ଅଧ୍ୟାୟ 15: ପୁରୁଷୋତ୍ତମ ଯୋଗ

ପୁରୁଷୋତ୍ତମ ଯୋଗ

ପୂର୍ବ ଅଧ୍ୟାୟରେ ଶ୍ରୀକୃଷ୍ଣ ବର୍ଣ୍ଣନା କଲେ ଯେ ଭୌତିକ ପ୍ରକୃତିର ତ୍ରିଗୁଣକୁ ଅତିକ୍ରମ କଲେ, ବ୍ୟକ୍ତି ଦିବ୍ୟ ଲକ୍ଷ୍ୟପ୍ରାପ୍ତି କରିଥାଏ । ସେ ଏହା ମଧ୍ୟ ପ୍ରକାଶ କଲେ ଯେ ଗୁଣାତୀତ ହେବାର ସର୍ବୋତ୍ତମ ମାର୍ଗ ହେଉଛି ଭଗବାନଙ୍କ ଅନନ୍ୟ ଭକ୍ତି । ଏହିପରି ଭକ୍ତି କରିବା ପାଇଁ ଆମକୁ ସଂସାରରୁ ମନକୁ ହଟାଇ ତାହାକୁ ଭଗବାନଙ୍କ ଠାରେ ଲଗାଇବାକୁ ପଡ଼ିବ । ତେଣୁ ସଂସାରର ସ୍ୱରୂପ ସମ୍ବନ୍ଧରେ ଜାଣିବା ଆବଶ୍ୟକ ଅଟେ । ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ସଂସାରର ଚିତ୍ରାତ୍ମକ ବର୍ଣ୍ଣନା କରୁଛନ୍ତି, ଯାହା ଅର୍ଜୁନଙ୍କୁ ଏଥିରୁ ନିବୃତ୍ତ ହେବା ପାଇଁ ସାହାଯ୍ୟ କରିବ । ସେ ଭୌତିକ ସଂସାରକୁ ଏକ ଓଲଟା ବା ଅଗ୍ରଭାଗ ନିମ୍ନକୁ ଥିବା ଏକ ଅଶ୍ୱତ୍‌ଥ ବୃକ୍ଷ ସହିତ ତୁଳନା କରିଛନ୍ତି । ଦେହଧାରୀ ଆତ୍ମା ବୃକ୍ଷର ଶାଖା ପ୍ରଶାଖାରେ ଉପରତଳ ହୋଇ ଇତସ୍ତତଃ ଭାବରେ ଜନ୍ମ ପରେ ଜନ୍ମ ଘୂରି ବୁଲୁଛି । ତଥାପି, ତା’ର ଉତ୍ପତ୍ତି କେଉଁଠାରୁ ହୋଇଛି, କେବେଠାରୁ ସେ ଅଛି ଏବଂ ତା’ର ବୃଦ୍ଧି କିପରି ହେଉଛି, ତାହା ସେ ବୁଝିପାରୁନାହିଁ । ବୃକ୍ଷର ମୂଳ ଉପରକୁ ରହିଛି, କାରଣ ଏହାର ସ୍ରୋତ ଭଗବାନ ଅଟନ୍ତି । ବେଦ ବର୍ଣ୍ଣିତ ଫଳଦାୟୀ କର୍ମ ଏହାର ପତ୍ର ସଦୃଶ । ବୃକ୍ଷଟି ମାୟାର ତିନିଗୁଣ ଦ୍ୱାରା ଜଳସେଚିତ ହେଉଅଛି । ଗୁଣଗୁଡ଼ିକ ଇନ୍ଦ୍ରିୟଭୋଗ ବସ୍ତୁ ସୃଷ୍ଟି କରନ୍ତି, ଯାହା ବୃକ୍ଷର କଢ଼ ପରି ଅଟନ୍ତି । ଏଗୁଡ଼ିକ ଅଙ୍କୁରିତ ହୋଇ ବାୟବୀୟ ମୂଳ ସୃଷ୍ଟି କରନ୍ତି, ଯାହା ବୃକ୍ଷକୁ ଅଧିକ ବୃଦ୍ଧି ଲାଭ କରିବାର ବିପଦ ସୃଷ୍ଟି କରିଥାଏ । ଏହି ଅଧ୍ୟାୟରେ, ଏହି ପ୍ରତୀକବାଦର ବିସ୍ତୃତ ବର୍ଣ୍ଣନା ମାଧ୍ୟମରେ ଏହି ଧାରଣାକୁ ସ୍ପଷ୍ଟ କରାଯାଇଛି, କିପରି ଦେହଧାରୀ ଆତ୍ମା ଏହି ବୃକ୍ଷରୂପୀ ମାୟିକ ଜଗତର ଗୁଣ ନ ଜାଣି କଷ୍ଟଭୋଗ କରିବା ସହିତ ତା’ର ବନ୍ଧନକୁ ଦୃଢ଼ କରିବାରେ ଲାଗିଛି । ଶ୍ରୀକୃଷ୍ଣ କହୁଛନ୍ତି, ବିରକ୍ତି ରୂପୀ କୁଠାରର ବ୍ୟବହାର କରି ଏହି ବୃକ୍ଷକୁ କାଟିବା ଉଚିତ୍ । ତାପରେ ଆମେ ବୃକ୍ଷର ମୂଳ ଖୋଜିବା ଆବଶ୍ୟକ, ଯାହା ସ୍ୱୟଂ ଭଗବାନ ଅଟନ୍ତି । ମୂଳକୁ ଠାବ କରି, ଏହି ଅଧ୍ୟାୟରେ ବର୍ଣ୍ଣନା କରାଯାଇ ଥିବା ଉପାୟରେ ଆମେ ତାଙ୍କର ଶରଣାଗତ ହେବା ଉଚିତ । ତଦ୍ୱାରା ଆମେ ଭଗବାନଙ୍କର ଦିବ୍ୟଲୋକ ପ୍ରାପ୍ତ କରିବା, ଯେଉଁଠାରୁ ପୁନର୍ବାର ଆମେ ଏହି ଭୌତିକ ଜଗତକୁ ଫେରି ଆସିବା ନାହିଁ ।

ତା’ପରେ ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି, କିପରି ସଂସାରରେ ସ୍ଥିତ ଆତ୍ମା, ତାଙ୍କର ନିତ୍ୟ କ୍ଷୁଦ୍ର ଅଂଶ ହୋଇଥିବାରୁ, ଦିବ୍ୟ ଅଟନ୍ତି । କିନ୍ତୁ ମାୟାର କବଳିତ ହୋଇ, ସେମାନେ ମନ ଏବଂ ପାଞ୍ଚ ଇନ୍ଦ୍ରିୟଙ୍କ ସହିତ ସଂଘର୍ଷ କରୁଛନ୍ତି । ସେ ବର୍ଣ୍ଣନା କରୁଛନ୍ତି, କିପରି ଦେହଧାରୀ ଜୀବ ଦିବ୍ୟ ହୋଇ ମଧ୍ୟ ଇନ୍ଦ୍ରିୟ ବିଷୟର ରସାସ୍ୱାଦନ କରେ । ମୃତ୍ୟୁ ସମୟରେ, ଆତ୍ମାର କିପରି ଏହି ଜନ୍ମର ମନ ଓ ଇନ୍ଦ୍ରିୟ ସହିତ ଅନ୍ୟ ଏକ ଶରୀରକୁ ଦେହାନ୍ତରଣ ହୁଏ, ସେ ଏଠାରେ ତାହା ମଧ୍ୟ ବର୍ଣ୍ଣନା କରିଛନ୍ତି । ଅଜ୍ଞାନୀ ବ୍ୟକ୍ତି ଆତ୍ମାର ଉପସ୍ଥିତିକୁ, ତାହା ଶରୀରରେ ଥିବା ସମୟରେ କିମ୍ବା ଶରୀର ତ୍ୟାଗ କରିବା ସମୟରେ, ଅନୁଭବ କରିପାରେ ନାହିଁ । କିନ୍ତୁ ଯୋଗୀମାନେ ତାଙ୍କର ଜ୍ଞାନଚକ୍ଷୁ ଏବଂ ଶୁଦ୍ଧ ମନରେ ତାହାର ଅନୁଭବ କରିପାରନ୍ତି । ସେହିପରି ଭଗବାନ ମଧ୍ୟ ତାଙ୍କ ସୃଷ୍ଟିରେ ରହିଛନ୍ତି, କିନ୍ତୁ ଜ୍ଞାନଚକ୍ଷୁରେ ହିଁ ତାଙ୍କୁ ଅନୁଭବ କରାଯାଇ ପାରିବ । ଶ୍ରୀକୃଷ୍ଣ ଏଠାରେ ପ୍ରକାଶ କରୁଛନ୍ତି, ସଂସାରର ସର୍ବତ୍ର ଉଦ୍‌ଭାସିତ ଭଗବାନଙ୍କର ଐଶ୍ୱର୍ଯ୍ୟ ମାଧ୍ୟମରେ ତାଙ୍କର ଉପସ୍ଥିତିକୁ ଆମେ କିପରି ହୃଦୟଙ୍ଗମ କରିପାରିବା । ଅଧ୍ୟାୟଟି କ୍ଷର, ଅକ୍ଷର ଏବଂ ପୁରୁଷୋତ୍ତମ ଶବ୍ଦର ବ୍ୟାଖ୍ୟା ସହିତ ଶେଷ ହୋଇଛି । ସଂସାରର ନଶ୍ୱର ଜୀବସବୁ କ୍ଷର ଅଟନ୍ତି । ଭଗବାନଙ୍କ ଦିବ୍ୟ ଲୋକର ମୁକ୍ତ ଆତ୍ମା ସବୁ ଅକ୍ଷର ଅଟନ୍ତି । ପୁରୁଷୋତ୍ତମ ହେଉଛନ୍ତି ପରମ ପୁରୁଷ ଭଗବାନ, ଯିଏ କି ଏହି ସଂସାରର ଅପରିବର୍ତ୍ତନୀୟ ଶାସକ ଏବଂ ପାଳକ ଅଟନ୍ତି । ସେ ଉଭୟ ନଶ୍ୱର ଏବଂ ଅବିନଶ୍ୱରଙ୍କ ଅନୁଭୂତିର ସୀମାତୀତ ଅଟନ୍ତି । ସେ ଆମ ସମସ୍ତଙ୍କ ଦ୍ୱାରା ଉପାସିତ ହେବା ଉଚିତ୍ ।

ଭଗବଦ୍ ଗୀତା 15.1 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ପରମ ପୁରୁଷ ଭଗବାନ କହିଲେ: ସେମାନେ ଏକ ଅନାଦି ଅଶ୍ୱତ୍‌ଥ ବୃକ୍ଷ ବିଷୟରେ କହିଛନ୍ତି, ଯାହାର ମୂଳ ଉପରକୁ ଏବଂ ଶାଖାସବୁ ତଳକୁ ରହିଛି । ଏହାର ପତ୍ରଗୁଡ଼ିକ ବେଦର ମନ୍ତ୍ର ସବୁ ଅଟନ୍ତି । ଯେଉଁ ବ୍ୟକ୍ତି ଏହି ରହସ୍ୟକୁ ଜାଣେ ସେ ବେଦର ଜ୍ଞାତା ଅଟେ ।

ଭଗବଦ୍ ଗୀତା 15.2 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ବୃକ୍ଷର ଶାଖାଗୁଡ଼ିକ ଉପରକୁ ଓ ତଳକୁ ବିସ୍ତୃତ ହୋଇଛି, ତିନିଗୁଣ ଦ୍ୱାରା ତାହାର ପ୍ରତିପୋଷଣ ହେଉଛି ଏବଂ ଇନ୍ଦ୍ରିୟର ବିଷୟଗୁଡ଼ିକ ଏହାର କୋମଳ ଅଙ୍କୁର ସଦୃଶ ଅଟନ୍ତି । ଏହି କୋମଳ ମୂଳ ନିମ୍ନଦିଗକୁ ପ୍ରସାରିତ ହୋଇ, ମନୁଷ୍ୟ ସ୍ୱରୂପରେ କର୍ମର ପ୍ରବାହ ସୃଷ୍ଟି କରୁଛି । ନିମ୍ନଦେଶରେ ଏହାର ମୂଳ ସବୁ ଶାଖାଯୁକ୍ତ ହୋଇ ସଂସାରରେ ମନୁଷ୍ୟର କର୍ମବନ୍ଧନ ସୃଷ୍ଟି କରେ ।

ଭଗବଦ୍ ଗୀତା 15.3 - 15.4 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଏହି ବୃକ୍ଷର ବାସ୍ତବ ସ୍ୱରୂପ କିମ୍ବା ଏହାର ଆରମ୍ଭ ବା ଅନ୍ତ କିମ୍ବା ତାର ନିତ୍ୟ ଅସ୍ଥିତ୍ୱ ବିଷୟରେ ସଂସାରରେ କେହି ଜାଣନ୍ତି ନାହିଁ । କିନ୍ତୁ ଏହି ଗଭୀର ମୂଳଯୁକ୍ତ ଅଶ୍ୱତ୍‌ଥ ବୃକ୍ଷଟିକୁ, ବୈରାଗ୍ୟର ତୀକ୍ଷଣ୍ କୁରାଢ଼ୀ ଦ୍ୱାରା ଛେଦନ କରିବାକୁ ପଡ଼ିବ । ତାପରେ ବ୍ୟକ୍ତିକୁ ଏହାର ଉତ୍ପତ୍ତି ସ୍ଥଳକୁ ଖୋଜିବାକୁ ପଡ଼ିବ, ଯିଏକି ସ୍ୱୟଂ ଭଗବାନ ଅଟନ୍ତି, ଯାହାଙ୍କଠାରୁ ବ୍ରହ୍ମାଣ୍ଡର କର୍ମ ପ୍ରବାହ ଅନାଦି କାଳରୁ ହେବାରେ ଲାଗିଛି । ତାଙ୍କର ଶରଣାଗତ ହେଲେ, ବ୍ୟକ୍ତି ଏହି ସଂସାରକୁ ପୁନର୍ବାର ଫେରି ନ ଥାଏ ।

ଭଗବଦ୍ ଗୀତା 15.5 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ମଦ ଏବଂ ମୋହରୁ ମୁକ୍ତ, ଯିଏ ଆସକ୍ତିରୂପକ ଶତ୍ରୁକୁ ଜୟ କରିଛି, ଯିଏ ସର୍ବଦା ଆତ୍ମା ଏବଂ ଭଗବାନଙ୍କ ଠାରେ ସ୍ଥିତ ରହନ୍ତି, ଯେଉଁମାନେ ଇନ୍ଦ୍ରିୟ ଉପଭୋଗର କାମନା ଠାରୁ ମୁକ୍ତ ହୋଇଛନ୍ତି, ଯିଏ ସୁଖ ଓ ଦୁଃଖର ଦ୍ୱୈତରୁ ଊର୍ଦ୍ଧ୍ୱରେ, ସେହିପରି ମୁକ୍ତ ବ୍ୟକ୍ତିଗଣ ମୋର ଦିବ୍ୟ ଲୋକ ପ୍ରାପ୍ତ କରନ୍ତି ।

ଭଗବଦ୍ ଗୀତା 15.6 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସୂର୍ଯ୍ୟ, ଚନ୍ଦ୍ର କିମ୍ବା ଅଗ୍ନି, କେହି ବି ମୋର ପରମ ଧାମକୁ ପ୍ରକାଶିତ କରିପାରିବେ ନାହିଁ । ସେହି ପରମ ଦିବ୍ୟ ଧାମକୁ ଗଲା ପରେ କୌଣସି ବ୍ୟକ୍ତି ଏହି ସଂସାରକୁ ପ୍ରତ୍ୟାବର୍ତ୍ତନ କରନ୍ତି ନାହିଁ ।

ଭଗବଦ୍ ଗୀତା 15.7 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଏହି ମାୟିକ ଜଗତର ଦେହଧାରୀ ଆତ୍ମା ମୋର ଚିରନ୍ତନ କ୍ଷୁଦ୍ର ଅଂଶ ଅଟନ୍ତି, କିନ୍ତୁ ଭୌତିକ ପ୍ରକୃତିର କବଳିତ ହୋଇ, ସେମାନେ ମନ ସହିତ ଛଅଟି ଇନ୍ଦ୍ରିୟଙ୍କୁ ନେଇ ସଂଘର୍ଷରତ ରହିଛନ୍ତି ।

ଭଗବଦ୍ ଗୀତା 15.8 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ବାୟୁ ଯେପରି ସୁଗନ୍ଧକୁ ଗୋଟିଏ ଜାଗାରୁ ଅନ୍ୟତ୍ର ବହନ କରି ନେଇଥାଏ, ସେହିପରି ଦେହଧାରୀ ଆତ୍ମା ଯେତେବେଳେ ଗୋଟିଏ ଶରୀର ତ୍ୟାଗ କରି ଅନ୍ୟ ଗୋଟିଏକୁ ପ୍ରବେଶ କରେ, ମନ ଏବଂ ଇନ୍ଦ୍ରିୟ ଗୁଡ଼ିକୁ ନିଜ ସହିତ ବହନ କରିଥାଏ ।

ଭଗବଦ୍ ଗୀତା 15.9 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମନର ଚତୁଃପାଶ୍ୱର୍ରେ ବେଷ୍ଟିତ କର୍ଣ୍ଣ, ଚକ୍ଷୁ, ଚର୍ମ, ଜିହ୍ୱା ଏବଂ ନାସିକା ଆଦିର ଇନ୍ଦ୍ରିୟାନୁଭୂତିକୁ ଉପଯୋଗ କରି, ଦେହଧାରୀ ଆତ୍ମା ଇନ୍ଦ୍ରିୟ ବିଷୟଗୁଡ଼ିକର ଆସ୍ୱାଦନ କରେ ।

ଭଗବଦ୍ ଗୀତା 15.10 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅଜ୍ଞାନୀମାନେ ଆତ୍ମା ଶରୀରରେ ନିବାସ କରିଥିବା ବେଳେ କିମ୍ବା ଇନ୍ଦ୍ରିୟ ବସ୍ତୁକୁ ଉପଭୋଗ କରୁଥିବା ବେଳେ କିମ୍ବା ଶରୀର ତ୍ୟାଗ କଲାବେଳେ ମଧ୍ୟ, ତାହାକୁ ଉପଲବ୍‌ଧି କରିପାରନ୍ତି ନାହିଁ । କିନ୍ତୁ ଯେଉଁମାନଙ୍କର ଚକ୍ଷୁ ଜ୍ଞାନଯୁକ୍ତ, ସେମାନେ ତାହାକୁ ଲକ୍ଷ୍ୟ କରିପାରନ୍ତି ।

ଭଗବଦ୍ ଗୀତା 15.11 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଶରୀର ମଧ୍ୟରେ ଆତ୍ମା ପ୍ରତିଷ୍ଠାପିତ, ଏହା ଚେଷ୍ଟାରତ ଯୋଗୀମାନେ ଜାଣିପାରନ୍ତି । କିନ୍ତୁ ଯେଉଁମାନଙ୍କର ଅନ୍ତଃକରଣ ଶୁଦ୍ଧ ନୁହେଁ, ସେମାନେ ଚେଷ୍ଟା କରି ମଧ୍ୟ ଏହା ଜାଣିପାରନ୍ତି ନାହିଁ ।

ଭଗବଦ୍ ଗୀତା 15.12 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଏହା ଜାଣ ଯେ ମୁଁ ସୌରମଣ୍ଡଳକୁ ଉଦ୍‌ଭାସିତ କରୁଥିବା ସୂର୍ଯ୍ୟଙ୍କ ପ୍ରକାଶ ପରି ଅଟେ । ଚନ୍ଦ୍ରର କିରଣ ଏବଂ ଅଗ୍ନିର ଉଜ୍ଜ୍ୱଳତା ମଧ୍ୟ ମୋ ଠାରୁ ଆସିଥାଏ ।

ଭଗବଦ୍ ଗୀତା 15.13 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୁଁ ସଂସାରରେ ବ୍ୟାପ୍ତ ହୋଇ, ମୋ ଶକ୍ତି ଦ୍ୱାରା ସମସ୍ତ ପ୍ରାଣୀଙ୍କର ପୋଷଣ କରିଥାଏ । ମୁଁ ଚନ୍ଦ୍ର ହୋଇ, ସମସ୍ତ ବୃକ୍ଷଙ୍କ ମଧ୍ୟରେ ଜୀବନ ରସ ସଞ୍ଚାର କରେ ।

ଭଗବଦ୍ ଗୀତା 15.14 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୁଁ ସମସ୍ତ ପ୍ରାଣୀଙ୍କର ଉଦରରେ ଜଠରାଗ୍ନିର ରୂପ ଧାରଣ କରିଥାଏ ଏବଂ ନିଶ୍ୱାସ ଓ ପ୍ରଶ୍ୱାସ ଦ୍ୱାରା ମିଳିତ ହୋଇ, ଚାରି ପ୍ରକାରର ଖାଦ୍ୟକୁ ହଜମ କରିଥାଏ ଏବଂ ଆତ୍ମସାତ କରିଥାଏ ।

ଭଗବଦ୍ ଗୀତା 15.15 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୁଁ ସମସ୍ତ ପ୍ରାଣୀଙ୍କ ହୃଦୟରେ ବାସ କରେ । ମୋ ଠାରୁ ସ୍ମରଣଶକ୍ତି, ଜ୍ଞାନ ତଥା ବିସ୍ମରଣର ଉତ୍ପତ୍ତି ହୋଇଥାଏ । ଏକମାତ୍ର ମୁଁ ହିଁ ବେଦ ଦ୍ୱାରା ଜ୍ଞାତବ୍ୟ, ବେଦାନ୍ତର ପ୍ରଣେତା ତଥା ବେଦର ଅର୍ଥକୁ ଜାଣିଥିବା ବ୍ୟକ୍ତିତ୍ୱ ଅଟେ ।

ଭଗବଦ୍ ଗୀତା 15.16 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସୃଷ୍ଟିରେ ଦୁଇ ପ୍ରକାରର ଜୀବ ଅଛନ୍ତି: କ୍ଷର (ନଶ୍ୱର) ଏବଂ ଅକ୍ଷର (ଅବିନଶ୍ୱର) । ଭୌତିକ ଜଗତର ସମସ୍ତ ଜୀବ ନଶ୍ୱର ଅଟନ୍ତି । ମୁକ୍ତ ଜୀବମାନେ ଅବିନଶ୍ୱର ଅଟନ୍ତି ।

ଭଗବଦ୍ ଗୀତା 15.17 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଏତଦ୍‌ବ୍ୟତୀତ, ଜଣେ ପରମ ଦିବ୍ୟ ପୁରୁଷ ଅଛନ୍ତି, ସେ ଅବିନାଶୀ ପରମାତ୍ମା ଅଟନ୍ତି । ଯିଏ କି ଅପରିବର୍ତ୍ତନୀୟ ନିୟାମକ ଭାବରେ ତ୍ରିଲୋକରେ ବ୍ୟାପ୍ତ ରହନ୍ତି ଏବଂ ସମସ୍ତ ପ୍ରାଣୀଙ୍କୁ ପାଳନ କରନ୍ତି ।

ଭଗବଦ୍ ଗୀତା 15.18 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୁଁ, ଏହି ନଶ୍ୱର ଜଗତ ଏପରି କି ଅବିନଶ୍ୱର ଆତ୍ମାମାନଙ୍କର ମଧ୍ୟ ଅନୁଭବାତୀତ ଅଟେ; ତେଣୁ ବେଦ ଏବଂ ସ୍ମୃତି ଆଦିରେ ମୁଁ ପରମ ଦିବ୍ୟ ପୁରୁଷ ଭାବରେ ଖ୍ୟାତ ।

ଭଗବଦ୍ ଗୀତା 15.19 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ନିଃସନ୍ଦେହ ଭାବରେ ମୋତେ ପରମ ଦିବ୍ୟ ପୁରୁଷ ରୂପରେ ଜାଣନ୍ତି, ସେମାନଙ୍କର ବାସ୍ତବିକ ପୂର୍ଣ୍ଣ ଜ୍ଞାନ ଅଛି । ହେ ଅର୍ଜୁନ! ସେମାନେ ପୂର୍ଣ୍ଣ ସମର୍ପିତ ହୋଇ ମୋର ଉପାସନା କରନ୍ତି ।

ଭଗବଦ୍ ଗୀତା 15.20 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ନିଷ୍ପାପ ଅର୍ଜୁନ! ବେଦଶାସ୍ତ୍ରମାନଙ୍କର ଏହି ଗୂଢ଼ତମ ସିଦ୍ଧାନ୍ତ ମୁଁ ତୁମ ସମ୍ମୁଖରେ ପ୍ରକାଶ କଲି । ଏହାକୁ ହୃଦୟଙ୍ଗମ କରି ଜଣେ ବ୍ୟକ୍ତି ଜ୍ଞାନଦୀପ୍ତ ହୋଇ କୃତକୃତ୍ୟ ହୋଇଯିବ ।
Swami Mukundananda
15. ପୁରୁଷୋତ୍ତମ ଯୋଗ
1 2 3 4 5 6 7 8 9 10 11 12 13 14 15 16 17 18 19 20

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency