଁ, ପରଂବ୍ରହ୍ମ ଶ୍ରୀକୃଷ୍ଣ, ପୂର୍ବରୁ ନିରାକାର ଥିଲି, ଏବଂ ବର୍ତ୍ତମାନ ଏହି ସାକାର ସ୍ୱରୂପ ଧାରଣ କରିଛି । ମୋ ସାକାର ସ୍ୱରୂପର “ଅବିନଶ୍ୱର ଓ ଅତ୍ୟୁତ୍ତମ” ଗୁଣ ବିଷୟରେ ସେମାନେ ଜାଣନ୍ତି ନାହିଁ ।

ଭଗବଦ୍ ଗୀତା 7.25 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୋର ଦିବ୍ୟ ସ୍ୱରୂପ ଯୋଗମାୟା ଶକ୍ତି ଦ୍ୱାରା ଆବୃତ ହୋଇଥିବା କାରଣରୁ ସମସ୍ତଙ୍କୁ ଦୃଶ୍ୟମାନ ହୁଏ ନାହିଁ । ତେଣୁ ଅଜ୍ଞାନୀ ବ୍ୟକ୍ତିମାନେ ଜାଣନ୍ତି ନାହିଁ ଯେ ମୁଁ ଅଜନ୍ମା ଏବଂ ଅପରିବର୍ତ୍ତନୀୟ ଅଟେ ।

ଭଗବଦ୍ ଗୀତା 7.26 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅର୍ଜୁନ! ମୁଁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଜାଣେ ଏବଂ ମୁଁ ସମସ୍ତ ପ୍ରାଣୀଙ୍କୁ ମଧ୍ୟ ଜାଣେ; କିନ୍ତୁ କେହି ମୋତେ ଜାଣନ୍ତି ନାହିଁ ।

ଭଗବଦ୍ ଗୀତା 7.27 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଭରତ ବଂଶଜ! ଭ୍ରମରୁ ଆସକ୍ତି ଓ ବିରକ୍ତିର ଦ୍ୱୈତଭାବ ଜାତ ହୁଏ । ହେ ଶତ୍ରୁଜୟୀ! ମାୟିକ ଜଗତର ସମସ୍ତ ପ୍ରାଣୀ ଜନ୍ମରୁ ଏମାନଙ୍କ ଦ୍ୱାରା ମୋହିତ ହୋଇଥାଆନ୍ତି ।

ଭଗବଦ୍ ଗୀତା 7.28 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

କିନ୍ତୁ ପୁଣ୍ୟ କର୍ମଦ୍ୱାରା ଯାହାର ପାପସବୁ ନଷ୍ଟ ହୋଇଯାଇ ଥାଏ, ସେମାନେ ଦ୍ୱୈତର ଭ୍ରମରୁ ମୁକ୍ତ ହୋଇ ଯାଆନ୍ତି । ସେପରି ବ୍ୟକ୍ତିମାନେ ଦୃଢ଼ ନିଷ୍ଠାର ସହିତ ମୋର ଉପାସନା କରନ୍ତି ।

ଭଗବଦ୍ ଗୀତା 7.29 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ବାର୍ଦ୍ଧକ୍ୟ ଏବଂ ମୃତ୍ୟୁର କଷ୍ଟରୁ ମୁକ୍ତି ପାଇବାର ଅଭିଳାଷ ରଖି ମୋର ଆଶ୍ରିତ ହୁଅନ୍ତି, ସେମାନେ ବ୍ରହ୍ମ, ଜୀବ, କର୍ମ ପ୍ରତିକ୍ରିୟାର ସମଗ୍ର କ୍ଷେତ୍ର ବିଷୟରେ ଅବଗତ ହୁଅନ୍ତି ।

ଭଗବଦ୍ ଗୀତା 7.30 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ମୋତେ ଅଧିଭୂତ (ଭୌତିକବସ୍ତୁ) ଅଧିଦୈବ (ସ୍ୱର୍ଗର ଦେବତାଗଣ) ଏବଂ ଅଧିଯଜ୍ଞ (ସମସ୍ତ ଯଜ୍ଞାଦିକ କର୍ମର ଅଧିଷ୍ଠାତା ଦେବ)ର ସଂଚାଳକ ଭାବରେ ଜାଣନ୍ତି, ସେହିପରି ଜ୍ଞାନଦୀପ୍ତ ଜୀବ ମୃତ୍ୟୁ ସମୟରେ ମଧ୍ୟ ମୋଠାରେ ପୂର୍ଣ୍ଣ ଚେତନା ଯୁକ୍ତ ରହିଥାନ୍ତି ।
Swami Mukundananda
7. ଜ୍ଞାନ ବିଜ୍ଞାନ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency