ନାସତୋ ବିଦ୍ୟତେ ଭାବୋ ନାଭାବୋ ବିଦ୍ୟତେ ସତଃ ।
ଉଭୟୋରପି ଦୃଷ୍ଟୋଽନ୍ତସ୍ତ୍ୱନୟୋସ୍ତତ୍ତ୍ୱ ଦର୍ଶିଭିଃ ।।୧୬।।
ନ- ନାହିଁ; ଅସତଃ-ଅସତ୍ର; ବିଦ୍ୟତେ- ଅଛି; ଭାବଃ- ସ୍ଥାୟୀତ୍ୱ; ନ-ନାହିଁ; ଅଭାବଃ-ପରିସମାପ୍ତି; ବିଦ୍ୟତେ-ଅଛି; ସତଃ-ସତ୍ର; ଉଭୟୋଃ-ଉଭୟର; ଅପି-ମଧ୍ୟ; ଦୁଷ୍ଟଃ-ଦେଖାଯାଏ; ଅନ୍ତଃ- ସମାପ୍ତି; ତୁ-ନିଶ୍ଚିତ ଭାବରେ; ଅନୟୋଃ- ଏ ଦୁହିଁଙ୍କର; ତତ୍ତ୍ୱଦର୍ଶିଭିଃ- ତତ୍ତ୍ୱଦର୍ଶୀମାନଙ୍କ ଦ୍ୱାରା ।
BG 2.16: ଅସତ୍ର ସ୍ଥାୟୀତ୍ୱ ନାହିଁ ଏବଂ ସତ୍ର ଅନ୍ତ ନାହିଁ । ଉଭୟର ସ୍ୱରୂପ ଅଧ୍ୟୟନ କରି ତତ୍ତ୍ୱଦର୍ଶୀମାନେ ଏହା ନିର୍ଣ୍ଣୟ କରିଥାଆନ୍ତି ।
ଶ୍ୱେତାଶ୍ୱତର ଉପନିଷଦ ଅନୁସାରେ, ତିନୋଟି ତତ୍ତ୍ୱ ରହିଛି:
ଭୋକ୍ତା ଭୋଗ୍ୟଂ ପ୍ରେରିତାରଂ ଚ ମତ୍ୱା ସର୍ବଂ ପ୍ରୋକ୍ତଂ ତ୍ରିବିଧଂ ବ୍ରହ୍ମମେତତ୍ (୧.୧୨)
କ୍ଷରଂ ପ୍ରଧାନମମୃତାକ୍ଷରଂ ହରଃ କ୍ଷରାତ୍ମାନାବୀଶତେ ଦେବ ଏକଃ (୧.୧୦)
ସଂଯୁକ୍ତମେତତ୍କ୍ଷରମକ୍ଷରଂ ଚ ବ୍ୟକ୍ତାବ୍ୟକ୍ତଂ ଭରତେ ବିଶ୍ୱମୀଶଃ (୧.୮)
ଏହି ସବୁ ବେଦ ମନ୍ତ୍ର କହୁଛନ୍ତି ଯେ ଭଗବାନ, ଜୀବାତ୍ମା ଏବଂ ମାୟା । ଏହି ତିନୋଟି ତତ୍ତ୍ୱ ଚିରନ୍ତନ ଅଟନ୍ତି ।
୧. ଭଗବାନ ଚିରନ୍ତନ ଅଟନ୍ତି । ସେଥିପାଇଁ ସେ ସତ୍ ଅଟନ୍ତି । ବେଦରେ ତାଙ୍କର ଏକ ନାମ ଅଛି ସତ୍-ଚିତ୍-ଆନନ୍ଦ (ନିତ୍ୟ-ଜ୍ଞାନ ଯୁକ୍ତ-ଆନନ୍ଦର ସାଗର) ।
୨. ଆତ୍ମା ଅବିନାଶୀ ଅଟେ, ତେଣୁ ସେ ମଧ୍ୟ ସତ୍ ଅଟେ । କିନ୍ତୁ ଶରୀର ଦିନେ ନଷ୍ଟ ହୋଇଯିବ, ତେଣୁ ତାହା ଅସତ୍ (କ୍ଷଣସ୍ଥାୟୀ) ଅଟେ । ଆତ୍ମା ମଧ୍ୟ ସତ୍-ଚିତ୍-ଆନନ୍ଦ କିନ୍ତୁ ଏହା ଅଣୁ ଅଟେ । ଅତଏବ, ଆତ୍ମା ଅଣୁସତ୍, ଅଣୁଚିତ୍ ଏବଂ ଅଣୁଆନନ୍ଦ ଅଟେ ।
୩. ମାୟା ତତ୍ତ୍ୱ, ଯାହା ଦ୍ୱାରା ଏହି ସଂସାର ଗଠିତ, ସତ୍ ବା ନିତ୍ୟ ଅଟେ । କିନ୍ତୁ ଆମ ଚତୁପାଶ୍ୱର୍ରେ ଆମେ ଯେଉଁ ସବୁ ପଦାର୍ଥ ଦେଖିବାକୁ ପାଇଥାଏ ତାହା ଦିନେ ସୃଷ୍ଟି ହୋଇଥିବ ଏବଂ ସମୟ କ୍ରମେ ଲୋପ ମଧ୍ୟ ହୋଇଯିବ । ସେଥିପାଇଁ ସେ ସବୁକୁ ଅସତ୍ ବା କ୍ଷଣସ୍ଥାୟୀ କୁହାଯାଏ । ସଂସାର ଅସତ୍ ହୋଇଥିବା ସ୍ଥଳେ ମାୟା ତତ୍ତ୍ୱଟି ସତ୍ ଅଟେ ।
ସଂସାର ଅସତ୍ ଅଟେ, ତା’ର ଅର୍ଥ ନୁହେଁ ଯେ ଏହା ମିଥ୍ୟା ଅଟେ । ଅସତ୍ (କ୍ଷଣସ୍ଥାୟୀ)ର ଅର୍ଥ ମିଥ୍ୟା ବା “ଅସ୍ଥିତ୍ୱହୀନ” ନୁହେଁ । କେତେକ ଦାର୍ଶନିକଙ୍କ ମତରେ ସଂସାର ମିଥ୍ୟା ବା ଅସ୍ଥିତ୍ୱହୀନ ଅଟେ । ସେମାନେ ଦାବି କରନ୍ତି ଯେ ଆମର ଅଜ୍ଞାନତା ଆମକୁ ସଂସାରର ବୋଧ କରାଉଛି । ଆମେ ଯେତେବେଳେ ବ୍ରହ୍ମଜ୍ଞାନ ଲାଭ କରିବା (ପରମାତ୍ମାଙ୍କ ବିଷୟରେ ଜ୍ଞାନ), ସେତେବେଳେ ସଂସାରର ସ୍ଥିତି ରହିବ ନାହିଁ । କିନ୍ତୁ ଏହା ଯଦି ସତ୍ୟ ହୋଇଥାନ୍ତା, ତେବେ ଭଗବତ୍ ପ୍ରାପ୍ତ ମହାପୁରୁଷମାନଙ୍କ ପାଇଁ ଏ ସଂସାର ରହନ୍ତା ନାହିଁ । ଯେହେତୁ ସେମାନଙ୍କର ଅଜ୍ଞନତା ଦୂର ହୋଇଯାଇଛି, ସେମାନଙ୍କ ପାଇଁ ସଂସାରର ସ୍ଥିତି ରହନ୍ତା ନାହିଁ । ତାହାହେଲେ ବ୍ରହ୍ମଜ୍ଞାନ ପ୍ରାପ୍ତ ହେଲା ପରେ ମୁନିଋଷିମାନେ ପୁସ୍ତକ ରଚନା କିପରି କରନ୍ତି? କାଗଜ କଲମ କେଉଁଠୁ ଆସେ? ବ୍ରହ୍ମଜ୍ଞାନୀମାନେ ମଧ୍ୟ ସଂସାରର ବସ୍ତୁ ବ୍ୟବହାର କରନ୍ତି, ଏହା ପ୍ରମାଣ କରେ ଯେ ତାଙ୍କ ପାଇଁ ମଧ୍ୟ ସଂସାରର ଅସ୍ଥିତ୍ୱ ଅଛି । ତା’ଛଡ଼ା ବ୍ରହ୍ମଜ୍ଞାନୀମାନେ ମଧ୍ୟ ତାଙ୍କ ଶରୀର ପାଇଁ ଖାଦ୍ୟ ଆବଶ୍ୟକ କରନ୍ତି । ବେଦଶାସ୍ତ୍ର କହେ: ପଶ୍ୱାଦିଭିଶ୍ଚାବିଶେଷତ୍ “ଭଗବତ୍ ପ୍ରାପ୍ତ ମହାପୁରୁଷମାନେ ମଧ୍ୟ, ସମସ୍ତ ପ୍ରାଣୀଙ୍କ ପରି, କ୍ଷୁଧା ଅନୁଭବ କରନ୍ତି ଏବଂ ଖାଦ୍ୟ ଆବଶ୍ୟକ କରନ୍ତି ।” ତାଙ୍କ ପାଇଁ ଯଦି ସଂସାର ନ ଥାନ୍ତା, ତାହାହେଲେ ସେମାନେ କିପରି ଓ କାହିଁକି ଖାଆନ୍ତେ?
ପୁନଶ୍ଚ, ତୈତ୍ତିରୀୟ ଉପନିଷଦ ଆମକୁ ବାରମ୍ବାର କହିଥାଏ ଯେ ଭଗବାନ ସଂସାରରେ ସର୍ବତ୍ର ବ୍ୟାପ୍ତ ରହିଛନ୍ତି:
ସୋଽକାମୟତ ବହୁ ସ୍ୟାଂ ପ୍ରଜାୟେୟେତି ସ ତପୋଽତପ୍ୟତ ସ ତପସ୍ତପ୍ତ୍ୱା ଇଦଂ ସର୍ବମସୃଜତ ଯଦିଦଂ କିଂ ଚ ତତ୍ ସୃଷ୍ଟ୍ା ତଦେବାନୁପ୍ରାବିଶତ୍ ତଦନୁପ୍ରବିଶ୍ୟ ସଚ୍ଚ ତ୍ୟଚ୍ଚାଭବତ୍ ନିରୁକ୍ତଂ ଚାନିରୁକ୍ତଂ ଚ ନିଲୟନଂ ଚାନିଲୟନଂ ଚ ବିଜ୍ଞାନଂ ଚାବିଜ୍ଞାନଂ ଚ ସତ୍ୟଂ ଚାନୃତମ୍ ଚ ସତ୍ୟମଭବତ୍ ଯଦିଦଂ କିଂ ଚ ତତ୍ସତ୍ୟମିତ୍ୟାଚକ୍ଷତେ ତଦପ୍ୟେଷ ଶ୍ଲୋକୋ ଭବତି (୨.୬.୪)
ଏହି ବେଦ ମନ୍ତ୍ର କହୁଛି, ଭଗବାନ କେବଳ ସଂସାର ସୃଷ୍ଟି କରିନାହାନ୍ତି, ସେ ଏହାର ସମସ୍ତୁ ଅଣୁରେ ମଧ୍ୟ ପ୍ରବିଷ୍ଟ ହୋଇଛନ୍ତି । ଯଦି ଭଗବାନ ସଂସାରରେ ସର୍ବବ୍ୟାପ୍ତ ଅଟନ୍ତି ତାହେଲେ ସଂସାର ସ୍ଥିତିହୀନ କିପରି ହେବ? ତେଣୁ ସଂସାରକୁ ମିଥ୍ୟା କହିବା ଅର୍ଥ ଭଗବାନଙ୍କର ସର୍ବବ୍ୟାପକତାକୁ ଅସ୍ୱୀକାର କରିବା । ଏହି ଶ୍ଲୋକରେ ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ ସଂସାରର ଅସ୍ତିତ୍ୱ ଅଛି କିନ୍ତୁ ଏହା କ୍ଷଣସ୍ଥାୟୀ, ତେଣୁ ସେ ଏହାକୁ ଅସତ୍ ବା ଅସ୍ଥାୟୀ କହୁଛନ୍ତି । ସେ ଏହାକୁ ମିଥ୍ୟା ବା ଅସ୍ତିତ୍ୱହୀନ କହୁନାହାଁନ୍ତି ।
ନାସତୋ ବିଦ୍ୟତେ ଭାବୋ ନାଭାବୋ ବିଦ୍ୟତେ ସତଃ ।
ଉଭୟୋରପି ଦୃଷ୍ଟୋଽନ୍ତସ୍ତ୍ୱନୟୋସ୍ତତ୍ତ୍ୱ ଦର୍ଶିଭିଃ ।।୧୬।।
ଅସତ୍ର ସ୍ଥାୟୀତ୍ୱ ନାହିଁ ଏବଂ ସତ୍ର ଅନ୍ତ ନାହିଁ । ଉଭୟର ସ୍ୱରୂପ ଅଧ୍ୟୟନ କରି ତତ୍ତ୍ୱଦର୍ଶୀମାନେ ଏହା ନିର୍ଣ୍ଣୟ କରିଥାଆନ୍ତି ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ