ଆବ୍ରହ୍ମଭୁବନାଲ୍ଲୋକାଃ ପୁନରାବର୍ତିନୋଽର୍ଜୁନ ।
ମାମୁପେତ୍ୟ ତୁ କୌନ୍ତେୟ ପୁନର୍ଜନ୍ମ ନ ବିଦ୍ୟତେ ।।୧୬।।

ଆବ୍ରହ୍ମ - ବ୍ରହ୍ମଲୋକ ପର୍ଯ୍ୟନ୍ତ; ଭୁବନାତ୍ - ଭୁବନରୁ; ଲୋକାଃ- ଲୋକସମୂହ; ପୁନଃ - ପୁନର୍ବାର; ଆବର୍ତିନଃ - ଆବର୍ତ୍ତନ କରି (ଫେରି); ଅର୍ଜୁନ - ହେ ଅର୍ଜୁନ; ମାମ୍ - ମୋତେ; ଉପେତ୍ୟ -ପ୍ରାପ୍ତ ହୋଇ; ତୁ - କିନ୍ତୁ; କୌନ୍ତେୟ - ହେ କୁନ୍ତିପୁତ୍ର; ପୁନଃ-ଜନ୍ମ - ପୁନର୍ଜନ୍ମ; ନ ବିଦ୍ୟତେ - ନ ଥାଏ ।

ଅନୁବାଦ

BG 8.16: ହେ ଅର୍ଜୁନ! ବ୍ରହ୍ମାଣ୍ଡର ପ୍ରତ୍ୟେକ ମାୟିକ ଲୋକ, ଏପରିକି ସର୍ବୋଚ୍ଚ ବ୍ରହ୍ମଲୋକ ପର୍ଯ୍ୟନ୍ତ ଯାଇ ପୁନର୍ଜନ୍ମ ନେବାକୁ ପଡ଼ିଥାଏ । କିନ୍ତୁ ହେ କୁନ୍ତି ପୁତ୍ର! ମୋର ଲୋକ ପ୍ରାପ୍ତ କରିବା ପରେ ଆଉ ପୁନର୍ଜନ୍ମ ହୁଏ ନାହିଁ ।

ଭାଷ୍ୟ

ବୈଦିକ ଶାସ୍ତ୍ରମାନଙ୍କରେ ଭୁଲୋକର ନିମ୍ନଦେଶରେ ସାତଟି ସ୍ତରର ବର୍ଣ୍ଣନା କରାଯାଇଅଛି । ସେଗୁଡ଼ିକ ହେଲା ତଳ, ଅତଳ, ବିତଳ, ସୁତଳ, ତଳାତଳ, ରସାତଳ ଓ ପାତାଳ । ଏଗୁଡ଼ିକୁ ନର୍କ ବା ନର୍କ ଲୋକ କୁହାଯାଏ । ସେହିପରି ଭୁଲୋକ ସମେତ ସାତଗୋଟି ଉର୍ଦ୍ଧ୍ୱ ଲୋକ ରହିଅଛି, ଯଥା ଭୁଃ, ଭୁବଃ, ସ୍ୱଃ ମହଃ, ଜନଃ, ତପଃ ଓ ସତ୍ୟଃ । ଏହି ଉର୍ଦ୍ଧ୍ୱ ଲୋକ ଗୁଡ଼ିକୁ ସ୍ୱର୍ଗ ବା ସ୍ୱର୍ଗ ଲୋକ କୁହାଯାଏ । ଅନ୍ୟ ଧର୍ମମାନଙ୍କରେ ମଧ୍ୟ ସାତଟି ସ୍ୱର୍ଗର ବର୍ଣ୍ଣନା କରାଯାଇଛି । ଇହୁଦୀ ମାନଙ୍କ ଧର୍ମଗ୍ରନ୍ଥ, ତାଲ୍‌ମଦ୍‌ରେ ସାତଗୋଟି ସ୍ୱର୍ଗର ନାମ ଉଲ୍ଲେଖ ହୋଇଅଛି, ଯେଉଁଥିରେ ଆରାବୋଥ ସର୍ବୋଚ୍ଚ ଲୋକ କୁହାଯାଇଛି । (ସ୍ତୋତ୍ର ୬୮.୪) । ଇସ୍‌ଲାମ ଧର୍ମରେ ମଧ୍ୟ ସାତ ସ୍ୱର୍ଗର ଉଲ୍ଲେଖ ରହିଛି ଏବଂ ସାତବାଁ ଆସମା (ସପ୍ତମ ଆକାଶ)କୁ ସର୍ବୋଚ୍ଚ ଭାବେ ବର୍ଣ୍ଣନା କରାଯାଇଛି ।

ସୃଷ୍ଟିର ଏହି ସବୁ ସ୍ତରକୁ ଲୋକ କୁହାଯାଏ । ଏହି ବ୍ରହ୍ମାଣ୍ଡରେ ଚଉଦଟି ଲୋକ ରହିଛି । ସେମାନଙ୍କ ମଧ୍ୟରେ ସର୍ବୋଚ୍ଚ ବ୍ରହ୍ମାଙ୍କର ଲୋକ ବା ବ୍ରହ୍ମଲୋକ ଅଟେ । ଏହି ସମସ୍ତ ଲୋକ ମାୟାର ଅଧୀନସ୍ଥ ଅଟନ୍ତି ଏବଂ ଏହି ସବୁ ଲୋକରେ ବାସ କରୁଥିବା ଜୀବଗଣ ଜନ୍ମ ମୃତ୍ୟୁ ଚକ୍ରରେ ଆବଦ୍ଧ ରହନ୍ତି । ପୂର୍ବବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ଏହାକୁ “ଦୁଃଖାଳୟମ୍‌” ବା ଅଶ୍ୱାଶତମ୍ (ନଶ୍ୱର ଓ ଦୁଃଖମୟ) ଭାବରେ ବର୍ଣ୍ଣନା କରିଛନ୍ତି ।

ସ୍ୱର୍ଗର ସମ୍ରାଟ ଇନ୍ଦ୍ର ମଧ୍ୟ ଦିନେ ମୃତ୍ୟୁବରଣ କରିବେ । ପୁରାଣରେ ବର୍ଣ୍ଣିତ ଅଛି ଯେ ଥରେ ଇନ୍ଦ୍ର ଏକ ବିଶାଳ ପ୍ରସାଦ ନିର୍ମାଣ କରିବାକୁ ସ୍ୱର୍ଗର ଶିଳ୍ପୀ, ବିଶ୍ୱକର୍ମାଙ୍କୁ ନିୟୋଜିତ କଲେ । ନିର୍ମାଣ କାର୍ଯ୍ୟ ସମାପ୍ତ ହେଉ ନ ଥିବା ଦେଖି, ବ୍ୟସ୍ତ ହୋଇ ବିଶ୍ୱକର୍ମା ଭଗବାନଙ୍କର ସାହାଯ୍ୟ ପ୍ରାର୍ଥନା କଲେ । ଭଗବାନ ସେଠାକୁ ଆସି ଇନ୍ଦ୍ରଙ୍କୁ ପ୍ରଶ୍ନ କଲେ, “ଏତେ ବିଶାଳ ପ୍ରସାଦ! କେତେଜଣ ବିଶ୍ୱକର୍ମା ଏହାର ନିର୍ମାଣ ପାଇଁ ନିଯୁକ୍ତ ହୋଇଛନ୍ତି? ଇନ୍ଦ୍ର ଏହି ପ୍ରଶ୍ନ ଶୁଣି ବିସ୍ମିତ ହେଲେ ଏବଂ ଉତ୍ତର ଦେଲେ, “ମୁଁ ଭାବୁଥିଲି କେବଳ ଜଣେ ବିଶ୍ୱକର୍ମା ଅଛନ୍ତି” । ଭଗବାନ ସ୍ମିତହାସ୍ୟ କରି କହିଲେ, ଏହି ବ୍ରହ୍ମାଣ୍ଡ ପରି ଚଉଦ ଲୋକ ବିଶିଷ୍ଟ ଅସଂଖ୍ୟ ବ୍ରହ୍ମାଣ୍ଡ ରହିଛି । ପ୍ରତି ବ୍ରହ୍ମାଣ୍ଡରେ ଜଣେ ଇନ୍ଦ୍ର ଓ ଜଣେ ବିଶ୍ୱକର୍ମା ଅଛନ୍ତି ।

ଠିକ୍ ସେହି ସମୟରେ ଇନ୍ଦ୍ର ଦେଖିଲେ, ପିମ୍ପୁଡ଼ିମାନଙ୍କର ଗୋଟିଏ ଲମ୍ବା ଧାଡ଼ି ତାଙ୍କ ଆଡକୁ ଆସୁଅଛି । ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଏତେ ପିମ୍ପୁଡ଼ି କେଉଁଠାରୁ ଆସୁଛନ୍ତି”? ଭଗବାନ ଉତ୍ତର ଦେଲେ, “ମୁଁ ଏହି ଜୀବଗୁଡ଼ିକୁ ଏଠାକୁ ଆଣିଛି । ଏମାନେ ପୂର୍ବଜନ୍ମରେ ଇନ୍ଦ୍ରଥିଲେ ଏବଂ ଏବେ ପିମ୍ପୁଡ଼ି ଶରୀର ଧାରଣ କରିଛନ୍ତି । ତାଙ୍କର ଏତେ ସଂଖ୍ୟା ଦେଖି ଇନ୍ଦ୍ର ଆଶ୍ଚର୍ଯ୍ୟ ହୋଇଗଲେ ।

ଅଳ୍ପ ସମୟ ପରେ ଲୋମଶ ମୁନି ସେ ସ୍ଥାନରେ ଉପସ୍ଥିତ ହେଲେ । ସେ ତାଙ୍କ ମସ୍ତକରେ ଗୋଟିଏ ଘାସର ମସିଣା ଧରିଥିଲେ ଏବଂ ତାଙ୍କ ବକ୍ଷ ଲୋମଯୁକ୍ତ ଥିଲା । ତନ୍ମଧ୍ୟରୁ କେତେକ ଲୋମ ଉପୁଡ଼ି ଯାଇ ଥିବାରୁ ବକ୍ଷସ୍ଥଳରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା । ଇନ୍ଦ୍ର ମୁନିଙ୍କୁ ସ୍ୱାଗତ ଜଣାଇଲେ ଏବଂ ନମ୍ରତାର ସହ ପ୍ରଶ୍ନ କଲେ “ହେ ମହାତ୍ମା ଆପଣ କାହିଁକି ଏକ ଘାସର ଆସନ ମସ୍ତକରେ ବହନ କରିଛନ୍ତି ଏବଂ ଆପଣଙ୍କ ବକ୍ଷରେ ଥିବା ଲୋମର ରହସ୍ୟ କ’ଣ?”

ଲୋମଶ ମୁନି ଉତ୍ତର ଦେଲେ, “ମୁଁ ‘ଚିରାୟୁ’ ବରପ୍ରାପ୍ତ କରିଛି । ଏହି ବିଶ୍ୱରେ ଜଣେ ଇନ୍ଦ୍ରଙ୍କର ଅବଧି ଶେଷ ହେଲେ, ମୋର ଗୋଟିଏ ଲୋମ ଉପୁଡ଼ି ଯାଏ । ଏହି ଶୂନ୍ୟ ସ୍ଥାନ ଗୁଡ଼ିକ ତା’ର ସୂଚନା ଦେଉଛି । ମୋର ଶିଷ୍ୟମାନେ ମୋର ବାସ ନିମନ୍ତେ ଗୋଟିଏ ଘର ତିଆରି କରିବାକୁ ଚାହାନ୍ତି, କିନ୍ତୁ ମୁଁ ଭାବେ ଜୀବନ ନଶ୍ୱର ଅଟେ, ତେଣୁ ଏଠାରେ ଘର ତିଆରି କରିବାର ଆବଶ୍ୟକତା କ’ଣ? ମୋର ଏହି ତୃଣ ଆସନଟି ମୋତେ ଖରା ବର୍ଷାରୁ ବଞ୍ଚାଏ ଏବଂ ରାତିରେ ମୁଁ ଏହାକୁ ତଳେ ପକାଇ ଶୋଇପଡ଼େ ।” ଇନ୍ଦ୍ର ଏକଥା ଚିନ୍ତା କରି ଆଶ୍ଚର୍ଯ୍ୟ ହେଲେ ଯେ, “ଏହି ଋଷିଙ୍କର ଆୟୁ ଅନେକ ଇନ୍ଦ୍ରଙ୍କ ଠାରୁ ଅଧିକ ଅଟେ, ତଥାପି ସେ କହୁଛନ୍ତି ଜୀବନ କ୍ଷଣସ୍ଥାୟୀ । ତାହେଲେ ମୁଁ କାହିଁକି ଏତେ ବଡ଼ ପ୍ରାସାଦ ତିଆରି କରୁଛି?” ତାଙ୍କର ଗର୍ବ ଭାଙ୍ଗିଗଲା ଏବଂ ସେ ବିଶ୍ୱକର୍ମାଙ୍କୁ ଛାଡ଼ିଦେଲେ ।

ଏହି ସବୁ ଉପାଖ୍ୟାନ ପାଠ କରି, ଆମେ ଭଗବତ୍ ଗୀତାରେ ବର୍ଣ୍ଣିତ ବ୍ରହ୍ମାଣ୍ଡ ତତ୍ତ୍ୱର ବିସ୍ମୟକର ବିଚାରକୁ ଉପେକ୍ଷା କରିବା ଉଚିତ ନୁହେଁ । ଷୋଡ଼ଶ ଶତାବ୍ଦୀର ଶେଷ ଭାଗରେ, ପାଶ୍ଚାତ୍ୟ ଦେଶର ବୈଜ୍ଞାନିକ, ନିକୋଲାସ୍ କୋପରନିକ୍‌ସ,“ହେଲିଓସେନ୍ଟ୍ରିକ୍‌”(ସୂର୍ଯ୍ୟକେନ୍ଦ୍ରିକ) ତଥ୍ୟ ଉପସ୍ଥାପନ କରିଥିଲେ, ଯେଉଁଥିରେ ସେ ଦର୍ଶାଇଥିଲେ ଯେ ସୂର୍ଯ୍ୟ ବିଶ୍ୱର କେନ୍ଦ୍ର ଅଟେ । ସେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପାଶ୍ଚାତ୍ୟ ଜଗତ ପୃଥିବୀକୁ ବିଶ୍ୱର କେନ୍ଦ୍ର ରୂପେ ବିଚାର କରୁଥିଲା । ପରବର୍ତ୍ତୀ ସମୟରେ ଜ୍ୟୋତିର୍ବିଜ୍ଞାନ ଶାସ୍ତ୍ରର ଉନ୍ନତି ହେବା ସହିତ ଏହା ପ୍ରମାଣିତ ହେଲା ଯେ ସୂର୍ଯ୍ୟ ବ୍ରହ୍ମାଣ୍ଡର କେନ୍ଦ୍ର ନୁହେଁ, ବରଂ ଏହା ମିଲ୍‌କି ୱେ ନାମକ ଆକାଶଗଙ୍ଗାର କେନ୍ଦ୍ର ଚତୁର୍ପାଶ୍ୱର୍ରେ ଘୁରୁଛି । ବିଜ୍ଞାନର ପ୍ରଗତି ସହିତ ପୁଣି ବୈଜ୍ଞାନିକମାନେ ବୁଝିପାରିଲେ ଯେ, ଆକାଶଗଙ୍ଗା ପରି ଅନେକ ଛାୟାପଥ ରହିଛି ଏବଂ ପ୍ରତ୍ୟେକରେ ଆମ ସୂର୍ଯ୍ୟ ପରି ଅନେକ ନକ୍ଷତ୍ର ରହିଛନ୍ତି ।

ବିପରୀତ ପକ୍ଷରେ, ପାଞ୍ଚ ହଜାର ବର୍ଷ ପୂର୍ବରୁ ବୈଦିକ ଦର୍ଶନର ସୂଚନା ଅନୁଯାୟୀ, ପୃଥିବୀ ‘ଭୂୂଃ’ ଲୋକ ଅଟେ, ଯାହାକି ସ୍ୱଃ ଲୋକର ପ୍ରଦକ୍ଷିଣା କରୁଥାଏ, ଏବଂ ଏମାନଙ୍କ ମଧ୍ୟରେ ଏକ ଭୂବଃ ଲୋକ ଅଛି । ସ୍ୱଃ ଲୋକ ମଧ୍ୟ ସ୍ଥିର ନୁହେଁ, ଏହା ଜନ ଲୋକର ମାଧ୍ୟାକର୍ଷଣ ଶକ୍ତିରେ ସ୍ଥିର ରହିଥାଏ ଏବଂ ସେ ଦୁହିଁଙ୍କ ମଧ୍ୟରେ ମହଃ ଲୋକ ଅବସ୍ଥିତ । ଜନ ଲୋକ ମଧ୍ୟ ସ୍ଥିର ନୁହେଁ, ଏହା ବ୍ରହ୍ମଲୋକ (ସତ୍ୟଲୋକ)  ର ପ୍ରଦକ୍ଷିଣା କରିଥାଏ । ଏମାନଙ୍କ ମଧ୍ୟରେ ତପ ଲୋକ ଅବସ୍ଥିତ । ଏହିପରି ଭାବରେ ବେଦାନ୍ତ ଦର୍ଶନ ସାତଟି ଉର୍ଦ୍ଧ୍ୱ ଲୋକ ଏବଂ ସାତଟି ଅଧଃ ଲୋକର ବର୍ଣ୍ଣନା କରିଥାଏ । ପାଞ୍ଚ ହଜାର ବର୍ଷ ପୂର୍ବେ ଦିଆ ଯାଇଥିବା ଏପରି ଜ୍ଞାନ ଅତ୍ୟନ୍ତ ବିସ୍ମୟକର ଅଟେ ।

ଶ୍ରୀକୃଷ୍ଣ ଏହି ଶ୍ଲୋକରେ କହୁଛନ୍ତି ଯେ, ଏହି ସମସ୍ତ ଲୋକ ମାୟା ସାମ୍ରାଜ୍ୟର ଅନ୍ତର୍ଗତ ଅଟେ । ତେଣୁ ସେହି ସବୁ ଲୋକର ଅଧିବାସୀ ଜନ୍ମମୃତ୍ୟୁ ଚକ୍ରର ଅଧୀନସ୍ତ ଅଟନ୍ତି । କିନ୍ତୁ ଯେଉଁମାନେ ଭଗବତ୍ ପ୍ରାପ୍ତି କରି ନିଅନ୍ତି, ସେମାନେ ମାୟିକ ବନ୍ଧନରୁ ମୁକ୍ତ ହୋଇ ଯାଆନ୍ତି । ମାୟିକ ଶରୀର ତ୍ୟାଗ କରି ସେମାନେ ଭଗବାନଙ୍କର ଦିବ୍ୟଲୋକ ପ୍ରାପ୍ତ କରନ୍ତି । ସେଠାରେ ଦିବ୍ୟ ଶରୀର ଧାରଣ କରି ସେମାନେ ଚିରଦିନ ପାଇଁ ଭଗବାନଙ୍କର ଦିବ୍ୟ ଲୀଳାରେ ସାମିଲ ହୋଇ ଯାଆନ୍ତି । ଏହିପରି ଭାବରେ ପୁନର୍ବାର ସେମାନଙ୍କୁ ମାୟିକ ଜଗତରେ ଜନ୍ମ ଗ୍ରହଣ କରିବାକୁ ପଡ଼େ ନାହିଁ । କେତେକ ମହାପୁରୁଷ ମାୟାରୁ ଉତ୍ତୀର୍ଣ୍ଣ ହେଲା ପରେ ମଧ୍ୟ ପୁନରାଗମନ କରିଥାନ୍ତି । କିନ୍ତୁ ସେମାନେ କେବଳ ଅନ୍ୟମାନଙ୍କୁ ବନ୍ଧନରୁ ମୁକ୍ତ ହେବାକୁ ସାହାଯ୍ୟ କରିବା ପାଇଁ ଏହା କରନ୍ତି । ଏମାନେ ମହାନ ଗୁରୁ ଏବଂ ବିଖ୍ୟାତ ଧର୍ମଯାଜକ ଭାବରେ ଅବତରିତ ହୋଇ, ନିଜକୁ ମାନବ ସମାଜର ଦିବ୍ୟ କଲ୍ୟାଣରେ ନିୟୋଜିତ କରିଥାଆନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
8. ଅକ୍ଷର ବ୍ରହ୍ମ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency