ଅଧ୍ୟାୟ 3: କର୍ମ ଯୋଗ

କର୍ମ ଯୋଗ

ଏହି  ଅଧ୍ୟାୟରେ ଶ୍ରୀକୃଷ୍ଣ ବର୍ଣ୍ଣନା କରିଛନ୍ତି ଯେ- ପ୍ରତ୍ୟେକ ଜୀବ ନିଜର ଅର୍ନ୍ତନିହିତ ଗୁଣ ଅନୁଯାୟୀ ପ୍ରତିକ୍ଷଣ କର୍ମ କରିବାକୁ ବାଧ୍ୟ ହୋଇଥାଆନ୍ତି ଏବଂ କେହି ମଧ୍ୟ ବିନା କର୍ମରେ ଗୋଟିଏ ବି ମୁହୁର୍ତ୍ତ ରହି ପାରିବେ ନାହିଁ । ଯେଉଁ ମାନେ ବାହ୍ୟ ରୂପରେ ତ୍ୟାଗ ପ୍ରଦର୍ଶନ କରି ଗେରୁଆ ବସ୍ତ୍ର  ଧାରଣ କରନ୍ତି, କିନ୍ତୁ ଅନ୍ତରରେ କାମନା ଯୁକ୍ତ ଥାଆନ୍ତି, ସେମାନେ ପ୍ରତାରକ ଅଟନ୍ତି । ତାଙ୍କଠାରୁ ଶ୍ରେୟ ସେମାନେ ଅଟନ୍ତି,  ଯିଏ କର୍ମଯୋଗ ପାଳନ ପୂର୍ବକ, ସମସ୍ତ ବାହ୍ୟ କର୍ମ ନିର୍ବାହ କରି, ଆନ୍ତରିକ ଭାବେ କାମନା ପରିତ୍ୟାଗ କରନ୍ତି । ଶ୍ରୀକୃଷ୍ଣ ପୁଣି ଗୁରୁତ୍ୱ ଦେଉଛନ୍ତି ଯେ, ଭଗବାନଙ୍କ ସୃଷ୍ଟିର ଏକ ଅବିଚ୍ଛେଦ୍ୟ ଅଂଶ ରୂପେ, ସମସ୍ତ ପ୍ରାଣୀଙ୍କର ଏକ କର୍ତ୍ତବ୍ୟ ପୂରଣ କରିବାର ଦାୟୀତ୍ୱ ରହିଅଛି ।  ଆମେ ଯେତେବେଳେ  ନିଜର କର୍ତ୍ତବ୍ୟକୁୁ ଭଗବାନଙ୍କର ଅନୁଗ୍ରହ ଭାବେ ପାଳନ କରୁ, ତାହାହିଁ “ଯଜ୍ଞ” ରେ ପରିଣତ ହୁଏ । ଯଜ୍ଞ ସ୍ୱର୍ଗର ଦେବତା ମାନଙ୍କୁ ସନ୍ତୁଷ୍ଟ କରିଥାଏ ଏବଂ ଦେବତାମାନେ ଆମକୁ ସଂସାରକିି ବୈଭବ ପ୍ରଦାନ କରିଥାଆନ୍ତି । ଯଜ୍ଞ ଦ୍ୱାରା ବୃଷ୍ଟି  ହୁଏ ଏବଂ ବୃଷ୍ଟି ଶସ୍ୟ ଉତ୍ପାଦନ କରାଏ,  ଯାହା ଜୀବନ ଧାରଣ ପାଇଁ  ଆବଶ୍ୟକ ଅଟେ । ଯେଉଁମାନେ ଏହି ସୃଷ୍ଟିଚକ୍ରରେ ନିଜର ଦାୟୀତ୍ୱ ଗ୍ରହଣ କରନ୍ତି ନାହିଁ, ସେମାନେ ପାପିି ଅଟନ୍ତି ।  ସେମାନେ କେବଳ ନିଜର ଇନ୍ଦ୍ରିୟ ମାନଙ୍କର ସୁଖ ପାଇଁ ଜୀବନ ଧାରଣ କରିଥାଆନ୍ତି ଏବଂ ସେମାନଙ୍କର ଜନ୍ମ ବ୍ୟର୍ଥ ଅଟେ ।

ପୁନଶ୍ଚ ଶ୍ରୀକୃଷ୍ଣ କହୁଛନ୍ତି ଯେ, ସାଧାରଣ ଜୀବପରି ତତ୍ତ୍ୱଦର୍ଶୀମାନେ, ଯେଉଁମାନେ କି ଆତ୍ମାରେ ସ୍ଥିତ ରହିଥାଆନ୍ତି, ଶାରୀରିକ କର୍ତ୍ତବ୍ୟ ସମ୍ପାଦନ କରିବାକୁ ବାଧ୍ୟ ନୁହଁନ୍ତି, କାରଣ ଆତ୍ମିକ ସ୍ତରରେ ସେମାନେ ଉଚ୍ଚତର କର୍ତ୍ତବ୍ୟ ନିର୍ବାହ କରୁଥାଆନ୍ତି । ତଥାପି, ସେମାନଙ୍କର ସେହି ବାହ୍ୟ କର୍ମ ତ୍ୟାଗ, ସେମାନଙ୍କର ପଦାଙ୍କ ଅନୁସରଣ କରୁଥିବା ସାଧାରଣ ମନୁଷ୍ୟଙ୍କ ମନରେ ଦ୍ୱନ୍ଦ ଉତ୍ପନ୍ନ କରିଥାଏ । ସେଥିପାଇଁ ସଂସାର ସମ୍ମୁଖରେ ଆଦର୍ଶ ସ୍ଥାପନ କରିବା ଉଦ୍ଦେଶ୍ୟରେ ସେମାନେ କର୍ମ କରିଥାଆନ୍ତି, ଯଦିଓ ସେଥିରେ ତାଙ୍କର କୌଣସି ସ୍ୱାର୍ଥ ନିହିତ ନ ଥାଏ । ଏହା ଅଳ୍ପଜ୍ଞ ବ୍ୟକ୍ତିମାନଙ୍କୁୁ ସମୟ ପୂର୍ବରୁ ସେମାନଙ୍କର ବିହିତ କର୍ମ ତ୍ୟାଗ କରିବାରୁ ନିବୃତ୍ତ କରିଥାଏ । ଅତୀତରେ ସେହି ଉଦ୍ଦେଶ୍ୟରେ ଜନକ  ଆଦି ତତ୍ତ୍ୱଦର୍ଶୀ ରାଜାମାନେ ସେମାନଙ୍କର କର୍ତ୍ତବ୍ୟ ନିର୍ବାହ  କରୁଥିଲେ । 

ଏହା ପରେ ଅର୍ଜୁନ  ପଚାରୁଛନ୍ତି, ମନୁଷ୍ୟ ନିଜର ଅନିଚ୍ଛାସତ୍ୱେ, ବାଧ୍ୟ ହେଲାଭଳି, ପାପ କର୍ମ କାହିଁକି କରେ? ଉତ୍ତର ଦେବାକୁ ଯାଇ ପରମ ପୁରୁଷ ଭଗବାନ କହୁଛନ୍ତି ଯେ ସଂସାରର ସର୍ବଗ୍ରାସୀ ପାପମୟ ଶତ୍ରୁ କେବଳ କାମନା ହିଁ ଅଟେ । ଧୂଆଁ  ଅଗ୍ନିକୁୁ ଏବଂ ଧୂଳି ଦର୍ପଣକୁ ଆବୃତ୍ତ କରି ଅସ୍ପଷ୍ଟ କରିଦେବା ପରି, କାମନା ବ୍ୟକ୍ତିର ଜ୍ଞାନକୁ ଆବୃତ୍ତକରି ବୁଦ୍ଧିକୁ ବାଟବଣା କରିଦିଏ ।  ଶେଷରେ ଶ୍ରୀକୃଷ୍ଣ ଉଦ୍‌ଘୋଷଣା କରି ଅର୍ଜୁନଙ୍କୁ କହୁଛନ୍ତି - ପାପର ମୁର୍ତ୍ତି ମାନ ସ୍ୱରୂପ, କାମନା ନାମକ ଏହି ଶତ୍ରୁର ବିନାଶ କରି, ଇନ୍ଦ୍ରିୟ ମନ ଓ ବୁଦ୍ଧିକୁୁ ନିଜର ବଶୀଭୂତ କର ।

ଭଗବଦ୍ ଗୀତା 3.1 - 3.2 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅର୍ଜୁନ କହିଲେ, ହେ ଜନାର୍ଦ୍ଦନ! ଆପଣ ଯଦି ଜ୍ଞାନକୁ କର୍ମ ଠାରୁ ଶ୍ରେଷ୍ଠ ବୋଲି କହୁଛନ୍ତି, ତାହେଲେ ମୋତେ ଯୁଦ୍ଧ କରିବାକୁ କାହିଁକି କହୁଛନ୍ତି ? ଆପଣଙ୍କର ଅସ୍ପଷ୍ଟ ଉପଦେଶ ଦ୍ୱାରା ମୋର ବୁଦ୍ଧି ଭ୍ରମିତ ହୋଇ ଯାଉଅଛି । ଦୟା କରି ନିର୍ଦ୍ଧିଷ୍ଟ ଭାବେ ଗୋଟିଏ ମାର୍ଗ କଥା କୁହନ୍ତୁ ଯାହା ଦ୍ୱାରା ମୁଁ ଉଚ୍ଚତମ ଲାଭ ପ୍ରାପ୍ତ କରିପାରିବି ।

ଭଗବଦ୍ ଗୀତା 3.3 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଶ୍ରୀ ଭଗବାନ କହିଲେ: ହେ ନିଷ୍ପାପ ଅର୍ଜୁନ, ଦିବ୍ୟଜ୍ଞାନ ପ୍ରାପ୍ତିର ଦୁଇଟି ମାର୍ଗ ମୁଁ ପୂର୍ବରୁ ବର୍ଣ୍ଣନା କରିଛି : ଚିନ୍ତାଶୀଳ ବ୍ୟକ୍ତି ମାନଙ୍କ ପାଇଁ ଜ୍ଞାନ ମାର୍ଗ ଏବଂ କର୍ମପ୍ରିୟ ବ୍ୟକ୍ତି ମାନଙ୍କ ପାଇଁ କର୍ମମାର୍ଗ ।

ଭଗବଦ୍ ଗୀତା 3.4 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଜଣେ କେବଳ କର୍ମତ୍ୟାଗ ଦ୍ୱାରା କର୍ମର ପ୍ରତିକ୍ରିୟାରୁ ମୁକ୍ତି ଲାଭ କରିପାରନ୍ତି ନାହିଁ ଅଥବା କେବଳ ସଂସାର ତ୍ୟାଗ ଦ୍ୱାରା ଜଣେ ଦିବ୍ୟଜ୍ଞାନ ପ୍ରାପ୍ତ କରିପାରିବେ ନାହିଁ ।

ଭଗବଦ୍ ଗୀତା 3.5 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

କର୍ମ ନ କରି କୈଣସି ବ୍ୟକ୍ତି ଗୋଟିଏ କ୍ଷଣ ବି ରହି ପାରିବ ନାହିଁ । ବାସ୍ତବରେ, ସମସ୍ତ ପ୍ରାଣୀ ତାଙ୍କର ଜନ୍ମଗତ ଗୁଣ ଅନୁସାରେ (ତିନି ଗୁଣ) କର୍ମ କିରବାକୁ ବାଧ୍ୟ ଅଟନ୍ତି ।

ଭଗବଦ୍ ଗୀତା 3.6 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁ ବ୍ୟକ୍ତି କର୍ମେନ୍ଦ୍ରିୟ ମାନଙ୍କୁ ଦମନ କରିଥାନ୍ତି, କିନ୍ତୁ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ଗୁଡିକ ପ୍ରତି ଲାଳସା ରଖିଥାନ୍ତି, ସେମାନେ ନିଜକୁ ପ୍ରତାରଣା କରିଥାଆନ୍ତି ଏବଂ ସେମାନଙ୍କୁ ଶଠ ବ୍ୟକ୍ତି କୁହାଯିବ ।

ଭଗବଦ୍ ଗୀତା 3.7 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅର୍ଜୁନ! ଯେଉଁ କର୍ମଯୋଗୀଗଣ ମନ ଦ୍ୱାରା ନିଜର ଜ୍ଞାନେନ୍ଦ୍ରିୟମାନଙ୍କୁ ନିୟନ୍ତ୍ରିତ କରି, କର୍ମେନ୍ଦ୍ରିୟ ଦ୍ୱାରା ଆସକ୍ତି ରହିତ କର୍ମ କରନ୍ତି, ସେମାନେ ନିଶ୍ଚିିତ ରୂପେ ଉଚ୍ଚଶ୍ରେଣୀର ଅଟନ୍ତି ।

ଭଗବଦ୍ ଗୀତା 3.8 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଏହିପରି ଭାବରେ ତୁମେ ନିଜର ବେଦ ବିହିତ କର୍ମ କରିବା ଉଚିତ୍‌, ଯେହେତୁ କର୍ମ ଅକର୍ମଣ୍ୟତା ଠାରୁ ଶ୍ରେଷ୍ଠ ଅଟେ । କର୍ମତ୍ୟାଗ କରିବା ଦ୍ୱାରା ତୁମର ଶରୀର ପୋଷଣ ମଧ୍ୟ ଅସମ୍ଭବ ହୋଇପଡିବ ।

ଭଗବଦ୍ ଗୀତା 3.9 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସମସ୍ତ କର୍ମ ଭଗବାନଙ୍କ ଉଦ୍ଦେଶ୍ୟରେ ଯଜ୍ଞ (ସମର୍ପଣ) ଭାବରେ କରାଯିବା ଉଚିିତ୍‌, ନଚେତ ତାହା ମାୟିକ ବନ୍ଧନ ସୃଷ୍ଟି କରିଥାଏ । ତେଣୁ ହେ କୁନ୍ତି ପୁତ୍ର! ତୁମେ ଫଳାସକ୍ତି ରହିତ ହୋଇ ଭଗବାନଙ୍କର ସୁଖ ଉଦ୍ଦେଶ୍ୟରେ ନିଜର ନିର୍ଦ୍ଧାରିତ କର୍ମ କର ।

ଭଗବଦ୍ ଗୀତା 3.10 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ବ୍ରହ୍ମା ସୃଷ୍ଟିର ପ୍ରାରମ୍ଭରେ ପ୍ରାଣୀ ମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ସହିତ ସୃଷ୍ଟି କଲେ ଏବଂ କହିଲେ “ଏହି ଯଜ୍ଞ ଗୁଡିକର ଅନୁଷ୍ଠାନ କରି ସମୃଦ୍ଧି ଲାଭ କର । ତୁମେ ଯାହା କିଛି ପାଇବାକୁ ଇଚ୍ଛା କରୁଛ, ସେମାନେ ତୁମକୁ ତାହା ପ୍ରଦାନ କରିବେ ।”

ଭଗବଦ୍ ଗୀତା 3.11 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ତୁମ୍ଭମାନଙ୍କର ଯଜ୍ଞଦିକ କର୍ମଦ୍ୱାରା ସ୍ୱର୍ଗର ଦେବତା ମାନେ ତୃପ୍ତ ହେବେ, ଏବଂ ଦେବତା ଓ ମନୁଷ୍ୟମାନଙ୍କର ପରସ୍ପର ସହଯୋଗରେ ସର୍ବତ୍ର ସମସ୍ତଙ୍କ ପାଇଁ ସମୃଦ୍ଧି ବିରାଜମାନ କରିବ ।

ଭଗବଦ୍ ଗୀତା 3.12 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯଜ୍ଞ ଆଦିି କରିବା ଦ୍ୱାରା ଦେବତା ମାନେ ଖୁସି ହୋଇ, ତୁମ ଜୀବନର ସମସ୍ତ ଆବଶ୍ୟକତା ପୂରଣ କରନ୍ତି କିନ୍ତୁ ଏହି ଅବଦାନକୁ, ଦେବତାମାନଙ୍କୁ ଅର୍ପଣ ନ କରି ଯେଉଁ ମାନେ ନିଜେ ହିଁ ଉପଭୋଗ କରନ୍ତି, ସେମାନେ ଚୋର ଅଟନ୍ତି ।

ଭଗବଦ୍ ଗୀତା 3.13 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁ ଧର୍ମ ପରାୟଣ ବ୍ୟକ୍ତି, ଭୋଜନକୁ ଭଗବାନଙ୍କୁ ଅର୍ପଣ କରି ପ୍ରସାଦ ରୂପରେ ଗ୍ରହଣ କରନ୍ତି, ସେ ସମସ୍ତ ପାପରୁ ମୁକ୍ତ ହୋଇ ଯାଆନ୍ତି । ଅନ୍ୟ ଯେଉଁ ମାନେ କେବଳ ନିଜର ଉପଭୋଗ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି, ସେମାନେ କେବଳ ପାପ ହିଁ ଆହରଣ କରନ୍ତି ।

ଭଗବଦ୍ ଗୀତା 3.14 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସମସ୍ତ ପ୍ରାଣୀ ଜୀବନ ଧାରଣ ପାଇଁ ଖାଦ୍ୟ ଉପରେ ନିର୍ଭର କରନ୍ତି ଏବଂ ବର୍ଷାଦ୍ୱାରା ଖାଦ୍ୟ ଉତ୍ପନ୍ନ ହୁଏ । ଯଜ୍ଞ ଅନୁଷ୍ଠାନ ଦ୍ୱାରା ବୃଷ୍ଟିପାତ ହୁଏ ଏବଂ ଅନୁମୋଦିତ କର୍ତ୍ତବ୍ୟ ପାଳନ ଦ୍ୱାରା ଯଜ୍ଞ ସମ୍ପାଦିତ ହୋଇଥାଏ ।

ଭଗବଦ୍ ଗୀତା 3.15 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମନୁଷ୍ୟମାନଙ୍କର କର୍ତ୍ତବ୍ୟ ବେଦରେ ବର୍ଣ୍ଣନା କରାଯାଇଅଛି ଏବଂ ବେଦ ସ୍ୱୟଂ ଭଗବାନଙ୍କ ଦ୍ୱାରା ପ୍ରକଟିତ । ସେଥିପାଇଁ ଯଜ୍ଞାଦିକ କାର୍ଯ୍ୟରେ, ସର୍ବବ୍ୟାପୀ ପରମାତ୍ମା ସର୍ବଦା ଉପସ୍ଥିତ ରହନ୍ତି ।

ଭଗବଦ୍ ଗୀତା 3.16 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ପାର୍ଥ, ଯେଉଁ ମାନେ ବେଦ ପ୍ରଣୀତ ଯଜ୍ଞ ଚକ୍ରରେ ନିଜର ଦାୟୀତ୍ୱ ବହନ କରନ୍ତି ନାହିଁ, ସେମାନେ ପାପ ଅର୍ଜନ କରନ୍ତି । ସେମାନେ ନିଜର ଇନ୍ଦ୍ରିୟ ସୁଖ ପାଇଁ ଜୀବନ ଧାରଣ କରିଥାନ୍ତି ଏବଂ ବାସ୍ତବରେ ସେମାନଙ୍କର ଜୀବନ ନିରର୍ଥକ ଅଟେ ।

ଭଗବଦ୍ ଗୀତା 3.17 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

କିନ୍ତୁ ଯେଉଁମାନେ ଆତ୍ମାନନ୍ଦରେ ବିଭୋର ରହି ଥାଆନ୍ତି, ଜ୍ଞାନୋଦୟ ହେବା ଦ୍ୱାରା ଯେଉଁମାନେ ଆତ୍ମାରେ ପୂର୍ଣ୍ଣ ସନ୍ତୁଷ୍ଟ ରହନ୍ତି, ସେମାନଙ୍କ ପାଇଁ କୌଣସି କର୍ମ ନାହିଁ ।

ଭଗବଦ୍ ଗୀତା 3.18 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଏହିପରି ଆତ୍ମଜ୍ଞାନ ଲାଭ କରିଥିବା ଜୀବମାନଙ୍କର କର୍ତ୍ତବ୍ୟ ପାଳନ କରିବା ଅଥବା କର୍ତ୍ତବ୍ୟ ତ୍ୟାଗ କରିବାରେ କୌଣସି ଲାଭ ବା କ୍ଷତି ହୁଏ ନାହିଁ । ସେମାନେ ନିଜର ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଅନ୍ୟ କୌଣସି ଜୀବ ଉପରେ ନିର୍ଭର କରନ୍ତି ନାହିଁ ।

ଭଗବଦ୍ ଗୀତା 3.19 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ତେଣୁ ଆସକ୍ତି ତ୍ୟାଗ କରି, ସମସ୍ତ କର୍ମ କର୍ତ୍ତବ୍ୟ ଭାବରେ କର କାରଣ କର୍ମଫଳ ପ୍ରତି ଆସକ୍ତି ନରଖି କାର୍ଯ୍ୟ କରିବା ଦ୍ୱାରା ବ୍ୟକ୍ତି ପରମଗତି ପ୍ରାପ୍ତ କରିଥାଏ ।

ଭଗବଦ୍ ଗୀତା 3.20 - 3.21 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ରାଜା ଜନକ ଏବଂ ଅନ୍ୟମାନେ, ସେମାନଙ୍କର ନିର୍ଦ୍ଧାରିତ କର୍ତ୍ତବ୍ୟ କରି, ପରିପୂର୍ଣ୍ଣତାକୁ ପ୍ରାପ୍ତ କରିଥିଲେ । ତୁମେ ମଧ୍ୟ ତୁମର କର୍ତ୍ତବ୍ୟ ପାଳନ କରି, ସଂସାରର ହିତପାଇଁ ଉଦାହରଣ ସ୍ଥାପନ କରିବା ଉଚିତ୍ । ମହାପୁରୁଷ ମାନେ ଯାହା ବି କର୍ମ କରନ୍ତି, ସାଧାରଣ ଲୋକ ତାହାର ଅନୁସରଣ କରନ୍ତି । ସେମାନେ ଯେଉଁ ଆଦର୍ଶ ପ୍ରତିଷ୍ଠା କରନ୍ତି, ସାରା ସଂସାର ତାହାର ଅନୁସରଣ କରିଥାଏ ।

ଭଗବଦ୍ ଗୀତା 3.22 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ପାର୍ଥ! ଏହି ତିନି ଲୋକରେ ମୋ ପାଇଁ କୌଣସି କର୍ତ୍ତବ୍ୟ ନାହିଁ, କିମ୍ବା ମୋର କିଛି ପାଇବାର ବା ହାସଲ କରିବାର ନାହିଁ । ତଥାପି ମୁଁ ମୋର ନିର୍ଦ୍ଧାରିତ କର୍ମରେ ନିୟୋଜିତ ରହିଛି ।

ଭଗବଦ୍ ଗୀତା 3.23 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ପାର୍ଥ! ମୁଁ ଯଦି ମୋର ବିିହିତ କର୍ମ ନ କରେ, ତେବେ ମନୁଷ୍ୟ ସର୍ବତୋ ଭାବରେ ତାହାର ହିଁ ଅନୁସରଣ କରିବ ।

ଭଗବଦ୍ ଗୀତା 3.24 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୁଁ ଯଦି ଉଚିତ କର୍ମ ନ କରେ, ତେବେ ସମ୍ପୂର୍ଣ୍ଣ ଜଗତ ଧଂସ ହୋଇଯିବ । ତଦ୍ୱାରା ଯେଉଁ ବିଶୃଙ୍ଖଳା ଉତ୍ପନ୍ନ ହେବ, ତା ପାଇଁ ମୁଁ ଦାୟୀ ରହିବି ଏବଂ ଏହା ସମଗ୍ର ମନୁଷ୍ୟ ଜାତିର ଶାନ୍ତ ଭଙ୍ଗ କରିଦେବ ।

ଭଗବଦ୍ ଗୀତା 3.25 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଭାରତ ଶ୍ରେଷ୍ଠ, ଅଜ୍ଞ ବ୍ୟକ୍ତିମାନେ ଯେପରି ଫଳ ପ୍ରାପ୍ତିର ଆଶା ରଖି ସକାମ କର୍ମ କରନ୍ତି, ସେହିପରି ଜ୍ଞାନୀମାନେ ଅନାସକ୍ତ ଭାବରେ ଲୋକମାନଙ୍କର ଉଚିତ୍ ମାର୍ଗଦର୍ଶନ କରିବା ପାଇଁ କର୍ମ କରିବା ଉଚିତ୍ ।

ଭଗବଦ୍ ଗୀତା 3.26 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଜ୍ଞାନୀମାନେ ସକାମ କର୍ମଯୁକ୍ତ ଅଳ୍ପଜ୍ଞ ବ୍ୟକ୍ତିମାନଙ୍କର ବୁଦ୍ଧିକୁ ସଂଶୟଯୁକ୍ତ କରି ସେମାନଙ୍କୁ କର୍ତ୍ତବ୍ୟରୁ ନିବୃତ୍ତ କରିବା ଉଚିତ୍ ନୁହେଁ । ତତ୍ ପରିବର୍ତ୍ତେ ସେମାନେ ଆଦର୍ଶ ଭାବରେ ନିଜର କର୍ତ୍ତବ୍ୟ ପାଳନ କରି ଅଜ୍ଞବ୍ୟକ୍ତି ମାନଙ୍କୁ ସେହି ଦିଗରେ ପ୍ରୋତ୍ସାହିତ କରିବା ଉଚିତ୍ ।

ଭଗବଦ୍ ଗୀତା 3.27 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମାୟାର ତିନି ଗୁଣ ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥାଏ, କିନ୍ତୁ ଅଜ୍ଞାନବଶତଃ, ଆତ୍ମା, ଭ୍ରମରେ ଶରୀର ସହିତ ତାଦାତ୍ମ୍ୟ କରି, ନିଜକୁ କର୍ତ୍ତା ମନେ କରିଥାଏ ।

ଭଗବଦ୍ ଗୀତା 3.28 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ମହାବାହୁ ଅର୍ଜୁନ! ତତ୍ତ୍ୱଦର୍ଶୀ ପୁରୁଷ ଆତ୍ମାକୁ ଗୁଣ ଓ କର୍ମ ଠାରୁ ପୃଥକ୍ ଭାବରେ ଦର୍ଶନ କରିଥାଆନ୍ତି । ସେମାନେ ଜାଣିଥାଆନ୍ତି ଯେ ଏହା କେବଳ ଗୁଣ (ଇନ୍ଦ୍ରିୟ-ମନ ଆଦି ରୂପରେ)ଅଟେ, ଯାହା ଗୁଣ ମାନଙ୍କ (ବିଷୟ ରୂପରେ) ମଧ୍ୟରେ ଘୂରି ବୁଲୁଥାଏ, ତେଣୁ ସେମାନେ ସେଥିରେ ବାନ୍ଧି ହୁଅନ୍ତି ନାହିଁ ।

ଭଗବଦ୍ ଗୀତା 3.29 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ତ୍ରିଗୁଣର କ୍ରିୟାକଳାପରେ ମୋହିତ ହୋଇ ଯାଆନ୍ତି, ସେମାନେ ତାଙ୍କର କର୍ମଫଳରେ ଆସକ୍ତ ହୋଇଯାଆନ୍ତି । କିନ୍ତୁ ଯେଉଁ ତତ୍ତ୍ୱଦର୍ଶୀମାନେ ଏହି ସତ୍ୟକୁ ଜାଣନ୍ତି, ସେମାନେ ସ୍ୱଳ୍ପ ଜ୍ଞାନଯୁକ୍ତ ଏହି ଅଜ୍ଞାନୀ ମାନଙ୍କୁ ବିଚଳିତ କରିବା ଉଚିତ ନୁହେଁ ।

ଭଗବଦ୍ ଗୀତା 3.30 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସମସ୍ତ କର୍ମକୁ ମୋତେ ଅର୍ପଣ କରି, ପରମାତ୍ମା ରୂପରେ ନିରନ୍ତର ମୋର ଧ୍ୟାନ କର । ସମସ୍ତ ପ୍ରକାରର କାମନା ଓ ମମତାରୁ ମୁକ୍ତ ରହି ଶୋକରହିତ ଭାବରେ ଯୁଦ୍ଧ କର ।

ଭଗବଦ୍ ଗୀତା 3.31 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ମୋର ଏହି ଉପଦେଶକୁ ଗଭୀର ବିଶ୍ୱାସର ସହିତ ତଥା ବାଦ-ବିବାଦ ନ କରି ପାଳନ କରି ଥାଆନ୍ତି, ସେମାନେ କର୍ମ ବନ୍ଧନରୁ ମୁକ୍ତ ହୋଇ ଯାଆନ୍ତି ।

ଭଗବଦ୍ ଗୀତା 3.32 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ଜ୍ଞାନହୀନ ଏବଂ ବିଚାର ଶକ୍ତି ବିହୀନ ହୋଇଥିବା କାରଣରୁ ମୋର ଉପଦେଶରେ ତ୍ରୁଟି ଦର୍ଶନ କରିଥାଆନ୍ତି, ସେମାନେ ଏହି ସିଜ୍ଞାନ୍ତର ଅବମାନନା କରି, ନିଜର ଅଧଃପତନ କରିଥାଆନ୍ତି ।

ଭଗବଦ୍ ଗୀତା 3.33 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସମସ୍ତ ପ୍ରାଣୀ ନିଜର ସ୍ୱାଭାବିକ ପ୍ରକୃତି ଅନୁସାରେ ପରିଚାଳିତ ହୁଅନ୍ତି, ତେଣୁ ଜ୍ଞାନୀମାନେ ମଧ୍ୟ ସେମାନଙ୍କର ସ୍ୱଭାବ ଅନୁଯାୟୀ କାର୍ଯ୍ୟ କରିଥାଆନ୍ତି । ସେ କ୍ଷେତ୍ରରେ ଜଣେ ଇନ୍ଦ୍ରିୟ-ନିଗ୍ରହ ଦ୍ୱାରା କ’ଣ କରିପାରିବ?

ଭଗବଦ୍ ଗୀତା 3.34 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଇନ୍ଦ୍ରିୟମାନେ ସ୍ୱାଭାବିକ ଭାବରେ ଇନ୍ଦ୍ରିୟ ଭୋଗ୍ୟ ବିଷୟମାନଙ୍କ ପ୍ରତି ରାଗ ଓ ଦ୍ୱେଷ ଅନୁଭବ କରିଥାଆନ୍ତି । କିନ୍ତୁ ସେହି ରାଗ-ଦ୍ୱେଷରେ ବଶୀଭୂତ ହୁଅ ନାହିଁ, କାରଣ ସେଗୁଡିକ ପଥ ଭ୍ରଷ୍ଟକାରୀ ଓ ଶତ୍ରୁ ଅଟନ୍ତି ।

ଭଗବଦ୍ ଗୀତା 3.35 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅନ୍ୟ କାହା ପାଇଁ ଉଦ୍ଦିଷ୍ଟ ଦୋଷହୀନ କର୍ତ୍ତବ୍ୟ ଆଚରଣ କରିବା ଅପେକ୍ଷା, ଦୋଷଯୁକ୍ତ ହେଲେ ମଧ୍ୟ ନିଜ ପାଇଁ ନିର୍ଦ୍ଧାରିତ କର୍ମର ପାଳନ କରିବା ଶ୍ରେୟସ୍କର ଅଟେ । ବାସ୍ତବରେ ନିଜର କର୍ତ୍ତବ୍ୟ ପାଳନ କରି ମୃତ୍ୟୁବରଣ କରିବା ଭଲ, କିନ୍ତୁ ଅନ୍ୟ ପାଇଁ ଉଦ୍ଦିଷ୍ଟ ମାର୍ଗର ଅନୁସରଣ କରିବା ଅତ୍ୟନ୍ତ ଭୟାବହ ଅଟେ ।

ଭଗବଦ୍ ଗୀତା 3.36 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅର୍ଜୁନ କହିଲେ, ହେ ବୃଷ୍ଣି ବଂଶଜ (ଶ୍ରୀକୃଷ୍ଣ)! ମନୁଷ୍ୟ କାହିଁକି ନିଜର ଅନିଚ୍ଛା ସତ୍ୱେ, କେହି ବାଧ୍ୟ କଲା ପରି, ପାପ କର୍ମ କରିବାକୁ ପ୍ରେରିତ ହୋଇଥାଏ?

ଭଗବଦ୍ ଗୀତା 3.37 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଶ୍ରୀ ଭଗବାନ କହିଲେ: ଏହା କାମନା ହିଁ ଅଟେ, ଯାହାର ଉଦ୍ଭବ ରଜଗୁଣରୁ ହୋଇଥାଏ ଏବଂ ପରବର୍ତ୍ତୀ ସମୟରେ ଏହା କ୍ରୋଧର ରୂପ ନେଇଥାଏ । ଏହାକୁ ସଂସାରର ପାପମୟ ତଥା ସର୍ବଗ୍ରାସୀ ଶତ୍ରୁ ଭାବରେ ଜାଣ ।

ଭଗବଦ୍ ଗୀତା 3.38 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେପରି ଧୂମ ଦ୍ୱାରା ବହ୍ନି ଆବୃତ୍ତ ରହିଥାଏ, ଧୂଳିଦ୍ୱାରା ଦର୍ପଣ ଅସ୍ପଷ୍ଟ ହୋଇଥାଏ, ଜରାୟୁ ଦ୍ୱାରା ଭୃଣ ଲୁକ୍‌କାୟୀତ ରହିଥାଏ, ସେହି ପରି କାମନା ଦ୍ୱାରା ମନୁଷ୍ୟର ଜ୍ଞାନ ଆବୃତ ହୋଇଥାଏ ।

ଭଗବଦ୍ ଗୀତା 3.39 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ କୁନ୍ତିପୁତ୍ର, ଏହି ଅଗ୍ନି ପରି ପ୍ରଜ୍ୱଳିତ, ସର୍ବଦା ଅତୃପ୍ତ କାମନା ରୂପକ ଚିରନ୍ତନ ଶତ୍ରୁଦ୍ୱାରା ସୁକ୍ଷ୍ମ ବିଚାରବନ୍ତ ବ୍ୟକ୍ତିଙ୍କର ବୁଦ୍ଧି ମଧ୍ୟ ଆଚ୍ଛନ୍ନ ହୋଇଯାଏ ।

ଭଗବଦ୍ ଗୀତା 3.40 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଇନ୍ଦ୍ରିୟ, ମନ ଓ ବୁଦ୍ଧିକୁୁ କାମନାର ପ୍ରଜଜନ ଭୂମି ରୂପେ ଆଖ୍ୟାୟିତ କରାଯାଇ ଥାଏ । ସେମାନଙ୍କ ମାଧ୍ୟମରେ ସେ ଜ୍ଞାନକୁ ଆବୃତ କରି, ଶରୀରସ୍ଥ ଆତ୍ମାକୁ ଭ୍ରମିତ କରିଥାଏ ।

ଭଗବଦ୍ ଗୀତା 3.41 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ତେଣୁ ହେ ଭରତ ଶ୍ରେଷ୍ଠ ! ସର୍ବ ପ୍ରଥମେ ତୁମେ ଇନ୍ଦ୍ରିୟମାନଙ୍କୁ ନିଜର ନିୟନ୍ତ୍ରଣାଧୀନ କରି କାମନା ରୂପୀ ଶତ୍ରୁକୁ ନାଶ କର, କାରଣ ତାହା ପାପର ପ୍ରତୀକ ଅଟେ ଏବଂ ଜ୍ଞାନ ଓ ବୁଦ୍ଧିକୁ ନଷ୍ଟ କରିଦେଇଥାଏ ।

ଭଗବଦ୍ ଗୀତା 3.42 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସ୍ଥୁଳ ଶରୀର ଠାରୁ ଉର୍ଦ୍ଧ୍ୱରେ ଇନ୍ଦ୍ରିୟମାନଙ୍କର ସ୍ଥିତି । ଇନ୍ଦ୍ରିୟମାନଙ୍କର ଉର୍ଦ୍ଧ୍ୱରେ ମନର ସ୍ଥିତି । ମନ ଉର୍ଦ୍ଧ୍ୱରେ ବୁଦ୍ଧି ଏବଂ ବୁଦ୍ଧିଠାରୁ ମଧ୍ୟ ଉର୍ଦ୍ଧ୍ୱରେ ଆତ୍ମାର ସ୍ଥିତି ଅଟେ ।

ଭଗବଦ୍ ଗୀତା 3.43 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ବୀର ଅର୍ଜୁନ ! ଆତ୍ମାକୁ ମାୟିକ ବୁଦ୍ଧିଠାରୁ ଶ୍ରେଷ୍ଠ ଭାବେ ହୃଦୟଙ୍ଗମ କର । ନିଜକୁୁ (ଇନ୍ଦ୍ରିୟ-ମନ-ବୁଦ୍ଧିକୁ) ନିଜ ଦ୍ୱାରା (ଆତ୍ମାର ଉଚ୍ଚତର ଶକ୍ତି ଦ୍ୱାରା) ପ୍ରଶମିତ କର ଏବଂ କାମନା ରୂପକ ଏହି ଦୁର୍ଦ୍ଦଶ ଶତ୍ରୁକୁ ଦମନ କର ।
Swami Mukundananda
3. କର୍ମ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency