ସତତଂ କୀର୍ତୟନ୍ତୋ ମାଂ ଯତନ୍ତଶ୍ଚ ଦୃଢ଼ବ୍ରତାଃ ।
ନମସ୍ତ୍ୟନ୍ତଶ୍ଚ ମାଂ ଭକ୍ତ୍ୟା ନିତ୍ୟଯୁକ୍ତା ଉପାସତେ ।।୧୪।।
ସତତଂ- ସର୍ବଦା; କୀର୍ତୟନ୍ତଃ - କୀର୍ତ୍ତନରତ; ମାମ୍ - ମୋତେ; ଯତନ୍ତଶ୍ଚ - ପୂର୍ଣ୍ଣରୂପେ ପ୍ରଯତ୍ନଶୀଳ; ଦୃଢ଼ବ୍ରତାଃ - ଦୃଢ଼ତାର ସହିତ; ନମସ୍ୟନ୍ତଃ ଚ - ପ୍ରଣାମ କରି; ମାମ୍ - ମୋତେ; ଭକ୍ତ୍ୟା - ଭକ୍ତିର ସହିତ; ନିତ୍ୟଯୁକ୍ତାଃ - ସର୍ବଦା ଯୁକ୍ତ; ଉପାସତେ - ପୂଜା କରନ୍ତି ।
BG 9.14: ସର୍ବଦା ମୋର ଦିବ୍ୟ ଯଶ ଗାନ କରି, ଅତ୍ୟନ୍ତ ଦୃଢ଼ ବିଶ୍ୱାସର ସହିତ ବିନମ୍ର ଭାବରେ ନତମସ୍ତକ ହୋଇ, ସେମାନେ ପ୍ରେମମୟ ଭକ୍ତିରେ ନିରନ୍ତର ମୋର ଉପାସନା କରନ୍ତି ।
ମହାପୁରୁଷମାନେ ତାଙ୍କର ଭକ୍ତି କରନ୍ତି, ଏହା କହିବା ପରେ ବର୍ତ୍ତମାନ ଶ୍ରୀକୃଷ୍ଣ ସେମାନେ କିପରି ଭକ୍ତି କରନ୍ତି ତାହାର ବର୍ଣ୍ଣନା କରୁଛନ୍ତି । ସେ କହୁଛନ୍ତି ଯେ ତାଙ୍କର ଭକ୍ତମାନେ ସାଧନା କରିବା ଏବଂ ସାଧନାରେ ଉନ୍ନତି କରିବା ପାଇଁ କୀର୍ତ୍ତନକୁ ଏକ ମାଧ୍ୟମ ଭାବରେ ଗ୍ରହଣ କରିଥାନ୍ତି । ଭଗବାନଙ୍କର ଯଶଗାନ କରିବାକୁ କୁୀର୍ତ୍ତନ କୁହାଯାଏ । ଏହାର ସଂଜ୍ଞା ହେଲା:
“ନାର୍ମ-ଲୀଲା ଗୁଣାଦିନାଂ ଉଚ୍ଚୈର-ଭାଷା ତୁ କୀର୍ତନମ୍ ।” (ଭକ୍ତି ରସାମୃତ ସିନ୍ଧୁ ୧.୨.୧୪୫), ଅର୍ଥାତ୍ ଭଗବାନଙ୍କର ନାମ, ରୂପ, ଗୁଣ, ଲୀଳା, ଧାମ ଏବଂ ଜନ (ମହାପୁରୁଷ, ଗୁରୁ)ଙ୍କର ଯଶଗାନ କରିବାକୁ କୀର୍ତ୍ତନ କୁହାଯାଏ ।
ଭକ୍ତି କରିବା ପାଇଁ କୀର୍ତ୍ତନ ଏକ ପ୍ରଭାବଶାଳୀ ମାଧ୍ୟମ ଅଟେ । ଏହାର ଅନ୍ତର୍ଗତ ତ୍ରିଧା ଭକ୍ତି ଅଟେ, ଯଥା ଶ୍ରବଣ, କୀର୍ତ୍ତନ (ଗାଇବା) ଏବଂ ସ୍ମରଣ । ମୂଳ ଉଦ୍ଦେଶ୍ୟ ହେଉଛି ମନକୁ ଭଗବାନଙ୍କଠାରେ ଲଗାଇବା, ଯାହା ଶୁଣିବା ଓ ଗାଇବା ସହିତ କରିବା ଦ୍ୱାରା ସହଜ ହୋଇଥାଏ । ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ମନ ବାୟୁପରି ଅସ୍ଥିର ଅଟେ ଏବଂ ସ୍ୱାଭାବିକ ଭାବରେ ତାହା ଗୋଟିଏ ବିଚାରରୁ ଅନ୍ୟ ଏକ ବିଚାରକୁ ଘୂରି ବୁଲୁଥାଏ । ଶ୍ରବଣ ଓ କୀର୍ତ୍ତନ ଜ୍ଞାନେନ୍ଦ୍ରିୟକୁ ଦିବ୍ୟ ଜଗତରେ ଲଗାଇ ରଖିଥାଏ, ଯାହା ବିକ୍ଷିପ୍ତ ମନକୁ ବାରମ୍ବାର ଫେରାଇ ଆଣି ଭଗବାନଙ୍କଠାରେ ଲଗାଇବାରେ ସହାୟକ ହୋଇଥାଏ ।
କୀର୍ତ୍ତନର ଅନ୍ୟାନ୍ୟ ଲାଭ ମଧ୍ୟ ରହିଛି । ଯେତେବେଳେ ଆମେ ଭକ୍ତି କରିବା ପାଇଁ ଜପ(ତୁଳସୀମାଳ ସାହାଯ୍ୟରେ ମନ୍ତ୍ର ଜପ କରିବା) ବା କେବଳ ଧ୍ୟାନ କରିଥାଏ, ଆମକୁ ନିଦ ଆସିଯାଏ । କିନ୍ତୁ କୀର୍ତ୍ତନ ଏଭଳି ଏକ ପ୍ରକ୍ରିୟା ଯାହା ଦ୍ୱାରା ନିଦ ଦୂର ହୋଇଯାଏ । ତାଛଡା କୀର୍ତ୍ତନର ସ୍ୱରଲହରୀ ବାହ୍ୟ କୋଳାହଳକୁ ମଧ୍ୟ ପ୍ରତିହତ କରିଥାଏ । କୀର୍ତ୍ତନ ସଂଘବଦ୍ଧ ଭାବରେ ମଧ୍ୟ କରାଯାଇପାରେ ଯଦ୍ୱାରା ଏଥିରେ ଏକ ସମୟରେ ବହୁ ଲୋକ ଅଂଶଗ୍ରହଣ କରିପାରନ୍ତି । ପୁନଶ୍ଚ ମନ ଯେଉଁ ବିବିଧତା ଖୋଜିଥାଏ, ତାହା କୀର୍ତ୍ତନ ଅନ୍ତର୍ଗତ ଭଗବାନଙ୍କର ନାମ, ଗୁଣ, ଲୀଳା, ଧାମ ଆଦି ମାଧ୍ୟମରେ ତାକୁ ମିଳିଯାଏ । ସର୍ବୋପରି, କୀର୍ତ୍ତନର ଗାୟନ ଯେହେତୁ ଉଚ୍ଚ ସ୍ୱରରେ କରା ଯାଇଥାଏ, ଭଗବାନଙ୍କ ଦିବ୍ୟ ନାମର ପ୍ରକମ୍ପନ ସମଗ୍ର ପରିବେଶକୁ ଶୁଦ୍ଧ ଏବଂ ପବିତ୍ର କରିଥାଏ ।
ଏହିସବୁ କାରଣରୁ, ଭାରତର ଇତିହାସର ସନ୍ଥ ମାନଙ୍କ ଦ୍ୱାରା କୀର୍ତ୍ତନ ସର୍ବାଧିକ ଲୋକପ୍ରିୟ ଭକ୍ତି ସାଧନ ରୂପେ ଆଦୃତ ହୋଇଥାଏ । ଭକ୍ତିମାର୍ଗୀୟ ସମସ୍ତ ପ୍ରସିଦ୍ଧ ସନ୍ଥ, ଯଥା ସୁରଦାସ, ତୁଳସୀଦାସ, ମୀରାବାଇ, ଗୁରୁନାନକ, କବୀର, ତୁକାରାମ, ଏକନାଥ, ନରସୀ ମେହେତା, ଜୟଦେବ, ତ୍ୟାଗରାଜ ଇତ୍ୟାଦି, ଏକଧାରାରେ ପ୍ରସିଦ୍ଧ କବି ମଧ୍ୟ ଥିଲେ । ସେମାନେ ଅନେକ ଭକ୍ତି ସଂଗୀତ ରଚନା କରିଥିଲେ ଏବଂ ତଦ୍ୱାରା ସେମାନେ ଭଗବାନଙ୍କର କୀର୍ତ୍ତନ, ଶ୍ରବଣ ଏବଂ ସ୍ମରଣରେ ନିମଗ୍ନ ରହୁଥିଲେ ।
ବେଦ-ଶାସ୍ତ୍ର, କଳିଯୁଗରେ ଭକ୍ତିର ସର୍ବାଧିକ ସରଳ ଓ ଶକ୍ତିଶାଳୀ ମାଧ୍ୟମ ଭାବରେ, କୀର୍ତ୍ତନର ଉଚ୍ଚ ପ୍ରଶଂସା କରିଥାଆନ୍ତି ।
“କୃତେ ଯଦ୍ ଧ୍ୟାୟତୋ ବିଷ୍ଣୁଂ, ତ୍ରେତାୟାଂ ଯଯତୋ ମଖୈଃ ।
ଦ୍ୱାପରେ ପରିଚର୍ଯ୍ୟାୟାଂ କଳୌ ତଦ୍ ହରି-କୀର୍ତ୍ତନାତ୍ ।” (ଭା: ୧୨.୩.୫୨)
ସତ୍ୟ ଯୁଗରେ ଭଗବାନଙ୍କର ଧ୍ୟାନ ପ୍ରକୃଷ୍ଟ ମାଧ୍ୟମ ଥିଲା । ତ୍ରେତା ଯୁଗରେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯଜ୍ଞ ଆଦି କରାଯାଉଥିଲା । ଦ୍ୱାପର ଯୁଗରେ ଦେବତାମାନଙ୍କର ପୂଜା ଅର୍ଚ୍ଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କଳିଯୁଗରେ କେବଳ କୀର୍ତ୍ତନ ହିଁ ଭଗବାନଙ୍କୁ ପ୍ରାପ୍ତ କରିବାର ଏକମାତ୍ର ମାଧ୍ୟମ ଅଟେ ।
“ଅବିକାରୀ ବା ବିକରୀ ବା ସର୍ବ ଦୋଷୈକ ଭାଜନଃ,
ପରମେଷ ପରଂ ଯାତି ରାମ ନାମାନୁକୀର୍ତନାତ୍ ।” (ଅଧ୍ୟାତ୍ମ ରାମାୟଣ)
ତୁମେ ପୂର୍ଣ୍ଣ କାମନାଯୁକ୍ତ ହୋଇଥାଅ ଅଥବା କାମନାରହିତ ହୋଇଥାଅ, ପୂର୍ଣ୍ଣ ଦୋଷଯୁକ୍ତ ହୋଇଥାଅ ଅଥବା ଦୋଷମୁକ୍ତ ହୋଇଥାଅ, ପ୍ରଭୁ ଶ୍ରୀରାମଙ୍କର ନାମ କୀର୍ତ୍ତନ କରି ତୁମେ ନିଜର ଚରମ ଲକ୍ଷ୍ୟ ପ୍ରାପ୍ତ କରିପାରିବ ।
ସର୍ବ ଧର୍ମ ବହିର୍ଭୂତଃ ସର୍ବ ପାପରତସ୍ଥଥାଃ ।
ମୁଚ୍ୟତେ ନାତ୍ର ସନ୍ଦେହୋ ବିଷ୍ଣୋର୍ନାମାନୁକୀର୍ତ୍ତନାତ୍ ।ା (ବୈଷମ୍ପାୟନ ସଂହିତା)
ଏପରିକି ଯେଉଁମାନେ ଅତ୍ୟନ୍ତ ପାପୀ ଏବଂ ଧର୍ମ ପଥରୁ ବିଚ୍ୟୁତ, ସେମାନେ ମଧ୍ୟ ଶ୍ରୀବିଷ୍ଣୁଙ୍କର ନାମ ଜପ କରି ମୁକ୍ତି ପାଇପାରିବେ, ଏଥିରେ କୌଣସି ସନ୍ଦେହ ନାହିଁ ।
କଳିଯୁଗ କେବଳ ହରି ଗୁନ ଗାହା, ଗାବତ ନର ପାବହିଁ ଭବ ଥାହା । (ରାମାୟଣ)
କଳିଯୁଗରେ ମୁକ୍ତିର ଗୋଟିଏ ହିଁ ପନ୍ଥା ଅଛି । ଭଗବାନଙ୍କ ଗୁଣ କୀର୍ତ୍ତନ କରି, ଜଣେ ଏହି ସଂସାର ରୂପକ ସାଗରକୁ ପାର କରିପାରିବ ।
ତଥାପି ଏହା ମନେ ରଖିବା ଆବଶ୍ୟକ ଯେ କୀର୍ତ୍ତନ ପ୍ରକ୍ରିୟାରେ ଶୁଣିବା ଓ ଗାଇବା କେବଳ ସହାୟକ ଅଟନ୍ତି । ମୁଖ୍ୟ ଭଗବାନଙ୍କର ସ୍ମରଣ ଅଟେ । ଏହାକୁ ବାଦ୍ଦେଇ କୀର୍ତ୍ତନ ମନକୁ ଶୁଦ୍ଧ କରେ ନାହିଁ । ସୁତରାଂ, ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ ତାଙ୍କର ଭକ୍ତମାନେ କୀର୍ତ୍ତନ କରିବା ସମୟରେ ମନରେ ନିରନ୍ତର ତାଙ୍କର ସ୍ମରଣ କରନ୍ତି । ମନକୁ ଶୁଦ୍ଧ କରିବା ପାଇଁ ସେମାନେ ନିଷ୍ଠାର ସହିତ ଏହାର ଅଭ୍ୟାସ କରିଥାନ୍ତି ।
ସତତଂ କୀର୍ତୟନ୍ତୋ ମାଂ ଯତନ୍ତଶ୍ଚ ଦୃଢ଼ବ୍ରତାଃ ।
ନମସ୍ତ୍ୟନ୍ତଶ୍ଚ ମାଂ ଭକ୍ତ୍ୟା ନିତ୍ୟଯୁକ୍ତା ଉପାସତେ ।।୧୪।।
ସର୍ବଦା ମୋର ଦିବ୍ୟ ଯଶ ଗାନ କରି, ଅତ୍ୟନ୍ତ ଦୃଢ଼ ବିଶ୍ୱାସର ସହିତ ବିନମ୍ର ଭାବରେ ନତମସ୍ତକ ହୋଇ, ସେମାନେ ପ୍ରେମମୟ ଭକ୍ତିରେ ନିରନ୍ତର ମୋର ଉପାସନା …
Sign in to save your favorite verses.
Sign Inପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ