ଅଧ୍ୟାୟ 8: ଅକ୍ଷର ବ୍ରହ୍ମ ଯୋଗ

ଅକ୍ଷର ବ୍ରହ୍ମ ଯୋଗ

ଏହି ଅଧ୍ୟାୟରେ କେତୋଟି ମହତ୍ତ୍ୱପୂର୍ଣ୍ଣ ଶବ୍ଦର ବ୍ୟାଖ୍ୟା କରାଯାଇଅଛି, ଯାହାର ବିସ୍ତୃତ ବର୍ଣ୍ଣନା ଉପନିଷଦରେ ଦେଖିବାକୁ ମିଳିଥାଏ ।  ତାଛଡା, ମୃତ୍ୟୁ ପରେ ଆତ୍ମାର କେଉଁ ଗତି ହୁଏ ତାହାର ବର୍ଣ୍ଣନା ମଧ୍ୟ କରାଯାଇଛି ।  ଆମେ ଯଦି ଦେହତ୍ୟାଗ କରିବା ସମୟରେ ଭଗବାନଙ୍କୁ ସ୍ମରଣ କରିପାରିବା, ତାହେଲେ ନିଶ୍ଚିତ ଭାବରେ ଆମେ ତାଙ୍କୁ ପାଇ ପାରିବା । ତେଣୁ ଆମେ ନିଜର ଦୈନନ୍ଦିନ କାର୍ଯ୍ୟ କରିବା ସହିତ ସର୍ବଦା ତାଙ୍କର ସ୍ମରଣ କରିବାକୁ ଅଭ୍ୟାସ କରିବା ଆବଶ୍ୟକ । ଆମେ ତାଙ୍କର ଗୁଣ,ଶୀଳ ଓ ବୈଶିଷ୍ଟ୍ୟ ଇତ୍ୟାଦିର ଚିନ୍ତନ କରି ତାଙ୍କୁ ସ୍ମରଣ କରିପାରିବା । ପୁନଶ୍ଚ ତାଙ୍କର ନାମ ଗାନ ପୂର୍ବକ ତାଙ୍କଠାରେ ସ୍ଥିର ଯୋଗିକ ଏକାଗ୍ରତାର ଅଭ୍ୟାସ ମଧ୍ୟ କରିପାରିବା । ଅନନ୍ୟ ଭକ୍ତି ଦ୍ୱାରା ଆମର ମନ ଯେତେବେଳେ ତାଙ୍କ ଠାରେ ପୂର୍ଣ୍ଣ ନିମଗ୍ନ ହୋଇଯିବ,ସେତେବେଳେ ଆମେ ଏହି ମାୟିକ ପରିସୀମାର ଊର୍ଦ୍ଧ୍ୱ ଦିବ୍ୟ ଜଗତରେ ପ୍ରବେଶ କରିବା ।

ଏହି ଅଧ୍ୟାୟରେ ଭୌତିକ ଜଗତର ଭିନ୍ନ ଭିନ୍ନ ଲୋକ ସମ୍ପର୍କରେ ବର୍ଣ୍ଣନା କରାଯାଇ ଅଛି । ସୃଷ୍ଟି ଚକ୍ରରେ, ଏହି ସବୁ ଲୋକ ଏବଂ ସେଥିରେ ଥିବା ଜୀବ ସମୁଦାୟ କିପରି ଭାବରେ ଉତ୍ପତ୍ତି ଲାଭ କରନ୍ତି ଏବଂ ପ୍ରଳୟ ସମୟରେ ସେମାନଙ୍କର ବିଲୟ କିପରି ହୁଏ,ତାହା ଏହି ଅଧ୍ୟାୟରେ ବର୍ଣ୍ଣିତ ହୋଇଅଛି । ଏହି ଦୃଶ୍ୟମାନ ଏବଂ ଅଦୃଶ୍ୟ ଜଗତର ଊର୍ଦ୍ଧ୍ୱରେ ଭଗବାନଙ୍କର ଲୋକ ଅବସ୍ଥିତ । ଯେଉଁମାନେ ଆଲୋକର ପଥ ଅନୁସରଣ କରନ୍ତି, ଶେଷରେ ସେମାନେ ଭଗବାନଙ୍କର ଲୋକରେ ପହଞ୍ଚନ୍ତି ଏବଂ ପୁନର୍ବାର ଏହି ନଶ୍ୱର ସଂସାରକୁ ପ୍ରତ୍ୟାବର୍ତ୍ତନ କରନ୍ତି ନାହିଁ । ଅନ୍ୟ ପକ୍ଷରେ, ଯେଉଁମାନେ ଅନ୍ଧକାରର ଅନୁଗାମୀ ହୁଅନ୍ତି, ସେମାନେ ଜନ୍ମ, ବ୍ୟାଧି, ଜରା ଓ ମୃତ୍ୟୁର ଅନନ୍ତ ଚକ୍ରରେ ଘୂରି ବୁଲନ୍ତି ।

ଭଗବଦ୍ ଗୀତା 8.1 - 8.2 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅର୍ଜୁନ କହିଲେ: ହେ ପୁରୁଷୋତ୍ତମ! ବ୍ରହ୍ମ କ’ଣ (ପରମ ସତ୍ୟ), ଆଧ୍ୟାତ୍ମ କ’ଣ ( ଜୀବାତ୍ମା) ଏବଂ କର୍ମ କ’ଣ? ଅଧିଭୂତ କାହାକୁ କୁହାଯାଏ ଏବଂ ଆଧିଦୈବ୍ୟ କିଏ? ଶରୀରରେ ଅଧିଯଜ୍ଞ କିଏ ଏବଂ ସେ ଅଧିଯଜ୍ଞ କିପରି ଅଟନ୍ତି? ହେ ଶ୍ରୀକୃଷ୍ଣ! ଏକାଗ୍ରଚିତ୍ତ ଯୋଗୀମାନେ ମୃତ୍ୟୁ ସମୟରେ କିପରି ଭାବରେ ଆପଣଙ୍କୁ ଜାଣନ୍ତି?

ଭଗବଦ୍ ଗୀତା 8.3 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଶ୍ରୀ ଭଗବାନ କହିଲେ: ସେହି ସର୍ବଶ୍ରେଷ୍ଠ ଅବିନଶ୍ୱର ସତ୍ତାକୁ ବ୍ରହ୍ମ କୁହାଯାଏ । ଜୀବର ନିଜସ୍ୱ ସତ୍ତାକୁ ଅଧ୍ୟାତ୍ମ କୁହାଯାଏ । ଜୀବର ଭୌତିକ ବ୍ୟକ୍ତିତ୍ୱର ଅଭିବୃଦ୍ଧି ନିମନ୍ତେ କରାଯାଉ ଥିବା କାର୍ଯ୍ୟକୁ କର୍ମ ବା ଫଳଦାୟକ କର୍ମ କୁହାଯାଏ ।

ଭଗବଦ୍ ଗୀତା 8.4 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଜୀବ ଶ୍ରେଷ୍ଠ, ପରିବର୍ତ୍ତନଶୀଳ ଭୌତିକ ଶରୀରକୁ ଅଧିଭୂତ କୁହାଯାଏ । ପରମେଶ୍ୱରଙ୍କର ବିଶ୍ୱରୂପ, ଯିଏ ସୃଷ୍ଟିର ଦେବତାଗଣଙ୍କର ଅଧ୍ୟକ୍ଷ ଅଟନ୍ତି, ତାଙ୍କୁ ଅଧିଦୈବ୍ୟ କୁହାଯାଏ । ମୁଁ ,ଯିଏ କି ସମସ୍ତଙ୍କ ହୃଦୟରେ ନିବାସ କରେ ଏବଂ ଯିଏ ସମସ୍ତ ଯଜ୍ଞର ଅଧିଷ୍ଠାତା, ଅଧିଯଜ୍ଞ ଅଟେ ।

ଭଗବଦ୍ ଗୀତା 8.5 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ମୃତ୍ୟୁ ସମୟରେ ମୋତେ ସ୍ମରଣ କରି ଶରୀର ତ୍ୟାଗ କରନ୍ତି, ସେମାନେ ମୋତେ ପ୍ରାପ୍ତ କରିବେ । ଏଥିରେ କୌଣସି ସନ୍ଦେହ ନାହିଁ ।

ଭଗବଦ୍ ଗୀତା 8.6 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ କୁନ୍ତି ପୁତ୍ର! ବ୍ୟକ୍ତି ମୃତ୍ୟୁ ସମୟରେ ଯାହା ସ୍ମରଣ କରି ଦେହତ୍ୟାଗ କରେ, ସର୍ବଦା ସେହି ଚିନ୍ତନରେ ନିମଗ୍ନ ରହିଥିବା ଯୋଗୁଁ ସେ ସେହି ଅବସ୍ଥାକୁ ପ୍ରାପ୍ତ କରିଥାଏ ।

ଭଗବଦ୍ ଗୀତା 8.7 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅତଏବ, ତୁମେ ସଦା ସର୍ବଦା ମୋର ସ୍ମରଣ କର ଏବଂ ନିଜର କର୍ତ୍ତବ୍ୟ ଭାବରେ ଯୁଦ୍ଧ କର । ମନ ଓ ବୁଦ୍ଧିକୁ ମୋ ଠାରେ ସମର୍ପଣ କରିବା ଦ୍ୱାରା, ତୁମେ ନିଶ୍ଚିତ ରୂପେ ମୋତେ ପ୍ରାପ୍ତ କରିବ, ଏଥିରେ ସନ୍ଦେହ ନାହିଁ ।

ଭଗବଦ୍ ଗୀତା 8.8 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ପାର୍ଥ! ଅଭ୍ୟାସ ଦ୍ୱାରା, ତୁମେ ଯେତେବେଳେ ସର୍ବଦା ଅବିଚଳିତ ଭାବରେ ମୋର, ପରମ ପୁରୁଷ ଭଗବାନଙ୍କର, ଧ୍ୟାନ କରିବ, ନିଶ୍ଚିତ ରୂପେ ତୁମେ ମୋତେ ପ୍ରାପ୍ତ କରିବ ।

ଭଗବଦ୍ ଗୀତା 8.9 - 8.10 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଭଗବାନ ସର୍ବଜ୍ଞ, ସର୍ବ ପୁରାତନ, ଶାସକ, ସୂକ୍ଷ୍ମତା ଠାରୁ ମଧ୍ୟ ସୂକ୍ଷ୍ମ, ସମସ୍ତଙ୍କର ପାଳନକର୍ତ୍ତା, କଳ୍ପନାତୀତ ସ୍ୱରୂପର ଅଧିକାରୀ, ସୂର୍ଯ୍ୟଙ୍କଠାରୁ ଉଜ୍ଜ୍ୱଳ ଏବଂ ଅଜ୍ଞାନ ରୂପୀ ଅନ୍ଧକାର ଠାରୁ ଊର୍ଦ୍ଧ୍ୱରେ ଅଟନ୍ତି । ଯେଉଁ ବ୍ୟକ୍ତି ମୃତ୍ୟୁ ସମୟରେ ଯୋଗ ଦ୍ୱାରା ଅଭ୍ୟସ୍ତ ଅବିଚଳିତ ମନରେ, ନିଜର ପ୍ରାଣ (ପ୍ରାଣ ବାୟୁ)କୁ ଦୁଇ ଭ୍ରୁଲତା ମଧ୍ୟରେ ସ୍ଥିର ରଖି, ନିରନ୍ତର ଅତ୍ୟନ୍ତ ଭକ୍ତିଯୁକ୍ତ ହୋଇ, ଦିବ୍ୟ ପରମାତ୍ମାଙ୍କର ସ୍ମରଣ କରେ, ସେ ତାଙ୍କୁ ପ୍ରାପ୍ତ କରିଥାଏ ।

ଭଗବଦ୍ ଗୀତା 8.11 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ବେଦଜ୍ଞ ପଣ୍ଡିତମାନେ ତାଙ୍କୁ ଅକ୍ଷର କହନ୍ତି; ବଡ ବଡ ତପସ୍ୱୀମାନେ ତାଙ୍କ ମଧ୍ୟରେ (ବ୍ରହ୍ମ ମଧ୍ୟରେ) ପ୍ରବେଶ କରିବା ପାଇଁ ସାଂସାରିକ ସୁଖ ତ୍ୟାଗ କରି ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି । ମୁଁ ବର୍ତ୍ତମାନ ସଂକ୍ଷେପରେ ତୁମକୁ ସେହି ଲକ୍ଷ୍ୟର ମାର୍ଗ ବିଷୟରେ କହିବି ।

ଭଗବଦ୍ ଗୀତା 8.12 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସମସ୍ତ ଇନ୍ଦ୍ରିୟ ଦ୍ୱାରକୁ ସଂଯମ କରି ଏବଂ ମନକୁ ହୃଦୟରେ ସ୍ଥିର କରି, ତତ୍‌ପଶ୍ଚାତ୍ ପ୍ରାଣବାୟୁକୁ ମସ୍ତିଷ୍କର ଉପରିଭାଗରେ ସ୍ଥିର କରି, ବ୍ୟକ୍ତି ସ୍ଥିର ଯୋଗିକ ଏକାଗ୍ରତାରେ ସ୍ଥିତ ରହିବା ଆବଶ୍ୟକ ।

ଭଗବଦ୍ ଗୀତା 8.13 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁ ବ୍ୟକ୍ତି ମୋତେ ଅଥବା ପରମ ପୁରୁଷ ଭଗବାନଙ୍କୁ ସ୍ମରଣ କରି ଏବଂ ଓଁକାର ମନ୍ତ୍ର ଉଚ୍ଚାରଣ କରି ଶରୀର ତ୍ୟାଗ କରେ, ସେ ନିଜର ପରମ ଚରମ ଲକ୍ଷ୍ୟ ପ୍ରାପ୍ତ କରେ ।

ଭଗବଦ୍ ଗୀତା 8.14 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ପାର୍ଥ, ଯେଉଁ ଯୋଗୀମାନେ ଅନନ୍ୟ ଭାବରେ ମୋର ଚିନ୍ତନ କରନ୍ତି ଏବଂ ସର୍ବଦା ମୋ ଚିନ୍ତନରେ ମଗ୍ନ ରହନ୍ତି, ମୁଁ ସେମାନଙ୍କୁ ଅତି ସହଜରେ ପ୍ରାପ୍ତ ହୋଇଥାଏ ।

ଭଗବଦ୍ ଗୀତା 8.15 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୋତେ ପ୍ରାପ୍ତ କରିବା ପରେ ମହାପୁରୁଷମାନେ ଏହି ନଶ୍ୱର ଏବଂ ଦୁଃଖମୟ ସଂସାରରେ ପୁର୍ନବାର ଜନ୍ମଗ୍ରହଣ କରନ୍ତି ନାହିଁ, କାରଣ ସେମାନେ ସର୍ବୋଚ୍ଚ ପରିପୂର୍ଣ୍ଣତା ହାସଲ କରିସାରିଛନ୍ତି ।

ଭଗବଦ୍ ଗୀତା 8.16 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅର୍ଜୁନ! ବ୍ରହ୍ମାଣ୍ଡର ପ୍ରତ୍ୟେକ ମାୟିକ ଲୋକ, ଏପରିକି ସର୍ବୋଚ୍ଚ ବ୍ରହ୍ମଲୋକ ପର୍ଯ୍ୟନ୍ତ ଯାଇ ପୁନର୍ଜନ୍ମ ନେବାକୁ ପଡ଼ିଥାଏ । କିନ୍ତୁ ହେ କୁନ୍ତି ପୁତ୍ର! ମୋର ଲୋକ ପ୍ରାପ୍ତ କରିବା ପରେ ଆଉ ପୁନର୍ଜନ୍ମ ହୁଏ ନାହିଁ ।

ଭଗବଦ୍ ଗୀତା 8.17 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ବ୍ରହ୍ମାଙ୍କର ଗୋଟିଏ ଦିନ (କଳ୍ପ) ହଜାର ସଂଖ୍ୟାର ଚର୍ତୁଯୁଗ (ମହାଯୁଗ) ସହିତ ସମାନ ଅଟେ ଏବଂ ତାଙ୍କ ରାତ୍ରିର ଅବଧି ମଧ୍ୟ ସେତିକି ଅଟେ । ଯେଉଁ ବିଜ୍ଞ ବ୍ୟକ୍ତି ଏହା ଜାଣନ୍ତି, ସେ ଦିବା ଓ ରାତିର ବାସ୍ତବିକ ସତ୍ୟତାକୁ ବୁଝିପାରନ୍ତି ।

ଭଗବଦ୍ ଗୀତା 8.18 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ବ୍ରହ୍ମାଙ୍କର ଦିବସ ପ୍ରାରମ୍ଭରେ, ସମସ୍ତ ପ୍ରାଣୀ ଅପ୍ରକଟ ଅବସ୍ଥାରୁ ପ୍ରକଟ ହେବାକୁ ଆରମ୍ଭ କରନ୍ତି ଏବଂ ରାତ୍ରିର ଆଗମନରେ ସମସ୍ତ ଶରୀରଧାରୀ ପ୍ରାଣୀ ପୁନର୍ବାର ସେହି ଅପ୍ରକଟରେ ସମାହିତ ହୋଇଯାଆନ୍ତି ।

ଭଗବଦ୍ ଗୀତା 8.19 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ବ୍ରହ୍ମାଙ୍କର ଦିନ ଆରମ୍ଭ ହେଲେ ଅସଂଖ୍ୟ ପ୍ରାଣୀ ଜନ୍ମ ଗ୍ରହଣ କରନ୍ତି ଏବଂ ରାତିର ଆଗମନରେ, ପରବର୍ତ୍ତୀ ଦିନରେ ପୁନର୍ବାର ପ୍ରକଟିତ ହେବା ପାଇଁ, ସେମାନେ ବିଲୁପ୍ତ ହୋଇଯାଆନ୍ତି ।

ଭଗବଦ୍ ଗୀତା 8.20 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ବ୍ୟକ୍ତ ଏବଂ ଅବ୍ୟକ୍ତ ସୃଷ୍ଟିର ଉର୍ଦ୍ଧ୍ୱରେ ଆଉ ଏକ ଶାଶ୍ୱତ ଅବ୍ୟକ୍ତ ଜଗତ ରହିଛି । ସମସ୍ତ ଲୋକ ଲୋପ ହୋଇଗଲେ ମଧ୍ୟ ସେହି ଜଗତ ଲୋପ ହୁଏ ନାହିଁ ।

ଭଗବଦ୍ ଗୀତା 8.21 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସେହି ଅବ୍ୟକ୍ତ ଜଗତ ଜୀବର ଚରମ ଲକ୍ଷ୍ୟ ଅଟେ, ସେଠାରେ ପହଞ୍ôଚବା ପରେ ଜୀବ ଏହି ମାୟିକ ଜଗତକୁ ଫେରେ ନାହିଁ । ତାହା ମୋର ପରମ ଧାମ ଅଟେ ।

ଭଗବଦ୍ ଗୀତା 8.22 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସେହି ପରମ ଦିବ୍ୟ ପୁରୁଷ ସୃଷ୍ଟିର ସମସ୍ତଙ୍କଠାରୁ ଶ୍ରେଷ୍ଠତର ଅଟନ୍ତି । ଯଦିଓ ସେ ସର୍ବବ୍ୟାପକ ଏବଂ ସମସ୍ତ ଜୀବ ତାଙ୍କଠାରେ ନିବାସ କରନ୍ତି, ତଥାପି ତାଙ୍କୁ କେବଳ ଭକ୍ତି ଦ୍ୱାରା ହିଁ ଜାଣି ହୁଏ ।

ଭଗବଦ୍ ଗୀତା 8.23 - 8.26 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଭରତ ଶ୍ରେଷ୍ଠ! ମୁଁ ବର୍ତ୍ତମାନ ଏହି ଜଗତରୁ ତିରୋଧାନ ହେବାର ବିଭିନ୍ନ ମାର୍ଗ ବିଷୟରେ ବର୍ଣ୍ଣନା କରୁଅଛି । ଗୋଟିଏ ରାସ୍ତା ମୁକ୍ତି ପଥରେ ନେଇଯାଇଥାଏ ଏବଂ ଅନ୍ୟଟି ପୁନର୍ଜନ୍ମ ଦିଗକୁ ଅଗ୍ରସର କରାଏ । ଯେଉଁମାନେ ପରଂବ୍ରହ୍ମଙ୍କୁ ଜାଣନ୍ତି ଏବଂ ଯେଉଁମାନେ ସୂର୍ଯ୍ୟଙ୍କର ଉତ୍ତରାୟଣ କାଳର ଛଅ ମାସ, ଶୁକ୍ଳ ପକ୍ଷ ଓ ଦିବସର ମଧ୍ୟାହ୍ନ ସମୟରେ ଦେହତ୍ୟାଗ କରନ୍ତି, ସେମାନେ ଚରମ ଲକ୍ଷ୍ୟକୁ ପ୍ରାପ୍ତ କରିଥାନ୍ତି । ଯେଉଁମାନେ ବୈଦିକ କର୍ମକାଣ୍ଡ ପାଳନ କରନ୍ତି, ସୂର୍ଯ୍ୟଙ୍କର ଦକ୍ଷିଣାୟନ କାଳର ଛଅ ମାସ, କୃଷ୍ଣ ପକ୍ଷ ଏବଂ ସନ୍ଧ୍ୟା ସମୟରେ ଦେହତ୍ୟାଗ କରନ୍ତି, ସେମାନେ ସ୍ୱର୍ଗପ୍ରାପ୍ତି କରିଥାନ୍ତି । ସ୍ୱର୍ଗର ସୁଖ ଉପଭୋଗ କରିସାରିବା ପରେ ସେମାନେ ପୁଣି ସଂସାରକୁ ଫେରିଆସନ୍ତି । ଆଲୋକ ଏବଂ ଅନ୍ଧକାରର ଏହି ଦୁଇଟି ପଥ ଏହି ସଂସାରରେ ହିଁ ରହିଅଛି । ଯେପରି ଆଲୋକର ପଥ ମୁକ୍ତି ଦିଗକୁ ନେଇଥାଏ ସେହିପରି ଅନ୍ଧକାରର ପଥ ପୁର୍ନଜନ୍ମ ଦିଗକୁ ନେଇଯାଏ ।

ଭଗବଦ୍ ଗୀତା 8.27 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ପାର୍ଥ! ଯେଉଁ ଯୋଗୀମାନେ ଏହି ଦୁଇଟି ମାର୍ଗର ରହସ୍ୟ ଜାଣନ୍ତି, ସେମାନେ କଦାପି ବିଚଳିତ ହୁଅନ୍ତି ନାହିଁ । ତେଣୁ ସେମାନେ ନିରନ୍ତର ଯୋଗ ଅବସ୍ଥାରେ (ଭଗବାନଙ୍କ ସହିତ ଏକତ୍ୱ) ସ୍ଥିତ ରହନ୍ତି ।

ଭଗବଦ୍ ଗୀତା 8.28 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁ ଯୋଗୀମାନେ ଏହି ରହସ୍ୟକୁ ଜାଣନ୍ତି, ସେମାନେ ବୈଦିକ ପୂଜା-ବ୍ରତାଦି, ବେଦ ଅଧ୍ୟୟନ, ଯଜ୍ଞାଦିକ ଅନୁଷ୍ଠାନ, ଦାନ, କର୍ମ, ତପତ୍ସର୍ଯ୍ୟା ଇତ୍ୟାଦିର ଫଳ ଠାରୁ ଉଚ୍ଚତର ଫଳ ପ୍ରାପ୍ତ କରି ଥାଆନ୍ତି । ଏପରି ଯୋଗୀମାନେ ଭଗବାନଙ୍କର ପରମ ଧାମ ପ୍ରାପ୍ତ କରିଥାଆନ୍ତି ।
Swami Mukundananda
8. ଅକ୍ଷର ବ୍ରହ୍ମ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency