ଯତ୍କରୋଷି ଯଦଶ୍ନାସି ଯଜ୍ଜୁହୋଷି ଦଦାସି ଯତ୍,
ଯତ୍ତପସ୍ୟସି କୌନ୍ତେୟ ତତ୍କୁରୁଷ୍ୱ ମଦର୍ପଣମ୍ ।।୨୭।।
ଯତ୍ - ଯାହା ବି; କରୋଷି -କରୁଅଛ; ଯତ୍ -ଯାହା ବି; ଅଶ୍ନାସି - ଖାଉଛ; ଯତ୍- ଯାହା ବି; ଜୁହୋଷି - ଯଜ୍ଞରେ ଆହୂତି ; ଦଦାସି - ଦେଉଛ; ଯତ୍ -ଯାହା ବି; ଯତ୍ -ଯାହା ବି ; ତପସ୍ୟସି- ତପସ୍ୟା କରୁଛ; କୌନ୍ତେୟ - ହେ କୁନ୍ତୀ ପୁତ୍ର; ତତ୍ - ତାହାକୁ; କୁରୁଷ୍ୱ - କର; ମଦର୍ପଣମ୍ - ମୋ ଠାରେ ଅର୍ପଣ ।
BG 9.27: ହେ କୁନ୍ତିପୁତ୍ର! ତୁମେ ଯାହା ବି କରୁଛ, ଯାହା ବି ଖାଉଛ, ଯାହା ବି ଯଜ୍ଞରେ ଆହୁତି ଦେଉଛ, ଯେଉଁ ତପସ୍ୟା କରୁଛ, ସେ ସବୁକୁ ମୋତେ ଅର୍ପଣ କରି କର ।
ପୂର୍ବ ଶ୍ଲୋକରେ, ଶ୍ରୀକୃଷ୍ଣ କହିଲେ ଯେ, ସମସ୍ତ ବସ୍ତୁ ମୋତେ ଅର୍ପଣ କରିବା ଉଚିତ । ବର୍ତ୍ତମାନ ସେ କହୁଛନ୍ତି ସମସ୍ତ କର୍ମ ତାଙ୍କୁ ଅର୍ପଣ କରାଯିବା ଉଚିତ । ଜଣେ ଯେ କୌଣସି ସମ।।ଜିକ କର୍ତ୍ତବ୍ୟ ପାଳନ କରନ୍ତୁ, ଯାହା କିଛି ନିରାମିଷ ଖାଦ୍ୟ ଭକ୍ଷଣ କରନ୍ତୁ, ଯାହା କିଛି ମାଦକତା ରହିତ ପାନୀୟ ଗ୍ରହଣ କରନ୍ତୁ, ଯାହା ବି ବୈଦିକ କର୍ମ କରନ୍ତୁ, ଯାହା ବି ସଂକଳ୍ପ ଏବଂ ତପସ୍ୟା କରନ୍ତୁ, ସେ ସବୁକୁ ମାନସିକ ସ୍ତରରେ ପରଂବ୍ରହ୍ମଙ୍କୁ ଅର୍ପଣ କରାଯିବା ଉଚିତ ।
ଲୋକେ ପ୍ରାୟତଃ ଭକ୍ତିକୁ ଦୈନନ୍ଦିନ ଜୀବନ ଠାରୁ ଅଲଗା ରଖିଥାନ୍ତି ଏବଂ ଭାବନ୍ତି ଯେ ତାହା କେବଳ ମନ୍ଦିରରେ ହିଁ କରାଯାଇପାରିବ । କିନ୍ତୁ ଭକ୍ତି ମନ୍ଦିରର ପରିସୀମାରେ ସୀମିତ ହେବା ଉଚିତ ନୁହେଁ, ଏହା ଆମ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ କରାଯିବା ଆବଶ୍ୟକ ।ଦେବର୍ଷି ନାରଦ ଭକ୍ତିର ନିରୂପଣ ଏହିପରି କରିଛନ୍ତି:
ନାରଦସ୍ତୁ ତଦର୍ପିତାଖିଳାଚାରିତା ତଦ୍ବିସ୍ମରଣେ ପରମବ୍ୟାକୁଳତେତି । (ନା:ଭ:ଦ: ସୂତ୍ର ୧୯)
ଭକ୍ତିର ଅର୍ଥ ତୁମର ସମସ୍ତ କର୍ମକୁ ଭଗବାନଙ୍କୁ ଅର୍ପଣ କରିବା ଏବଂ ତାଙ୍କର ବିସ୍ମରଣରେ ପରମ ବ୍ୟାକୁଳତା ଅନୁଭବ କରିବା । ମାନସିକ ସ୍ତରରେ କର୍ମକୁ ଭଗବାନଙ୍କ ପ୍ରତି ଉତ୍ସର୍ଗ କରିବାର କ୍ରିୟାକୁ ଅର୍ପଣ କୁହାଯାଏ । ଏହିପରି ମନୋଭାବ ସାଂସାରିକ କର୍ମକୁ ଭଗବାନଙ୍କ ଦିବ୍ୟ ସେବାରେ ପରିଣତ କରାଏ । ସ୍ୱାମୀ ବିବେକାନନ୍ଦ କର୍ମ ପ୍ରତି ଏହିପରି ମନୋଭାବ ପୋଷଣ କରି କହିଥିଲେ, “କୌଣସି କର୍ମ ଧର୍ମ ରହିତ ନୁର୍ହେ । ସମସ୍ତ କର୍ମ ଭକ୍ତି ଓ ସେବା ଅଟେ ।” ସନ୍ଥ କବୀର ତାଙ୍କ ଦେହାରେ କହୁଛନ୍ତି:
ଜହଁ ଜହଁ ଚଲୁଁ କରୁଁ ପରିକ୍ରମା, ଜୋ ଜୋ କରୂଁ ସୋ ସେବା
ଜବ ସୋଉଁ କରୁଁ ଦଣ୍ଡବତ୍, ଜାନୂଁ ଦେବ ନ ଦୂଜା ।
“ଚାଲିବା ସମୟରେ ମୁଁ ଅନୁଭବ କରେ ଯେ ମୁଁ ଭଗବାନଙ୍କର ମନ୍ଦିର ପରିକ୍ରମା କରୁଛି; ଯାହା କିଛି ମୁଁ କରେ, ମୁଁ ତାହାକୁ ପ୍ରଭୁଙ୍କର ସେବା ଭାବରେ କରେ । ଶୟନ କରିଥିବା ସମୟରେ ମୁଁ ମନେ କରିଥାଏ, ମୁଁ ପ୍ରଭୁଙ୍କୁ ପ୍ରଣିପାତ କରୁଛି । ଏହିପରି ଭାବରେ ମୁଁ ସର୍ବଦା କେବଳ ପ୍ରଭୁଙ୍କ ସହିତ ହିଁ ରହିଥାଏ । ନିମ୍ନଲିଖିତ ଶ୍ଳୋକଟିର ମହତ୍ତ୍ୱ ହୃଦୟଙ୍ଗମ ନ କରି, ଲୋକମାନେ ମନ୍ଦିରରେ ଗାଇଥାନ୍ତି -
କାୟେନ ବାଚା ମନସେନ୍ଦ୍ରିୟୈର ବା ବୁଦ୍ଧ୍ୟାତ୍ମନା ବାନୁସୃତ-ସ୍ୱଭାବାତ୍ ।
କରୋତି ଯଦ୍ ଯତ୍ ସକଳଂ ପରସ୍ମୈ ନାରାୟଣାୟେତି ସମର୍ପୟେତ୍ ତତ୍ । (ଭା: ୧୧:୨:୩୬)
ନିଜର ସ୍ୱଭାବ ଅନୁଯାୟୀ ବ୍ୟକ୍ତି ଶରୀର, ବଚନ, ମନ, ଇନ୍ଦ୍ରିୟ ଓ ବୁଦ୍ଧି ଦ୍ୱାରା ଯାହା କିଛି କରେ, ତାହା ପରଂବ୍ରହ୍ମ ନାରାୟଣଙ୍କୁ ଅର୍ପଣ- କରାଯିବା ଉଚିତ । କିନ୍ତୁ ଏହି ଅର୍ପଣ ପ୍ରକ୍ରିୟା, ବୈଦିକ କର୍ମ ଶେଷରେ “ଶ୍ରୀକୃଷ୍ଣାୟ ସମର୍ପଣଂ ଅସ୍ତୁ” ମନ୍ତ୍ର ଉଚ୍ଚାରଣ କରିବା ପରି ହେବା ଉଚିତ ନୁହେଁ ।” ଏହା କର୍ମ କରୁଥିବା ସମୟରେ ହିଁ ଏପରି ଭାବନା ରଖି କରିବା ଉଚିତ ଯେ ପ୍ରଭୁଙ୍କର ସନ୍ତୋଷ ବିଧାନ ପାଇଁ ଆମେ ଏସବୁ କର୍ମ କରୁଛୁ । ସମସ୍ତ କର୍ମ ତାଙ୍କୁ ଅର୍ପଣ କରିବାକୁ କହିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ତଦ୍ୱାରା ହେଉଥିବା ଲାଭ ବର୍ଣ୍ଣନା କରୁଛନ୍ତି ।
ଯତ୍କରୋଷି ଯଦଶ୍ନାସି ଯଜ୍ଜୁହୋଷି ଦଦାସି ଯତ୍,
ଯତ୍ତପସ୍ୟସି କୌନ୍ତେୟ ତତ୍କୁରୁଷ୍ୱ ମଦର୍ପଣମ୍ ।।୨୭।।
ହେ କୁନ୍ତିପୁତ୍ର! ତୁମେ ଯାହା ବି କରୁଛ, ଯାହା ବି ଖାଉଛ, ଯାହା ବି ଯଜ୍ଞରେ ଆହୁତି ଦେଉଛ, ଯେଉଁ ତପସ୍ୟା କରୁଛ, ସେ ସବୁକୁ ମୋତେ …
Sign in to save your favorite verses.
Sign Inପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ