ଅଧ୍ୟାୟ 6: ଧ୍ୟାନ ଯୋଗ

ଧ୍ୟାନ ଯୋଗ

ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ପଂଚମ ଅଧ୍ୟାୟରେ କରିଥିବା କର୍ମଯୋଗ (ସାଂସାରିକ କର୍ମ କରିବା ସହିତ ଭଗବତ୍ ସାଧନା କରିବା) ଏବଂ କର୍ମସନ୍ୟାସ (ସାଂସାରିକ କର୍ମ ତ୍ୟାଗ କରି ଭଗବତ୍ ସାଧନା କରିବା)ର ତୁଳନାତ୍ମକ ବିଶ୍ଲେଷଣ ଜାରି ରଖିଛନ୍ତି ଏବଂ ପ୍ରଥମ ମାର୍ଗଟିକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଆମେ ଯେତେବେଳେ ଭକ୍ତି ଭାବନାରେ କୌଣସି କାର୍ଯ୍ୟ କରୁ, ତାହା ଆମର ମନକୁ ଶୁଦ୍ଧ କରିବା ସହିତ ଭଗବଦୀୟ ଅନୁଭୂତି ଗଭୀର କରିଥାଏ । ମନ ଯେତେବେଳେ ଶାନ୍ତ ଏବଂ ସ୍ଥିର ହୋଇଯାଏ, ସେତେବେଳେ ‘ଧ୍ୟାନ’ ଆଧ୍ୟାତ୍ମିକ ଉନ୍ନତିର ମୁଖ୍ୟ ସାଧନ ହୋଇଯାଏ । ଧ୍ୟାନ ଦ୍ୱାରା ଯୋଗୀମାନେ ମନକୁ ଜୟ କରିବାକୁ ଚେଷ୍ଟା କରିଥାନ୍ତି, କାରଣ ଅପ୍ରଶିକ୍ଷିତ ମନ ଆମର ସବୁଠାରୁ ବଡ଼ ଶତ୍ରୁ ଏବଂ ପ୍ରଶିକ୍ଷିତ ମନ ଆମର ସର୍ବଶ୍ରେଷ୍ଠ ବନ୍ଧୁ ଅଟେ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସତର୍କ କରି ଦେଇଛନ୍ତି ଯେ, ଆଧ୍ୟାତ୍ମିକ ମାର୍ଗରେ କଠୋର ତପସ୍ୟା ଦ୍ୱାରା ସଫଳତା ପ୍ରାପ୍ତ ହୁଏ ନାହିଁ । ସେଥିପାଇଁ ସାଧକ ନିଜର ଖାଦ୍ୟ-ପେୟ, କର୍ମ, ବିଶ୍ରାମ ଏବଂ ନିଦ୍ରା ଆଦିରେ ସଂଯମ ଆଚରଣ କରିବା ସହିତ ସନ୍ତୁଳନ ରକ୍ଷା କରିବା ନିତାନ୍ତ ଆବଶ୍ୟକ । ତାପରେ ସେ ମନକୁ ଭଗବାନଙ୍କ ସହିତ ସଂଯୁକ୍ତ କରିବାର ସାଧନା ସମ୍ପର୍କରେ ଆଲୋଚନା କରିଛନ୍ତି । ବାୟୁ ପ୍ରବାହ ମୁକ୍ତ ସ୍ଥାନରେ ଦୀପଶିଖା ସ୍ଥିର ରହିବା ପରି, ସାଧକର ମନ ଧ୍ୟାନରେ ଏକାଗ୍ର ରହିବା ଆବଶ୍ୟକ । ବାସ୍ତବରେ ମନକୁ ସଂଯତ କରିବା ଅତ୍ୟନ୍ତ କଷ୍ଟକର, କିନ୍ତୁ ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ । ତେଣୁ ମନ ଯେଉଁ ଦିଗକୁ ଯାଉଛି, ପୁନଶ୍ଚ ତାକୁ ସେଠାରୁ ଫେରାଇ ଆଣି ଭଗବାନଙ୍କଠାରେ କେନ୍ଦ୍ରିତ କରିବା ଉଚିତ । ମନ ଯେତେବେଳେ ଶୁଦ୍ଧ ହୋଇ ପରାତ୍ପର ତତ୍ତ୍ୱରେ ସ୍ଥିତ ହୋଇଯାଏ, ସେହି ଆନନ୍ଦମୟ ସ୍ଥିତିକୁ ‘ସମାଧି’ କୁହାଯାଏ । ଏଥିରେ ବ୍ୟକ୍ତି ଅସୀମିତ ଦିବ୍ୟ ଆନନ୍ଦ ଅନୁଭବ କରିଥାଏ ।

ତାପରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରୁଛନ୍ତି, ଯେଉଁ ବ୍ୟକ୍ତି ଏହି ପଥରେ ଅଗ୍ରସର ହୁଏ କିନ୍ତୁ ଅସ୍ଥିର ମନ ଯୋଗୁଁ ଲକ୍ଷ୍ୟ ସ୍ଥଳରେ ପହଞ୍ôଚପାରେ ନାହିଁ, ତାର ପରିଣାମ କ’ଣ ହୁଏ? ଶ୍ରୀକୃଷ୍ଣ ଆଶ୍ୱାସନା ଦେଉଛନ୍ତି ଯେ ଯେଉଁ ବ୍ୟକ୍ତି ଭଗବତ୍ ପ୍ରାପ୍ତି ନିମନ୍ତେ ପ୍ରୟାସ କରିଥାଏ, ସେ କେବେ ବି ଅସତ୍‌ର କବଳିତ ହୁଏ ନାହିଁ । ଭଗବାନ ଆମ ପୂର୍ବ ଜନ୍ମର ସମସ୍ତ ଆଧ୍ୟାତ୍ମିକ ପ୍ରୟାସର ହିସାବ ରଖିଥାଆନ୍ତି ଏବଂ ସେହିି ଜ୍ଞାନକୁ ପର ଜନ୍ମରେ ପୁନର୍ଜାଗୃତ କରିଦିଅନ୍ତି, ଯଦ୍ୱାରା ଜଣେ ତାର ଆଧ୍ୟାତ୍ମିକ ଯାତ୍ରା ଯେଉଁଠାରେ ସମାପ୍ତ କରିଥାଏ, ସେହିଠାରୁ ପୁନର୍ବାର ଆରମ୍ଭ କରିପାରିବ । ଅଧ୍ୟାୟର ପରିସମାପ୍ତି ଏହି ଘୋଷଣା ସହିତ କରାଯାଇଛି ଯେ ତପସ୍ୱୀ, ଜ୍ଞାନୀ ଏବଂ କର୍ମୀଙ୍କଠାରୁ ଶ୍ରେଷ୍ଠ ଯୋଗୀମାନେ ଅଟନ୍ତି, ଯେଉଁମାନେ ଆତ୍ମିକ ସ୍ତରରେ ଭଗବାନଙ୍କ ସହିତ ମିଳିତ ହେବାର ପ୍ରୟାସ କରିଥାଆନ୍ତି । ଯୋଗୀମାନଙ୍କ ମଧ୍ୟରେ ବି ସେହି ଯୋଗୀ ସର୍ବଶ୍ରେଷ୍ଠ ଅଟନ୍ତି, ଯିଏ ନିଜକୁ ଭକ୍ତିରେ (ଭଗବାନଙ୍କ ପ୍ରେମମୟ ସେବାରେ) ନିୟୋଜିତ କରିଥାଆନ୍ତି ।  

ଭଗବଦ୍ ଗୀତା 6.1 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଶ୍ରୀ ଭଗବାନ କହିଲେ; ଯେଉଁମାନେ କର୍ମଫଳ ପ୍ରତି କାମନା ନରଖି ତାଙ୍କର ବିହିତ କର୍ମ କରିଥାଆନ୍ତି, ବାସ୍ତବରେ ସେମାନେ ହିଁ ସନ୍ନ୍ୟାସୀ (ତ୍ୟାଗୀ) ଓ ଯୋଗୀ ଅଟନ୍ତି । ଯେଉଁମାନେ କେବଳ ଯଜ୍ଞାଦି ( ଯେପରି କି ଅଗ୍ନିହୋତ୍ର)ବା ଶାରୀରିକ କର୍ମ ତ୍ୟାଗ କରିଥାଆନ୍ତି, ସେମାନେ ଯୋଗୀ ନୁହଁନ୍ତି ।

ଭଗବଦ୍ ଗୀତା 6.2 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯାହାକୁ ସନ୍ୟାସ କୁହାଯାଏ, ତାହା ଯୋଗଠାରୁ ଭିନ୍ନ ନୁହେଁ, କାରଣ କେହି ମଧ୍ୟ ସାଂସାରିକ କାମନା ତ୍ୟାଗ ନ କରି ଯୋଗୀ ହୋଇପାରିବେ ନାହିଁ ।

ଭଗବଦ୍ ଗୀତା 6.3 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁ ଜୀବ (ସାଧକ) ଯୋଗ ମାର୍ଗରେ ପରିପୂର୍ଣ୍ଣତା ହାସଲ କରିବାକୁ ଇଚ୍ଛା କରୁଥାଆନ୍ତି, ତାଙ୍କ ପାଇଁ ‘ଆସକ୍ତି ରହିତ କର୍ମ’ ମାଧ୍ୟମ ଅଟେ । ଯେଉଁ ତପସ୍ୱୀ (ସାଧକ) ଯୋଗାଋଢ଼ ଅବସ୍ଥା ପ୍ରାପ୍ତ କରିଥାଆନ୍ତି, ତାଙ୍କ ପାଇଁ ଶାନ୍ତ ଚିତ୍ତରେ ଧ୍ୟାନ କରିବା ହିଁ ସାଧନ ଅଟେ ।

ଭଗବଦ୍ ଗୀତା 6.4 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଜଣେ ବ୍ୟକ୍ତିର ଯେତେବେଳେ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ତଥା କାମ୍ୟ କର୍ମ ପ୍ରତି ଆସକ୍ତି ନ ଥାଏ, ସେ କର୍ମଫଳ ପ୍ରତି ଆସକ୍ତି ତ୍ୟାଗ କରିଥିବା କାରଣରୁ ତାଙ୍କୁ ଯୋଗାରୂଢ କୁହାଯାଇ ଥାଏ ।

ଭଗବଦ୍ ଗୀତା 6.5 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମନର ଶକ୍ତି ଦ୍ୱାରା ନିଜର ଉତ୍‌ଥାନ କର, ନିଜର ପତନ କରାଅ ନାହିଁ; କାରଣ ମନ ଆତ୍ମାର ବନ୍ଧୁ ହେଇପାରେ କିମ୍ବା ଶତ୍ରୁ ମଧ୍ୟ ହେଇପାରେ ।

ଭଗବଦ୍ ଗୀତା 6.6 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ମନକୁ ଜୟ କରିପାରିଛନ୍ତି, ତାହା ତାଙ୍କର ବନ୍ଧୁ ଅଟେ । ଯେଉଁମାନେ ସେପରି କରିବାରେ ବିଫଳ ହୋଇଥାଆନ୍ତି, ସେମାନଙ୍କ ପାଇଁ ମନ ଏକ ଶତ୍ରୁ ଭାବରେ କାର୍ଯ୍ୟ କରିଥାଏ ।

ଭଗବଦ୍ ଗୀତା 6.7 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁ ଯୋଗୀମାନେ ମନକୁ ଜୟ କରିଛନ୍ତି, ସେମାନେ ଶୀତ ଓ ଉଷ୍ଣ, ସୁଖ ଓ ଦୁଃଖ, ମାନ ଓ ଅପମାନ ଆଦି ଦ୍ୱୈତର ଊର୍ଦ୍ଧ୍ୱରେ ରହନ୍ତି । ଏହିପରି ଯୋଗୀମାନେ ସେମାନଙ୍କର ଈଶ୍ୱର ଭକ୍ତିରେ ଶାନ୍ତ ଏବଂ ଅବିଚଳିତ ରହନ୍ତି ।

ଭଗବଦ୍ ଗୀତା 6.8 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁ ଯୋଗୀମାନେ ଜ୍ଞାନ ଓ ବିଚାର ଦ୍ୱାରା ସନ୍ତୁଷ୍ଟ ରହିଥାନ୍ତି ଏବଂ ଇନ୍ଦ୍ରିୟମାନଙ୍କୁ ଜୟ କରିଥାନ୍ତି, ସେମାନେ ପ୍ରତ୍ୟେକ ପରିସ୍ଥିତିରେ ଅବିଚଳିତ ରୁହନ୍ତି । ସେମାନେ ମାଟି, ପଥର ଏବଂ ସୁନା ଆଦି ସମସ୍ତ ବସ୍ତୁକୁ ସମାନ ଦୃଷ୍ଟିରେ ଦେଖନ୍ତି ।

ଭଗବଦ୍ ଗୀତା 6.9 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯୋଗୀମାନେ ହିତାକାଂକ୍ଷୀ, ବନ୍ଧୁ, ଶତ୍ରୁ, ଧାର୍ମିକ ତଥା ପାପାତ୍ମା ଆଦି ସମସ୍ତଙ୍କୁ ନିରପେକ୍ଷ ଦୃଷ୍ଟିରେ ଦେଖିଥାନ୍ତି । ଯେଉଁ ଯୋଗୀ, ବନ୍ଧୁ, ସାଥୀ ଓ ଶତ୍ରୁଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି, ଶତ୍ରୁ ଓ ସମ୍ବନ୍ଧିମାନଙ୍କ ପ୍ରତି ଉଦାସୀନ ରହନ୍ତି, ଧାର୍ମିକ ଓ ପାପୀମାନଙ୍କ ମଧ୍ୟରେ ପକ୍ଷପାତ କରନ୍ତି ନାହିଁ, ସେମାନେ ମନୁଷ୍ୟମାନଙ୍କ ମଧ୍ୟରେ ବିଶେଷ ଅଟନ୍ତି ।

ଭଗବଦ୍ ଗୀତା 6.10 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯୋଗ ପ୍ରାପ୍ତ କରିବା ପାଇଁ ଇଚ୍ଛୁକ ବ୍ୟକ୍ତି, ମନ ଓ ଶରୀରକୁ ବଶ କରି, କାମନା ରହିତ ଭାବରେ ଭୋଗ୍ୟ ବସ୍ତୁସଂଗ୍ରହର ଲାଳସା ତ୍ୟାଗ କରି, ଏକାନ୍ତରେ ବାସ କରି, ନିରନ୍ତର ଭଗବାନଙ୍କର ଧ୍ୟାନ କରିବା ଉଚିତ ।

ଭଗବଦ୍ ଗୀତା 6.11 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯୋଗାଭ୍ୟାସ ପାଇଁ ଏକ ପରିଷ୍କୃତ ସ୍ଥାନରେ, କୁଶ, ତୃଣ, ମୃଗ ଚର୍ମ ଓ ବସ୍ତ୍ର ଗୋଟିକ ଉପରେ ଗୋଟିଏ ରଖି ଏକ ଆସନ ପ୍ରସ୍ତୁତ କରିବା ଉଚିତ । ଆସନଟି ଅତି ଉଚ୍ଚ ବା ଅତି ନୀଚ ହେବା ଉଚିତ ନୁହେଁ ।

ଭଗବଦ୍ ଗୀତା 6.12 - 6.13 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସେହି ଆସନରେ ସ୍ଥିର ଭାବରେ ବସି, ସମସ୍ତ ଚିନ୍ତନ ଓ କ୍ରିୟାକୁ ନିୟନ୍ତ୍ରଣ କରି, ଏକାଗ୍ରତାର ସହ ମନକୁ ଧ୍ୟାନସ୍ଥ କରି ଜଣେ ଯୋଗୀ ଅନ୍ତଃକରଣ ଶୁଦ୍ଧି ନିମନ୍ତେ ପ୍ରୟାସ କରିବା ଆବଶ୍ୟକ । ସେ ଶରୀର, ମସ୍ତକ ଏବଂ ଗ୍ରୀବାକୁ ସିଧା ଓ ସ୍ଥିର ରଖି, ସ୍ଥିର ଚକ୍ଷୁରେ ନିଜ ନାସିକା ଅଗ୍ରରେ ଦୃଷ୍ଟି ନିବଦ୍ଧ କରିବା ଉଚିତ୍ ।

ଭଗବଦ୍ ଗୀତା 6.14 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଜଣେ ସଜାଗ ଯୋଗୀ, ଶାନ୍ତ, ନିର୍ଭୟ ଓ ଅବିଚଳିତ ମନରେ, ବ୍ରହ୍ମଚର୍ଯ୍ୟ ପାଳନରେ ନିଷ୍ଠାବାନ ରହି, ନିଜର ପରମ ଲକ୍ଷ୍ୟ ଭାବରେ ମୋର ହିଁ ଧ୍ୟାନ କରିବା ଉଚିତ ।

ଭଗବଦ୍ ଗୀତା 6.15 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଏହିପରି ଭାବରେ, ଯେଉଁ ଯୋଗୀ ମନକୁ ବଶ କରି, ନିରନ୍ତର ମୋ ଠାରେ ମନକୁ ନିମଜ୍ଜିତ ରଖିଥାଏ, ସେ ନିର୍ବାଣ ପ୍ରାପ୍ତି କରେ ଏବଂ ପରମ ଶାନ୍ତିରେ ମୋ ସହିତ ରହିଥାଏ ।

ଭଗବଦ୍ ଗୀତା 6.16 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଅର୍ଜୁନ! ଯିଏ ଅତ୍ୟଧିକ ଭୋଜନ କିମ୍ବା ଖୁବ୍ କମ ଭୋଜନ କରେ, ଅଧିକ ଶୟନ କରେ କିମ୍ବା ଖୁବ୍ କମ୍ ନିଦ୍ରା ଯାଏ, ସେ ଯୋଗରେ ସଫଳ ହୁଏ ନାହିଁ ।

ଭଗବଦ୍ ଗୀତା 6.17 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

କିନ୍ତୁ ଯେଉଁମାନେ ଆହାର ବିହାରରେ ସଂଯମ ରକ୍ଷା କରନ୍ତି, ପରିଶ୍ରମ ଏବଂ ନିଦ୍ରାରେ ସନ୍ତୁଳନ ରକ୍ଷା କରନ୍ତି, ସେମାନେ ଯୋଗାଭ୍ୟାସ ଦ୍ୱାରା ନିଜର ସମସ୍ତ ଦୁଃଖ ଲାଘବ କରିପାରନ୍ତି ।

ଭଗବଦ୍ ଗୀତା 6.18 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସମସ୍ତ ସ୍ୱାର୍ଥଯୁକ୍ତ ଇଚ୍ଛାଠାରୁ ମନକୁ ଦୂରେଇ ନେଇ, ସେମାନେ ନିଜର ଆନ୍ତରିକ ମଙ୍ଗଳ ପାଇଁ ତାହାକୁ ବ୍ୟବହାର କରିବାର ଅଭ୍ୟାସ କରିଥାଆନ୍ତି । ଇନ୍ଦ୍ରିୟ ଲାଳସାରୁ ସମ୍ପୂର୍ଣ୍ଣ ମୁକ୍ତ ଏହି ସାଧକମାନଙ୍କୁ ଯୋଗସିଦ୍ଧ କୁହାଯାଏ ।

ଭଗବଦ୍ ଗୀତା 6.19 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଦୀପଶିଖା ବାୟୁ ପ୍ରବାହିତ ହେଉ ନ ଥିବା ସ୍ଥାନରେ ନିଶ୍ଚଳ ରହିବା ପରି, ଜଣେ ଯୋଗୀଙ୍କର ପୂର୍ଣ୍ଣ ଶୃଙ୍ଖଳିତ ମନ ପରମାତ୍ମାଙ୍କ ଧ୍ୟାନରେ ସ୍ଥିର ରହିଥାଏ ।

ଭଗବଦ୍ ଗୀତା 6.20 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମାୟିକ କର୍ମରୁ ନିବୃତ୍ତ ମନ, ଯେତେବେଳେ ଯୋଗାଭ୍ୟାସ ଦ୍ୱାରା ସ୍ଥିର ହୋଇଯାଏ, ସେତେବେଳେ ଯୋଗୀ ତା’ର ବିଶୁଦ୍ଧ ଅନ୍ତଃକରଣରେ ଆତ୍ମାର ଦର୍ଶନ କରି ଆତ୍ମାନନ୍ଦରେ ବିଭୋର ହୋଇଯାଏ ।

ଭଗବଦ୍ ଗୀତା 6.21 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯୋଗ ସମାଧି ରୂପକ ସେହି ଆନନ୍ଦମୟ ଅବସ୍ଥାରେ, ବ୍ୟକ୍ତି ଅସୀମ ଦିବ୍ୟାନନ୍ଦର ଅନୁଭବ କରେ, ଏବଂ ଏହି ଅବସ୍ଥାରେ ସ୍ଥିତ ହୋଇ, ବ୍ୟକ୍ତି କେବେ ବି ପରମ ସତ୍ୟଠାରୁ ବିଚ୍ୟୁତ ହୁଏ ନାହିଁ ।

ଭଗବଦ୍ ଗୀତା 6.22 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଏହି ଅବସ୍ଥାକୁ ପ୍ରାପ୍ତ କରି, ବ୍ୟକ୍ତି ଅନ୍ୟ କୌଣସି ପ୍ରାପ୍ତବ୍ୟକୁ ତାହାଠାରୁ ଶ୍ରେଷ୍ଠ ମନେ କରେ ନାହିଁ ଏବଂ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତିରେ ମଧ୍ୟ ବିଚଳିତ ହୁଏ ନାହିଁ ।

ଭଗବଦ୍ ଗୀତା 6.23 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଦୁଃଖର ସଂଯୋଗରେ ପ୍ରାପ୍ତ ବିୟୋଗର ସ୍ଥିତିକୁ ଯୋଗ କୁହାଯାଏ । ଏହି ଯୋଗକୁ ଦୃଢ଼ନିଶ୍ଚୟ ପୂର୍ବକ, ନୈରାଶ୍ୟଭାବ ପୋଷଣ ନ କରି ଅଭ୍ୟାସ କରିବା ଉଚିତ ।

ଭଗବଦ୍ ଗୀତା 6.24 - 6.25 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସଂସାରର ଚିନ୍ତନରେ ଜାତ ସମସ୍ତ କାମନାକୁ ସମ୍ପୂର୍ଣ୍ଣରୂପେ ତ୍ୟାଗ କରି, ବ୍ୟକ୍ତି ମନ ଦ୍ୱାରା ନିଜର ସମସ୍ତ ଇନ୍ଦ୍ରିୟକୁ ସର୍ବତୋ ଭାବରେ ନିୟନ୍ତ୍ରିତ କରିବା ଉଚିତ । ଧୀର ଓ ଅବିଚଳିତ ଭାବେ, ବୁଦ୍ଧିର ଦୃଢ଼ ନିଶ୍ଚୟ ଦ୍ୱାରା, ମନ କେବଳ ଭଗବାନଙ୍କଠାରେ ସ୍ଥିର ରହିବ ଏବଂ ଅନ୍ୟ କୌଣସି ଚିନ୍ତନ କରିବ ନାହିଁ ।

ଭଗବଦ୍ ଗୀତା 6.26 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେତେବେଳେ ଓ ଯେଉଁ ପରିସ୍ଥିତିରେ ମନ ଅଶାନ୍ତ, ଅସ୍ଥିର ଏବଂ ବିଭ୍ରାନ୍ତ ହୁଏ, ତାହାକୁ ବାରମ୍ବାର ଫେରାଇ ଆଣି ଭଗବାନଙ୍କଠାରେ କେନ୍ଦ୍ରିତ କରିବା ଆବଶ୍ୟକ ।

ଭଗବଦ୍ ଗୀତା 6.27 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

“ଯେଉଁ ଯୋଗୀଙ୍କର ମନ ଶାନ୍ତ, ଯାହାର କାମନା ବଶୀଭୂତ, ଯିଏ ପାପ ମୁକ୍ତ ଏବଂ ଯିଏ ସବୁ କିଛିକୁ ଭଗବାନଙ୍କ ସହିତ ସମ୍ବନ୍ଧିତ କରି ଦେଖନ୍ତି, ତାଙ୍କୁ ଅନନ୍ତ ଈଶ୍ୱରୀୟ ଆନନ୍ଦ ମିଳିଥାଏ ।”

ଭଗବଦ୍ ଗୀତା 6.28 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଆତ୍ମ-ସଂଯତ ଯୋଗୀ, ଈଶ୍ୱରଙ୍କ ସହିତ ନିଜକୁ ସଂଯୁକ୍ତ କରି, ଭୌତିକ ଦୋଷରୁ ମୁକ୍ତ ହୁଏ ଏବଂ ପରମାତ୍ମାଙ୍କ ସାନ୍ନିଧ୍ୟରେ ସର୍ବଦା ରହି ସର୍ବୋଚ୍ଚ କକ୍ଷର ଦିବ୍ୟ ଆନନ୍ଦ ପ୍ରାପ୍ତ କରେ ।

ଭଗବଦ୍ ଗୀତା 6.29 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ବାସ୍ତବିକ ଯୋଗୀ, ନିଜ ଆତ୍ମାକୁ ପରମାତ୍ମାଙ୍କ ସହିତ ସଂଲଗ୍ନ କରି, ସମଦୃଷ୍ଟି ସମ୍ପନ୍ନ ହୋଇ, ସମସ୍ତ ପ୍ରାଣୀଙ୍କୁ ଭଗବାନଙ୍କଠାରେ ଏବଂ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଭଗବାନଙ୍କୁ ଦେଖିଥାଆନ୍ତି ।

ଭଗବଦ୍ ଗୀତା 6.30 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନେ ମୋତେ ସର୍ବତ୍ର ଦେଖନ୍ତି ଏବଂ ସମସ୍ତ ବସ୍ତୁକୁ ମୋ ମଧ୍ୟରେ ଦେଖନ୍ତି, ମୁଁ ତାଙ୍କଠାରୁ ହଜିଯାଏ ନାହିଁ କିମ୍ବା ସେମାନେ ମୋ ଠାରୁ ହଜିଯାଆନ୍ତି ନାହିଁ ।

ଭଗବଦ୍ ଗୀତା 6.31 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁ ଯୋଗୀ ମୋ ସହିତ ଯୁକ୍ତ ରହିଥାଆନ୍ତି ଏବଂ ସମସ୍ତଙ୍କ ହୃଦୟରେ ସ୍ଥିତ ପରମାତ୍ମା ରୂପରେ ମୋର ଉପାସନା କରନ୍ତି, ସେ ସମସ୍ତ ପ୍ରକାର କର୍ମରେ ଲିପ୍ତ ରହି ମଧ୍ୟ ମୋ ଠାରେ ନିବାସ କରିଥାଆନ୍ତି ।

ଭଗବଦ୍ ଗୀତା 6.32 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସେହି ଯୋଗୀମାନଙ୍କୁ ମୁଁ ଶ୍ରେଷ୍ଠ ରୂପେ ବିବେଚିତ କରେ, ଯେଉଁମାନେ ସମସ୍ତ ପ୍ରାଣୀଙ୍କୁ ସମଦୃଷ୍ଟିରେ ଦେଖିଥାଆନ୍ତି ଏବଂ ଅନ୍ୟମାନଙ୍କର ସୁଖ ଦୁଃଖକୁ ନିଜର ମନେ କରି ପ୍ରତିକ୍ରିୟା ଦେଖାଇ ଥାଆନ୍ତି ।

ଭଗବଦ୍ ଗୀତା 6.33 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅର୍ଜୁନ କହିଲେ: ହେ ମଧୁସୂଦନ! ଆପଣ ଯୋଗ ପ୍ରଣାଳୀ ବିଷୟରେ ଯାହା ବର୍ଣ୍ଣନା କଲେ, ମୋର ମନ ଅସ୍ଥିର ହୋଇଥିବା କାରଣରୁ, ତାହା ମୋତେ ଅସାଧ୍ୟ ଏବଂ ଅଲଭ୍ୟ ବୋଧ ହେଉଛି ।

ଭଗବଦ୍ ଗୀତା 6.34 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ କୃଷ୍ଣ! ଏହି ମନ ଅତ୍ୟନ୍ତ ଅଶାନ୍ତ, ବିକ୍ଷୁବ୍ଧ, ବଳବାନ ଏବଂ ଜିଦ୍‌ଖୋର ଅଟେ । ମୋର ମନେ ହେଉଛି, ଏହାକୁ ନିୟନ୍ତ୍ରଣ କରିବା ବାୟୁର ଗତିକୁ ନିୟନ୍ତ୍ରଣ କରିବା ଠାରୁ ମଧ୍ୟ ଅଧିକ କଷ୍ଟକର ଅଟେ ।

ଭଗବଦ୍ ଗୀତା 6.35 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଭଗବାନ ଶ୍ରୀକୃଷ୍ଣ କହିଲେ: ହେ ମହାବାହୁ କୁନ୍ତୀ ପୁତ୍ର! ତୁମେ ଯାହା କହୁଛ, ତାହା ସତ୍ୟ ଅଟେ; ପ୍ରକୃତରେ ମନକୁ ବଶ କରିବା ଅତ୍ୟନ୍ତ କଷ୍ଟକର । କିନ୍ତୁ ଅଭ୍ୟାସ ଏବଂ ବୈରାଗ୍ୟ ଦ୍ୱାରା ତାହାକୁ ନିୟନ୍ତ୍ରଣ କରାଯାଇ ପାରିବ ।

ଭଗବଦ୍ ଗୀତା 6.36 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେଉଁମାନଙ୍କର ମନ ଅସଂଯତ, ସେମାନେ ଯୋଗରେ ସିଦ୍ଧି ଲାଭ କରିବା କଷ୍ଟକର ଅଟେ । କିନ୍ତୁ ଯେଉଁମାନେ ସଠିକ୍ ଉପାୟରେ ନିଷ୍ଠାପର ଉଦ୍ୟମ ଦ୍ୱାରା, ମନକୁ ସଂଯତ କରିପାରି ଥାଆନ୍ତି, ସେମାନେ ଯୋଗରେ ସିଦ୍ଧି ଲାଭ କରନ୍ତି । ଏହା ମୋର ମତ ଅଟେ ।

ଭଗବଦ୍ ଗୀତା 6.37 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅର୍ଜୁନ କହିଲେ : ହେ ଶ୍ରୀକୃଷ୍ଣ! ଯେଉଁ ଯୋଗୀମାନେ ବିଶ୍ୱାସର ସହିତ ଏହି ମାର୍ଗରେ ଯାତ୍ରା ଆରମ୍ଭ କରନ୍ତି, କିନ୍ତୁ ଅସଂଯତ ମନ ଯୋଗୁଁ ଯଥେଷ୍ଟ ଉଦ୍ୟମ କରିପାରନ୍ତି ନାହିଁ, ସେମାନେ ଏହି ଜୀବନରେ ଯୋଗର ଲକ୍ଷ୍ୟସ୍ଥଳରେ ପହଞ୍ôଚ ପାରନ୍ତି ନାହିଁ । ଏହିପରି ଅସଫଳ ଯୋଗୀଙ୍କର ଭାଗ୍ୟ କ’ଣ ଅଟେ?

ଭଗବଦ୍ ଗୀତା 6.38 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ମହାବାହୁ ଶ୍ରୀକୃଷ୍ଣ! ଯେଉଁ ବ୍ୟକ୍ତି ଯୋଗ ମାର୍ଗରୁ ବିଚ୍ୟୁତ ହୋଇଯାଏ, ଏକ ଖଣ୍ଡିତ ମେଘ କୌଣସି ଲୋକରେ ସ୍ଥାନ ନ ପାଇ ଲୋପ ପାଇଗଲା ପରି, ଉଭୟ ଭୌତିକ ଓ ଆଧ୍ୟାତ୍ମିକ ସଫଳତାରୁ ବଞ୍ôଚତ ହୁଏ ନାହିଁ କି?

ଭଗବଦ୍ ଗୀତା 6.39 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ କୃଷ୍ଣ! ମୋର ସଂଶୟ ସମ୍ପୂର୍ଣ୍ଣ ଭାବରେ ଦୂର କରନ୍ତୁ, କାରଣ ଆପଣଙ୍କ ବ୍ୟତୀତ ଅନ୍ୟ କେହି ତାହା କରିପାରିବେ ନାହିଁ ।

ଭଗବଦ୍ ଗୀତା 6.40 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଭଗବାନ କହିଲେ: ହେ ପାର୍ଥ ! ଯେଉଁମାନେ ଆଧ୍ୟାତ୍ମିକ ପଥରେ ଯାଆନ୍ତି, ସେମାନଙ୍କର ଇହଲୋକ ଏବଂ ପରଲୋକ ନଷ୍ଟ ହୁଏ ନାହିଁ । ହେ ମୋର ପ୍ରିୟ ସଖା ! ଯେଉଁ ବ୍ୟକ୍ତି ଈଶ୍ୱରପ୍ରାପ୍ତି ପାଇଁ ଚେଷ୍ଟାରତ, ଦୁର୍ଭାଗ୍ୟ ତାଙ୍କୁ ଗ୍ରାସ କରିପାରେ ନାହିଁ ।

ଭଗବଦ୍ ଗୀତା 6.41 - 6.42 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୃତ୍ୟୁପରେ ଅସଫଳ ଯୋଗୀଗଣ, ଧର୍ମାତ୍ମାମାନଙ୍କ ଲୋକକୁ ଯାଆନ୍ତି । ସେଠାରେ କେତେ ଯୁଗ ବାସ କରିବା ପରେ, ପୁଣିଥରେ ପୃଥିବୀ ପୃଷ୍ଠରେ ଏକ ଧାର୍ମିକ ଓ ସମୃଦ୍ଧ ପରିବାରରେ ଜନ୍ମ ନିଅନ୍ତି । କିନ୍ତୁ ସେମାନେ ଯଦି ଦୀର୍ଘ ଦିନର ସାଧନା ଦ୍ୱାରା ବୈରାଗ୍ୟ ପ୍ରାପ୍ତ କରିଥାନ୍ତି, ସେମାନେ ଦିବ୍ୟଜ୍ଞାନ ସମୃଦ୍ଧ ପରିବାରରେ ଜନ୍ମ ଗ୍ରହଣ କରନ୍ତି । ସଂସାରରେ ଏପରି ଏକ ଜନ୍ମ ଅତ୍ୟନ୍ତ ଦୁର୍ଲଭ ଅଟେ ।

ଭଗବଦ୍ ଗୀତା 6.43 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ କୁରୁନନ୍ଦନ! ଏପରି ଏକ ଜନ୍ମ ପ୍ରାପ୍ତ କରି, ସେମାନେ ତାଙ୍କ ପୂର୍ବ ଜନ୍ମର ଜ୍ଞାନକୁ ପୁନର୍ଜାଗ୍ରତ କରନ୍ତି, ଏବଂ ଯୋଗରେ ସିଦ୍ଧି ପାଇଁ ଅଧିକ ଚେଷ୍ଟାରତ ହୁଅନ୍ତି ।

ଭଗବଦ୍ ଗୀତା 6.44 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ବାସ୍ତବରେ ତାଙ୍କ ଅତୀତ ଅଭ୍ୟାସର ଶକ୍ତି ବଳରେ, ସେମାନେ ଅନୁଭବ କରନ୍ତି, ଯେପରି କି ତାଙ୍କର ଅନିଚ୍ଛା ସତ୍ତ୍ୱେ ସେମାନେ ଭଗବାନଙ୍କ ଆଡ଼କୁ ଆକର୍ଷିତ ହେଉଛନ୍ତି । ଏପରି ସାଧକମାନେ ଶାସ୍ତ୍ରୀୟ ବିଧି-ବିଧାନର ଉର୍ଦ୍ଧ୍ୱରେ ରହିବା ସ୍ୱାଭାବିକ ।

ଭଗବଦ୍ ଗୀତା 6.45 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେତେବେଳେ ଏହି ଯୋଗୀମାନେ, ତାଙ୍କର ଅନେକ ପୂର୍ବ ଜନ୍ମର ସଞ୍ôଚତ ପୁଣ୍ୟ ସହିତ, ଅଧିକ ଅଗ୍ରଗତି କରିବା ପାଇଁ ଆନ୍ତରିକ ଉଦ୍ୟମ କରନ୍ତି, ସେମାନେ ସାଂସାରିକ କାମନାରୁ ମୁକ୍ତ ହୋଇ ଶୁଦ୍ଧ ହୋଇଯାନ୍ତି ଏବଂ ଏହି ଜୀବନରେ ହିଁ ପରମ ଗତିକୁ ପ୍ରାପ୍ତକରନ୍ତି ।

ଭଗବଦ୍ ଗୀତା 6.46 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଜଣେ ଯୋଗୀ ଜଣେ ତପସ୍ୱୀଙ୍କ ଠାରୁ ଶ୍ରେଷ୍ଠ, ଜଣେ ଜ୍ଞାନୀଙ୍କ ଠାରୁ ଶ୍ରେଷ୍ଠ ଏବଂ ଏପରିକି ଜଣେ କର୍ମୀଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ ଅଟନ୍ତି । ତେଣୁ ହେ ଅର୍ଜୁନ ! ଜଣେ ଯୋଗୀ ହେବା ପାଇଁ ଚେଷ୍ଟା କର ।

ଭଗବଦ୍ ଗୀତା 6.47 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସମସ୍ତ ଯୋଗୀମାନଙ୍କ ମଧ୍ୟରୁ, ଯେଉଁମାନଙ୍କର ମନ ସର୍ବଦା ମୋଠାରେ ସନ୍ନିବିଷ୍ଟ ଥାଏ, ଏବଂ ଯିଏ ଅତ୍ୟନ୍ତ ଶ୍ରଦ୍ଧାଯୁକ୍ତ ହୋଇ ମୋ ଭକ୍ତିରେ ନିମଗ୍ନ ରହେ, ମୁଁ ସେମାନଙ୍କୁ ସର୍ବଶ୍ରେଷ୍ଠ ମନେକରି ଥାଏ ।
Swami Mukundananda
6. ଧ୍ୟାନ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency