ତମେବ ଶରଣଂ ଗଚ୍ଛ ସର୍ବଭାବେନ ଭାରତ ।
ତତ୍‌ପ୍ରସାଦାତ୍‌ପରାଂ ଶାନ୍ତିଂ ସ୍ଥାନଂ ପ୍ରାପ୍‌ସ୍ୟସି ଶାଶ୍ୱତମ୍ ।।୬୨।।

ତମ୍‌- ତାଙ୍କର; ଏବ-କେବଳ; ଶରଣଂ-ଗଚ୍ଛ -ଶରଣାଗତ ହୁଅ; ସର୍ବଭାବେନ-ସର୍ବତୋ ଭାବେ; ଭାରତ- ହେ ଭରତ ବଂଶଜ; ତତ୍ ପ୍ରସାଦାତ୍‌- ତାଙ୍କ କୃପାରୁ; ପରାଂ-ପରମ; ଶାନ୍ତିଂ-ଶାନ୍ତି; ସ୍ଥାନଂ-ସ୍ଥାନ; ପ୍ରାପ୍‌ସ୍ୟସି -ପ୍ରାପ୍ତ କରିବ; ଶାଶ୍ୱତମ୍ -ନିତ୍ୟ ।

ଅନୁବାଦ

BG 18.62: ହେ ଭାରତ ! ସର୍ବତୋ ଭାବରେ ତାଙ୍କର ଅନନ୍ୟ ଶରଣାଗତ ହୁଅ । ତାଙ୍କ କୃପାରୁ ତୁମେ ପରମ ଶାନ୍ତି ଏବଂ ନିତ୍ୟ ଧାମ ପ୍ରାପ୍ତ କରିବ ।

ଭାଷ୍ୟ

ଭଗବାନଙ୍କ ଉପରେ ନିର୍ଭରଶୀଳ ହୋଇଥିବା ଦୃଷ୍ଟିରୁ, ଜୀବକୁ ନିଜର ବର୍ତ୍ତମାନର ଦୟନୀୟ ଅବସ୍ଥାରୁ ଉଦ୍ଧାର ହେବା ତଥା ଚରମ ଲକ୍ଷ୍ୟ ପ୍ରାପ୍ତ କରିବା ନିମନ୍ତେ ଭଗବାନଙ୍କ କୃପା ଉପରେ ନିର୍ଭର କରିବାକୁ ପଡ଼ିବ । ନିଜସ୍ୱ ଉଦ୍ୟମ ଏଥିପାଇଁ ଯଥେଷ୍ଟ ନୁହେଁ । ଭଗବାନ ଯଦି କୃପା କରିବେ, ତେବେ ସେ ନିଜର ଦିବ୍ୟ ଜ୍ଞାନ ଓ ଦିବ୍ୟ ଆନନ୍ଦ ଜୀବକୁ ପ୍ରଦାନ କରିବେ ଏବଂ ତାକୁ ମାୟାର ବନ୍ଧନରୁ ମୁକ୍ତ କରିବେ ।  ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ ତାଙ୍କ କୃପାରୁ ଜୀବ ଶାଶ୍ୱତ ଶାନ୍ତି ଏବଂ ତାଙ୍କର ଅବ୍ୟୟ ଧାମ ପ୍ରାପ୍ତ କରେ । କିନ୍ତୁ ସେହି କୃପା ପ୍ରାପ୍ତ କରିବା ପାଇଁ, ଜୀବ ଭଗବାନଙ୍କର ଶରଣାଗତ ହୋଇ ନିଜକୁ ସେଥିପାଇଁ ଯୋଗ୍ୟ କରିବା ଉଚିତ । ଜଣେ ସାଂସାରିକ ପିତା ମଧ୍ୟ ନିଜ ସନ୍ତାନକୁ ତାଙ୍କର ମୂଲ୍ୟବାନ ସମ୍ପତ୍ତି ହସ୍ତାନ୍ତରିତ କରନ୍ତି ନାହିଁ, ଯେ ପର୍ଯ୍ୟନ୍ତ ସେ ସେହି ସମ୍ପତ୍ତିର ସଦୁପଯୋଗ କରିବା ପାଇଁ ନିଜକୁ ଯୋଗ୍ୟ ସାବ୍ୟସ୍ତ ନ କରିଛି । ସେହିପରି ଭଗବତ୍ କୃପା ମଧ୍ୟ ଏକ ମନମୁଖି କାର୍ଯ୍ୟ ନୁହେଁ, ଭଗବାନ ତାଙ୍କର ସମ୍ପୂର୍ଣ୍ଣ ନ୍ୟାୟସଙ୍ଗତ ନିୟମ ଅନୁସାରେ ଏହା ପ୍ରଦାନ କରିଥାନ୍ତି ।

କୃପା କରିବାକୁ ଯାଇ ଭଗବାନ ଯଦି କୌଣସି ନିୟମର ଅନୁସରଣ ନ କରନ୍ତି, ତେବେ ମନୁଷ୍ୟମାନଙ୍କର ତାଙ୍କ ପ୍ରତି ଆସ୍ଥା ତୁଟିଯିବ । ଉଦାହରଣ ସ୍ୱରୂପ, ମନେକରନ୍ତୁ ଜଣେ ପିତାଙ୍କର ଦୁଇ ପୁତ୍ର ଅଛନ୍ତି । ସେ ଉଭୟଙ୍କୁ ଧାନ ଅମଳ ସମୟରେ କ୍ଷେତରେ କଠିନ ପରିଶ୍ରମ କରିବାକୁ ନିର୍ଦ୍ଦେଶ ଦେଲେ । ଜଣେ ପୁତ୍ର ସାରାଦିନ ଖରାରେ ଝାଳ ବୁହାଇ ପରିଶ୍ରମ କଲା । ରାତିରେ କ୍ଷେତରୁ ଫେରିବା ପରେ ବାପା ତାକୁ କହିଲେ, “ପୁତ୍ର! ତୁମେ ଅତି ଭଲ କାମ କରିଛ । ତୁମେ ଆଜ୍ଞାବହ, ପରିଶ୍ରମୀ ତଥା ବିଶ୍ୱସ୍ତ ଅଟ । ଏହି ପାଞ୍ଚଶହ ଟଙ୍କା ତୁମର ପୁରସ୍କାର ଅଟେ, ତୁମ ଇଚ୍ଛା ଅନୁସାରେ ଖର୍ଚ୍ଚ କର ।” ଦ୍ୱିତୀୟ ପୁତ୍ରଟି କିଛି କଲାନାହିଁ - ସାରାଦିନ ବିଛଣାରେ ଶୋଇରହି ମଦ୍ୟପାନ ଓ ଧୂମପାନ କରିବା ସହିତ ନିଜ ପିତାଙ୍କୁ ଗାଳିଗୁଲଜ କଲା । ରାତିରେ, ମନେ କରନ୍ତୁ ପିତା ଯଦି କହିବେ, “କିଛି ଚିନ୍ତା ନାହିଁ, ଯାହା ହେଲେ ବି ତୁମେ ମଧ୍ୟ ମୋର ପୁତ୍ର, ତେଣୁ ଏହି ପାଞ୍ଚଶହ ଟଙ୍କା ନିଅ ଏବଂ ଉପଭୋଗ କର”, ତେବେ ଫଳ ଏହା ହେବ ଯେ ପ୍ରଥମ ପୁତ୍ରର କଠିନ ପରିଶ୍ରମ କରିବାର ଆଗ୍ରହ ଲୋପ ପାଇବ । ସେ ଚିନ୍ତା କରିବ “ମୋ ପିତାଙ୍କର ପୁରୁସ୍କୃତ କରିବାର ଶୈଳୀ ଯଦି ଏପରି ଅଟେ, ତାହେଲେ ମୁଁ କାହିଁକି ପରିଶ୍ରମ କରିବି ? ମୁଁ ମଧ୍ୟ କିଛି କରିବି ନାହିଁ, କାରଣ ଯେମିତି ହେଲେ ବି ମୁଁ ପାଞ୍ଚଶହ ଟଙ୍କା ପାଇବି । ସେହିପରି ଆମେ ଯୋଗ୍ୟ ହେବା ପୂର୍ବରୁ ଭଗବାନ ଯଦି ଆମକୁ କୃପା ପ୍ରଦାନ କରିବେ, ତେବେ ଅତୀତରେ ଯେଉଁ ସନ୍ଥମାନେ ତାଙ୍କର କୃପା ପ୍ରାପ୍ତ କରିଥିଲେ, ସେମାନେ ଅଭିଯୋଗ କରିବେ, “ଏପରି କ’ଣ ? ଆମେ ନିଜକୁ ଶୁଦ୍ଧ କରିବାକୁ ଅନେକ ଜନ୍ମ ପରିଶ୍ରମ କରିବା ପରେ, ଭଗବତ କୃପା ଲାଭ କରିଥିଲୁ, କିନ୍ତୁ ଏହି ବ୍ୟକ୍ତି ନିଜକୁ ଯୋଗ୍ୟ ନ କରି ଏହା ପ୍ରାପ୍ତ କଲେ । ତେଣୁ ନିଜର ଉନ୍ନତି ପାଇଁ ଆମର ସାଧନା ମୂଲ୍ୟହୀନ ଅଟେ ।” ଭଗବାନ କହନ୍ତି, ମୁଁ ଏପରି ମନମୁଖି କାର୍ଯ୍ୟ କରେନାହିଁ । ମୋର ଏକ ଚିରନ୍ତନ ସର୍ତ୍ତ ରହିଛି, ଯାହା ଅନୁସାରେ ମୁଁ ମୋର କୃପା ପ୍ରଦାନ କରେ ଏବଂ ଏହାକୁ ମୁଁ ସମସ୍ତ ଶାସ୍ତ୍ରରେ ଘୋଷଣା କରିଛି । ଶ୍ୱେତାଶ୍ୱତର ଉପନିଷଦ କହେ:

ଯୋ ବ୍ରହ୍ମାଣଂ ବିଦଧାତି ପୂର୍ବଂ ଯୋ ବୈ ବେଦାଂଶ୍ଚ ପ୍ରହିଣୋତି ତସ୍ମୈ
ତଙ୍ ହ ଦେବମାତ୍ମ-ବୁଦ୍ଧି-ପ୍ରକାଶଂ ମୁମୁକ୍ଷୁର୍ ବୈ ଶରଣମହଂ ପ୍ରପଦ୍ୟେ (୬.୧୮)

“ବ୍ରହ୍ମା ଏବଂ ଅନ୍ୟ ସମସ୍ତଙ୍କର ସୃଷ୍ଟିକର୍ତ୍ତା ପରମ ପୁରୁଷଙ୍କର ମୁଁ ଶରଣାଗତ ହେଉଛି । ତାଙ୍କ କୃପାରୁ ହିଁ ଆତ୍ମା ଏବଂ ବୁଦ୍ଧି ଜ୍ଞାନୋଦୀପ୍ତ ହୁଏ ।” ଶ୍ରୀମଦ୍ ଭାଗବତମ୍ କହେ:

ମାମେକଂ ଏବ ଶରଣଂ ଆତ୍ମାନଂ ସର୍ବ-ଦେହିନାମ୍‌
ଯାହି ସର୍ବାତ୍ମ-ଭାବେନ ମୟା ସ୍ୟା ହ୍ୟକୁତୋ-ଭୟଃ (୧୧.୧୨.୧୫)

“ହେ ଉଦ୍ଧବ ! ସମସ୍ତ ପାର୍ଥିବ ସାମାଜିକ ଏବଂ ଧାର୍ମିକ କର୍ମ ତ୍ୟାଗ କରି, କେବଳ ମୋର, ସମସ୍ତ ଆତ୍ମାଙ୍କର ଆତ୍ମାର, ଶରଣାପନ୍ନ ହୁଅ । ସେତେବେଳେ ହିଁ ତୁମେ ଏହି ଭବ ସାଗରକୁ ଲଙ୍ଘନ କରି ନିର୍ଭୟ ହୋଇପାରିବ ।”

ଏହା ଶ୍ରୀକୃଷ୍ଣ ଭଗବଦ୍ ଗୀତାର ୭.୧୪ ଶ୍ଳୋକରେ ମଧ୍ୟ କହିଥିଲେ: “ମୋର ଦିବ୍ୟ ମାୟାଶକ୍ତି ତ୍ରିଗୁଣାତ୍ମକ ଅଟେ ଏବଂ ତାକୁ ଅତିକ୍ରମ କରିବା ଅତ୍ୟନ୍ତ କଷ୍ଟସାଧ୍ୟ । କିନ୍ତୁ ଯେଉଁମାନେ ମୋର ଶରଣାଗତ ହୁଅନ୍ତି, ସେମାନେ ଏହାକୁ ଅତି ସହଜରେ ପାର କରିପାରନ୍ତି ।”

ରାମାୟଣ ମଧ୍ୟ କହେ:

ସନମୁଖ ହୋଇ ଜୀବ ମୋହି ଜବହୀଁ, ଜନ୍ମ କୋଟି ଅଘ ନାସହିଁ ତବହୀଁ

“ଯେଉଁ ମୁହୂର୍ତ୍ତରେ ଜୀବ ଭଗବାନଙ୍କର ଶରଣାଗତ ହୁଏ, ତାଙ୍କ କୃପାରୁ ତା’ର ପୂର୍ବ ଜନ୍ମର ଅନନ୍ତ ପାପ ନାଶ ହୋଇଯାଏ ।”

ଭଗବଦ୍ ଗୀତାର ଉପରୋକ୍ତ ଶ୍ଳୋକରେ, ଭଗବତ୍ କୃପା ଲାଭ କରିବା ପାଇଁ ଶରଣାଗତି ନିୟମର ଏହି ଆବଶ୍ୟକତାର ଶ୍ରୀକୃଷ୍ଣ ପୁନରାବୃତ୍ତି କରିଛନ୍ତି । ଶରଣାଗତିର ଅର୍ଥ କ’ଣ, ଏହା ହରି ଭକ୍ତି ବିଳାସ, ଭକ୍ତି ରମାମୃତ ସିନ୍ଧୁ, ବାୟୁ ପୁରାଣ ଏବଂ ଅହିର୍ବୁଧ୍ନୀ ସଂହିତା ଆଦିରେ ବିସ୍ତାର ପୂର୍ବକ ନିମ୍ନମତେ ବର୍ଣ୍ଣିତ ହୋଇଛି:

ଆନୁକୂଲ୍ୟସ୍ୟ ସଂକଳ୍ପଃ ପ୍ରତିକୂଲ୍ୟସ୍ୟ ବର୍ଜନମ୍‌
ରକ୍ଷିଷ୍ୟତୀତି ବିଶ୍ୱାସୋ ଗୋପ୍ତ୍ରୃତ୍ୱେ ବରଣଂ ତଥା
ଆତ୍ମନିକ୍ଷେପ କାର୍ପଣ୍ୟେ ଷଡ଼୍‌ବିଧା ଶରଣାଗତିଃ..... (ହରିଭକ୍ତି ବିଳାସ ୧୧.୬୭୬)

ଉପରୋକ୍ତ ଶ୍ଳୋକଟି ଶରଣାଗତିର ଛଅଗୋଟି ଲକ୍ଷଣ ବର୍ଣ୍ଣନା କରୁଛି ।

୧. ଭଗବାନଙ୍କ ଇଚ୍ଛା ଅନୁସାରେ ଇଚ୍ଛା କରିବା - ସ୍ୱରୂପତଃ, ଆମେ ସମସ୍ତେ ଭଗବାନଙ୍କର ଦାସ ଅଟେ, ଏବଂ ଦାସର କର୍ତ୍ତବ୍ୟ ହେଉଛି ମାଲିକଙ୍କର ଇଚ୍ଛା ପୂରଣ କରିବା । ତେଣୁ ଜଣେ ଶରଣାଗତ ଭକ୍ତ ଭାବରେ, ଭଗବାନଙ୍କ ଇଚ୍ଛା ସହିତ ଆମେ ନିଜର ଇଚ୍ଛାକୁ ଯୋଡ଼ିଦେବା ଉଚିତ୍ । ଏକ ଶୁଷ୍କପତ୍ର ବାୟୁର ଶରଣାଗତ ହୋଇଥାଏ । ବାୟୁ ତାକୁ ଉପର ତଳ, ଆଗ ପଛ କଲେ ମଧ୍ୟ ସେ ଆପତ୍ତି କରେନାହିଁ । ସେହିପରି ଭଗବାନଙ୍କର ଖୁସୀରେ ଆମେ ମଧ୍ୟ ଖୁସୀ ହେବାକୁ ଶିଖିବା ଉଚିତ ।

୨. ଭଗବାନଙ୍କ ଇଚ୍ଛା ବିରୁଦ୍ଧରେ ଇଚ୍ଛା ନ କରିବା - ଜୀବନରେ ଆମେ ଯାହାବି ପ୍ରାପ୍ତ କରିଥାଉ, ତାହା ଆମ ପୂର୍ବଜନ୍ମର ଏବଂ ବର୍ତ୍ତମାନର କର୍ମ ଅନୁସାରେ ହୋଇଥାଏ । କିନ୍ତୁ କର୍ମର ଫଳ ଆପେ ଆପେ ମିଳି ନ ଥାଏ । ଭଗବାନ ସେଗୁଡ଼ିକୁ ଲିପିବଦ୍ଧ କରି ଉଚିତ ସମୟରେ ଫଳ ପ୍ରଦାନ କରିଥାନ୍ତି । ଯେହେତୁ ଭଗବାନ ନିଜେ ଫଳ ପ୍ରଦାନ କରିଥାନ୍ତି, ଆମେ ସହର୍ଷ ସେଗୁଡ଼ିକୁ ସ୍ୱୀକାର କରିବାର ଅଭ୍ୟାସ କରିବା ଉଚିତ । ସାଧାରଣତଃ ଯେତେବେଳେ ସଂସାରରେ ମନୁଷ୍ୟମାନେ ଧନସମ୍ପତ୍ତି, ଯଶ, ଆନନ୍ଦ ଏବଂ ବିଳାସ ପ୍ରାପ୍ତ କରନ୍ତି ସେମାନେ ଭଗବାନଙ୍କୁ କୃତଜ୍ଞତା ଜ୍ଞାପନ କରିବାକୁ ଭୁଲିଯାନ୍ତି । କିନ୍ତୁ କଷ୍ଟଭୋଗ କଲେ ସେମାନେ ଭଗବାନଙ୍କ ଉପରେ କ୍ରୋଧ ପ୍ରକାଶ କରିଥାନ୍ତି, “ଆପଣ ମୋ ପ୍ରତି ଏପରି କାହିଁକି କଲେ ?” ଭଗବାନଙ୍କ ଶରଣାଗତିର ଦ୍ୱିତୀୟ ଲକ୍ଷଣ ହେଲା, ସେ ଯାହା ଦେଲେ ବି ଅଭିଯୋଗ ନ କରିବା ।

୩. ଭଗବାନ ଆମର ରକ୍ଷା କରୁଛନ୍ତି, ଏହା ପୂର୍ଣ୍ଣ ବିଶ୍ୱାସ କରିବା - ଭଗବାନ ଆମର ସନାତନ ପିତା ଅଟନ୍ତି । ସେ ସୃଷ୍ଟିର ସମସ୍ତ ପ୍ରାଣୀଙ୍କର ରକ୍ଷକ । ପୃଥିବୀରେ କୋଟି କୋଟି ପିମ୍ପୁଡ଼ି ଅଛନ୍ତି ଏବଂ ସେମାନେ ନିୟମିତ ଭାବରେ ଖାଦ୍ୟ ଆବଶ୍ୟକ କରିଥାଆନ୍ତି । କେବେ ବି କେତେ ହଜାର ପିମ୍ପୁଡ଼ି ଅନାହାରରେ ମୃତ୍ୟୁବରଣ କରି ବଗିଚାରେ ପଡ଼ିଥିବା ଆପଣ ଦେଖିଛନ୍ତି କି ? ଭଗବାନ ସମସ୍ତଙ୍କ ପାଇଁ ଖାଦ୍ୟ ନିଶ୍ଚିତ କରନ୍ତି । ଅନ୍ୟପକ୍ଷରେ, ଗୋଟିଏ ହାତୀ ପ୍ରତିଦିନ ପ୍ରଚୁର ପରିମାଣର ଖାଦ୍ୟ ଖାଏ, ଭଗବାନ ତାହା ମଧ୍ୟ ପ୍ରଦାନ କରନ୍ତି । ଜଣେ ସାଂସାରିକ ପିତା ମଧ୍ୟ ନିଜ ସନ୍ତାନମାନଙ୍କର ଯତ୍ନ ନିଅନ୍ତି ଏବଂ ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରନ୍ତି । ତାହାହେଲେ ଆମେ କାହିଁକି ଅବିଶ୍ୱାସ କରିବା, ଆମର ସନାତନ ପିତା ଭଗବାନ ଆମର ଯତ୍ନ ନେବେ ନାହିଁ ? ଆମର ସୁରକ୍ଷା ପାଇଁ ତାଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଶରଣାଗତିର ତୃତୀୟ ଲକ୍ଷଣ ଅଟେ ।

୪. ଭଗବାନଙ୍କ ପ୍ରତି କୃତଜ୍ଞତା ଭାବ ପୋଷଣ କରିବା - ଆମେ ଭଗବାନଙ୍କ ଠାରୁ ଅନେକ ଅମୂଲ୍ୟ ଉପହାର ପାଇଅଛୁ । ଯେଉଁ ଧରଣୀ ଉପରେ ଆମେ ଚାଲିଥାଏ, ଯେଉଁ ସୂର୍ଯ୍ୟାଲୋକ ଦ୍ୱାରା ଆମେ ଦେଖିଥାଏ, ଯେଉଁ ବାୟୁକୁ ଆମେ ଶ୍ୱାସ ଭାବରେ ଗ୍ରହଣ କରିଥାଏ, ଯେଉଁ ଜଳକୁ ଆମେ ପାନ କରିଥାଏ, ସେ ସବୁକିଛି ଭଗବାନ ଆମକୁ ଦେଇଛନ୍ତି । ବାସ୍ତବରେ, ତାଙ୍କ ଦ୍ୱାରା ହିଁ ଆମର ଅସ୍ଥିତ୍ୱ ରହିଛି; ସେ ଆମକୁ ଜୀବନ ପ୍ରଦାନ କଲେ ଏବଂ ଆମ ଆତ୍ମାରେ ଚୈତନ୍ୟତା ଭରିଦେଲେ । ପ୍ରତି ବଦଳରେ ଆମେ ତାଙ୍କୁ କୌଣସି କର ଦେଇ ନ ଥାଏ; କିନ୍ତୁ ସେ ଆମକୁ ଯାହା ଦେଇଛନ୍ତି, ସେଥିପାଇଁ ଅତି କମ୍‌ରେ ଆମେ ତାଙ୍କ ପ୍ରତି କୃତଜ୍ଞ ତ ରହି ପାରିବା ।

ଏହାର ବିପରୀତ ଅକୃତଜ୍ଞ ମନୋଭାବ । ଉଦାହରଣ ସ୍ୱରୂପ, ଜଣେ ପିତା ନିଜ ସନ୍ତାନ ପାଇଁ ବହୁତ କିଛି କରିଥାଆନ୍ତି । ସନ୍ତାନକୁ ଯଦି ପିତାଙ୍କ ପ୍ରତି କୃତଜ୍ଞ ରହିବାକୁ କୁହାଯାଏ ଏବଂ ସନ୍ତାନଟି ଉତ୍ତର ଦିଏ, “ମୁଁ କାହିଁକି କୃତଜ୍ଞ ରହିବି ? ତାଙ୍କ ପିତା ତାଙ୍କର ଯତ୍ନ ନେଇଥିଲେ ଏବଂ ସେ ମୋର ଯତ୍ନ ନେଉଛନ୍ତି”, ଏହା ସାଂସାରିକ ପିତାଙ୍କ ପ୍ରତି ଅକୃତଜ୍ଞତା ଅଟେ । ଭଗବାନ ଯାହା ସବୁ ଆମକୁ ଦେଇଛନ୍ତି, ସେଥିପାଇଁ ସେହି ଚିରନ୍ତନ ପିତାଙ୍କ ପ୍ରତି କୃତଜ୍ଞ ରହିବା, ଶରଣାଗତିର ଚତୁର୍ଥ ଲକ୍ଷଣ ଅଟେ ।

୫. ଆମ ପାଖରେ ଥିବା ସମସ୍ତ ବସ୍ତୁକୁ ଭଗବାନଙ୍କର ମନେ କରିବା - ଭଗବାନ ସମଗ୍ର ବ୍ରହ୍ମାଣ୍ଡ ସୃଷ୍ଟି କରିଛନ୍ତି । ଏହା ଆମର ଜନ୍ମ ପୂର୍ବରୁ ବିଦ୍ୟମାନ ଥିଲା ଏବଂ ଆମର ମୃତ୍ୟୁ ପରେ ମଧ୍ୟ ବିଦ୍ୟମାନ ରହିବ । ତେଣୁ ସମସ୍ତ ବସ୍ତୁର ପ୍ରକୃତ ଅଧିକାରୀ ଭଗବାନ ହିଁ ଅଟନ୍ତି । ଆମେ ଯେତେବେଳେ କୌଣସି ବସ୍ତୁକୁ ଆମର ବୋଲି କହୁ, ସେତେବେଳେ ଆମେ ଭଗବାନଙ୍କର ଅଧିକାରୀତ୍ୱକୁ ଭୂଲିଯାଉ । ମନେ କରନ୍ତୁ, ଆପଣଙ୍କ ଅନୁପସ୍ଥିତିରେ କେହି ଜଣେ ଆପଣଙ୍କ ଘରକୁ ଆସିବେ । ସେ ଆପଣଙ୍କର ପୋଷାକ ପିନ୍ଧିବେ, ରେଫ୍ରିଜରେଟରରୁ ଖାଦ୍ୟ କାଢ଼ି ଖାଇବେ ଏବଂ ଆପଣଙ୍କ ଶଯ୍ୟାରେ ଶୟନ କରିବେ । ଘରକୁ ଫେରି ଆପଣ କ୍ଷୁବ୍ଧ ହୋଇ ପଚାରିବେ, “ମୋ ଘରେ ତୁମେ କ’ଣ କରୁଛ ?” ସେ କହିବେ, “ମୁଁ ଆପଣଙ୍କର କିଛି ନଷ୍ଟ କରିନାହିଁ, ମୁଁ କେବଳ ତାହାର ବ୍ୟବହାର କରିଛି, ଆପଣ କାହିଁକି ଅସନ୍ତୁଷ୍ଟ ହେଉଛନ୍ତି ?” ଆପଣ ଉତ୍ତର ଦେବେ, “ତୁମେ କୌଣସି ବସ୍ତୁ ନଷ୍ଟ କରି ନ ଥାଇ ପାର, କିନ୍ତୁ ଏସବୁ ମୋର ଅଟେ । ମୋର ବିନା ଅନୁମତିରେ ଆପଣ ଏସବୁ ବ୍ୟବହାର କରୁଛନ୍ତି, ତେଣୁ ଆପଣ ଜଣେ ଚୋର ।” ସେହିପରି ଏ ସଂସାର ଏବଂ ସଂସାରର ସମସ୍ତ ବସ୍ତୁ ଭଗବାନଙ୍କର ଅଟେ । ଏହାକୁ ମନେରଖି, ଅଧିକାରୀତ୍ୱର ଅହଂକାର ତ୍ୟାଗ କରିବା ଶରଣାଗତିର ପଞ୍ଚମ ଲକ୍ଷଣ ଅଟେ ।

୬. ଶରଣାଗତ ହୋଇଥିବାର ଅହଂକାର ତ୍ୟାଗ କରିବା । ଯଦି ଆମେ କରିଥିବା କୌଣସି ଭଲ କର୍ମ ପାଇଁ ଗର୍ବ ଅନୁଭବ କରୁ, ତାହା ଆମ ହୃଦୟକୁ କଳୁଷିତ କରିଦିଏ ଏବଂ ଆମେ କରିଥିବା ସୁକର୍ମକୁ ନଷ୍ଟ କରିଦିଏ । ତେଣୁ ନମ୍ରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ: “ଯଦି ମୁଁ କିଛି ଭଲ କର୍ମ କରିପାରିଲି, ଏହାର କାରଣ ଭଗବାନ ମୋ ବୁଦ୍ଧିକୁ ଉଚିତ ମାର୍ଗଦର୍ଶନ କଲେ । ନିଜ ବୁଦ୍ଧିରେ ମୋ ପକ୍ଷରେ ଏହା କରିବା ସମ୍ଭବ ହୋଇ ନ ଥାନ୍ତା ।” ଏହି ଦୀନତା ଶରଣାଗତିର ଷଷ୍ଠ ଲକ୍ଷଣ ଅଟେ ।

ଶରଣାଗତିର ଏହି ଛଅଟି ଲକ୍ଷଣ ଯଦି ଆମଠାରେ ପୂର୍ଣ୍ଣତଃ ପରିଦୃଷ୍ଟ ହୁଏ, ତେବେ ଜାଣିବାକୁ ହେବ ଯେ ଆମେ ଭଗବାନଙ୍କର ସର୍ତ୍ତ ପୂରଣ କରିପାରିଛେ ଏବଂ ଭଗବାନ ତାଙ୍କର କୃପା ଆମକୁ ପ୍ରଦାନ କରିବେ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency