ତତ୍ରୈକାଗ୍ରଂ ମନଃ କୃତ୍ୱା ଯତଚିତ୍ତେନ୍ଦ୍ରିୟକ୍ରିୟଃ ।
ଉପବିଶ୍ୟାସନେ ଯୁଞ୍ଜ୍ୟାଦ୍ଯୋଗମାତ୍ମବିଶୁଦ୍ଧୟେ ।।୧୨।।
ସମଂ କାୟଶିରୋଗ୍ରୀବଂ ଧାରୟନ୍ନଚଳଂ ସ୍ଥିରଃ ।
ସଂପ୍ରେକ୍ଷ୍ୟ ନାସିକାଗ୍ରଂ ସ୍ୱଂ ଦିଶଶ୍ଚାନବଲୋକୟନ୍ ।।୧୩।।
ତତ୍ର - ତା’ଉପରେ; ଏକାଗ୍ରଂ- ଏକାଗ୍ରତାର ସହ; ମନଃ -ମନ; କୃତ୍ୱା -କରି; ଯତ-ଚିତ୍ତ-ମନ ସଂଯମ କରି; ଇନ୍ଦ୍ରିୟ- ଇନ୍ଦ୍ରିୟ; କ୍ରିୟଃ - କର୍ମ; ଉପବିଶ୍ୟ -ବସି; ଆସନେ - ଆସନରେ; ଯୁଞ୍ଜ୍ୟାତ୍ -ଅଭ୍ୟାସ କରେ; ଯୋଗଂ - ଯୋଗ; ଆତ୍ମ-ବିଶୁଦ୍ଧୟେ - ମନ ଶୁଦ୍ଧିକରଣ ନିମନ୍ତେ; ସମଂ - ସିଧା; କାୟ-ଶିରଃ - ଶରୀର ଏବଂ ମସ୍ତକ; ଗ୍ରୀବଂ - ବେକ; ଧାରୟନ୍ - ରଖି; ଅଚଳଂ - ନିଶ୍ଚଳ; ସ୍ଥିରଃ - ସ୍ଥିର; ସଂପ୍ରେକ୍ଷ୍ୟ - ସ୍ଥିର ଦୃଷ୍ଟିରେ; ନାସିକା ଅଗ୍ରଂ - ନାକର ଅଗ୍ରଭାଗକୁ; ସ୍ୱଂ -ନିଜର; ଦିଶଃ - ଚତୁର୍ଦ୍ଦିଗ; ଚ -ଏବଂ; ଅନବଲୋକୟନ୍ - ନ ଦେଖି ।
BG 6.12-13: ସେହି ଆସନରେ ସ୍ଥିର ଭାବରେ ବସି, ସମସ୍ତ ଚିନ୍ତନ ଓ କ୍ରିୟାକୁ ନିୟନ୍ତ୍ରଣ କରି, ଏକାଗ୍ରତାର ସହ ମନକୁ ଧ୍ୟାନସ୍ଥ କରି ଜଣେ ଯୋଗୀ ଅନ୍ତଃକରଣ ଶୁଦ୍ଧି ନିମନ୍ତେ ପ୍ରୟାସ କରିବା ଆବଶ୍ୟକ । ସେ ଶରୀର, ମସ୍ତକ ଏବଂ ଗ୍ରୀବାକୁ ସିଧା ଓ ସ୍ଥିର ରଖି, ସ୍ଥିର ଚକ୍ଷୁରେ ନିଜ ନାସିକା ଅଗ୍ରରେ ଦୃଷ୍ଟି ନିବଦ୍ଧ କରିବା ଉଚିତ୍ ।
ଧ୍ୟାନରେ ବସିବାର ଆସନ ବିଷୟରେ ବର୍ଣ୍ଣନା କରି ବର୍ତ୍ତମାନ ଶ୍ରୀକୃଷ୍ଣ, ଧ୍ୟାନୋପଯୁକ୍ତ ଶାରୀରିକ ମୁଦ୍ରା ବିଷୟରେ କହୁଛନ୍ତି । ସାଧନା କରିବା ସମୟରେ ଆଳସ୍ୟବୋଧ ଓ ନିଦ୍ରାଗ୍ରସ୍ତ ହେବାର ସମ୍ଭାବନା ଥାଏ । ଏହାର କାରଣ, ପ୍ରାରମ୍ଭିକ ଅବସ୍ଥାରେ ମାୟିକ ମନ, ଭଗବାନଙ୍କୁ ଧ୍ୟାନ କରି ସେହି ସୁଖ ପାଏ ନାହିଁ, ଯାହା ସେ ସାଂସାରିକ ଭୋଗ୍ୟବସ୍ତୁରୁ ପାଉଥିଲା । ଏହା ଭଗବାନଙ୍କର ଧ୍ୟାନ କରୁଥିବା ସମୟରେ ମନକୁ ଅବସନ୍ନ କରିଦେବାର ସମ୍ଭାବନା ସୃଷ୍ଟିକରେ । ଭୋଜନ କରୁଥିବା ସମୟରେ କେହି ଶୋଇବାର ଦୃଶ୍ୟ ଆପଣ ଦେଖି ନ ଥିବେ, କିନ୍ତୁ ଧ୍ୟାନ କରୁଥିବା ସମୟରେ ବା ଭଗବାନଙ୍କ ନାମ ଜପ କରୁଥିବା ସମୟରେ ନିଦ୍ରାଭିଭୂତ ହେବା ଅତି ସାଧାରଣ କଥା । ଏହାକୁ ଏଡ଼ାଇବା ପାଇଁ, ଶ୍ରୀକୃଷ୍ଣ ସିଧା ହୋଇ ବସିବାକୁ ନିର୍ଦ୍ଦେଶ ଦେଉଛନ୍ତି । ବ୍ରହ୍ମସୂତ୍ରରେ ମଧ୍ୟ ଧ୍ୟାନର ମୁଦ୍ରା ସମ୍ବନ୍ଧରେ ତିନୋଟି ସୂତ୍ର ରହିଛି ।
ଆସୀନ ସମ୍ଭବାତ୍ (୪.୧.୭) “ସାଧନା କରିବା ପାଇଁ ଠିକ୍ ଭାବରେ ବସ ।”
ଅଚଳତ୍ୱମ୍ ଚାପେକ୍ଷ (୪.୧.୯) “ସିଧା ଓ ସ୍ଥିର ଭାବରେ ବସିବା ପାଇଁ ସଂକଳ୍ପ କର ।”
ଧ୍ୟାନାଚ୍ଚ (୪.୧.୮) “ଏହିପରି ବସି, ଧ୍ୟାନରେ ମନକୁ କେନ୍ଦ୍ରିତ କର ।”
“ହଟ ଯୋଗ ପ୍ରଦୀପିକା”ରେ ଅନେକ ପ୍ରକାର ଧ୍ୟାନ ଆସନର ବର୍ଣ୍ଣନା କରାଯାଇଛି, ଯେପରି କି ପଦ୍ମାସନ, ଅର୍ଦ୍ଧପଦ୍ମାସନ, ଧ୍ୟାନବୀର ଆସନ, ସିଦ୍ଧାସନ ଏବଂ ସୁଖାସନ । ଧ୍ୟାନ କରିବା ସମୟରେ ଆମେ ସ୍ଥିର ହୋଇ ନିଜକୁ ଆରାମ ଲାଗୁଥିବା ଯେ କୌଣସି ଆସନରେ ବସି ପାରିବା । ମହର୍ଷି ପତଞ୍ଜଳୀ କହନ୍ତି:
ସ୍ଥିର ସୁଖମାସନମ୍ (ପତଞ୍ଜଳି ଯୋଗସୂତ୍ର ୨.୪୬)
“ଧ୍ୟାନ ଅଭ୍ୟାସ କରିବା ପାଇଁ ନିଶ୍ଚଳ ଭାବରେ, ତୁମକୁ ଆରାମ ମନେ ହେଉଥିବା ଯେ କୌଣସି ଆସନରେ ବସ ।” କେତେକ ବ୍ୟକ୍ତି, ତାଙ୍କର ଆଣ୍ଠୁ ସମସ୍ୟା ଆଦି ଯୋଗୁଁ ଚଟାଣ ଉପରେ ବସି ପାରନ୍ତି ନାହିଁ । ସେମାନେ ହତୋତ୍ସାହିତ ନହୋଇ, ଏକ ଚୌକି ଉପରେ ବସି ଧ୍ୟାନ ଅଭ୍ୟାସ କରି ପାରିବେ, କିନ୍ତୁ ଏଠାରେ ମଧ୍ୟ ତାଙ୍କୁ ନିଶ୍ଚଳ ଓ ସିଧା ଭାବରେ ବସିବାକୁ ପଡ଼ିବ ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଧ୍ୟାନ କରିବା ପାଇଁ ଚକ୍ଷୁକୁ ସ୍ଥିର ରଖି ନାସିକାର ଅଗ୍ରଭାଗରେ ଦୃଷ୍ଟି ନିବଦ୍ଧ କରିବା ଆବଶ୍ୟକ । ବିକଳ୍ପ ଭାବରେ ଧ୍ୟାନ ଚକ୍ଷୁ ମୁଦ୍ରିତ କରି ମଧ୍ୟ କରାଯାଇପାରେ । ଉଭୟ ପଦ୍ଧତି ସାଂସାରିକ ବିକର୍ଷଣର ଅବରୋଧରେ ସହାୟକ ହୋଇଥାଆନ୍ତି ।
ବାହ୍ୟ ଆସନ ଓ ମୁଦ୍ରା ସଠିକ୍ ହେବା ଜରୁରୀ ଅଟେ । କିନ୍ତୁ ବାସ୍ତବରେ ଧ୍ୟାନ ଆମ ଅନ୍ତର ଭିତରର ଯାତ୍ରା ଅଟେ । ଧ୍ୟାନ ଦ୍ୱାରା, ଆମେ ନିଜ ଅନ୍ତରର ଗଭୀରତମ ପ୍ରଦେଶରେ ପହଞ୍ôଚ, ଅନନ୍ତ ଜନ୍ମର ମନର ମଳୀନତାକୁ ପରିଷ୍କାର କରିପାରିବା । ମନକୁ ଏକାଗ୍ର କରିବାର ଅଭ୍ୟାସ ଦ୍ୱାରା ଆମେ ତା’ର ସୁପ୍ତ ଦକ୍ଷତାକୁ ଉଜାଗର କରି ପାରିବା । ଧ୍ୟାନ ଅଭ୍ୟାସ, ଆମ ବ୍ୟକ୍ତିତ୍ୱକୁ ସୁସଜ୍ଜିତ କରିବାରେ ସାହାଯ୍ୟ କରେ, ଅନ୍ତର୍ଚେତନା ଜାଗ୍ରତ କରେ, ଏବଂ ଆତ୍ମ-ସଚେତନତାକୁ ପରିବର୍ଦ୍ଧିତ କରେ । ଧ୍ୟାନର ଆଧ୍ୟାତ୍ମିକ ଲାଭ ଆଗକୁ ଶ୍ଲୋକ ୬.୧୫ର ଭାଷ୍ୟରେ ବର୍ଣ୍ଣିତ ହୋଇଛି । ଏହାର କେତେକ ଅନୁସଙ୍ଗିକ ଉପକାର ଗୁଡ଼ିକ ହେଲା:
- ଏହା ଉଚ୍ଛୃଙ୍ଖଳ ମନକୁ ଶୃଙ୍ଖଳିତ କରେ ଏବଂ କଷ୍ଟସାଧ୍ୟ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ଆମ ଚିନ୍ତନ ଶକ୍ତିର ଉପଯୋଗ କରେ ।
- ଏହା ପ୍ରତିକୂଳ ପରିସ୍ଥିତିରେ ମାନସିକ ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରେ ।
- ଏହା ଜୀବନରେ ସଫଳତା ହାସଲ କରିବା ପାଇଁ ଦୃଢ଼ ଇଚ୍ଛାଶକ୍ତି ଉତ୍ପନ୍ନ କରିବାରେ ସାହାଯ୍ୟ କରେ ।
- ଏହା ମନ୍ଦ ସଂସ୍କାର ଓ ବଦଭ୍ୟାସ ଦୂର କରିବାକୁ ଏବଂ ଉତ୍ତମ ଗୁଣ ବିକସିତ କରିବାକୁ ଆମକୁ ସକ୍ଷମ କରାଇଥାଏ ।
ଯଦ୍ୱାରା ମନ ଭଗବାନଙ୍କଠାରେ କେନ୍ଦ୍ରିତ ହୁଏ, ତାହା ହିଁ ସର୍ବୋତ୍କୃଷ୍ଟ ଧ୍ୟାନ ଅଟେ । ପରବର୍ତ୍ତୀ ଦୁଇଟି ଶ୍ଲୋକରେ ଏହା ସ୍ପଷ୍ଟ କରାଯାଇଛି ।
ତତ୍ରୈକାଗ୍ରଂ ମନଃ କୃତ୍ୱା ଯତଚିତ୍ତେନ୍ଦ୍ରିୟକ୍ରିୟଃ ।
ଉପବିଶ୍ୟାସନେ ଯୁଞ୍ଜ୍ୟାଦ୍ଯୋଗମାତ୍ମବିଶୁଦ୍ଧୟେ ।।୧୨।।
ସମଂ କାୟଶିରୋଗ୍ରୀବଂ ଧାରୟନ୍ନଚଳଂ ସ୍ଥିରଃ ।
ସଂପ୍ରେକ୍ଷ୍ୟ ନାସିକାଗ୍ରଂ ସ୍ୱଂ ଦିଶଶ୍ଚାନବଲୋକୟନ୍ ।।୧୩।।
ସେହି ଆସନରେ ସ୍ଥିର ଭାବରେ ବସି, ସମସ୍ତ ଚିନ୍ତନ ଓ କ୍ରିୟାକୁ ନିୟନ୍ତ୍ରଣ କରି, ଏକାଗ୍ରତାର ସହ ମନକୁ ଧ୍ୟାନସ୍ଥ କରି ଜଣେ ଯୋଗୀ ଅନ୍ତଃକରଣ ଶୁଦ୍ଧି …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ